ପରକୀୟା ପ୍ରୀତି: ଏକା ପୁରୁଷ ଦୋଷୀ?

News Story - Posted on 2017-12-08

ପରକୀୟା ପ୍ରତିରେ କେବଳ ପୁରୁଷ କାହିଁକି ଦଣ୍ଡିତ ହେବ? ମହିଳା କାହିଁକି ନୁହେଁ? ଏମିତି ଏକ ପ୍ରଶ୍ନ ଉପରେ ବିଚାର କରିବେ ସୁପ୍ରିମ କୋର୍ଟ । କେରଳର ଜଣେ ସାମାଜିକ କର୍ମୀ ଭାରତୀୟ ପିଙ୍ଗଳ କୋଡ଼ର ୪୯୭ ଧାରାକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ଆଗତ କରିଥିବା ଜନସ୍ୱାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଜବାବ ଦେବାକୁ କେନ୍ଦ୍ର ସରକାରଙ୍କ ଉପରେ ନୋଟିସ ଜାରି କରିଛନ୍ତି ।

 

ଭାରତୀୟ ପିଙ୍ଗଳ କୋଡ଼ର ୪୯୭ ଧାରା ଅନୁସାରେ ପରକୀୟା ପ୍ରୀତି ପାଇଁ ଏଯାଏଁ କେବଳ ପୁରୁଷକୁ ଦୋଷୀ ସାବ୍ୟସ୍ତ କରାଯାଉଛି । ପରପୁରୁଷ ଓ ପରସ୍ତ୍ରୀ ନମିଶିଲେ ପରକୀୟା ପ୍ରୀତି ହୁଏ ନାହିଁ । କିନ୍ତୁ ଆଇନର ଏହି ଧାରା ଅନୁସାରେ ଅଦାଲତରେ କେବଳ ପୁରୁଷ ହିଁ ଦୋଷୀ ସାବ୍ୟସ୍ତ ହୋଇଥାଏ । ଆଇନର ଏହି ଧାରାକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଛନ୍ତି କେରଳ ନିବାସୀ ଯୋଶେଫ ଶାଇନ୍ । ସେ କହିଛନ୍ତି ଯେ ଏହି ଧାରା ପୁରୁଷ ବିରୋଧୀ ଓ ନାରୀ ପକ୍ଷବାଦୀ । ତେଣୁ ଏହାର ସମୀକ୍ଷା ହେବା ଦରକାର ।

 

ତାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମ କୋର୍ଟ । ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏଏମ ଖାନୱାଲିକର ଓ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ବିଚାର କରିବେ । ଆବେଦନକାରୀଙ୍କ ଯୁକ୍ତି ଉପରେ ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଅପରାଧ ଲିଙ୍ଗଭେଦ ମାନେ ନାହିଁ । କିନ୍ତୁ ଏହି ଧାରା ଏହାର ଉଲ୍ଲଙ୍ଘନ କରୁଛି ।

 

ଏହି ଧାରା ଅନୁସାରେ ଯଦି ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ପରପୁରୁଷ ସହିତ ଯୌନ ସଂପର୍କ ରଖିବା ପାଇଁ ଅନୁମତି ଦେବେ ତେବେ ତାହା ଅପରାଧ ନୁହେଁ । ଭାରତୀୟ ପିଙ୍ଗଳ କୋଡ଼ ବା ଆଇପିସିର ୪୯୭ ଧାରାରେ ଉଲ୍ଲେଖ ଅଛି ଯେ ଯଦି ଜଣେ ପୁରୁଷ ଅନ୍ୟ ଜଣେ ପୁରୁଷଙ୍କ ସହମତି ଓ ସଂପୃକ୍ତି ବିନା ତାଙ୍କ ପତ୍ନୀଙ୍କ ସହିତ ଯୌନ ସଂପର୍କ ରଖନ୍ତି ତେବେ ସେହି ପୁରୁଷ, ଧର୍ଷଣ ନୁହେଁ ପରକୀୟା କଲେ ବୋଲି ସାବ୍ୟସ୍ତ ହେବ ଏବଂ ତାଙ୍କୁ ସର୍ବାଧିକ ୫ ବର୍ଷ ଯାଏଁ ଜେଲଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗ କରିବାକୁ ହେବ । ଏ କ୍ଷେତ୍ରରେ ମହିଳାଙ୍କୁ ଦଣ୍ଡ ମିଳିବ ନାହିଁ । ଏହି ଧାରାକୁ ଅନୁଶୀଳନ କରି କୋର୍ଟ କହିଛନ୍ତି ଯେ ଏଥିରେ ଥିବା ସ୍ୱାମୀଙ୍କ ସହମତି ଏହି ଅପରାଧକୁ ନଷ୍ଟ କରିବା ସହିତ ନାରୀ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁଛି ।

 

ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖି ଆଇନଜୀବୀ କେ. ରାଜ ଓ ଏସ. ସୁନ୍ଦରମ କହିଛନ୍ତି ଯେ ଏହି ଧାରା ସମାନ ଅପରାଧ ପାଇଁ ପୁରୁଷଙ୍କ ବିରୋଧରେ ଓ ମହିଳାଙ୍କ ସପକ୍ଷରେ ଯାଉଥିବାରୁ ଏହା ସମ୍ବିଧାନର ୧୪ ଧାରାର ଉଲ୍ଲଙ୍ଘନ କରୁଛି । ସମ୍ବିଧାନର ୧୪ ଧାରା କହୁଛି ଆଇନ ଆଗରେ ସମସ୍ତେ ସମାନ, ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ଆଇନର ସମାନ ସୁରକ୍ଷା ମିଳିବ । ଆଇପିସିର ୪୯୭ ଧାରା ଏହି ଅଧିକାରର ଉଲ୍ଲଙ୍ଘନ କରୁଥିବାରୁ ଏହା ଅସାମ୍ବିଧାନିକ । ତେଣୁ ଏହି ଧାରାକୁ ରଦ୍ଦ କରିବା ପାଇଁ ସୁପ୍ରିମ କୋର୍ଟଙ୍କୁ ଆବେଦନ କରାଯାଇଛି ।
ସେହିପରି ଏହି ଧାରାରେ ଥିବା ସ୍ୱାମୀଙ୍କ ସହମତି ଶବ୍ଦ ମହିଳାଙ୍କ ସ୍ୱାଧୀନତାର ଉଲ୍ଲଙ୍ଘନ । ସ୍ୱାମୀଙ୍କ ସହମତିରେ ତାଙ୍କ ସ୍ତ୍ରୀଙ୍କ ସହିତ କେହି ସହବାସ କଲେ ତାହା ଅପରାଧ ନୁହେଁ । ଯଦି ସ୍ୱାମୀଙ୍କ ସହମତି ନଥାଏ ତେବେ ଅପରାଧ । ଏହା ନାରୀ ମର୍ଯ୍ୟାଦାର ଉଲ୍ଲଙ୍ଘନ ବୋଲି ଆବେଦନରେ ଯୁକ୍ତି କରାଯାଇଛି । ଆଇନଜୀବୀ ସୁନ୍ଦରମ କହିଛନ୍ତି ଉଗାଣ୍ଡା ଓ ଦକ୍ଷିଣ କୋରିଆ ପରି ଦେଶ ପରକୀୟ ପ୍ରୀତିକୁ ଅପରାଧମୁକ୍ତ କରିଛନ୍ତି । କେବଳ ଭାରତରେ ୧୮୬୦ ମସିହାରେ ମ୍ୟାକଲେଙ୍କ ଦ୍ୱାରା ରଚିତ ଆଇପିସି କାର୍ଯ୍ୟକାରୀ ହେଉଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top