ଏକଜୁଟ ହେବେ ବିଶ୍ୱବ୍ୟାପୀ ପାଟରା

News Story - Posted on 2017-12-10

ସମଗ୍ର ବିଶ୍ୱର ପାଟରାମାନଙ୍କୁ ଗୋଟିଏ ମଂଚ ତଳେ ଏକାଠି କରିବା ସହିତ ଜାତିର ସାଂସ୍କୃତିକ, ସାମାଜିକ, ଆଧ୍ୟାତ୍ମିକ, ଆର୍ଥନୀତିକ ଓ ରାଜନୀତିକ ଉତ୍ଥାନ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ ଗ୍ରହଣ କରିଛି ନିଖିଳ ଉକ୍ରଳ ପାଟରା ସମିତି । ସମିତିର ୨୧୪ତମ ସାଧାରଣ ଅଧିବେଶନରେ ଏ ସଂକ୍ରାନ୍ତରେ ଅନେକ ପ୍ରସ୍ତାବ ଗୃହୀତ ହେବା ସହିତ ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଛି ।
ପୁରୀ ଡୁଡୁୱାଲା ଧର୍ମଶାଳାରେ ଡିସେମ୍ବର ୮, ୯ ଓ ୧୦ ତାରିଖ ଅନୁଷ୍ଠିତ ହୋଇଯାଇଥିବା ପାଟବୈଶ୍ୟ ମହାସଭା ଚଉଦ ଚକଲା ବା ନିଖିଳ ଉକ୍ରଳ ପାଟରା ସମିତିରେ ଗୃହୀତ ପ୍ରସ୍ତାବ ଅନୁସାରେ ପୁରୀ କୁଣ୍ଢେଇବେଣ୍ଟ ସାହିରେ ନିର୍ମାଣାଧୀନ ପାଟରା ମଠ ବା ଭକ୍ତ ନିବାସ କାର୍ଯ୍ୟ ଆସନ୍ତା ତିନି ବର୍ଷ ମଧ୍ୟରେ ଶେଷ କରାଯିବ । ଏହି ନିବାସରେ ଏଯାଏଁ ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି ବୋଲି ସୂଚନା ଦେଇଥିଲେ ବିଦାୟୀ କାର୍ଯ୍ୟକାରୀ ସଭାପତି ନାରାୟଣ ପାତ୍ର । ତାଙ୍କ ସୂଚନା ଅନୁସାରେ କୁଣ୍ଢେଇବେଣ୍ଟ ସାହିରେ ଥିବା ୨୨ ଡିସିମିଲ ଜମି ଉପରେ ଏବେ ୨୩୦୦ ବର୍ଗଫୁଟ ପ୍ଲିନ୍ଥ ଏରିଆରେ ତିନି ମହଲା ଘର କାମ ଚାଲିଛି । ପ୍ରଥମ ମହଲାରେ ୮ ବଖରା ଘର ଶେଷ ହୋଇଯାଇଛି । ଦ୍ୱିତୀୟ ମହଲାରେ ୮ ବଖରା ଘର ଫିନିଶିଂ ସ୍ତରରେ ପହଂଚିଛି ଓ ତୃତୀୟ ମହଲାର ୮ ବଖରା ଘର ଛାତ ପର୍ଯ୍ୟନ୍ତ ନିର୍ମିତ ହୋଇଛି । ପାଟରା ମଠର ଏ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଆଉ ପ୍ରାୟ ୨୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ସେ ଆକଳନ କରିଥିଲେ ।

 

ଏହା ସହିତ ଏହି ଜମିର ସମ୍ମୁଖ ଭାଗରେ ଥିବା ବଳକା ଜମିରେ ଏକ ସଭାଗୃହ ବା ବିବାହ ମଣ୍ଡପ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ତାହା ପ୍ରାୟ ୪ ହଜାର ବର୍ଗ ଫୁଟ ଜମିରେ ନିର୍ମିତ ହେବ । ସେହି ସଭାଗୃହରେ ପାଟରା ସମିତିର ନିୟମିତି ଓ ବାର୍ଷିକ ବୈଠକ ବସିବ । ଏହା ବାଦ ସେଠାରେ ବିବାହାଦି କାର୍ଯ୍ୟ ପାଇଁ ଅନୁମତି ଦିଆଗଲେ ମଠ ଓ ସମିତିର କିଛି ଆୟ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ବିଦାୟୀ ସାଧାରଣ ସଂପାଦକ ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି ବିଗତ ବର୍ଷର ବାର୍ଷିକ ବିବରଣୀ ପାଠ କରିବା ସହିତ ସମଗ୍ର ବିଶ୍ୱରେ ବିଛାଡ଼ି ହୋଇଯାଇଥିବା ପାଟରାମାନଙ୍କୁ ଗୋଟିଏ ମଂଚ ତଳେ ଏକଜୁଟ କରିବାକୁ ପ୍ରସ୍ତାବ ଦେଇଥିଲେ । ମାଲେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ ଆଦି ଦେଶରେ ପାଟରାମାନେ ପ୍ରାଚୀନ କାଳରୁ ବସବାସ କରି ଆସୁଥିବା ନେଇ ସେ କେତେକ ଗବେଷଣାତ୍ମକ ନିବନ୍ଧରୁ ତଥ୍ୟ ଉଦ୍ଧାର କରି ସୂଚନା ଦେଇଥିଲେ । ସଭାରେ କୁମର ଚନ୍ଦ୍ର ଦଲାଲ, ସୁରେନ୍ଦ୍ର ସାହୁ, ପ୍ରଦୀପ ଷେଣ୍ଢ, ବାବାଜି ସାହୁ, ବିଭାରାଣୀଙ୍କ ସମେତ ଜାତିର କେତେ ଜଣ କୃତୀ ବ୍ୟକ୍ତିତ୍ୱଙ୍କୁ ସମର୍ଦ୍ଧିତ କରାଯାଇଥିଲା ।

 

ଏହି ସଭାରେ ଓଳାସ ଚକଲା ତରଫରୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଥିଲା । ସମିତି ତରଫରୁ ପାଟରା ଜାତିର ଏକ ଡାଟାବେସ୍ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ଡାଟାବେସ ଏକ ୱେବ ପୋର୍ଟାଲରେ ଅପଲୋଡ଼ ହେବ । ଏଥିରେ ପାଟରା ଜାତିର ସାମାଜିକ ଓ ସାଂସ୍କୃତିକ ଚଳଣି ସଂପର୍କୀତ ତଥ୍ୟ, ସଫଳ ବ୍ୟକ୍ତିତ୍ୱମାନଙ୍କ ପରିଚୟ, ବିବାହାଦି ସଂପର୍କୀତ ସାମାଜିକ ବିବରଣୀ ସମେତ ସମିତିର ଆୟବ୍ୟୟ ହିସାବ, ସଂପତ୍ତି ଆଦିର ପୂର୍ଣ୍ଣ ବିବରଣୀ ରହିବ । ସେହିପରି ରାଜଧାନୀ ଭୁବନେଶ୍ୱରରେ ଏକ ପାଟରା ନିବାସ କରିବା ଏବଂ ଜାତିର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ଏବଂ ଗରୀବ ଓ ଅସହାୟ ଯୁବତୀଙ୍କର ବିବାହ ପାଇଁ ସହାୟତା ଆଦି କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।

 

ଏହି ସାଧାରଣ ଅଧିବେଶନରେ ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ନୂତନ କର୍ମକର୍ତ୍ତାମାନେ ହେଲେ ସଭାପତି- ନାରାୟଣ ପାତ୍ର, କାର୍ଯ୍ୟକାରୀ ସଭାପତି ରୁଦ୍ର ନାରାୟଣ ପୃଷ୍ଟି, ୫ ଉପସଭାପତି- ନାଥ ଖୁଣ୍ଟିଆ, କରୁଣାକର ଲେଙ୍କା, ଫଗୁ ଭୂଣେ ଦାସ, ବିଷ୍ଣୁ ଚରଣ ବେହେରା ଓ ମୁରଲୀଧର ମହାନ୍ତି, ସାଧାରଣ ସଂପାଦକ- ସଂଜୟ କୁମାର ପାତ୍ର, ୫ ସଂପାଦକ- ଚିରଂଜନ ସାହୁ, ରବି ନାରାୟଣ ମହାପାତ୍ର, କୈଳାସ ଚନ୍ଦ୍ର ଷେଣ୍ଢ, ବେଣୁଧର ପାତ୍ର ଓ ବଲ୍ଲଭ ସାହୁ, କୋଷାଧ୍ୟକ୍ଷ- ମନୋଜ ସାହୁ ଓ ସମୀକ୍ଷକ- ଋଷ୍ୟାନନ୍ଦ ବେହେରା । ସେହିପରି ଉପଦେଷ୍ଟା ଭାବେ ସୋମନାଥ ପାତ୍ର, ବାବାଜୀ ଚରଣ ସାହୁ, ଯୁଧିଷ୍ଠିର ମହାନ୍ତି, କୃଷ୍ଣଚନ୍ଦ୍ର ପାତ୍ର ଓ ଲକ୍ଷ୍ମୀଧର ପୃଷ୍ଟିଙ୍କୁ ଚୟନ କରାଯାଇଛି ।

 

ସାଧାରଣ ଅଧିବେଶନରେ ମୁନୀବ ନୃସିଂହ ଚୌଧୁରୀ, ପ୍ରିୟବ୍ରତ ବେହେରା, ମଦାର ଧରଣୀଧର ବେହେରା, ଅଧିକାରୀ କୈଳାସ ଚନ୍ଦ୍ର ସାହୁ ଓ ଭଲ ଲୋକ କେଶବ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ଉପଦେଷ୍ଟା, ୨୧୪ ଥାନର ଥାନପତି ଓ ବଡ଼ଥାପତିଙ୍କ ସମେତ ଚଉଦ ଚକଲାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top