ବଢ଼ୁଛନ୍ତି ନାମମାତ୍ର ଚାଷୀ
News Story - Posted on 2017-12-07
ଓଡ଼ିଶାରେ ଚାଷୀଙ୍କ ସଂଖ୍ୟା ୪୬ ଲକ୍ଷ ୬୭ ହଜାର । ରାଜ୍ୟରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ବଢ଼ି ·ଲୁଥିବା ବେଳେ କ୍ଷୁଦ୍ର, ମଧ୍ୟମ ଓ ବଡ଼ ଚାଷୀଙ୍କ ସଂଖ୍ୟା କମୁଛି । ତେବେ ରାଜ୍ୟରେ ଥିବା ଭାଗଚାଷୀଙ୍କ ସଂଖ୍ୟା କୃଷି ବିଭାଗରେ ଉପଲବ୍ଧ ନାହିଁ । ରାଜ୍ୟର ବିଭିନ୍ନ କିସମର ଚାଷୀଙ୍କ ସଂକ୍ରାନ୍ତରେ ବିଧାୟକ ଦିଲିପ ରାୟ ପଚାରିଥିବା ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ସରକାରଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୦୦-୦୧ ବର୍ଷରେ ରାଜ୍ୟରେ ୪୦ ଲକ୍ଷ ୬୭ ହଜାର ଚାଷୀ ଥିବା ବେଳେ ୨୦୦୫-୦୬ ବେଳକୁ ଏହି ସଂଖ୍ୟା ୪୩ ଲକ୍ଷ ୫୬ ହଜାରରେ ପହଞ୍ଚିଥିଲା । ତେବେ ଏହା ବୃଦ୍ଧି ପାଇ ୨୦୧୦-୧୧ ବେଳକୁ ୪୬, ୬୭,୪୬୬ ହୋଇଛି । ୨୦୦୦-୦୧ ବର୍ଷରେ ଏକ ହେକ୍ଟରରୁ କମ ଜମି ଚାଷ କରୁଥିବା ରାଜ୍ୟରେ ୨୨.୯୪ ଲକ୍ଷ ନାମମାତ୍ର ଚାଷୀ ଥିବା ବେଳେ ୨୦୧୦-୧୧ ବେଳକୁ ଏହି ସଂଖ୍ୟା ୩୩.୬୮ ଲକ୍ଷକୁ ବୃଦ୍ଧି ପାଇଛି । ଅର୍ଥାତ ଏହି ୧୦ ବର୍ଷ ମଧ୍ୟରେ ରାଜ୍ୟରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ବଢ଼ିଛି । ଅନ୍ୟପକ୍ଷରେ ୧ରୁ ୨ ହେକ୍ଟର ଜମି ଚାଷ କରୁଥିବା କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୨୦୦୦-୦୧ ବର୍ଷରେ ୧୧.୧୪ ଲକ୍ଷ ଥିବା ବେଳେ ୨୦୧୦-୧୧ ବେଳକୁ ତାହା ୯.୧୮ ଲକ୍ଷକୁ କମିଛି । ଏହି ୧୦ ବର୍ଷରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ରାଜ୍ୟରେ ପ୍ରାୟ ୨ ଲକ୍ଷ ହ୍ରାସ ପାଇଛି ।
ସେହିପରି ୨ରୁ ୪ ହେକ୍ଟର ଚାଷ କରୁଥିବା ଆଂଶିକ ମଧ୍ୟମ କିସମର ଚାଷୀଙ୍କ ସଂଖ୍ୟା ଏହି ୧୦ ବର୍ଷ ମଧ୍ୟରେ ୫.୦୧ ଲକ୍ଷରୁ ୩.୧୧ ଲକ୍ଷକୁ କମିଛି । ଏହି କିସମର ଚାଷୀଙ୍କ ସଂଖ୍ୟାରେ ପ୍ରାୟ ୨ ଲକ୍ଷ ହ୍ରାସ ଘଟିଛି । ଉକ୍ତ ୧୦ ବର୍ଷ ମଧ୍ୟରେ ୪ରୁ ୧୦ ହେକ୍ଟର ଜମି ଚାଷ କରୁଥିବା ମଧ୍ୟମ କିସମ ଚାଷୀଙ୍କ ସଂଖ୍ୟା ୧.୪୫ ଲକ୍ଷରୁ ୬୪ ହଜାରକୁ କମି ଆସିଥିବା ବେଳେ ୧୦ ହେକ୍ଟରରୁ ଅଧିକ ଜମି ଚାଷ କରୁଥିବା ବଡ଼ଚାଷୀଙ୍କ ସଂଖ୍ୟା ୧୩ ହଜାରରୁ ୬ ହଜାରକୁ କମିଛି । ସରକାରଙ୍କ ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାରେ ବଡ଼, ମଧ୍ୟମ ଓ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ଦ୍ରୁତ ହାରରେ କମୁଥିବା ବେଳେ ନାମମାତ୍ର ଚାଷୀଙ୍କ ସଂଖ୍ୟା ବଢ଼ିଚାଲିଛି । ରାଜ୍ୟରେ ମୋଟ ୬୧.୮୦ ଲକ୍ଷ ହେକ୍ଟର ଚାଷ ଉପଯୋଗୀ ଜମି ଥିବା ବେଳେ ଏଥିରୁ ୪୮,୫୨,୦୪୧ ହେକ୍ଟର ଜମିରେ ଚାଷ ହେଉଥିବା କଥା ୨୦୧୦-୧୧ କୃଷି ଗଣନା ଆଧାରରେ କୁହାଯାଇଛି । ରାଜ୍ୟରେ ୨୪ ଲକ୍ଷରୁ ଅଧିକ କୃଷି ଶ୍ରମିକ ଥିବା କଥା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଥିବା ବେଳେ ତାଙ୍କ ବିଭାଗରେ ଭାଗଚାଷୀଙ୍କର ସଂଖ୍ୟା ଉପଲବ୍ଧ ନୁହେଁ ବୋଲି ଦର୍ଶାଇଛନ୍ତି ।