ସ୍ୱତନ୍ତ୍ର କୋର୍ଟରେ ହେବ ନେତାଙ୍କ ବିଚାର

News Story - Posted on 2017-12-12

ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ବିରୋଧରେ ରହିଥିବା ଫୌଜଦାରୀ ମାମଲାଗୁଡ଼ିକର ତୁରନ୍ତ ଫଇସଲା ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏ ନେଇ ସୁପ୍ରିମ କୋର୍ଟଙ୍କ ତାଗିଦ ପରେ କେନ୍ଦ୍ର ସରକାର ଆଜି କୋର୍ଟଙ୍କୁ ଏହି ନିଷ୍ପତ୍ତି ସଂପର୍କରେ ଅବଗତ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ ଏପରି ୧୨ଟି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର କହିଛି । ଏଥିପାଇଁ ୭.୮୦ କୋଟି ଟଙ୍କା ମଂଜୁର କରାଯାଇଛି ।

 

୨୦୧୫ ମସିହାରେ ସୁପ୍ରିମ କୋର୍ଟ ନେତାଙ୍କ ବିରୋଧରେ ରହିଥିôବା ଫୌଜଦାରୀ ମକଦ୍ଦମାଗୁଡ଼ିକର ତୁରନ୍ତ ଫଇସଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୁଇ ବର୍ଷ ବିତିଗଲା ପରେ ମଧ୍ୟ କେନ୍ଦ୍ର ସରକାର ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ । ଗତ ମାସ ପ୍ରାରମ୍ଭରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଏହା ମନେ ପକାଇଦେବାରୁ ସରକାର ବାଧ୍ୟ ହୋଇ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଚାରପତି ରଂଜନ ଗୋଗୋଇ ଏବଂ ନବୀନ ସିହ୍ନା କେନ୍ଦ୍ରକୁ କହିଥିଲେ ଯେ ଏବେ ଦେଶରେ ଥିବା ୧୭ ହଜାର ନିମ୍ନ ଅଦାଲତ ପ୍ରତ୍ୟେକେ ହାରାହାରି ୪୨୦୦ ମକଦ୍ଦମାର ବିଚାର କରୁଛନ୍ତି । ତେଣୁ ନେତାଙ୍କ ମାମଲା ବୁଝିବା ପାଇଁ ସ୍ୱତନ୍ତ୍ର କୋର୍ଟ ଦରକାର ବୋଲି ବିଚାରପତି ଦ୍ୱୟ କହିଥିଲେ ।

 

୨୦୧୪ ମସିହାର ସୁଦ୍ଧାର ଦେଶର ୧୫୮୧ ଜଣ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ବିରୋଧରେ ୧୩,୫୦୦ ଫୌଜଦାରୀ ମାମଲା ବିଚାରାଧୀନ ରହିଛି । ଏହି ବିଚାରାଧୀନ ନେତାମାନେ ସାଂସଦ ଓ ବିଧାୟକ ଅଛନ୍ତି । ଏହା ଭିତରେ ଏହି ସଂଖ୍ୟା ଆହୁରି ବଢ଼ି ଯାଇଥିବ । ଦେଶର ଗଣତନ୍ତ୍ରକୁ ଅପରାଧୀ ମୁକ୍ତ ରଖିବା ପାଇଁ ଦୋଷୀ ସାବ୍ୟସ୍ତ ନେତାମାନଙ୍କୁ ସାରା ଜୀବନ ନିର୍ବାଚନରୁ ବାସନ୍ଦ କରିବା ପାଇଁ ଭାରତର ମୁଖ୍ୟ ନିର୍ବାଚନ କମିଶନ ଗତ ମାସରେ ମତ ଦେଇଥିଲେ । ସୁପ୍ରିମ କୋର୍ଟ ନିର୍ବାଚନ କମିଶନଙ୍କ ମତାମତ ଲୋଡ଼ିବାରୁ କମିଶନ ଏହି ମତ ଉପସ୍ଥାପନ କରିଥିଲେ । କିନ୍ତୁ ବିଚାରାଧୀନ ନେତାମାନେ ବିଭିନ୍ନ କୌଶଳରେ ମାମଲାଗୁଡ଼ିକୁ ଗଡ଼େଇ ରଖି ବାରମ୍ବାର ନିର୍ବାଚିତ ହୋଇଚାଲିଛନ୍ତି । ସେମାନଙ୍କ ମାମଲାର ତୁରନ୍ତ ବିଚାର ଶେଷ ହେଲେ ସେମାନେ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସାରା ଜୀବନ ନିର୍ବାଚନରୁ ବାସନ୍ଦ ହେବେ । ଯଦି ନିର୍ଦ୍ଦୋଷ ସାବ୍ୟସ୍ତ ହୁଅନ୍ତି ତେବେ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ।

 

ଏଥିପାଇଁ ଆଇନରେ ପରିବର୍ତ୍ତନ ଆବଶ୍ୟକ ବୋଲି ନିର୍ବାଚନ କମିଶନ ସୁପ୍ରିମ କୋର୍ଟଙ୍କୁ ଅବଗତ କରାଇଥିଲେ । କମିଶନ କାହିଁକି ଏହି ପ୍ରସଙ୍ଗରେ ଏକ ନିର୍ଦ୍ଦିଷ୍ଟ ମତ ରଖୁନାହିଁ ବୋଲି କୋର୍ଟ ପ୍ରଶ୍ନ କରିବାରୁ କମିଶନଙ୍କ ଓକିଲ ମୀନାକ୍ଷି ଅରୋରା ଏବଂ ମୋହିତ ଡି. ରାମ କହିଥିଲେ ଯେ ସଂପୃକ୍ତ ଆଇନରେ ସଂଶୋଧନ କରିବା ପାଇଁ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିସାରିଛନ୍ତି । କିନ୍ତୁ ସରକାର ଏଯାଏଁ ଏଦିଗରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ପ୍ରଚଳିତ ଆଇନ ଅନୁସାରେ ଜଣେ ନେତା ଦୋଷୀ ସାବ୍ୟସ୍ତ ହେଲେ ପରବର୍ତ୍ତୀ ୬ ବର୍ଷ ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ । ଏହାକୁ ସାରା ଜୀବନ କରିବା ପାଇଁ କମିଶନ ପ୍ରସ୍ତାବ ଦେଇଛନ୍ତି ।

 

କମିଶନ ଏପରି ମତ ଦେବା ପରେ କେନ୍ଦ୍ର ସରକାର ନେତାଙ୍କ ମାମଲାର ବିଚା ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରିବାକୁ ସହମତ ହୋଇଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top