ଗଣତନ୍ତ୍ରରେ ସାମନ୍ତବାଦ

News Story - Posted on 2017-12-10

ସୂର୍ଯ୍ୟମଣି ମିଶ୍ର

 

ଭାରତରେ ସାମନ୍ତବାଦ ଓ ଉପନିବେଶବାଦର ଅନ୍ତ ଘଟିଛି ଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଦୀର୍ଘ ୭୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟକାରୀ ହୋଇଛି । କିନ୍ତୁ ସତରେ କ’ଣ ସାମନ୍ତବାଦର ଉପସ୍ଥିତି ଆଉ ଦେଶରେ ନାହିଁ? ନା ଅଦୃଶ୍ୟ ଭାବରେ ଏହା ବଳବତ୍ତର ରହିଛି! ଏପରି ଏକ ବଦ୍ଧଧାରଣା ସମଗ୍ର ସମାଜରେ ସୃଷ୍ଟି ହୋଇଛି ଯେ ଭାରତୀୟ ସାମନ୍ତବାଦ ଏବଂ ଏଠାକାର ଶାସକବର୍ଗଙ୍କ ପାଇଁ ଦଳିତ ଶବ୍ଦ ଅଧିକରୁ ଅଧିକ ଶୁଭଦାୟକ ହୋଇଛି । ଜାତି ଆଧାରରେ ବର୍ଷ ବର୍ଷ ଧରି ଶୋଷଣର ଶିକାର ହୋଇଥିବା ଦଳିତଙ୍କ ଆର୍ଥିକ ସମୃଦ୍ଧି ପାଇଁ ଶାସକବର୍ଗଙ୍କ ଦୃଢ଼ ଇଚ୍ଛାଶକ୍ତି ନାହିଁ । ଏହି ବର୍ଗ ଚାହୁଁନାହାନ୍ତି ଯେ ଜାତିଗତ ବ୍ୟବସ୍ଥାର ବିଲୁପ୍ତି ହେଉ । ଏହି ଜାତି ବ୍ୟବସ୍ଥା ଆଧାରରେ ଯେଉଁମାନେ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ କ୍ଷେତ୍ରରେ ପଛରେ ପଡ଼ିଛନ୍ତି, ସେମାନଙ୍କୁ ବିକାଶର ମୁଖ୍ୟଧାରାକୁ ଆଣିବା ପାଇଁ ଶାସକବର୍ଗ ସୁନିଶ୍ଚିତ ପ୍ରୟାସ କରୁନାହାନ୍ତି । ଏକ ଧାରଣା ସୃଷ୍ଟି କରାଯାଉଛି ଏବଂ ଏହି ଧାରଣାର ସତ୍ୟତାକୁ ଅସ୍ୱୀକାର କରାଯାଉନି, ତା’ହେଲା ଦଳିତଙ୍କୁ ଦୁର୍ବଳ କରିବା ଦିଗରେ ବ୍ରାହ୍ମଣବାଦ ଦାୟୀ । ବ୍ରାହ୍ମଣ ଓ ଦଳିତଙ୍କ ମଧ୍ୟରେ ବିବାଦ ଲାଗିରହିଥାଉ, ଏହା ଶାସକବର୍ଗ ଚାହାନ୍ତି । ଆଉ ଗୋଟିଏ ବର୍ଗ ଅଛନ୍ତି, ଜାତି ବ୍ୟବସ୍ଥାକୁ ମାର୍କେଟିଂ କରି ବେଶ୍‍ ସୁଖ ସମୃଦ୍ଧିରେ ଦିନ ବିତାଉଛନ୍ତି ଏବଂ କୁମ୍ଭୀର କାନ୍ଦଣା କାନ୍ଦିବାରେ ନିଜକୁ ପଛରେ ପକାଉନାହାନ୍ତି । ବିଶ୍ୱର ସବୁଧର୍ମ ଏବଂ ସଂପ୍ରଦାୟରେ ଦଳିତ ଅଛନ୍ତି । ସମସ୍ତଙ୍କ ଦୁଃଖ, ଦୁର୍ଦ୍ଦଶା ସମାନ । ନ୍ୟାୟ ପାଇବା ପାଇଁ ଏହି ସମସ୍ତ ଦଳିତବର୍ଗ ସଂଘର୍ଷରତ । ଭାରତୀୟ ପରିପ୍ରେକ୍ଷୀରେ ଜାତିବାଦୀ ରାଜନୀତି ଶାସକବର୍ଗଙ୍କ ପାଇଁ ସୁନାଅଣ୍ଡା ଦେଉଥିବା କୁକୁଡ଼ା ସଦୃଶ । ଏହି କୁକୁଡ଼ା ବଞ୍ôଚରହିବା ଶାସକବର୍ଗଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଦଳିତଙ୍କ ପୁନରୁତ୍ଥାନ ପାଇଁ ସମକାଳୀନ ବିକାଶର ମୁଖ୍ୟ ଧାରାରେ ସଂପୃକ୍ତ ଓ ନିଶ୍ଚିତ କରାଯିବା ପ୍ରସଙ୍ଗ କେବଳ ପ୍ରଚାରରେ ଚାଲିଛି ।

 

ଆଦିବାସୀ, ଦଳିତ, ଯାଦବ, କୁର୍ମି, ଖଣ୍ଡାୟତ ଆଦି ବର୍ଗଙ୍କୁ ଭାଗଭାଗ କରି ଜାତି ବ୍ୟବସ୍ଥାର ଅନ୍ତ ଘଟାଇବାର ଧାରାକୁ ଅଧିକ ଜଟିଳ କରାଯାଉଛି । ଏହାସହ ଯୋଡ଼ି ଦିଆଯାଉଛି ବିଚ୍ଛିନ୍ନତାବାଦର ମାନସିକତା । ନିଜର ପ୍ରଚାର ସଂପଦ ଆଧାରରେ ବିକାଶ ଆକାଶକୁ ଛୁଇଁଲାଣି ବୋଲି ପ୍ରଚାର କରାଯାଉଛି । କିନ୍ତୁ ବାସ୍ତବତା ହେଉଛି ଶହଶହ ବର୍ଷ ଧରି ବିକାଶଠାରୁ ଦୂରରେ ରହିଥିବା ଦଳିତ ଓ ଆଦିବାସୀଙ୍କ ମଧ୍ୟରୁ ୯୦ଭାଗରୁ ଅଧିକ ଏବେ ବି ବିକାଶଠାରୁ ଦୂରରେ । ଆଲ୍ଲାଉଦ୍ଦିନ ଖିଲିଜ, ବ୍ରିଟିଶ ଉପନିବେଶକରୁ ଭାରତ ମୁକ୍ତି ପାଇବାର ୭୦ ବର୍ଷ ବିତିଗଲାଣି । କିନ୍ତୁ ଭାରତୀୟ ଶାସକବର୍ଗ ଦ୍ୱାରା ଆଦିବାସୀ, ଦଳିତଙ୍କୁ ମିଳିପାରିନି ନିଶ୍ଚିତ ନ୍ୟାୟ । ସମାନତାର ଅଧିକାର ଅପହଞ୍ଚ ରହିଛି ଏହି ଶୋଷିତବର୍ଗଙ୍କ ପାଇଁ । କେବଳ ସଂରକ୍ଷଣର ପାରିତୋଷିକ ମିଳିଛି । ଦଳିତ ବର୍ଗଙ୍କୁ ଉଚ୍ଚ ଦଳିତ, ନିମ୍ନ ଦଳିତ, ହିନ୍ଦୁ ଦଳିତ, ଖ୍ରୀଷ୍ଟିଆନ ଦଳିତ ଭାବରେ ଭାଗଭାଗ କରିବାରେ ସଫଳ ହୋଇଛି ଶାସକବର୍ଗ । ଭାରତର ସମସ୍ତ ଧର୍ମରେ ଥିବା ଦଳିତଙ୍କ ଅବସ୍ଥା ବିଶେଷ ଦୟନୀୟ । ହିନ୍ଦୁ, ମୁସ୍‍ଲିମ୍‍, ଖ୍ରୀଷ୍ଟିଆନ, ଶିଖ୍‍ ସମୁଦାୟରେ ଥିବା ଦଳିତମାନେ ଜଗତୀକରଣ ଗଳାକଟା ଆର୍ଥିକ ନୀତି ଦ୍ୱାରା ଆହୁରି ବଞ୍ôଚତ ଅବସ୍ଥାରେ ଅଛନ୍ତି । ଶାସକବର୍ଗ ନିଜର ଶାସନ ବ୍ୟବସ୍ଥାକୁ କାଏମ୍‍ ରଖିବା ପାଇଁ ଗୋଟିଏ ଜାତିର ଲୋକ ଆଉ ଗୋଟିଏ ଜାତିର ଲୋକଙ୍କ ସହିତ ଲଢ଼ିବା ପାଇଁ ପରିବେଶ ସୃଷ୍ଟି କରୁଛନ୍ତି । ଏହି ପନ୍ଥା ହିଁ ଶାସକବର୍ଗଙ୍କ ପାଇଁ ଗୋଟିଏ ରଣନୀତି ।

 

ଗଣତନ୍ତ୍ରରେ ଜଣତନ୍ତ୍ରର ପ୍ରାବଲ୍ୟ ରାଜନୈତିକ ପରିବେଶରେ ଅସ୍ଥିର ଓ ଅଝଟିଆ ପରିସ୍ଥିତିର ସଂକେତ ଦେଉଛି । ନେତାଙ୍କ ପାଇଁ ଦଳିତ ନିର୍ଯାତନା ପ୍ରସଙ୍ଗ ଏକ ପ୍ରାସଙ୍ଗିକତାରେ ସାମିଲ ହେଉନାହିଁ । ମନ୍ଦିର-ମସଜିଦ୍‍, ହିନ୍ଦୁ-ମୁସଲିମ୍‍ ପ୍ରସଙ୍ଗ ଭେଦଭାବ ସୃଷ୍ଟି ପାଇଁ ସହାୟକ ହେଉଛି । ପୁରାଣ ଓ ଇତିହାସର କଥା ଓ ଗାଥା, ନାୟକ ଓ ଖଳନାୟକଙ୍କ ସହ ନିଜକୁ ଏବଂ ବିରୋଧୀଙ୍କୁ ଯୋଡ଼ାଯାଇ ଭାବ ଓ ଭାବନା ପ୍ରତି ଆଘାତ ଏବଂ ପ୍ରତିଘାତର ବାତାବରଣ ସୃଷ୍ଟି କରି ସୁସ୍ଥ ରାଜନୀତିକୁ ଗୋଳିଆ କରାଯାଉଛି । ଶାସକବର୍ଗ ଏପରି ଏକ ପରିବେଶ ସୃଷ୍ଟି କରୁଛନ୍ତି, ସମାଜରେ ମତିଭ୍ରମ ଓ ମତିଭ୍ରଷ୍ଟଙ୍କ ସଂଖ୍ୟା ବଢ଼ିଚାଲିଛି । ବିରୋଧ ବଦଳରେ ବିଦ୍ୱେଷ ମୁଣ୍ଡ ଟେକିଛି । ଜୀବନ ଯନ୍ତ୍ରଣାର କାରଣ ହୋଇଛି । ଦଳିତ ତଥା ଦୁର୍ବଳ ଜନତା ନ୍ୟାୟ ପାଉନାହାନ୍ତି । ଆଇନ ଏବେ ଗାନ୍ଧାରୀ ଭୂମିକାରେ । ସରକାର ସବୁବେଳେ ସତ୍ୟପାଠ କରୁଛନ୍ତି ପବିତ୍ରତାର । ଶ୍ରମକୁ ବିକି ବଞ୍ଚୁଥିବା ଦଳିତଙ୍କ ପେଟ ପୁରୁନାହିଁ । ତାଙ୍କ ଭୋକର ବେଦନାକୁ ମାପିବା ପାଇଁ ଶାସକବର୍ଗଙ୍କ ପାଖରେ ସମୟର ଅଭାବ । ସେଇଥିପାଇଁ ଶାସକ ଶ୍ରେଣୀଙ୍କ ମଧ୍ୟ କେତେକଙ୍କୁ ବା ଅଧିକାଂଶଙ୍କୁ ଦୂରାଚାରୀ ଶାସକ ଭାବେ ଚିତ୍ରଣ କରାଯାଉଛି । ପ୍ରଶାସକ ଦୃଷ୍ଟିହୀନ ସ୍ଥିତିରେ । ବିରୋଧୀ ନିକମା ଅବସ୍ଥାରେ । ଗଣମଧ୍ୟସ୍ଥି ଅପାରଗ ଓ ଦେବାଳିଆ ସ୍ଥିତିରେ । ବୁଦ୍ଧିଜୀବୀଙ୍କ ସୁଆଙ୍ଗିଆ ଭିଆଣ ଦଳିତ, ଅବହେଳିତ ତଥା ଶୋଷିତ ବର୍ଗଙ୍କ ପାଇଁ ଦୁଃଖର କାରଣ ହେଉଛି । କାରଣ ବେଦରଦୀ ସୁଆଙ୍ଗ ଶାସକବର୍ଗଙ୍କୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ପାଇଁ ପ୍ରେମର ସଂଗୀତ ହୋଇଛି । ଶାସକବର୍ଗଙ୍କ ଚରମ ଓ ପରମ ଲକ୍ଷ୍ୟ ହେଉଛି ତାଙ୍କ ଶାସନ ଯେପରି ଭେଦଭାବକୁ ନେଇ ତିଷ୍ଠିରହିଛି, ସେହିପରି ଥାଉ ।

 

ନିକଟରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶ ପାଇଛି ଏକ ତଥ୍ୟ । ଏହି ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩୨୯୪ ଜଣ ଅନୁସୂଚିତ ଜାତିର ଲୋକ ବା ଦଳିତ ଲୋକଙ୍କ ବିରୋଧରେ ଅପରାଧ ଘଟଣା ଘଟିଛି । ୨୦୧୪ରେ ଏହି ସଂଖ୍ୟା ୩୫୪୬, ୨୦୧୫ରେ ଏହି ସଂଖ୍ୟା ୪,୯୨୨ ଥିଲା । ରାଜସ୍ତାନରେ ୨୦୧୪ରେ ୬,୭୩୫, ୨୦୧୫ରେ ୫,୯୧୫, ୨୦୧୬ରେ ୫,୧୩୬ ଦଳିତଙ୍କ ବିରୋଧରେ ଅପରାଧ ଘଟଣା ଘଟିଛି ।

 

ରାଜସ୍ଥାନ ତଥ୍ୟ ଏଇଥିପାଇଁ ଉପସ୍ଥାପନ କରିବା ଗୁରୁତ୍ୱ ବହନ କରିଛି, ତାହା ହେଲା ଗତ କେଇ ଦିନ ତଳେ ରାଜସ୍ତାନର ରାଜସମନ୍ଦଠାରେ ଜଣେ ମୁସଲିମ୍‍ ଠିକାଦାରଙ୍କୁ କିପରି ଗୋଡ଼େଇ ଗୋଡ଼େଇ ହାଣିବା ପରେ ତାଙ୍କୁ ପୋଡ଼ିଦେଲେ, ଯାହାକୁ ନେଇ ଏବେ ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ରାଜସ୍ତାନ ଉଦୟପୁରରେ ବନ୍ଦ ପାଳନ ହୋଇଛି । ନିକଟ ଅତୀତରେ ଭାରତବାସୀ ଦେଖିଛନ୍ତି ପହଲୁ ଖାଁ, ଅଖଲାକ ଏବଂ ଜୁନେଦଙ୍କୁ କିପରି ମାରିଦିଆଯାଇଥିଲା । ଗୁଜୁରାଟରେ ଦଳିତ ମୃତ ଗୋରୁ ଚମଡ଼ାକୁ ନେଉଥିବା ନେଇ କିପରି ମାଡ଼ମାରି ନିର୍ଯାତନା ଦିଆଯାଇଥିଲା । ଭାରତର ସର୍ବଧର୍ମ ସମଭାବ ହେଉଛି ବିଶେଷତ୍ୱ । ସମାନଭାବେ ସମସ୍ତେ ବଞ୍ôଚବେ, ଏହା ହେଉଛି ଭାରତୀୟ ସଂସ୍କୃତି । କିନ୍ତୁ ଦଳିତ ତଥା ଦୁର୍ବଳବର୍ଗଙ୍କ ଉପରେ ଧର୍ମ ଓ ଜାତି ନାଁରେ କିପରି ନିର୍ଯାତନା ଦିଆଯାଉଛି, ଏପରିକି ହତ୍ୟା କରାଯାଉଛି, ତାହା ଦେଶର ସାମ୍ବିଧାନିକ ଢାଞ୍ଚାର ପତନକୁ ଦେଖାଉଛି । ଭାରତ ଆଜି ବିଶ୍ୱ ଦରବାରରେ କଳଙ୍କିତ ହେବାକୁ ଯାଉଛି । ରାଜନୀତି ଆମର ଭବିଷ୍ୟତ ନିର୍ମାଣ କରେ, ଭବିଷ୍ୟତର ରାଜନୀତିକୁ ଆମେ ନିର୍ମାଣ କରିଥାଉ । ନିଶାମୁକ୍ତ ସମାଜ ନିର୍ମାଣ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । କିନ୍ତୁ ଏହି ସମାନତାର ପ୍ରକ୍ରିୟା ଠାରୁ ଦଳିତ ଓ ଦୁର୍ବଳବର୍ଗ ଅନେକ ଦୂରରେ ।

 

ଜାତିଗତ ପ୍ରଶ୍ନ ହୁଏତ ସବୁ ସମୟରେ ବିପ୍ଳବର ରାଜନୀତି ସହ ଜଡ଼ିତ । ଧର୍ମ ଓ ଧନର ଉନ୍ମାଦ ସହ ଯୋଡ଼ିହୋଇଛି ଜାତିଗତ ବୈଷମ୍ୟ । ଏହା ସମାଜକୁ ବିନାଶ ଆଡ଼କୁ ନେଉଛି । ଏହା ସମାଜର ପୂର୍ଣ୍ଣିମା ଓ ଅମାବାସ୍ୟାର ଚିତ୍ରକୁ ଦେଖାଉଛି । ଆଜି ଏଠାରେ ପ୍ରଶ୍ନ ହେଉଛି ଏକବିଂଶ ଶତାବ୍ଦୀରେ ଆମେ ପାଦ ଥାପିଥିବା ବେଳେ ଆଦିମ ଯୁଗର ଆଦମ ଓ ହବ୍‍ବାଙ୍କ ଉପସ୍ଥିତି ସ୍ଥାନେ ସ୍ଥାନେ ଦେଖିବାକୁ ପାଉଛୁ । ଆଦମମାନେ ଯେଉଁମାନେ କି ମଣିଷ ମାଂସରେ ନିଜର ଭୋକ ମେଣ୍ଟାଉଛନ୍ତି । ମଣିଷକୁ ଉଲଗ୍ନ କରିବାରେ ଆନନ୍ଦ ପାଉଛନ୍ତି । ଅନ୍ୟକୁ ନିର୍ଯାତନା ଦେଇ ସୁଖ ପାଉଛନ୍ତି । ସେଲଫି ୱିଥ ହ୍ୟାଣ୍ଡସମ ଧାରାକୁ ଆଗକୁ ବଢ଼ାଉଛନ୍ତି । ମହଙ୍ଗି ସୁରକ୍ଷିତ ଗାଡ଼ି, ପ୍ରାଇଭେଟ୍‍ ଜେଟ୍‍, ସୁରକ୍ଷା ଗାର୍ଡ ବଳୟରେ ରହି ପ୍ରାକୃତିକ ସଂପଦକୁ ଏକଚାଟିଆ ଧନକୁବେରଙ୍କ ପାଦତଳେ ଅଜାଡ଼ି ଦେଇ ରାଷ୍ଟ୍ରଭକ୍ତିର ଗୀତ ଗାଉଛନ୍ତି । ଗ୍ୟାଙ୍ଗ୍‍ ରେପର ସଂଖ୍ୟା ବଢ଼ିଚାଲିଛି । ଅନାଚାର ମାଡ଼ିଚାଲିଛି, ଦାସଯୁଗୀୟ ସଭ୍ୟତା ଯେପରି ବଞ୍ଚିଛି ତାହା ଦେଖିବାକୁ ମିଳୁଛି । ଦଳିତ ଓ ଦୁର୍ବଳବର୍ଗଙ୍କ ବଞ୍ôଚବାର ଦୟନୀୟ ସ୍ଥିତିକୁ ଦେଖିଲେ ଜଣାପଡ଼େ । ଧନ ଲୁଟେରାଙ୍କ କବ୍‍ଜାରେ ଯେପରି ଶାସକବର୍ଗ ରହିଛନ୍ତି, ଆଉ ଏହି ବର୍ଗଙ୍କ ଆଖି ଆଗରେ ପଡ଼ୁନି ଦଳିତ ଓ ଦୁର୍ବଳବର୍ଗଙ୍କ ଦୁର୍ଦ୍ଦଶାର ସ୍ଥିତି । କେବଳ ଜାତି, ଧର୍ମକୁ ନେଇ ଭେଦଭାବ ସୃଷ୍ଟି କରି ଶାସକବର୍ଗ ଶାସନର ସୁଫଳ ନିଜ ପାଇଁ ତଥା ନିଜ ପରିବାର ପାଇଁ ଠୁଳ କରୁଛନ୍ତି । ଜାତିବାଦୀ ରାଜନୀତି ଶାସକବର୍ଗ ପାଇଁ ସୁନାର ଅଣ୍ଡା ଦେଉଥିବା କୁକୁଡ଼ା ପାଲଟିଛି । ବିରୋଧୀଙ୍କ ପାଇଁ ଏହା ମାର୍କେଟିଂର ଏକ ପଣ୍ୟ ହୋଇଛି । କେଉଁ ଅନାଦିକାଳରୁ ନିର୍ଯାତିତ ତଥା ଶୋଷଣର ଶିକାର ହୋଇ ବଞ୍ôଚରହିଥିବା ଏହି ଦଳିତ ଓ ଦୁର୍ବଳବର୍ଗଙ୍କୁ ଜାତି ରାଜନୀତିରେ ପଣ୍ୟକରି ଆଉ କେତେଦିନ ଶାସକବର୍ଗ ଡାରଉଇନଙ୍କ ବିବର୍ତ୍ତନବାଦର ଧାରାରେ ଏଦଳ ସେଦଳ ଡେଇଁ ଡେଉଁ ଠକିଚାଲିଥିବେ? ଆଉ ଦେଶରେ ଅସମାନତାରେ ପ୍ରାଚୀର ଆକାଶକୁ ଛୁଇଁବା ଭଳି ପରିବେଶ ତିଆରି କରାଯାଉଥିବ?

 

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top