ପାଟରା ଜାତି-ବୌଦ୍ଧ ଓ ସାଧବ ସଂସ୍କୃତି

News Story - Posted on 2017-12-10

ଦେବେନ୍ଦ୍ର ପୃଷ୍ଟି

 

ପିଲା ଥାଏ । ଦୀପାବଳୀରେ ବାଣଫୁଟା ମଜା ପିଲାଙ୍କ ପାଇଁ ନିଆରା । ଆମ ପାଟରା ସାହିର ପିଲାମାନେ ଘର ସାମ୍ନା ଦାଣ୍ଡରେ ଝରଝରି, ଧପଧପି ଓ ହୁଇଗୁଟି ବା କୁଂପି ଇତ୍ୟାଦି ଫୁଟାଉ । ସାହିର ଦାଣ୍ଡଛକରେ ସମସ୍ତେ ମିଶି ଜୋର ଶବ୍ଦ କରି ଫୁଟୁଥିବା ବାଣ ଫୁଟାଉ ।
ଗାଁ ଗହଳିର କଥା । ବାଣଫୁଟା ପର୍ବ ରାତି ୯ଟା ଭିତରେ ସରି ଯାଏ । ତା’ପରେ ଘରୁ ଡକା ପଡ଼େ । ଖାଡ଼ି ଡାକିବା ପାଇଁ । ବଡ଼ବଡ଼ୁଆ ଡାକକୁ ଆମେ ସେତେବେଳେ ଖାଡ଼ି ଡାକିବା କହୁଥାଉଁ ।

 

ଖାଡ଼ି ଡାକିବା ବେଳ ହେଲେ ଆମେ ଘରକୁ ଫେରୁ । ଘର ଅଗଣାରେ ଚାଉଳ ଚୁନାରେ ଗୋଟିଏ ବର୍ଗାକାର କ୍ଷେତ୍ର ଭିତରେ ୨୦ଟି ଏବଂ ତା’କୁ ଲାଗି ଆଉ ଗୋଟିଏ, ଏମିତି ୨୧ଟି ବଖରା ହୋଇଥାଏ । ସେଇସବୁ ବଖରାରେ ଅଟା, ଗୁଡ଼, ନଡ଼ିଆ କୋରା ଓ ଛେନା ମିଶା ବରା ଆକାରର ଛୋଟଛୋଟ ‘ଚୁଙ୍ଗି’ ଥାଏ । ତା’ ପାଖରେ ଆଖୁ, ଅଦା, ନଡ଼ିଆ, କଦଳି ଖଣ୍ଡେ ଖଣ୍ଡେ । କଦଳି ଉପରେ ଖେଞ୍ଚା ଯାଇଥାଏ ସରୁ ସରୁ କାଉଁରିଆ କାଠି ଉପରେ ତିଆରି ହୋଇଥିବା ଘିଅବତୀ ।

 

ମୋ ବାପା କଲିକତାରେ ରହୁଥିବାରୁ, ମୁଁ ଘରର ବଡ଼ପୁଅ ହିସାବରେ ସେଇ ଚିତ୍ରାକାରର ଯନ୍ତ୍ରକୁ ପୂଜା କରେ । ବତୀ ଲଗାଏ । ତା’ ପୂର୍ବରୁ ପୁଳାଏ ପୁଳାଏ କାଉଁରିଆରେ ଗିଲ, ବାଳୁଙ୍ଗା, ନଈନଟା ଗୁଡ଼ା ହୋଇ ବିଡ଼ା ବନ୍ଧା ଯାଇଥାଏ । ବତୀରୁ ସେଥିରେ ନିଆଁ ଧରେଇ ଆମେ ସେଇ ଦାଣ୍ଡଛକକୁ ଯାଉଁ । ସେଠାରେ ପିଲା, ବୁଢ଼ା ସମସ୍ତେ ମିଶି ଖାଡ଼ିବିଡ଼ାର ନିଆଁ ଲାଗିଥିବା ମୁଣ୍ଡକୁ ଉପରକୁ ଉଠାଇ ବଡ଼ବଡ଼ୁଆଙ୍କୁ ଡାକୁ- ବଡ଼ ବଡ଼ୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯା, ଗଙ୍ଗା ଯା’, ଗୟା ଯା’, ଶ୍ରୀପୁରସ୍ତମ ଯା’, ବାଇଶ ପାହାଚରେ ଗଡ଼ଗଡ଼ଉ ଥା’ । ବଡ଼ମାନେ ଆମକୁ ବୁଝେଇ ଦେଉଥିଲେ, ଏମିତି କଲେ ଆମର ପୂର୍ବପୁରୁଷମାନେ ମୁକ୍ତି ପାଇଯିବେ । ସେତେବେଳେ ଛୋଟ ପିଲା, ଛୋଟ ମୁଣ୍ଡ- ଏସବୁ କଥା କିଛି ବୁଝିପାରୁ ନଥିଲୁ ।

 

ପର ଦିନ ସକାଳୁ କିନ୍ତୁ ହେଉଥିଲା, ସେଇଟା ଥିଲା ମୋ ପାଇଁ ଅଧିକ ଆକର୍ଷଣର ବିଷୟ । ଘର ମଝି ଭାଆରେ ଗୋଟେ ବଡ଼ ଡଙ୍ଗା ଚିତ୍ର ଅଙ୍କାଯାଏ । ମା’ ସେ କାମ କରେ । ଚାଉଳ ଚୁନାରେ ଅଙ୍କାଯାଉଥିବା ଏଇ ଡଙ୍ଗାରେ ମଧ୍ୟ ୨୧ଟି ଘର ତିଆରି ହୁଏ । ସେବୁ ବର୍ଗାକାର ଘରେ ସୁନା, ରୁପା, ଟଙ୍କା, ପଇସା, ଧାନ, ଚାଉଳ, ବିରି, ମୁଗ, ଜିରା, ସୋରିଷ, ଲବଙ୍ଗ, ଗୁଜରାତି, ଡାଲଚିନି ଆଦି ବିଭିନ୍ନ କିସମର ସାମଗ୍ରୀ ଟିକେ ଟିକେ ରହେ । ଡଙ୍ଗା ସଜା ହୋଇସାରିଲା ପରେ ମା’ ତାହାକୁ ଦୀପ ଲଗାଇ ବନ୍ଦାଏ । ସେ ଡଙ୍ଗା ସେଇପରି ସନ୍ଧ୍ୟା ଯାଏ ରହେ । ତା’ପରେ ଜିନିଷଗୁଡ଼ିକୁ ମା’ ବାହାର କରି ନେଇଯାଏ ଓ ଚିତ୍ରକୁ ଲିପିପୋଛି ଲିଭେଇ ଦିଏ ।

 

ସେତେବେଳେ ମୋ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରୁଥିଲା । ମୁଁ ମା’କୁ ପଚାରେ । ସେ କହେ, ବାପଗୋସାପ ଅମଳରୁ ଏମିତି କରାଯାଇ ଆସୁଛି । କାର୍ତ୍ତିକ ପୂନେଇଁରେ ଡଙ୍ଗିଭସା ଯେମିତି ପୂଣ୍ୟର କାମ ଏ ବି ସେମିତି ପୂଣ୍ୟର କାମ ।

 

ମନ ବୁଝୁଥାଏ, କିନ୍ତୁ ସ୍ପଷ୍ଟ ହେଉ ନଥାଏ ।

 

ବଡ଼ ହେଲା ପରେ ବୁଝିଲି, ଏହା ହେଉଛି ସାଧବ ସଂସ୍କୃତିର ଏକ ପୁରାତନ ପ୍ରଥା । ସାଧବମାନେ ବିଦେଶରୁ ବୋଇତ ନେଇ ଫେରିବା ପରେ ସେମାନଙ୍କୁ ବନ୍ଦରରେ ସ୍ୱାଗତ କରିବା ଢଙ୍ଗରେ ବନ୍ଦାପନା କରାଯାଏ ।

 

କାର୍ତ୍ତିକ ପୂନେଇଁରେ ସାରା ଓଡ଼ିଶାର ଲୋକମାନେ ନଈନାଳ, ଗଡ଼ିଆ ପୋଖରୀ, ସମୁଦ୍ରରେ ଡଙ୍ଗି ଭସେଇ ଯେଉଁ ଦରିଆପାରି ବାଣିଜ୍ୟ ସଂସ୍କୃତିର ସ୍ମୃତିଚାରଣ କରନ୍ତି, ଏହାର ତାହାର ଅନ୍ୟ ଏକ ପୂର୍ଣ୍ଣାଙ୍ଗ ରୂପ । ଦୀପାବଳି ପରଦିନ କିନ୍ତୁ ଏମିତି ଓଡ଼ିଶାର ଅନ୍ୟ କେଉଁ ଜାତିର ଲୋକମାନେ ବୋଇତ ବନ୍ଦାବନା କରିବାର କାହାରିଠାରୁ ଶୁଣିନାହିଁ । ଅନେକଙ୍କୁ ପଚାରି ନିରାଶ ହୋଇଛି ।

 

ତେଣୁ ମନରେ ଗୋଟେ ଧାରଣା ସୃଷ୍ଟି ହୋଇଯାଇଛି ଯେ ହୁଏତ ଆମେ ପାଟରାମାନେ ଇତିହାସର ଅତଳ ଗର୍ଭରେ ସାଧବ ଥିଲେ । ଆଜି ଅବଶ୍ୟ ଏ ଜାତି ହାଟୁଆ ହୋଇଯାଇଛି । ଆଉ ଦରିଆପାରି ବାଣିଜ୍ୟ ନାହିଁ । ହାଟ ଓ ବଜାରରେ ଏବେ ବେପାର କରୁଛି ପାଟରା ପୁଅ ।
ସତରେ କ’ଣ ପାଟରାମାନେ ସାଧବ ଥିଲେ? ଆଉ କିଛି ଅଧିକ ଜାଣିବାକୁ ଚାହିଁଲି । ମୁଁ ଇତିହାସର ଛାତ୍ର ନୁହେଁ, ରାଜନୀତି ବିଜ୍ଞାନର । ଇଣ୍ଟରମିଡିଏଟ ଯାଏଁ ଯାହା ଇତିହାସ ପଢ଼ିଥିଲି । ସେହି ଇତିହାସ ପାଠ୍ୟକ୍ରମ ଭିତରେ ଓଡ଼ିଶାର ଦରିଆପାରି ବାଣିଜ୍ୟ ନେଇ କିଛି ନଥିଲା । ରାଜନୀତି ବିଜ୍ଞାନରେ ମଧ୍ୟ ଏ କଥାର ପ୍ରମାଣ ପାଇବାର ସମ୍ଭାବନା ନାହିଁ ।

 

ପରେ କାଳଚକ୍ରରେ ପଡ଼ି ସାମ୍ବାଦିକ ବୃତ୍ତିରେ ପ୍ରବେଶ କଲି । ଏଇ ବୃତ୍ତିରେ ଥାଇ କିଛି କଥା ଜାଣିବାକୁ ପାଇଲି ।

 

୨୦୦୩-୦୪ ମସିହାର କଥା । ସେତେବେଳେ ସଂସ୍କୃତି ମନ୍ତ୍ରୀ ଥାଆନ୍ତି ଡାକ୍ତର ଦାମୋଦର ରାଉତ । ସାମ୍ବାଦିକତା କରୁ କରୁ ତାଙ୍କ ସହିତ ଘନିଷ୍ଟତା ବଢ଼ିଥାଏ । ତାଙ୍କ ପ୍ରତିଷ୍ଠିତ ସଂଚାର ନାମକ ସାପ୍ତାହିକ ଖବରକାଗଜର ସଂପାଦକ ଥାଏ । ସେହି ସମୟରେ ସେ ମୋତେ ଗୋଟେ କଥା କହିଥିଲେ । ଦେବ, ଯାଜପୁରରେ ବନ୍ଦରେଶ୍ୱର ବୋଲି ଜାଗାଟିଏ ଅଛି, ଜାଣିଛ? ମୁଁ ଜାଣି ନଥାଏ । ତେଣୁ ମନା କଲି । ସେ କହିଲେ, ତା’ହେଲେ ଜାଣିଛ କ’ଣ? ତୁମ ଯାଜପୁରର ଲୋକମାନେ ଦରିଆପାରି ବାଣିଜ୍ୟ କରୁଥିଲେ । ଆଜିର ବନ୍ଦରେଶ୍ୱର ଦିନେ ଏକ ସାମୁଦ୍ରିକ ବନ୍ଦର ଥିଲା । ବନ୍ଦରେଶ୍ୱର ଭାବେ ଏବେ ଶିବ ମନ୍ଦିର ରହିଛି । କିନ୍ତୁ ଦିନେ ସେଠି ମନ୍ଦିର ନଥିଲା, ବନ୍ଦର ଥିଲା । ଐତିହାସିକମାନେ ଏ ତଥ୍ୟର ସନ୍ଧାନ ପାଇଲେଣି । ତୁମେ ତା’ ଉପରେ ଗୋଟେ ଫିଚର ଲେଖ ।

 

ଏହା ପରେ ମୁଁ ସେ ବାବଦରେ କେଉଁଠି କ’ଣ ବାହାରିଥିଲା ତାହା ପଢ଼ିବାକୁ ଖୋଜିଲି । ଦାମବାବୁ ଯାହା କହିଥିଲେ, ତା’ଠାରୁ ଅଧିକ କିଛି ପାଇଲି ନାହିଁ । କିନ୍ତୁ ଧାରଣା ଦୃଢ଼ ହେଲା ଯେ ଯାଜପୁରର ସେହି ଅଂଚଳର ଲୋକମାନେ ନିଶ୍ଚୟ ଦରିଆପାରି ବାଣିଜ୍ୟ କରୁଥିଲେ । ସେତେବେଳକୁ ମୁଁ ଜାଣିଥାଏ ଯେ ଆମର ମୂଳଘର ହେଉଛି କାଏମା । ସେହି ଅଂଚଳରୁ ୬ ପୁରୁଷ ତଳେ ଆମ ପୂର୍ବପୁରୁଷ ଯାଜପୁରକୁ ଉଠି ଯାଇଥିଲେ ।

 

ଧର୍ମଶାଳାର କାଏମା, ଅଲିଶାପାଟଣା, ଜାରକା ଆଦି ଅଂଚଳ ଏବେ ବୌଦ୍ଧ ସଂସ୍କୃତିର ସ୍ମୃତିଚିହ୍ନ ବହନ କରୁଛି । କାଏମା, ଦେଉଳି, ନେଉଳିପୁର, ତାରାପୁର, ରାଧାନଗର, ଉଦୟଗିରି, ରତ୍ନଗିରି ଆଦି ବିଶ୍ୱ ବୌଦ୍ଧ ଧର୍ମର ପ୍ରାଣକେନ୍ଦ୍ର ଭାବେ ପ୍ରମାଣିତ ହେଲାଣି । ଏହ ଅଂଚଳରେ ରହି ଅଶୋକଙ୍କ ଭାଇ ତିଷ କାଳେ ବୌଦ୍ଧ ଧର୍ମ ଉପରେ ଗବେଷଣା କରିବା ସହିତ ଏହାର ପ୍ରସାର ଦିଗରେ ଅନେକ ଉଦ୍ୟମ କରିଥିଲେ । ସମ୍ବଳର ରାଜା ଇନ୍ଦ୍ରଭୂତି ଓ ତାଙ୍କ ଭଉଣୀ ତଥା ସୁବର୍ଣ୍ଣପୁରର ରାଣି ଲକ୍ଷ୍ମୀଙ୍କରା ଏହି ଅଂଚଳରେ ରହି ବୌଦ୍ଧତନ୍ତ୍ରର ଦୁଇଟି ବିଭବ ପ୍ରଚଳନ କରିଥିଲେ । ତାହା ପରେ ବଜ୍ରଯାନ ଓ ସହଜଯାନ ଭାବେ ପରିଚିତ ହୋଇଛି ।

 

ଏସବୁ ଜାଣିବା ପରେ ମୋ ମନ କାହିଁକି କହୁଛି, ବୋଧହୁଏ ଏଇ ଅଂଚଳର ବୌଦ୍ଧ ସନ୍ନ୍ୟାସୀ ଓ ଭିକ୍ଷୁମାନେ ଦେଶବିଦେଶ ଗସ୍ତ କରି ବୌଦ୍ଧ ଧର୍ମର ପ୍ରସାର ଘଟାଇଛନ୍ତି । କିନ୍ତୁ ବୌଦ୍ଧ ଧର୍ମ ସହିତ ସାଧବମାନଙ୍କର ସଂପର୍କ କ’ଣ? ବୌଦ୍ଧ ଧର୍ମ ତ’ କାମନାର ବିନାଶରେ ଦୁଃଖର ବିନାଶ କଥା କହିଥାଏ । ଧନସଂପତ୍ତି ଆହରଣ ଉପରେ ଏ ଧର୍ମ ସେତେଟା ପ୍ରାଧାନ୍ୟ ଦିଏନାହିଁ । ଅଳ୍ପରେ ଚଳିବା ହେଉଛି ଏ ଧର୍ମର ସାରତତ୍ତ୍ୱ । ତେବେ ସାଧବମାନେ କେବେ ଓ କେମିତି ବୌଦ୍ଧ ହେଲେ?

 

ପଢ଼ି ଜାଣିବାକୁ ପାଇଲି ଯେ ତଥାଗତ ଗୌତମ ବୁଦ୍ଧତ୍ୱ ପ୍ରାପ୍ତ ହେଲା ପରେ ତାଙ୍କର ପ୍ରଥମ ଦୁଇ ଶିଷ୍ୟ ହୋଇଥିଲେ କଳିଙ୍ଗର ଦୁଇ ଜଣ ବଣିକଅ ଭଲ୍ଲିକ ଓ ତପସୁ । ସେ ଦୁହେଁ ବେପାର ଉଦ୍ଦେଶ୍ୟରେ ଶଗଡ଼ ଗାଡ଼ିରେ ପଣ୍ୟଦ୍ରବ୍ୟ ନେଇ ଯାଉଥିବାବେଳେ ଗୋଟିଏ ସ୍ଥାନରେ ବୁଦ୍ଧଙ୍କୁ ଭେଟିଥିଲେ ଓ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ସେତେବେଳେ ଯେଉଁମାନେ ବାଣିଜ୍ୟବେପାର କରୁଥିଲେ, ସେମାନେ ସମସ୍ତେ ଦରିଆପାରି ଯାଉ ନଥିଲେ । କେତେକ ସଡ଼କ ପଥରେ ମଧ୍ୟ ବେପାରବାଣିଜ୍ୟ କରୁଥିବା ସମ୍ଭବ । ସେହିସୂତ୍ରେ ହୁଏତ ଉକ୍ରଳର ବଣିକମାନେ ବୌଦ୍ଧଧର୍ମ ସଂସ୍ପର୍ଶରେ ଆସିଥିଲେ ଓ ପରେ ବୌଦ୍ଧଧର୍ମ ଗ୍ରହଣ କରି ବେପାରବଣିଜରୁ ଧୀରେ ଧୀରେ ଓହରି ଆସିଥିବେ ।

 

ଆଜି ବି ଓଡ଼ିଶାର ଅନେକ ଅଂଚଳରେ ବସବାସ କରୁଥିବା ପାଟରାମାନଙ୍କର ମୂଳଘର ଯାଜପୁରର ଏଇ ବୌଦ୍ଧ-ଐତିହ୍ୟ ସମୃଦ୍ଧ ଅଂଚଳ । ହରିପୁର, ଡିହସାହି, କାଏମା, ଅଲିଶାପାଟଣା ଆଦି ଅଂଚଳର ପାଟରାମାନେ ଏବେ ବାରିପଦା, ବାଲେଶ୍ୱର, ପୁରୀ, ଟିଟିଲାଗଡ଼, କଣ୍ଟାବାଂଜି, ବୌଦ୍ଧ ଆଦି ଅଂଚଳରେ ରହି ବେପାରବଟା କରୁଛନ୍ତି । ଏ ଜାତି ସହିତ ଦେଶାନ୍ତରୀ ବେପାର ସଭ୍ୟତା ଯୋଡ଼ି ହୋଇରହିଛି । ହୁଏତ ଏଇ ଜାତିର ଲୋକମାନେ ଦିନେ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ସିଂହଳ ଆଦି ଦେଶ ଯାଇଥିବେ, ବେପାରବଣିଜ କରିଥିବେ, ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିଥିବେ ।

 

ଇତିହାସ କହେ, ଆଜିର ତିବ୍ବତ ଓ ସିଂହଳ ଦେଶର ବୌଦ୍ଧଧର୍ମର ମୂଳଗୁରୁମାନେ ହେଲେ ପ୍ରାଚୀନ ଉକ୍ରଳର ବୌଦ୍ଧଭିକ୍ଷୁ । ତିବ୍ବତର ଲାମା ଧର୍ମର ମୂଳଗୁରୁ ହେଲେ ପଦ୍ମସମ୍ଭବ । ସେ ଉକ୍ରଳ ଭୂଖଣ୍ଡର ଲୋକ ଥିଲେ ବୋଲି ନିଜେ ଦଲାଇ ଲାମା ଘୋଷଣା କରିଛନ୍ତି ଓ ତାଙ୍କରି ସ୍ମୃତିରେ ଓଡ଼ିଶାର ଚନ୍ଦ୍ରଗିରିରେ ଏକ ମନ୍ଦିର ସ୍ଥାପନା କରାଯାଇଛି । ସିଂହଳର ମୂଳ ବୌଦ୍ଧଧର୍ମର ପ୍ରବର୍ତ୍ତକ ମଧ୍ୟ ଉକ୍ରଳର ଲୋକମାନେ ଥିଲେ ବୋଲି ଖୋଦ ଶ୍ରୀଲଙ୍କାର ବୌଦ୍ଧ ଐତିହାସିକମାନେ ମତ ପ୍ରକାଶ କରିଛନ୍ତି । ଇତିହାସ ମଧ୍ୟ କହେ ଯେ ସମ୍ରାଟ ଅଶୋକ ବୌଦ୍ଧ ଧର୍ମର ପ୍ରସାର ପାଇଁ ମହେନ୍ଦ୍ରଙ୍କୁ ସିଂହଳ ପଠାଇଥିଲେ ।

 

ଏସବୁ ପାଟରା ଜାତିର ପ୍ରମାଣିତ ଇତିହାସ ନ ହୋଇପାରେ । କିନ୍ତୁ ପାଟରା ଜାତିର ସାମାଜିକ ଓ ସାଂସ୍କୃତିକ ଚଳଣି ସହିତ ବୌଦ୍ଧଧର୍ମ ଓ ଦରିଆପାରି ବାଣିଜ୍ୟ ସଂସ୍କୃତିର ଯେଉଁସବୁ ପ୍ରତୀକ ଯୋଡ଼ି ହୋଇ ରହିଛି ତା’ ଉପରେ ଐତିହାସିକ ଗବେଷଣା ହେଲେ ହୁଏତ ଇତିହାସ ଗର୍ଭରେ ହଜି ଯାଇଥିବା କିଛି ସଂପର୍କର ସୂତ୍ର ଲୋକଲୋଚନକୁ ଆସିପାରେ । ଜାତିର ଏଇ ଐତିହ୍ୟ ଉପରେ ଗବେଷଣା ହେବା ଆଜିର ଆହ୍ୱାନ ।

 

ସଂପାଦକ- ସାମାନ୍ୟକଥନ.କମ୍
ପରିଚାଳନା ସଂପାଦକ- ସୂର୍ଯ୍ୟପ୍ରଭା
ମୋ- ୯୪୩୭୦୩୬୨୭୬


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top