କଂଗ୍ରେସର ନୂଆ କ୍ୟାପ୍ଟେନ

News Story - Posted on 2017-12-11

ଯାହା କୁହାଯାଉଥିଲା ତାହା ହିଁ ହେଲା । କଂଗ୍ରେସ ସଭାପତି ଭାବେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି ରାହୁଳ ଗାନ୍ଧୀ । ଏହା ଘୋଷଣା କରିଛନ୍ତି ଦଳର ନିର୍ବାଚନ ଅଧିକାରୀ ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ । ଆଜି ପ୍ରାର୍ôଥପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ସେ ଏହି ଘୋଷଣା କରିଛନ୍ତି । ନିର୍ବାଚନରେ ରାହୁଳ ଏକମାତ୍ର ପ୍ରାର୍ଥୀ ଥିଲେ ।

ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାମଚନ୍ଦ୍ରନ ଘୋଷଣା କରିଛନ୍ତି ଯେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ପଦ ନିମନ୍ତେ ହେଉଥିବା ନିର୍ବାଚନରେ ରାହୁଳଙ୍କ ପାଇଁ ମୋଟ ୮୯ ସେଟ୍ ପ୍ରାର୍ôଥପତ୍ର ଦାଖଲ ହୋଇଥିଲା । ସବୁ ପ୍ରାର୍ôଥପତ୍ର କାଏମ ଥିଲା । ଅନ୍ୟ କେହି ଏହି ପଦ ନିମନ୍ତେ ମନୋନୟନ ପତ୍ର ଦାଖଲ କରି ନଥିଲେ । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହୋଇଥିବାରୁ ଦଳୀୟ ସମ୍ବିଧାନର ୧୮(ଘ) ଧାରା ଅନୁଯାୟୀ ରାହୁଳ ଗାନ୍ଧୀ ସଭାପତି ନିର୍ବାଚିତ ହେଲେ ବୋଲି ଘୋଷଣା କରାଯାଉଛି ।

 

ଏହି ଘୋଷଣା ସହିତ ରାହୁଳଙ୍କ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଗତ ନଭେମ୍ବର ୨୦ ତାରିଖରେ । ସେହିଦିନ ବସିଥିବା କଂଗ୍ରେସ ୱାର୍କି କମିଟି ବୈଠକରେ ରାହୁଳ ସଭାପତି ହେବା ସପକ୍ଷରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ସେହି ସଭାରେ ଉପସ୍ଥିତ ଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ ଏବଂ ଅହମଦ ପଟେଲ ।

 

ଡିସେମ୍ବର ୪ ତାରିଖରେ ରାହୁଳ କଂଗ୍ରେସ ସଭାପତି ପଦ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ । ଆସନ୍ତା ୧୬ ତାରିଖରେ ସେ ବିଧିବଦ୍ଧ ଭାବେ ସଭାପତି ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ଅଛି । ରାହୁଳଙ୍କ ପୂର୍ବରୁ ତାଙ୍କ ମା’ ସୋନିଆ ଗାନ୍ଧୀ ୧୯ ବର୍ଷ ଧରି ଏହି ପଦରେ ଥିଲେ । ସ୍ୱାଧୀନତା ପରେ ରାହୁଳ ହେବେ କଂଗ୍ରେସର ଷୋଡ଼ଶ ସଭାପତି ।

 

କଂଗ୍ରେସ ସଭାପତି ପଦ ଅଳଂକୃତ କରିବାରେ ରାହୁଳ ହେବେ ନେହରୁ-ଗାନ୍ଧୀ ପରିବାରର ଷଷ୍ଠ ବ୍ୟକ୍ତି । ଏହି ପରିବାରର ମୋତିଲାଲ ନେହରୁ କଂଗ୍ରେସ ସଭାପତି ଥିଲେ । ପରେ ତାଙ୍କ ପୁଅ ଜବାହରଲାଲ ନେହରୁ ୩ ବର୍ଷ ପାଇଁ କଂଗ୍ରେସ ସଭାପତି ଦାୟିତ୍ୱ ତୁଲାଇଥିଲେ । ନେହରୁଙ୍କ ପରେ ତାଙ୍କ କନ୍ୟା ଇନ୍ଦିରା ଗାନ୍ଧୀ ୮ ବର୍ଷ କାଳ ଦଳୀୟ ସଭାପତି ଥିଲେ । ସେହିପରି ତାଙ୍କ ପୁଅ ରାଜୀବ ଗାନ୍ଧୀ ବି ୮ ବର୍ଷ ଏହି ପଦରେ ଥିଲେ । ସମସ୍ତଙ୍କୁ ବଳି ଯାଇ ସୋନିଆ ଗାନ୍ଧୀ ଏହି ପଦରେ ୧୯ ବର୍ଷ କାଳ ରହିଥିଲେ । ମୋଟ ଉପରେ ଏହି ପରିବାର ହାତରେ କଂଗ୍ରେସ ସଭାପତି ଦାୟିତ୍ୱ ୩୮ ବର୍ଷ ରହିଛି । କଂଗ୍ରେସ ହେଉଛି ୧୩୨ ବର୍ଷର ଏକ ରାଜନୀତିକ ଦଳ ।

 

କଂଗ୍ରେସ ସଭାପତି ହୋଇସାରିଥିବା ନେହରୁ-ଗାନ୍ଧୀ ପରିବାରର ଛଅ ଜଣଙ୍କ ମଧ୍ୟରୁ କେବଳ ମୋତିଲାଲ ନେହରୁ ଓ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି । ମୋତିଲାଲଙ୍କ ସମୟରେ ଦେଶ ସ୍ୱାଧୀନ ହୋଇନଥିଲା । ସୋନିଆ ନିଜେ ପ୍ରଧାନମନ୍ତ୍ରୀ ପଦ ପ୍ରତ୍ୟାଖ୍ୟାନ କରିଥିଲେ । ଆଗକୁ ରାହୁଳ ଏହି ପଦ ହାସଲ କରିବେ କି ନାହିଁ ତାହା ସମୟ କହିବ । ତାଙ୍କ ପୂର୍ବରୁ ପଣ୍ଡିତ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି ।

 

ସଂପ୍ରତି ଭାରତବର୍ଷରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୟନୀୟ ସ୍ଥିତିକୁ ଖସି ଯାଇଛି । ୨୦୧୪ ଲୋକସଭା ନିର୍ବାଚନରେ ଏହି ଦଳ ମୋଟ ୫୪୫ ଆସନରୁ ମାତ୍ର ୪୪ଟି ଆସନ ପାଇଛି । କର୍ଣ୍ଣାଟକ ଓ ପଂଜାବ ବ୍ୟତିତ ଅନ୍ୟ କୌଣସି ବଡ଼ ରାଜ୍ୟରେ କଂଗ୍ରେସ ଏବେ ଶାସନ କ୍ଷମତାରେ ନାହିଁ । ହିମାଚଳ ପ୍ରଦେଶରେ ଏହି ଦଳ ଶାସନ କ୍ଷମତାରେ ଥିଲା । କିନ୍ତୁ ସେଠାରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୧୮ ତାରିଖରେ ଘୋଷଣା ହେବା ପରେ ଦଳ କ୍ଷମତା ହରେଇବ ବୋଲି ପୂର୍ବରୁ ଆକଳନ କରାଯାଇଛି ।

 

ଏବେ ସମଗ୍ର ଦେଶରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ରହିଛି । ଏହି ଲୋକପ୍ରିୟତା ଆଧାରରେ ଭାରତୀୟ ଜନତା ପାର୍ଟି ଗୋଟେ ପରେ ଗୋଟେ ରାଜ୍ୟ ଅକ୍ତିଆର କରିଚାଲିଛି । ଏହି ପରିସ୍ଥିତିରେ କଂଗ୍ରେସ ସଭାପତି ଭାବେ ୪୭ ବର୍ଷ ବୟସ୍କ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କର କିପରି ମୁକାବିଲା କରିବେ ଓ ଦୁର୍ବଳ ହୋଇଚାଲିଥିବା କଂଗ୍ରେସ ଦଳର ପୁନରୁଦ୍ଧାର କରିବେ ତାହା ଭବିଷ୍ୟତ କହିବ । ତେବେ ସଂପ୍ରତି ଅନୁଷ୍ଠିତ ହେଉଥିବା ଗୁଜରାଟ ନିର୍ବାଚନର ଫଳାଫଳ ଅନେକ ଦୃଷ୍ଟିରୁ ରାହୁଳଙ୍କ ନେତୃତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ସେଠାରେ ଯଦି କଂଗ୍ରେସ ଜିତେ ତେବେ ତାହାର ସମସ୍ତ ଶ୍ରେୟ ନେବେ ରାହୁଳ । ଯଦି କଂଗ୍ରେସ ହାରେ ତେବେ ରାହୁଳଙ୍କ ନେତୃତ୍ୱର ଚମକ ଆହୁରି ଅଧିକ ମଳିନ ପଡ଼ିବାର ଆଶଙ୍କା ରହିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top