ସଂସଦରେ ବି ଜୁମ୍ଲାବାଜି?

News Story - Posted on 2017-12-08

ମହାନଦୀ ଜଳ ବିବାଦ ନେଇ କେନ୍ଦ୍ର ସରକାର କେବଳ ଓଡ଼ିଶାକୁ ଭୂତେଇ ନାହାନ୍ତି ସଂସଦକୁ ମଧ୍ୟ ମିଛ କହିଛନ୍ତି । ଏହି ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବେ ବୋଲି ସଂସଦରେ ସରକାର ଘୋଷଣା କରିଥିଲେ ମଧ୍ୟ ସୁପ୍ରିମ କୋର୍ଟରେ ତାହାର ଆବଶ୍ୟକତା ନାହିଁ ବୋଲି ସତ୍ୟପାଠ ଦାଖଲ କରିଛନ୍ତି । ଏହା କେନ୍ଦ୍ର ସରକାରଙ୍କ ଅସଲ ଚରିତ୍ରକୁ ପଦାରେ ପକେଇ ଦେଇଛି ।

 

୨୦୧୭ ଜୁଲାଇ ୩୧ ତାରିଖରେ ଓଡ଼ିଶାର ରାଜ୍ୟସଭା ସଦସ୍ୟ ଏଭି ସ୍ୱାମୀ କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ନିର୍ଦ୍ଦଳୀୟ ସଦସ୍ୟ ସ୍ୱାମୀଙ୍କ ପ୍ରଶ୍ନ ଥିଲା ମହାନଦୀ ଜଳ ବଣ୍ଟନ ନେଇ ଛତିଶଗଡ଼ ସହିତ ସୃଷ୍ଟି ହୋଇଥିବା ବିବାଦରେ କେନ୍ଦ୍ର ସରକାର ଓଡ଼ିଶାରୁ କୌଣସି ଅଭିଯୋଗ ପାଇଛନ୍ତି କି? ଯଦି ପାଇଛନ୍ତି ତେବେ ବିବାଦ କ’ଣ ଓ ତାହାର ସମାଧାନ ଦିଗରେ କି ପଦକ୍ଷେପ ନିଆଯାଇଛି ଜଣାନ୍ତୁ ।

 

ସାଂସଦ ସ୍ୱାମୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଜଳ ସଂପଦ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲ୍ୟାନ । ସେ କହିଥିଲେ ଯେ ଏହି ବିବାଦ ନେଇ ୨୦୧୬ ନଭେମ୍ବର ୧୯ ତାରିଖରେ ଆନ୍ତଃ ରାଜ୍ୟ ଜଳ ବିବାଦ ଆଇନ ୧୯୫୬ର ୩ ଧାରା ଅନୁସାରେ ଓଡ଼ିଶା ସରକାର ଏକ ଅଭିଯୋଗ ଦାଖଲ କରିଛନ୍ତି । ଏହି ଅଭିଯୋଗ ପାଇବା ପରେ କେନ୍ଦ୍ର ସରକାର ଏହି ଆଇନର ୪ ଧାରା ଅନୁସାରେ ୨୦୧୭ ଜାନୁଆରୀ ୧୯ ତାରିଖରେ ଏକ ବୁଝାମଣା କମିଟି ଗଠନ କରିଥିଲେ । ଏହି କମିଟିରେ ମହାନଦୀ ଅବବାହିକାର ରାଜ୍ୟ, କେନ୍ଦ୍ର ଜଳସଂପଦ ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ କମିଶନ, ଭାରତୀୟ ପାଣିପାଗ ସଂସ୍ଥା ଏବଂ ଜାତୀୟ ଜଳତତ୍ତ୍ୱ ପ୍ରତିଷ୍ଠାନର ପ୍ରତିନିଧିମାନେ ସଦସ୍ୟ ଥିଲେ । ୨୦୧୭ ଫେବୃଆରୀ ୨୮ ତାରିଖ ଓ ମେ ୨୨ ତାରିଖରେ କମିଟିର ଦୁଇ ଦୁଇଟି ବୈଠକ ବସିଥିଲା । ଏହି ଦୁଇଟି ଯାକ ବୈଠକରେ ଅଭିଯୋଗକାରୀ ରାଜ୍ୟ ଓଡ଼ିଶା ଯୋଗ ଦେଇ ନଥିଲା । ତେଣୁ କମିଟି ସରକାରଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ ଏନେଇ ଆଉ ବୈଠକ ବସିବା ଫଳପ୍ରସୂ ହେବ ନାହିଁ । ଏହି ରିପୋର୍ଟ ପାଇବା ପରେ ଜଳ ସଂପଦ ମନ୍ତ୍ରଣାଳୟ ଏହି ନିଷ୍କର୍ଷରେ ଉପନୀତ ହୋଇଥିଲା ଯେ ବୁଝାମଣା ଜରିଆରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ ନାହିଁ । ତେଣୁ ଏନେଇ ଟ୍ରିବ୍ୟୁନାଲ ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା । ଏ ସଂକ୍ରାନ୍ତରେ କ୍ୟାବିନେଟ୍ ନୋଟ୍ର ଚିଠା ପ୍ରସ୍ତୁତ ହୋଇସାରିଛି ।

 

ମନ୍ତ୍ରୀଙ୍କର ଏହି ଉତ୍ତରରୁ ସ୍ପଷ୍ଟ ହୋଇଥିଲା ଯେ କେନ୍ଦ୍ର ସରକାର ଓଡ଼ିଶା-ଛତିଶଗଡ଼ ମହାନଦୀ ବିବାଦ ନେଇ ଖୁବଶୀଘ୍ର ଟ୍ରିବ୍ୟୁନାଲ ଗଠନ କରିବେ ।

 

ସେହିପରି ୨୦୧୭ ଅଗଷ୍ଟ ୧୦ ତାରିଖରେ ମଧ୍ୟ ବିଜୁ ଜନତା ଦଳର ଲୋକସଭା ସଦସ୍ୟ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ଅନ୍ୟ କେତେକ ସାଂସଦଙ୍କର ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲ୍ୟାନ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କଥା ଦୋହରାଇଥିଲେ । ସମ୍ବଲପୁର ଲୋକସଭା ସଦସ୍ୟ ନଗେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ସାଂସଦମାନଙ୍କର ପ୍ରଶ୍ନ ଥିଲା ଦେଶର ଅନେକ ରାଜ୍ୟ ଓ ସେମାନଙ୍କର ପଡ଼ୋଶୀ ରାଜ୍ୟ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ବିବାଦ ରହିଛି କି, ବିବାଦର ବର୍ତ୍ତମାନର ସ୍ଥିତି କ’ଣ ଏବଂ ସେସବୁର ସମାଧାନ ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି?

 

ସାଂସଦମାନଙ୍କୁ ଉତ୍ତର ଦେଇ ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ବାଲ୍ୟାନ କହିଥିଲେ ଯେ ଆନ୍ତଃ ରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ ଅନୁସାରେ ରାଜ୍ୟ-ରାଜ୍ୟ ମଧ୍ୟରେ ରହିଥିବା ବିବାଦର ସମାଧାନ ପାଇଁ ମୋଟ ୮ଟି ଟ୍ରିବ୍ୟୁନାଲ ଗଠନ କରାଯାଇଛି । ଏହି ଆଇନ ଅନୁସାରେ ଓଡ଼ିଶା ସରକାର କରିଥିବା ଅଭିଯୋଗର ସମାଧାନ ପାଇଁ ମଧ୍ୟ ଟ୍ରିବୁନାଲ ଗଠନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତରେ କ୍ୟାବିନେଟ୍ ନୋଟ୍ର ଚିଠା ପ୍ରସ୍ତୁତ ହୋଇଛି ବୋଲି ସେ ପୂର୍ବରୁ ଦେଇଥିବା ଉତ୍ତରକୁ ଦୋହରାଇଥିଲେ ।

 

ଗୋଟିଏ ବର୍ଷରେ ଏଭଳି ଦୁଇ ଦୁଇ ଥର କେନ୍ଦ୍ର ସରକାର ମହାନଦୀ ଟ୍ରିବ୍ୟୁନାଲ ଗଠନ ନେଇ ସଂସଦରେ ଘୋଷଣା କରିଥିଲେ ମଧ୍ୟ ଏବେ ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ଟ୍ରିବ୍ୟୁନାଲ ଗଠନ ଫଳପ୍ରସୂ ହେବ ନାହିଁ । ଯଦି ଟ୍ରିବ୍ୟୁନାଲ ଫଳପ୍ରସୂ ହେବ ନାହିଁ ତେବେ ସରକାର ସଂସଦରେ ତାହା ଗଠନ କରିବାକୁ ଘୋଷଣା କରୁଥିଲେ କାହିଁକି? ସଂସଦ କ’ଣ କେନ୍ଦ୍ର ସରକାରଙ୍କ ପାଇଁ ଏକ ନିର୍ବାଚନୀ ସଭା କି ଯେଉଁଠି ସାଂସଦମାନଙ୍କୁ ବି ଜୁମ୍ଲା ଶୁଣାଇଥାନ୍ତି ମନ୍ତ୍ରୀ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top