ନେତାଙ୍କ ଇତିହାସ ଚର୍ଚ୍ଚା କାହିଁକି?

News Story - Posted on 2017-12-08

ମହାକବି ବାଲ୍ମିକୀଙ୍କ ରଚିତ ରାମାୟଣ ନାମକ ପୁରାଣର ଏକ ଚରିତ୍ର ହେଲେ ରାମଚନ୍ଦ୍ର । ସେ କେବେ ଜନ୍ମ ହୋଇଥିଲେ ତାହା କୌଣସି ଇତିହାସକାର ଏଯାଏଁ ଠିକ ଭାବେ ପ୍ରମାଣିତ କରିପାରି ନାହାନ୍ତି । ଏମିତି କି ସେ ସତରେ ଜନ୍ମ ହୋଇଥିଲେ କି ନାହିଁ ତାହାର ମଧ୍ୟ ପ୍ରମାଣ ନାହିଁ । କିନ୍ତୁ ସେ ଅଯୋଧ୍ୟାରେ ଏକ ନିର୍ଦ୍ଦିଷ୍ଟ ପ୍ଲଟ ନମ୍ବରର ଜମିରେ ଜନ୍ମ ହୋଇଥିଲେ ବୋଲି ରାଷ୍ଟ୍ରୀୟ ସବ୍ୟଂସେବକ ସଂଘ ଓ ଭାରତୀୟ ଜନତା ପାର୍ଟିର ସଦସ୍ୟମାନେ ଅନେକ ଦିନ ହେଲା ଦାବି କରି ଆସୁଛନ୍ତି । ଆଉ ସେହି ଦାବିକୁ ନେଇ ଭାରତବର୍ଷରେ ରାଜନୀତି ଚଳେଇଛନ୍ତି, ସାଂପ୍ରଦାୟିକ ବିଭାଜନ କରୁଛନ୍ତି । ତେବେ ରାମଚନ୍ଦ୍ର ସତ ହୋଇଥାନ୍ତୁ କି ମିଛ- ଯେଉଁମାନେ ତାଙ୍କ ଜନ୍ମସ୍ଥାନକୁ ନେଇ ରାଜନୀତି କରୁଛନ୍ତି ଓ ସାଂପ୍ରଦାୟିକ ବିଭାଜନ ପାଇଁ ଘୃଣା ଓ ହିଂସାର ଅଭିଯାନ ଚଳେଇଛନ୍ତି ସେମାନେ କେହି ଇତିହାସକାର ନୁହନ୍ତି । ମୋହନ ଭଗବତ ହୁଅନ୍ତି କି ନରେନ୍ଦ୍ରଭାଇ ମୋଦି, ଲାଲକୃଷ୍ଣ ଆଡ଼ଭାନୀ ହୁଅନ୍ତୁ କି ପ୍ରବୀଣ ତୋଗାଡ଼ିଆ ବା ଏହି ସାଂପ୍ରଦାୟିକ ଗୋଷ୍ଠୀର ଅନ୍ୟ କେହି ନେତା- ସେମାନେ ଇତିହାସ ଉପରେ କେବେ ଗବେଷଣା କଲେ, କ’ଣ ଗବେଷଣା କଲେ, ତାହା କେଉଁ ବିଶ୍ୱବିଦ୍ୟାଳୟର ସ୍ୱୀକୃତି ପାଇଛି ବା କେଉଁ ପ୍ରତ୍ନତତ୍ତ୍ୱ ଗବେଷଣା ସଂସ୍ଥା ତାହାକୁ ସମର୍ଥନ କରିଛି ତାହା କେହି ଜାଣନ୍ତି ନାହିଁ ।

 

ସେହିପରି ରାଣୀ ପଦ୍ମାବତୀ । ସାତ ଶତାବ୍ଦୀ ତଳର ଏକ ଚରିତ୍ର । ସାହିତ୍ୟ କହେ ମୁସଲିମ ଆକ୍ରମଣକାରୀ ଆଲ୍ଳାଉଦ୍ଦିନ ଖିଲଜିଙ୍କ ବଶ୍ୟତା ସ୍ୱୀକାର ନକରିବାକୁ ସେ କାଳେ ସତୀ ହୋଇଥିଲେ । ଅର୍ଥାତ ଆତ୍ମଦାହ କରିଥିଲେ । ଏବେ ତାଙ୍କ ଚରିତ୍ରକୁ ନେଇ ଏକ ମନୋରଂଜନ ଧର୍ମୀ ଫିଲ୍ମ ତିଆରି କରିଛନ୍ତି ସଂଜୟ ଲୀଲା ଭଁସାଲି । କିନ୍ତୁ ତାହାକୁ ନେଇ ପ୍ରାୟ ବର୍ଷେ ହେଲା ଏହି ଗୋଷ୍ଠୀର ସଦସ୍ୟମାନେ ହାଣକାଟ ମାରପିଟ ଚଳେଇଛନ୍ତି । ୟା’ ମୁଣ୍ଡ କାଟିଦିଅ ପୁରସ୍କାର ଦେବୁ, ତାକୁ ମାରିଦିଅ ପୁରସ୍କାର ଦେବୁ ପରି ଅପରାଧିକ ଘୋଷଣା କରାଯାଉଛି । ସରକାର ନୀରବଦ୍ରଷ୍ଟା । କାରଣ ଏଇ ଗୋଷ୍ଠୀ ଏବେ ଶାସନ କ୍ଷମତାରେ । ବିକାଶର କଥା କହି ଶାସନକୁ ଆସିଥିବା ଏଇ ଗୋଷ୍ଠୀ ପାଇଁ ଦାରିଦ୍ର୍ୟ, ଶୋଷଣ, ହିଂସା, ଅପରାଧ, ଦୁର୍ନୀତି, ବିକାଶ କେବଳ ଗୋଟେଗୋଟେ ଦୁର୍ବଳ ଓ ଅଳ୍ପ ବ୍ୟବହୃତ ଶବ୍ଦ ହୋଇଯାଇଛି । ଏହା ଏମାନଙ୍କୁ ସୁହାଉଛି । ସତ୍ୟକୁ ନୁହେଁ ।

 

ଓଡ଼ିଶାରେ ଶାସନ କ୍ଷମତାରେ ଥିବା ସେହିପରି ଏକ ଦଳର ନେତାମାନେ ରାଜ୍ୟର କୃଷକ ଓ କାରିଗର କୂଳର ଦାରିଦ୍ର୍ୟ, ଦୁର୍ନୀତି, ଶୋଷଣ, ବେକାରୀ ସମସ୍ୟା, ଜାତିଭେଦ, ନାରୀ ନିର୍ଯାତନା, ବର୍ଦ୍ଧିଷ୍ଣୁ ଅପରାଧ ଆଦି ବିଷୟରେ ଚର୍ଚ୍ଚା ନକରି ଦୁଇ ହଜାର ବର୍ଷ ତଳର ଖାରବେଳଙ୍କୁ ଓଡ଼ିଆ ସ୍ୱାଭିମାନର ପ୍ରତୀକ କରି ଶହେ ବର୍ଷ ତଳେ ଜନ୍ମ ହୋଇଥିବା ବିଜୁ ପଟ୍ଟନାୟକଙ୍କ ଗୁଣଗାନ କରିବାରେ ବ୍ୟସ୍ତ ଅଛନ୍ତି । ମଜ୍ଜାର କଥା ହେଉଛି ସେ କି ସ୍ୱପ୍ନ ଦେଖିଥିଲେ ତାହା କେବେ କାହାକୁ କହି ନାହାନ୍ତି କି ତା’ ଉପରେ କିଛି ଲିଖିତ ପୁସ୍ତକ ନାହିଁ । ତାଙ୍କ ସ୍ୱପ୍ନର ରୂପରେଖ ବିଷୟରେ କେହି ସାମ୍ବାଦିକ କି ଇତିହାସକାର ସେ ବଂଚିଥିଲାବେଳେ କିଛି ଲେଖି ନାହାନ୍ତି । କିନ୍ତୁ ସେହି ଅଦେଖା ସ୍ୱପ୍ନକୁ ପୂରଣ କରିବାର ଅସମ୍ଭବ ପ୍ରତିଶ୍ରୁତିକୁ ଆଧାର କରି ବିଜୁ ଜନତା ଦଳର ନେତାମାନେ ଲୋକମାନଙ୍କୁ ୧୭ ବର୍ଷ ହେଲା ଶାସନ କଲେଣି । ଏବେ ଏହି ଦଳର କେତେକ ନେତା ପୁଣି ଇତିହାସ ବଦଳେଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଠିକ ଭାରତୀୟ ଜନତା ପାର୍ଟିର ନେତାମାନଙ୍କ ପରି । ବିଜେଡିର ବରିଷ୍ଠ ଉପସଭାପତି ତଥା କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନଥିଲେ କହି ବିବାଦ ସୃଷ୍ଟି କରିଛନ୍ତି । ଜୟୀ ରାଜଗୁରୁ ବ୍ରିଟିଶ ଭାରତର ପ୍ରଥମ ଶହୀଦ ଥିଲେ ବୋଲି ହେଉଥିବା ଯୁକ୍ତିକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି ଯେ ବକ୍ସିଙ୍କ ପାଇକ ବିଦ୍ରୋହ ହିଁ ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଜୟୀ ସ୍ୱାଧୀନତା ପାଇଁ ବ୍ରିଟିଶ ବିରୋଧରେ ଲଢ଼େଇ କରି ନାହାନ୍ତି । ଶିକ୍ଷାରେ ପ୍ରାଣୀ ଚିକିତ୍ସକ ଓ ବୃତ୍ତିରେ ରାଜନେତା ଡାକ୍ତର ଦାମୋଦର ରାଉତ ଇତିହାସକୁ ନେଇ ଯେଉଁ ବିବାଦ ଆରମ୍ଭ କରିଛନ୍ତି ତାହା କୃଷକମାନଙ୍କ ଦାରିଦ୍ର୍ୟ ଦୂର କରିବ ଓ ସେମାନଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରିବାର କି ସମ୍ଭାବନା ଅଛି?

 

ତାଙ୍କରି ଦଳର ସାଂସଦ ଭର୍ତ୍ତୃହରି ମହତାବ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ତାରିଖକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସାରା ବିଶ୍ୱରେ ଡିସେମ୍ବର ୨୫ ତାରିଖକୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିବସ ଭାବେ ପାଳନ କରାଯାଉଥିବାବେଳେ ଭର୍ତ୍ତୃହରି ଏ ବିଷୟ କାହିଁକି ଉଠେଇଛନ୍ତି? ତାଙ୍କର ଏପରି ବିବୃତ୍ତିରେ କ’ଣ କଟକ ସହରର ନାଳନର୍ଦ୍ଦମା ସଫା ହୋଇଯିବ ନା ବର୍ଷାଦିନିଆ ଜଳମଗ୍ନ ସମସ୍ୟା ଦୂର ହୋଇଯିବ? ଏଭଳି ଦଳ ଓ ନେତାମାନେ କେବେ ଆଉ ଦାରିଦ୍ର୍ୟ, ଦୁର୍ନୀତି, ଦରବୃଦ୍ଧି, ଶୋଷଣ, ଅତ୍ୟାଚାର, ମିଥ୍ୟାଚାର, ପରିବେଶ ପ୍ରଦୂଷଣ ଆଦି ବିଷୟରେ ବିତର୍କ କରିବେ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top