ସୁରାଟ ଗଲେନି ନବୀନବାବୁ?

News Story - Posted on 2017-12-08

ଭାରତୀୟ ଜନତା ପାର୍ଟି ଓଡ଼ିଶାର ଶତ୍ରୁ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବିଜୁ ଜନତା ଦଳର ନେତାମାନେ ୨୦୦୯ ମସିହାରୁ ଅଭିଯୋଗ କରି ଆସୁଛନ୍ତି । କେନ୍ଦ୍ର ଅବହେଳା ବାଦ ଏବେ ମହାନଦୀ ଜଳ ବଣ୍ଟନକୁ ନେଇ ବିଜୁ ଜନତା ଦଳ ଛତିଶଗଡ଼ ଓ କେନ୍ଦ୍ରର ବିଜେପି ସରକାର ବିରୋଧରେ ହୋହାଲ୍ଲା କରୁଛନ୍ତି । ସେହିପରି ୧୪୩ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବ୍ରାହ୍ମଣୀର ଦ୍ୱିତୀୟ ପୋଲକୁ ନେଇ ମଧ୍ୟ କେନ୍ଦ୍ର ବିରୋଧରେ ବିଦ୍ରୋହ ଘୋଷଣା କରିଛି ବିଜୁ ଜନତା ଦଳ । ପୋଲାଭରମ ବି ସେହିପରି ଏକ ଅସ୍ତ୍ର । କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ପାଣ୍ଠି ସହାୟତା କମାଇଛନ୍ତି ବୋଲି ଅଭିଯୋଗ ଅନେକ ପୁରୁଣା । ସିବିଆଇ ତଦନ୍ତ ଅନ୍ୟ ଏକ ପ୍ରସଙ୍ଗ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଘୋଷଣା ଦାବିକୁ ନେଇ ବି ଭାରତୀୟ ଜନତା ପାର୍ଟିର ମୋଦି ସରକାର ବିରୋଧରେ ବିଜେଡି ନେତାମାନେ ଖଡ୍ଗହସ୍ତ । ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆଖ୍ୟା ଦିଆଯିବା, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ଆଦି ଅନେକ ପ୍ରସଙ୍ଗରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ମୁଖ ଯୁଦ୍ଧ ଚାଲିଛି ।

 

ଏହି ପରିପ୍ରେକ୍ଷୀରେ ଆଶା କରାଯାଉଥିଲା ଗୁଜରାଟରେ ରହୁଥିବା ଲକ୍ଷଲକ୍ଷ ଓଡ଼ିଆଙ୍କୁ କିଛି ନିର୍ବାଚନୀ ସନ୍ଦେଶ ଦେବେ ନବୀନ ପଟ୍ଟନାୟକ ଏବଂ ତାଙ୍କର ବିଜୁ ଜନତା ଦଳ । ବିଜେପି ଯଦି ଓଡ଼ିଶାର କ୍ଷତି କରୁଛି ତେବେ ବିଜେଡି ଗୁଜରାଟରେ ବିଜେପି ବିରୋଧରେ ପ୍ରଚାର କରିବା ସ୍ୱାଭାବିକ କଥା । ଗୁଜରାଟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ । ସେଠାରେ ଯଦି ବିଜେପି ଦୁର୍ବଳ ହୋଇଯାଏ ତେବେ ବିଜେପି ବିରୋଧରେ କହିବାକୁ ବିଜେଡିକୁ ବଡ଼ ମଉକା ମିଳିବ ଏବଂ ଦଳର ରାଜନୀତିକ ଉଦ୍ଦେଶ୍ୟ ବି ସାଧିତ ହେବ । ଗୁଜରାଟି ଅସ୍ମିତା ବିରୋଧରେ ଓଡ଼ିଆ ଅସ୍ମିତା ଜାଗ୍ରତ କରିବା ପାଇଁ ଗୁଜରାଟ ବିଧାନସଭା ନିର୍ବାଚନ ଏକ ବଡ଼ ସୁଯୋଗ ଥିଲା । କିନ୍ତୁ ନବୀନବାବୁ ବା ତାଙ୍କର ବିଜୁ ଜନତା ଦଳ ଏ ମଉକାର ସଦବ୍ୟବହାର କଲେ ନାହିଁ ।

 

ଏବେ ଓଡ଼ିଶାର କଂଗ୍ରେସ ନେତାମାନେ ଗୁଜରାଟ ଯାଇଁ ସୁରଟ ଆଦି ଅନେକ ସହରରେ କଂଗ୍ରେସ ସପକ୍ଷରେ ପ୍ରଚାର ଚଳାଇଛନ୍ତି । ରାଜ୍ୟର ବିଜେପି ନେତାମାନେ ମଧ୍ୟ ଗୁଜରାଟ ଯାଇଁ ବିଜେପି ସପକ୍ଷରେ ପ୍ରଚାର ଚଳାଇଛନ୍ତି । ଉଭୟ ଦଳର ନେତାମାନେ ଗୁଜରାଟରେ ପରସ୍ପର ବିରୋଧରେ ପ୍ରଚାର କରି ରାଜନୀତିକ ରଣାଙ୍ଗନରେ ଭିଡ଼ ଜମେଇଛନ୍ତି । କିନ୍ତୁ ବିଜେଡି ନେତାମାନଙ୍କୁ ସେଠାରେ ଦେଖିବାକୁ ମିଳୁ ନାହିଁ । ଗୁଜରାଟରେ ବିଜେପି ହାରିବା କ’ଣ ବିଜେଡି ପାଇଁ ଲାଭଜନକ ନୁହେଁ? ବିଜେଡି ପାଇଁ ଲାଭଜନକ ହେଉ ନହେଉ, ଓଡ଼ିଶାର ଶତ୍ରୁକୁ ପରାସ୍ତ କରିବାରେ ତ’ ଦଳର ନେତାମାନେ ବଳ ଖଟାଇବା ଉଚିତ ଥିଲା ନା? ସେମାନେ ତାହା କଲେନି କାହିଁକି?

 

ନବୀନବାବୁ ଯଦି ଥରଟିଏ ଗୁଜରାଟ ଯାଇଁ ସୁରାଟରେ ନିର୍ବାଚନୀ ସଭାଟିଏ କରିଥାନ୍ତେ ହୁଏତ ଅନେକ କିଛି ବଦଳିଯାଇଥାନ୍ତା । ଗୁଜରାଟରେ ରହୁଥିବା ଅଧିକାଂଶ ଓଡ଼ିଆ ହେଲେ ଗଂଜାମ ଜିଲ୍ଲାର ଲୋକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲେ ଗଂଜାମର ପ୍ରତିନିଧି । ତାଙ୍କ ଦଳର ଅନ୍ୟତମ ତାରକା ସାଂସଦ ସିଦ୍ଧାନ୍ତ ମହାପାତ୍ର ହେଲେ ଗଂଜାମର ଲୋକ । ନିଜକୁ ଏକଦା ବିଜୁ ପରିବାରର ଚାକର ଭାବେ ଉପସ୍ଥାପିତ କରିଥିବା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ହେଉଛନ୍ତି ଏହି ଜିଲ୍ଲାର ଲୋକ । ସେହିପରି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଉଷା ଦେବୀ ମଧ୍ୟ ଏହି ଜିଲ୍ଲାର ପ୍ରତିନିଧି । ଏମାନେ ଯଦି ଥରୁଟିଏ ଗୁଜରାଟ ଯାଇଁ ଓଡ଼ିଶା ପ୍ରତି ଅନ୍ୟାୟ କରିଥିବା ଭାରତୀୟ ଜନତା ପାର୍ଟିକୁ ଭୋଟ ନଦେବାକୁ ପ୍ରବାସୀ ଓଡ଼ିଆମାନଙ୍କୁ ଆବେଦନ କରିଥାନ୍ତେ ତେବେ ନିଶ୍ଚୟ ଗୁଜରାଟ ଭୋଟ ଫଳାଫଳ ଉପରେ ତାହାର ପ୍ରଭାବ ପଡ଼ିଥାନ୍ତା ।

 

ମାତ୍ର, ସେପରି ହେଲା ନାହିଁ । ନବୀନବାବୁ ଗୁଜରାଟ ଯାଇଁ ମୋଦିଙ୍କ ବିରୋଧରେ ପ୍ରଚାର କରିବା ପାଇଁ ଚାହିଁଲେ ନାହିଁ କି ନିଜ ଦଳର କୌଣସି ନେତାଙ୍କୁ ସେଠାକୁ ପଠାଇଲେ ନାହିଁ । ଓଡ଼ିଶାର ଶତ୍ରୁଦଳ ପ୍ରତି ତାଙ୍କ ମନରେ କିଛି ଦୁର୍ବଳତା ଅଛି କି? ଭିତରେ ଭିତରେ ସେ ବିଜେପିର କୌଣସି ବରିଷ୍ଠ ନେତାମାନଙ୍କ ସହିତ ସଂପୃକ୍ତ ଅଛନ୍ତି କି? ନା, ସେ ମୋଦି ଓ ତାଙ୍କ ବାହିନୀକୁ ଡରୁଛନ୍ତି? ସେ ଯଦି ତାଙ୍କ ବିରୋଧରେ ପ୍ରଚାର କରିବେ ତେବେ କେନ୍ଦ୍ର ସରକାର ତାଙ୍କ କ୍ଷମତା ପ୍ରୟୋଗ କରି ତାଙ୍କୁ ଏବଂ ତାଙ୍କ ଦଳର ନେତାମାନଙ୍କ ବିରୋଧରେ ସିବିଆଇ ଲଗାଇଦେବେ କି? ଏଭଳି ଅନେକ ପ୍ରଶ୍ନ ତାଙ୍କ ମୁଣ୍ଡରେ ଖେଳି ବୁଲୁଛି କି? ସେ ପରା ବିଜୁ ପଟ୍ଟନାୟକଙ୍କ ପୁଅ! ଟିକେ ସାହସ ଦେଖେଇଲେ ନାହିଁ କାହିଁକି?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top