ମହାନଦୀ ଦୋଷ ଓଡ଼ିଶାର- କେନ୍ଦ୍ର!

News Story - Posted on 2017-12-08

ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବା ନେଇ ସୁପ୍ରିମ କୋର୍ଟରେ ଓଡ଼ିଶା ସରକାର କରିଥିବା ଆବେଦନକୁ ଖାରଜ କରିବା ପାଇଁ କେନ୍ଦ୍ର ସରକାର କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନ ଦୃଷ୍ଟିରୁ ଟ୍ରିବ୍ୟୁନାଲ ଗଠନ ଏକ ନିଷ୍ଫଳ ପ୍ରୟାସ ବୋଲି କେନ୍ଦ୍ର ସରକାର କହିଛନ୍ତି । ତା’ଛଡ଼ା ଓଡ଼ିଶା ସରକାର ମହାନଦୀ ଜଳ ବିବାଦ ସଂପର୍କରେ ଆବଶ୍ୟକ ତଥ୍ୟ ଦେଉ ନଥିବାରୁ ଏଯାଏଁ ଏ ସମସ୍ୟାର ସମାଧାନ ହୋଇପାରି ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ।

 

ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାରଙ୍କ ତରଫରୁ ଏ ନେଇ ଏକ ସତ୍ୟପାଠ ଦାଖଲ କରାଯାଇଛି । ଏହି ସତ୍ୟପାଠରେ କୁହାଯାଇଛି ଯେ ଓଡ଼ିଶା ସରକାର ଏହି ମାମଲାରେ ନିର୍ମଳ ହାତରେ କୋର୍ଟକୁ ଆସି ନାହାନ୍ତି । ଓଡ଼ିଶା ସରକାର ତାଙ୍କ ରାଜ୍ୟକୁ ସୁହାଇଲା ଭଳି ତଥ୍ୟ ରଖିଥିଲେ ବି ବିବାଦର ମୂଳରେ ଥିବା ଆହୁରି ଅନେକ ତଥ୍ୟ ଲୁଚାଇ ରଖିଛନ୍ତି । ମହାନଦୀ ଜଳ ବଣ୍ଟନ ନେଇ ତକ୍ରାଳୀନ ମଧ୍ୟ ପ୍ରଦେଶ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ୧୯୮୩ ମସିହାରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ରାଜିନାମା ଅନୁସାରେ ଜଳ ବିବାଦର ସମାଧାନ ପାଇଁ ଏକ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ ଗଠନ କରାଯିବା କଥା । କିନ୍ତୁ ପରବର୍ତ୍ତୀ ସମୟରେ ଛତିଶଗଡ଼ ସରକାର ଆଗ୍ରହ ପ୍ରକାଶ କରିଥିଲେ ବି ଓଡ଼ିଶା ସରକାରଙ୍କ ଉଦାସୀନତା ଯୋଗୁଁ ଏହି ବୋର୍ଡ଼ ଏଯାଏଁ ଗଠିତ ହୋଇପାରି ନାହିଁ ।

 

ଓଡ଼ିଶା ସରକାର ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରୁଛି ବୋଲି ୨୦୧୬ ଜୁଲାଇ ୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିବା ସହିତ ବନ୍ଧକାମ ବନ୍ଦ କରିବାକୁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ଏହା ପରେ ଜଳସଂପଦ ବିଭାଗ ତରଫରୁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ବସିଥିଲା । ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଛତିଶଗଡ଼ର ପ୍ରକଳ୍ପ ସଂପର୍କୀତ ପୂର୍ଣ୍ଣ ବିବରଣୀ କେନ୍ଦ୍ର ଜଳ କମିଶନଙ୍କୁ ଦିଆଯିବ । କମିଶନ ତାହାକୁ ମହାନଦୀ ସହିତ ସଂପୃକ୍ତ ସମସ୍ତ ରାଜ୍ୟଙ୍କୁ ଦେବେ । ରାଜ୍ୟଗୁଡ଼ିକ ଏନେଇ ୪୫ ଦିନ ଭିତରେ ନିଜର ମତାମତ ଦେବେ । ଯଦି ରାଜ୍ୟଗୁଡ଼ିକ ଏହି ସମୟ ମଧ୍ୟରେ କୌଣସି ମନ୍ତବ୍ୟ ଦେବେ ନାହିଁ ତେବେ କମିଶନ ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରିପାରନ୍ତି ।

 

ଏହା ପରେ ସେହିବର୍ଷ ସେପ୍ଟେମ୍ବର ୧୭ ତାରିଖରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକ ବସିଥିଲା । ସେଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବାକୁ ଦାବି କରିଥିଲେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଥିଲେ ୧୦ ବର୍ଷ ହେଲା କାମ ଆରମ୍ଭ ହେଲାଣି । ଏବେ କାମ ଶେଷ ପର୍ଯ୍ୟାୟରେ । ବନ୍ଦ କରିବା ସମ୍ଭବ ନୁହେଁ । ତେବେ ୧୯୮୩ ଚୁକ୍ତି ଅନୁସାରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ ଗଠନ କରିବାକୁ ସେ ସହମତ ଅଛନ୍ତି ବୋଲି କହିଥିଲେ । ଜଳ ଏକ ରାଜ୍ୟ ବିଷୟ ହୋଇଥିବାରୁ ଦୁଇ ରାଜ୍ୟ ନିଜନିଜ ଭିତରେ ଆଲୋଚନା କରି ଏହାର ସମାଧାନ କରିବାକୁ କେନ୍ଦ୍ର ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଶେଷରେ ଏହି ବୈଠକର ନିଷ୍ପତ୍ତି ଅନୁସାରେ ଏକ ସ୍ୱତନ୍ତ୍ର କମିଟି ଗଠିତ ହେଲା । କମିଟିକୁ ଛତିଶଗଡ଼ ସରକାର ତାଙ୍କ ରାଜ୍ୟରେ ନିର୍ମାଣାଧୀନ ପ୍ରକଳ୍ପ ନେଇ ତଥ୍ୟ ଦେଲେ, କିନ୍ତୁ ଓଡ଼ିଶା ସରକାର ଦେଲେ ନାହିଁ । ରୁରକିର ଜାତୀୟ ଜଳତତ୍ତ୍ୱ ପ୍ରତିଷ୍ଠାନକୁ ମଧ୍ୟ ଓଡ଼ିଶା ସରକାର ମହାନଦୀ ଅବବାହିକା ନେଇ କୌଣସି ତଥ୍ୟ ଦେଲେ ନାହିଁ ।

 

ଓଡ଼ିଶା ସରକାରଙ୍କ ଦାବି ଅନୁସାରେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଛତିଶଗଡ଼ ସରକାର ରାଜି ହେଲେ ଓ ସେଥିପାଇଁ ନିଜ ରାଜ୍ୟର ପ୍ରତିନିଧି ମନୋନୀତ କଲେ । କିନ୍ତୁ ଓଡ଼ିଶା ସରକାର କମିଟିର ସର୍ତ୍ତକୁ ବିରୋଧ କରି ନିଜ ପ୍ରତିନିଧି ପଠାଇଲେ ନାହିଁ ।

 

ଏହା ପରେ ଓଡ଼ିଶା ସରକାର ୨୦୧୬ ନଭେମ୍ବର ୧୯ ତାରିଖରେ ଆନ୍ତଃ ରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଅନୁସାରେ ମହାନଦୀ ବିବାଦର ସମାଧାନ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ । ଏହା ପରେ କେନ୍ଦ୍ର ସରକାର ୨୦୧୭ ଜାନୁଆରୀ ୧୯ ତାରିଖରେ ମହାନଦୀ ଅବବାହିକାରେ ଥିବା ରାଜ୍ୟ, କେନ୍ଦ୍ରୀୟ ଜଳ ଆୟୋଗ, ଭାରତୀୟ ପାଣିପାଗ ବିଭାଗ, ଜାତୀୟ ଜଳତତ୍ତ୍ୱ ପ୍ରତିଷ୍ଠାନର ପ୍ରତିନିଧିଙ୍କୁ ନେଇ ଏକ ବୁଝାମଣା କମିଟି ଗଠନ କଲେ । ୨୦୧୭ ଫେବୃଆରୀ ୨୮ ଓ ମେ ୨୨ ତାରିଖରେ ଏହି କମିଟିର ଦୁଇ ଦୁଇଟି ବୈଠକ ବସିଲା । କିନ୍ତୁ ଓଡ଼ିଶା ସରକାରଙ୍କ ପ୍ରତିନିଧି ଏଥିରେ ଯୋଗଦେଲେ ନାହିଁ ।

 

ଏହି ସତ୍ୟପାଠରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ସରକାର ବିବାଦର ସମାଧାନ ଦିଗରେ କୌଣସି ଉଦ୍ୟମ ନକରି କେବଳ ଅଭିଯୋଗ ପରେ ଅଭିଯୋଗ କରି ଚାଲିଛନ୍ତି । ପୁଣି ଛତିଶଗଡ଼ ସରକାର ତଥ୍ୟ ଦେଉଥିବାବେଳେ ଓଡ଼ିଶା ସରକାର ତଥ୍ୟ ଦେଉ ନାହାନ୍ତି । ଜାତୀୟ ଜଳ ବିକାଶ ସଂସ୍ଥାର ବିଜ୍ଞାନ ସମ୍ମତ ସର୍ଭେରୁ ଜଣାପଡ଼ିଛି ଯେ ଓଡ଼ିଶାର ବରମୂଳ ନିକଟରେ ୯୯୦୮ ଏମସିଏମ ଜଳ ଗଚ୍ଛିତ ରହୁଛି । ଛତିଶଗଡ଼ ସରକାରଙ୍କ ଦାବି ଅନୁସାରେ ମହାନଦୀର ୫୭ ପ୍ରତିଶତ ଜଳ ସମୁଦ୍ରକୁ ବହି ଯାଉଛି । ଅଥଚ ଛତିଶଗଡ଼ ଯୋଗୁଁ ମହାନଦୀ ଶୁଖିଯାଉଛି ବୋଲି ଓଡ଼ିଶା ସରକାର ଦାବି କରୁଛନ୍ତି ।

 

ତେବେ, ଛତିଶଗଡ଼ ଓ କେନ୍ଦ୍ର ସରକାର ଏହି ବିବାଦର ଆପୋଷ ସମାଧାନ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ଓଡ଼ିଶା ସରକାର ତଥ୍ୟ ପ୍ରଦାନ ନକରି ଏବଂ ବୈଠକରେ ଯୋଗ ନଦେଇ ସମସ୍ତ ଉଦ୍ୟମକୁ ନିଷ୍ଫଳ କରିଛନ୍ତି । ଏବେ ଆନ୍ତଃ ରାଜ୍ୟ ଜଳ ବିବାଦ ଆଇନ, ୧୯୫୬ର ସଂଶୋଧନ ବିଲ୍ ସଂସଦରେ ଆଗତ ହୋଇଛି । ଏହି ବିଲ୍ ଅନୁସାରେ ଦେଶର ସମସ୍ତ ନଦୀର ଜଳ ବିବାଦର ସମାଧାନ ପାଇଁ ସମଗ୍ର ଦେଶରେ ଗୋଟିଏ ମାତ୍ର ଟ୍ରିବ୍ୟୁନାଲ ଗଠନ କରାଯିବ । ଏହି ଟ୍ରିବ୍ୟୁନାଲ ଅଧୀନରେ ବିବାଦ ସମାଧାନ କମିଟି ରହିବ । ବିବାଦ ସମାଧାନ କମିଟି ବା ଡିଆରଏସ ନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲକୁ ଅବଗତ କରିବେ । ଏହା ପରେ ଟ୍ରିବ୍ୟୁନାଲ ଏହାର ବିଚାର କରି କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିବେ ।
ଏହି ଆଇନରେ ସଂଶୋଧନ ହେଲା ପରେ ନଦୀ ଜଳ ବିବାଦ ନେଇ ଯେତେ ଟ୍ରିବ୍ୟୁନାଲ ଗଠିତ ହୋଇଥିବ ସବୁ ଅଚଳ ହୋଇଯିବ ଓ ସଂପୃକ୍ତ ବିବାଦଗୁଡ଼ିକ ସ୍ୱତଃ ନୂଆ ଜାତୀୟ ଟ୍ରିବ୍ୟୁନାଲକୁ ହସ୍ତାନ୍ତର ହେବ । ଏହି ଦୃଷ୍ଟିରୁ ଏବେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନ ନିଷ୍ଫଳ ପ୍ରୟାସ ହେବ । ଏଣୁ ଓଡ଼ିଶା ସରକାରଙ୍କ ଆବେଦନ ଖାରଜ କରିବାକୁ କେନ୍ଦ୍ର ସରକାର ଏହି ସତ୍ୟପାଠରେ ସୁପ୍ରିମ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top