ଗର୍ବରେ କୁହ, ମତେ ଓଡ଼ିଆ ଆସେନି!

News Story - Posted on 2017-12-08

ଡଃ. ସୁଲଗ୍ନା ମହାନ୍ତି

 

ହିନ୍ଦୀ ଭାଷାକୁ ନେଇ ଦକ୍ଷିଣ ଭାରତରେ ଏବେ ଦଙ୍ଗା ହେଇଗଲାଣି। ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା କରେଇ ଦବୁନି ବୋଲି ସେମାନେ କହୁଛନ୍ତି। ନିଜ ଭାଷାକୁ ନେଇ ଦକ୍ଷିଣ ଭାରତୀୟଙ୍କ ଯୋଉ ପ୍ରୀତି ସେଇଟା କାହାକୁ ଅଛପା ନୁହେଁ। ଆଗରୁ ମତେ ବି ସେଇଟା ଟିକେ ଅଧିକା ଲାଗୁଥିଲା। କିନ୍ତୁ କିଛି ବର୍ଷ ଦକ୍ଷିଣ ଭାରତରେ ରହିବା ପରେ ମତେ କାଇଁ ଲାଗୁଛି ସେମାନେ ଯାହା କହୁଛନ୍ତି ସେଇଟା ଠିକ। ଆଉ ଏମତି ମତେ ଲାଗୁଛି ଆମ ଓଡ଼ିଆଙ୍କ କାଣ୍ଡ କାରଖାନା ଦେଖିକି।

 

ଆମ ଓଡ଼ିଆଙ୍କ ଖଣ୍ଡି ହିନ୍ଦୀ ଇଂଲିଶ ପ୍ରୀତି କାହାକୁ ବା ଅଜଣା! ମୁଁ ମାନୁଛି ହିନ୍ଦୀ ଓ ଇଂରାଜୀ ଜାଣିବା ବହୁତ ଭଲ କଥା। କିନ୍ତୁ ତା ବୋଲି ନିଜକୁ ଓଡ଼ିଆ ବୋଲି କହିବାକୁ ଆମକୁ ଲାଜ କାହିଁକି? ବଡ ବଡ ସହରରେ ଆଉ ଖାସ୍ କରି ବାଙ୍ଗାଲୋରରେ ଗୋଟିଏ ଓଡ଼ିଆ ଯଦି କୋଉ ଓଡ଼ିଆକୁ ଦେଖିଦେବ ତାହେଲେ ସେ ମୁହଁ ବୁଲେଇ ପଳେଇବ। ଆପାର୍ଟମେଣ୍ଟରେ ତେଲୁଗୁ ତାମିଲ କେରଳି ସମସ୍ତଙ୍କ ସାଙ୍ଗେ ଖଣ୍ଡି ଇଂଲିଶ ଖଣ୍ଡି ହିନ୍ଦୀରେ କଥା ହଉଥିବେ କିନ୍ତୁ ଓଡ଼ିଆଙ୍କୁ ମୁହଁମୋଡା। କିଏ ଯଦି ପଚାରିଦେବ ଆପଣ କ’ଣ ଓଡ଼ିଆ ତାହେଲେ ମନେ ମନେ ଭାବି ପକେଇବେ, ନୂଆ ନୂଆ ଓଡିଶାରୁ ଆସିଛି ବୋଧେ। ସେଥିପାଇଁ ଓଡ଼ିଆ ଦେଖି ଏତେ ଖୁସି!! ଓଡ଼ିଆ ମିଠାବାଲାକୁ ରାଜ୍ୟ ବାହାରେ ଯଦି କିଏ ରସଗୋଲା ଦେଖେଇ ପଚାରେ, ଭଇୟା, ୟେ କ୍ୟା ହେ? ସେ ସାଙ୍ଗେ ସାଙ୍ଗେ କହିବ, ରୋଶୋଗୋଲ୍ଲା। ତୁମେ ପଛେ ଇଆଡ଼େ ଯେତେ ଟ୍ବିଟର ଆଉ ଫେସବୁକରେ ଝଗଡ଼ା କର ରସଗୋଲା ଓଡ଼ିଶାର। କିନ୍ତୁ ଯିଏ ତାକୁ ଛେନାପୋଡ଼ ଦେଖେଇ ପଚାରିବ ସେ କହିବ, ୟେ ହେ ପନିର କେକ୍‌। ବାସ ଏଇଠି କଥା ସରିଲା। ମୁଁ ଭାବେ ଇଟିଲି ଯେତେବେଳେ ଚାଉଳ ପିଠା ନୁହେଁ ଆଉ ଦୋସା ଯେତେବେଳେ ପତଳା ଚକୁଳି ନୁହେଁ ତାହେଲେ ଛେନାପୋଡ଼ କାଇଁକି ପନିର କେକ୍?

 

ନିକଟରେ ଜଣେ ଓଡ଼ିଆ ଭଦ୍ରବ୍ୟକ୍ତିଙ୍କ ସହ ଦେଖା ହେଇଥିଲା ଓଡିଶା ବାହାରେ। ଇଂରାଜୀରେ ପରିଚୟ ଆଦାନ ପ୍ରଦାନ ପରେ ମୁଁ ଓଡ଼ିଆରେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କଲି। ଭଦ୍ରବ୍ୟକ୍ତି ଜଣକ ଓଡ଼ିଶାରେ ରୁହନ୍ତି ଓ ମୁଁ ଜାଣିଛି ଯେ ସେ ଖୁବ୍ ଭଲ ଓଡ଼ିଆ କୁହନ୍ତି। କିନ୍ତୁ କ’ଣ ପାଇଁ କେଜାଣି ସେ ମୋ ସାଙ୍ଗରେ ଇଂରାଜୀରେ ହିଁ କଥା ହଉଥାନ୍ତି। ଏମତିରେ ଏଇ କଥାଟି ମୋ ପାଇଁ ନୂଆ ନୁହେଁ। ପୁଣି ଭାବିଲି ଏଇଆ ବି ହେଇପାରେ ଯେ ସେ ଇଂରାଜୀ ଭାଷାରେ ବେଶି ସହଜ ଅନୁଭବ କରୁଥାଇ ପାରନ୍ତି। ତେଣୁ ମୁଁ ୟା ଉପରେ ବେଶି ଧ୍ୟାନ ଦେଲିନି। କିନ୍ତୁ ମୋ କାନ ସେତେବେଳେ ଧନ୍ୟ ହେଇଗଲା ଯେତେବେଳେ ମୁଁ ମାତ୍ର ଦଶ ମିନିଟ ପରେ ସେଇ ଭଦ୍ରବ୍ୟକ୍ତି ଜଣଙ୍କୁ ଜଣେ ବଙ୍ଗାଳୀ ଲୋକଙ୍କ ସହିତ ଅନର୍ଗଳ ବଙ୍ଗଳା କହୁଥିବା ଶୁଣିଲି। କି ଖୁସିରେ ଗଡ଼ଗଡ଼ ହେଇ ସେ ବଙ୍ଗଳା କହିଯାଉଥାନ୍ତି! ଭାବିଲି ସ୍ବର୍ଗରେ ନିଶ୍ଚିତ ଟାଗୋର ଏବେ ଗଙ୍ଗାଧର ମେହେରଙ୍କୁ ଜିଭ ଦେଖେଇ ଖତେଇ ହଉଥିବେ। ଏଇ ଘଟଣାଟି ପୁଣି ସିଦ୍ଧ କରେ ଯେ ଜଣେ ବଙ୍ଗାଳୀ ଦେଖାହେଲେ ବହୁତ ଓଡ଼ିଆ ଦଉଡି଼କି ଯାଇ ପଚାରନ୍ତି ଆପନି କି ବାଙ୍ଗାଲି? ଆମି ଉଡିଆ। ପ୍ରଥମ କଥା ତ ତମେ ହେଲ ଓଡ଼ିଆ। ଉଡ଼ିଆ ନୁହେଁ। ଦ୍ବିତୀୟ କଥା ହେଲା ତମେ ଏଇ କଥା ତ ତାକୁ ଓଡ଼ିଆ କି ଇଂରାଜୀରେ ପଚାରି ପାରିଥାନ୍ତ! କିନ୍ତୁ ନା। ତମେ ପଚାରିବ ବଙ୍ଗଳାରେ। ନିଜ ବଙ୍ଗଳା ଜ୍ଞାନ ଦେଖେଇ ହେଇ। ବଙ୍ଗାଳୀଙ୍କ ପାଖ ଲୋକ ହେଲେ ଯେମିତି ସ୍ବର୍ଗ ଆଉ ଦୁଇ ଆଙ୍ଗୁଳି!  ଆଉ ହିନ୍ଦୀ ଇଂରାଜୀ ଜ୍ଞାନକୁ ସାଇତି ରଖାହବ ଓଡ଼ିଆଙ୍କ ପାଇଁ। କିଏ ଯଦି ଆସି ପଚାରିଦେଲା ଆପଣ କ’ଣ ଓଡ଼ିଆ ତାହେଲେ ସାଙ୍ଗେ ସାଙ୍ଗେ ଉତ୍ତର ମିଳିବ, ୟା ୟା। ଆଇ ଏମ୍ ଫ୍ରମ ଓରିଶା। ସାମ୍ନା ଲୋକ ଯେତେ ଓଡ଼ିଆ କହୁ ଏପଟୁ ଉତ୍ତର ଯିବ ଇଂରାଜୀରେ। ନହେଲେ ସେ ତମକୁ ଓଡ଼ିଶାର କଉ ନିପଟ ମଫସଲର ଓଡ଼ିଆ ସ୍କୁଲପାସ ଛୁଆ ବୋଲି ଭାବି ଦବନି? ସେଥିପାଇଁ ଇମେଜଟା ବଜାୟ ରଖିବା ବହୁତ ଜରୁରୀ!

 

ତା’ପରେ ଆପଣ ଯଦି କେବେ ଟ୍ରେନରେ କୋଉ ବାହାର ଜାଗାରୁ ଓଡିଶା ଆସୁଥିବେ ଆଉ ଆପଣଙ୍କ ପାଖରେ କୋଉ ଓଡ଼ିଆ ଦମ୍ପତ୍ତି ଛୁଆଙ୍କୁ ନେଇ ବସିଥିବେ ସେଇଠି ଦେଖିବେ ଗୋଟିଏ ଅଦ୍ଭୁତ ପରିସ୍ଥିତି। ବାପାଟି ଯାହା ଯେମିତି ଓଡ଼ିଆ ଚଲେଇଥିବ କିନ୍ତୁ ମା’ଟି ନିଜ ଛୁଆ ସାଙ୍ଗରେ ସେଇ ଫଟା ହିନ୍ଦୀରେ ଚଲେଇଥିବ କଥା। ସ୍ବାମୀକୁ ପଛେ କହୁଥାଉ, ସୁନୋ, ବବଲୁ କୋ ଥୋଡା ପ୍ୟାଣ୍ଟ ଖୋଲାକର ମୁତାନେ କେ ଲିଏ ଲେ ଯାଓ! କିନ୍ତୁ ମୁହଁରୁ ତାଙ୍କର ଓଡ଼ିଆ ନ ବାହାରେ। ଏତେ ସୁନ୍ଦର ହିନ୍ଦୀ ନ କହିଲେ ତାଙ୍କ ଛୁଆ ସ୍ମାର୍ଟ ହେବ କେମିତି? ଓଡ଼ିଆ ନ କହିପାରିଲେ ଛୁଆ ସ୍ମାର୍ଟ! ଓଡ଼ିଆ ନ ପଢିପାରିଲେ ଛୁଆ ସ୍ମାର୍ଟ! ବାପା ମା’ଙ୍କ ଛାତି ଆଉ ଚାରି ଇଞ୍ଚ ଫୁଲି ଉଠିବ। ମୋ ଛୁଆ ଖାଲି ହିନ୍ଦୀ ଇଂଲିଶ ବଙ୍ଗଳା ମରାଠୀ ତେଲୁଗୁ ତାମିଲ କନ୍ନଡ଼ ମାଲୟଲମ ଫ୍ରେଞ୍ଚ ଜର୍ମାନ ଆଉ ସ୍ପାନିଶ କୁହେ। ଓଡ଼ିଆ କହିପାରେନି! ହେ ହେ! କି ଯେ ଗର୍ବର କଥା!! ଏପଟେ ଟ୍ବିଟର ଆଉ ଫେସବୁକରେ ଚିତ୍କାର ଚାଲିଥାଉ, ଓଡ଼ିଆ ଭାଷା ମରିବାକୁ ବସିଲାଣି! ଭାଷା ଆନ୍ଦୋଳନରେ ଯୋଗ ଦିଅ। ଭାଷାକୁ ବଞ୍ଚାଅ।

 

ଓଡ଼ିଆ କହି ଆମେମାନେ ଯଦି ମଫସଲି ହେଇଯାଉଛେ ତାହେଲେ ତ ସବୁ ଇଉରୋପିଅନ ଆଉ ଆମେରିକାନ ହେଲେ ମଫସଲି! ଇଉରୋପରେ ଗାଁ ଗାଁରେ ଲୋକେ ଇଂରାଜୀ ଆଇରିଶ ଫ୍ରେଞ୍ଚ ଲାଟିନ ଜର୍ମାନ ଭାଷା କୁହନ୍ତି। ଆମେରିକାରେ ଗାଁରୁ ନେଇ ସହର ନଗର ପର୍ଯ୍ୟନ୍ତ ସେଇ ଗୋଟିଏ ଇଂରାଜୀ ଭାଷା କାରଣ ସେଇଟା ତାଙ୍କ ନିଜ ଭାଷା। ତାହେଲେ ଆମେ ଆମ ନିଜ ଭାଷା କହି ଆମେ ସବୁ ଗାଉଁଲି ହେଲୁ କେମିତି? କିଛିଦିନ ତଳେ ବିଜେଡି ଦଳର ମାନ୍ୟବର ଏମପି ତଥାଗତ ଶତପଥୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ହିନ୍ଦୀ ଚିଠିକୁ ବିରୋଧ କରି ଲେଖିଥିଲେ, ମତେ ହିନ୍ଦୀ ଆସେନି। ତେଣୁ ଦୟାପୂର୍ବକ ପରବର୍ତ୍ତୀ ଚିଠିଗୁଡିକ ଓଡ଼ିଆ ବା ଇଂରାଜୀରେ ଲେଖିବାକୁ ଅନୁରୋଧ। ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତରେ ଯେତେବେଳେ ପୂରା ଦକ୍ଷିଣ ଭାରତରେ ହିନ୍ଦୀ ବିରୋଧୀ ଆନ୍ଦୋଳନ ଚାଲିଛି ସେତେବେଳେ ଶ୍ରୀ ଶତପଥୀଙ୍କର ଏପରି ଏକ ପଦକ୍ଷେପ ନିହାତି ସ୍ବାଗତଯୋଗ୍ୟ।

 

ବଙ୍ଗାଳୀ ତାମିଲ କେରଳିଙ୍କ ବିଷୟରେ କୁହାଯାଏ ସେମାନେ ନିଜ ଲୋକ ଦେଖିଦେଲେ ଭଦ୍ରାମୀ ଭୁଲିଯାଇ ଅନ୍ୟ ସାମ୍ନାରେ ବି ନିଜ ଭାଷାରେ କଥା ହେବା ଆରମ୍ଭ କରିଦିଅନ୍ତି। ମୋ ହିସାବରେ ନିଜ ଭାଷାରେ କଥା କହିବା ନୁହେଁ ଓଲଟା ନିଜ ଭାଷାରେ କଥା ନ କହିବା ହେଲା ପ୍ରକୃତ ଅଭଦ୍ରାମୀ। ମୁଁ ତ କହିବି ଆମ ସାମ୍ନାରେ ସେମାନେ ଆଉରି କଥା ହୁଅନ୍ତୁ ନିଜ ଭାଷାରେ। ଆମକୁ ଆଉରି ଏକୁଟିଆ ଲାଗୁ ତାଙ୍କ ଗହଣରେ। ହେଇପାରେ ସେମିତି ଏକୁଟିଆ ଅନୁଭବ କରିବାବେଳେ ଆମେ ହୁଏତ ଖୋଜିପାଇପାରୁ ନିଜ ଭାଷାର ମହତ୍ବ ଆଉ ଗାରିମା। ପ୍ରକୃତରେ ଅସୁବିଧା ଅନ୍ୟ ଭାଷାରେ ନୁହେଁ ନିଜ ମନରେ ଅଛି। ନିଜ ଭାଷାକୁ ନେଇ ନିଜ ମନରେ ଥିବା ହୀନମନ୍ୟତାରେ ଅଛି। ନିଜକୁ ଛୋଟ ଭାବିବାରେ ଅଛି ଆଉ ଅନ୍ୟକୁ ନିଜଠୁ ବଡ଼ ବୋଲି ଭାବିବାରେ ଅଛି। ଆଗ ତାକୁ ଠିକ୍ କରିବାକୁ ହବ। ସେଇଟା ଠିକ୍ ହେଇଗଲେ ପନିର କେକ୍ ଆପେ ଆପେ ଛେନାପୋଡ଼ ହେଇଯିବ ଆଉ ରୋଶୋଗୋଲ୍ଲା ହେଇଯିବ ରସଗୋଲା।

 

ଆସିଷ୍ଟାଣ୍ଟ ପ୍ରଫେସର, ଅମୃତା ବିଶ୍ବବିଦ୍ୟାଳୟ,

କୋଇମ୍ବାଟୁର, ତାମିଲନାଡ଼ୁ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top