ଆମଦାନୀ ନହେଲେ ଖାଇବା ବନ୍ଦ!

News Story - Posted on 2017-12-07

ରାଜ୍ୟରେ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶାର ବ୍ୟବସାୟୀମାନେ ଚାଉଳ ବ୍ୟତୀତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଡାଲି, ଲୁଣ, ତେଲ, ଆଳୁ, ପିଆଜ ଓ ଗହମ ଆଦି ବାହାର ରାଜ୍ୟରୁ ଆମଦାନୀ କରିଥାନ୍ତି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।

 

ଜାତୀୟ ସର୍ଭେକ୍ଷଣ ସଂସ୍ଥାର ଆକଳନ ଓ ପରିଯୋଜନା ଜନସଂଖ୍ୟା ଆଧାରରେ ଉପରୋକ୍ତ ଖାଦ୍ୟ ସାମଗ୍ରୀର ବାର୍ଷିକ ଚାହିଦା, ଉତ୍ପାଦନ ତଥା ଆମଦାନୀ ଆକଳନ କରି ସେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ସରକାରଙ୍କ ସୂଚନାନୁଯାୟୀ ୨୦୧୬-୧୭ ବର୍ଷରେ ରାଜ୍ୟର ବାର୍ଷିକ ଡାଲି ଚାହିଦା ୨.୭୯ ଲକ୍ଷ ମେଟ୍ରିକ ଟନ ଥିଲା ବେଳେ ଖାଇବା ତେଲ ଚାହିଦା ୨.୪୫ ଲକ୍ଷ ମେଟ୍ରିକ ଟନ ଓ ଲୁଣର ଆବଶ୍ୟକତା ଥିଲା ୧.୮୪ ଲକ୍ଷ ମେଟ୍ରିକ ଟନ । ଏହି ଚାହିଦା ମେଣ୍ଟାଇବା ପାଇଁ ଉକ୍ତ ବର୍ଷରେ ୨.୭୯ ଲକ୍ଷ ମେଟିକ୍ର ଟନ ଡାଲି, ୨.୪୫ ଲକ୍ଷ ମେଟ୍ରିକ ଟନ ଖାଇବା ତେଲ ଓ ୧.୮୪ ଲକ୍ଷ ମେଟ୍ରିକ ଟନ ଲୁଣ ରାଜ୍ୟ ବାହାରୁ ଆମଦାନୀ କରାଯାଇଥିଲା ।

 

ଏହି ବର୍ଷରେ ବାର୍ଷିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଓଡ଼ିଶା ବାହାର ରାଜ୍ୟରୁ ୧୨ ଲକ୍ଷ ୫୩ ହଜାର ମେଟ୍ରିକ ଟନ ଆଳୁ, ୫ ଲକ୍ଷ ୧୪ ହଜାର ମେଟ୍ରିକ ଟନ ଗହମ ଓ ୩ ଲକ୍ଷ ୩୬ ହଜାର ମେଟ୍ରିକ ଟନ ପିଆଜ ଆମଦାନୀ କରିଥିଲା । ଉକ୍ତ ବର୍ଷରେ ରାଜ୍ୟରେ ମାତ୍ର ୫ହଜାର ମେଟ୍ରିକ ଟନ ଗହମ ଉତ୍ପାଦନ ହୋଇଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top