ଖେଲୋ ଇଣ୍ଡିଆ- ଖର୍ଚ୍ଚ ହେବ ୧୭୫୬ କୋଟି

News Story - Posted on 2017-12-11

କେନ୍ଦ୍ର ସରକାର ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ‘ଖେଲୋ ଇଣ୍ଡିଆ’ ଅଭିଯାନ ଚଳାଇବେ । ଏଥିରେ ୧୭୫୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି କାର୍ଯ୍ୟକ୍ରମ ଅଧୀନରେ୨୦୧୮ ମସିହାକୁ କ୍ରୀଡା ବର୍ଷ ଭାବେ ପାଳନ କରାଯିବ । ୨୦୨୪ ଏବଂ ୨୦୨୮ ଅଲିମ୍ପିକ୍ସ କ୍ରୀଡା ପାଇଁ ପ୍ରତିଭା ଚିହ୍ନଟ ନିମନ୍ତେ ଏହି କାର୍ଯ୍ୟକ୍ରମରେ ପ୍ରାଥମିକତା ଦିଆଯିବ । ୧୦ ରୁ ୧୮ ବର୍ଷର ପିଲାମାନଙ୍କୁ ଚୟନ କରାଯାଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ ଲାଗି ବ୍ୟବସ୍ଥା କରାଯିବ । ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଦେଶର ୨୦ କୋଟି ପିଲା ସାମିଲ ହେବେ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି ।

 

ନେହରୁ ଯୁବ ସଂଗଠନ ଓଡ଼ିଶା ଜୋନ ପକ୍ଷରୁ ଆୟୋଜିତ ଯୁବ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଶ୍ରୀ ରାଠୋର । ଭାରତୀୟ କ୍ରୀଡା ପ୍ରାଧୀକରଣ ଏବଂ ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ତଥା ଉପସ୍ଥିତ ଯୁବଗୋ ୀଙ୍କୁ ଏହି ଅବସରରେ ସମ୍ବୋଧିତ କରି କେନ୍ଦ୍ର କ୍ରୀଡା ମନ୍ତ୍ରୀ କର୍ଣ୍ଣେଲ ରାଠୋର କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣା ଓ ଦିଗଦର୍ଶନ କ୍ରମେ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ୩୧, ୨୦୧୮ରୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ୧୭ ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ପ୍ରତିଭା ଚିହ୍ନଟ ପାଇଁ ଏକ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମକୁ ଟେଲିଭିଜନ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମ ଜରିଆରେ ପ୍ରତ୍ୟକ୍ଷ ପ୍ରସାରଣ କରାଯିବ । ଯଦ୍ୱାରା ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀ କ୍ରୀଡା ପ୍ରତି ବିଶେଷ ଭାବେ ଆକୃଷ୍ଟ ହେବେ ।

 

ଏହାପରେ ୨୧ ବର୍ଷରୁ କମ ବୟସର କଲେଜ ପିଲାମାନଙ୍କ ପାଇଁ ମଧ୍ୟ ଅନୁରୂପ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ଜାତୀୟ ସ୍ତରରେ ଆୟୋଜନ କରାଯିବ । ପ୍ରତ୍ୟେକ ରାଜ୍ୟ ଏଥିରେ ଭାଗ ନେବେ । ଏହି କାର୍ଯ୍ୟକ୍ରମରେ ୪୦ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ସବୁଠାରୁ ଅଧିକ ପ୍ରତିଭାଶାଳୀ ୧୦୦୦ ପିଲାଙ୍କୁ ଚୟନ କରାଯିବ । ଏହି ପିଲାମାନଙ୍କୁ ବର୍ଷକୁ ୫ ଲକ୍ଷ ଟଙ୍କା କରି ୮ ବର୍ଷ ପର୍ଯ୍ୟନ୍ତ କ୍ରୀଡାବୃତ୍ତି ପ୍ରଦାନ କରାଯିବ । ୨୦୧୮ରୁ ପ୍ରତିବର୍ଷ ଏହିପରି ବିଭିନ୍ନ କ୍ରୀଡା କ୍ଷେତ୍ରରେ ୧୦୦୦ ପ୍ରତିଭାଧାରୀ ପିଲାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବୃତ୍ତି ପ୍ରଦାନ କରାଯିବ । ମନ୍ତ୍ରୀ କହିଥିଲେ ଯେ, ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ଦେଶର ବଛାବଛା ୨୦ଟି ବିଶ୍ୱବିଦ୍ୟାଳୟକୁ ଉକ୍ରର୍ଷ କ୍ରୀଡା କେନ୍ଦ୍ର ଭାବେ ପରିଣତ କରାଯିବ । ସେହିପରି ୧୫୦ ଟି ଜିଲ୍ଲାର ୧୫୦ ଟି ବଛା ବଛା ସ୍କୁଲକୁ ଉତ୍କର୍ଷ କ୍ରୀଡା ସ୍କୁଲରେ ପରିଣତ କରାଯିବ । ପ୍ରତିବର୍ଷ ୩-୪ଟି ବିଭାଗରେ ଏହିସବୁ ସ୍କୁଲରୁ କ୍ରୀଡା ପ୍ରତିଭାଙ୍କୁ ବଛାଯାଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଏଥିଲାଗି ୧୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ମନ୍ତ୍ରୀ କର୍ଣ୍ଣେଲ ରାଠୋର କହିଥିଲେ । ପ୍ରଚଣ୍ଡ ଇଚ୍ଛାଶକ୍ତି ଏବଂ ସଂକଳ୍ପ ଦ୍ୱାରା ଆମର ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀମାନେ ଅନେକ କିଛି ସଫଳତା ହାସଲ କରିପାରିବେ । ସଂକଳ୍ପରୁ ହିଁ ସିଦ୍ଧି ମିଳିବ । ପ୍ରତିବଦ୍ଧତା ଦ୍ୱାରା ଯୁବଗୋଷ୍ଠୀ ପାଖରେ ସାଧନ ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ ।

 

କେନ୍ଦ୍ରମନ୍ତ୍ରୀ କର୍ଣ୍ଣେଲ ରାଠୋର ବିମୁଦ୍ରୀକରଣ ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଥିଲେ ଯେ, ଦେଶର ବିଭିନ୍ନ ସ୍ତରରେ ଭ୍ରଷ୍ଟାଚାରକୁ ବିଲୋପ କରିବା ପାଇଁ ନୋଟବନ୍ଦୀ ଏକ ବଳିଷ୍ଠ ମାଧ୍ୟମ । କଳାଧନ କାରବାର ଭଳି ଦୁର୍ନୀତିର ମୂଳୋତ୍ପାଟନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚମୂଲ୍ୟଯୁକ୍ତ ନୋଟକୁ ଅଚଳ କରିବା ଲାଗି ନିଷ୍ପତି ନେଇଥିଲେ । ଭ୍ରଷ୍ଟାଚାର ଦ୍ୱାରା ଯୁବଗୋଷ୍ଠୀ ବିଶେଷ ଭାବେ ପ୍ରଭାବିତ ହେଉଥିବାରୁ ବିମୁଦ୍ରୀକରଣ ଭଳି ପଦକ୍ଷେପ ଦେଶରେ ଏକ ନିର୍ମଳ ଶାସନ ଓ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ବିଶେଷ ସହାୟକ ହେଉଛି । ଏଣୁ ଯୁବଗୋଷ୍ଠୀ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଭ୍ରଷ୍ଟାଚାର ବିରୋଧୀ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିପରି ବସ୍ତୁ ଓ ସେବା କର ଭାରତର ପରୋକ୍ଷ ଟିକସ ସଂସ୍କାର କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ । ସ୍ୱାଧୀନତା ପରଠାରୁ ଏତେ ବଡ ଧରଣର ଟିକସ ସଂସ୍କାର କେବେ ଅଣାଯାଇ ନଥିଲା । ଏହାଦ୍ୱାରା ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଅନେକାଂଶରେ ହ୍ରାସ ପାଇଛି । ଇତି ମଧ୍ୟରେ କେନ୍ଦ୍ର ସରକାର ଜିଏସଟି ଦରରେ ହ୍ରାସ କରିବା ଦ୍ୱାରା ଗରିବ ଲୋକମାନେ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଦେଶ ହିତ ତଥା ଜନକଲ୍ୟାଣ ଲାଗି ଏଭଳି କଠୋର ଆର୍ଥିକ ଶୃଙ୍ଖଳା ଆଧାରିତ ପଦକ୍ଷେପ ମାନ ନେଇଛନ୍ତି ଯାହାକି ଦୀର୍ଘମିଆଦୀ ସୂତ୍ରରେ ଦେଶପାଇଁ ମଙ୍ଗଳଦାୟକ ହେବ ବୋଲି ସେ କହିଥିଲେ ।

 

କେନ୍ଦ୍ରମନ୍ତ୍ରୀ କର୍ଣ୍ଣେଲ ରାଠୋର କହିଥିଲେ ଯେ ଏବେ ଆମ ଦେଶ ଯୁବଗୋଷ୍ଠୀରେ ଭରପୂର । ସେମାନଙ୍କ ଉତ୍ସାହ, ଉନ୍ମାଦନା ଏବଂ ଉଦ୍ଦୀପନା ଦେଶକୁ ଅନେକ ନୂଆ ଆହ୍ୱାନର ସମ୍ମୁଖୀନ ହେବାରେ ସହାୟକ ହେବ । ଦେଶକୁ ଜାତିଆଣବାଦ ଏବଂ ଭ୍ରଷ୍ଟାଚାରରୁ ମୁକ୍ତ କରିବା ଦିଗରେ ଯୁବଗୋଷ୍ଠୀ ସଂକଳ୍ପ କରିବାକୁ ସେ ଆହ୍ୱାନ ଦେଇଥିଲେ । ସେମାନଙ୍କ ସ୍ୱପ୍ନ ନୂଆ ପରିକଳ୍ପନାକୁ ରୂପ ଦେବ ଏବଂ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିପାରିବ । ଏଣୁ ଯୁବଗୋଷ୍ଠୀ ଦେଶକୁ ଆହୁରି ସୁଦୃଢ଼ କରିବା ଦିଗରେ ସଂକଳ୍ପ ନେଇ ରାଷ୍ଟ୍ର ନିର୍ମାଣରେ ନିଜ ନିଜର ଅବଦାନ ଦେବାକୁ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରୀ କର୍ଣ୍ଣେଲ ରାଠୋର ଆହ୍ୱାନ ଦେଇଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top