ଖାଲି ପଦବୀରେ ଦକ୍ଷତା ବିକାଶ!

News Story - Posted on 2017-12-07

ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଲାଗି ସରକାର ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରିବା ସହିତ ଏହା ଅଧୀନରେ ରଖିଛନ୍ତି ବୈଷୟିକ ଶିକ୍ଷା ବ୍ୟବସ୍ଥା । ଏଥିରେ ଥିବା ୨ଟି ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ସମେତ ପ୍ରାୟ ୨୨୦୦ ପଦବୀ ଖାଲି ପଡ଼ିଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନଙ୍କ ଦକ୍ଷତା ବୃଦ୍ଧି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ।

 

ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ବିଭାଗ ଅଧୀନରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ରହିଛି । ଏହାଛଡ଼ା ୧୪୦ଟି ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବିପୁଟ ସହ ଅନୁବନ୍ଧିତ । ବିପୁଟ ଅଧୀନରେ ୪ଟି ସରକାରୀ ଇଞ୍ଜିନିୟରିଂ କଲେଜ ଓ ୨ଟି ମ୍ୟାନେଜମେଣ୍ଟ କଲେଜ ମଧ୍ୟ ଅଛି । ଏତଦବ୍ୟତୀତ ରାଜ୍ୟରେ ୩୨ଟି ସରକାରୀ ଇଞ୍ଜିନିୟରିଂ ସ୍କୁଲ ଓ ପଲିଟେକନିକ ଏବଂ ୪୯ଟି ଆଇଟିଆଇ ମଧ୍ୟ ·ଲୁଛି । ଏହି ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଭିନ୍ନ ପାହ୍ୟାର ପ୍ରାୟ ୨୨୦୦ ପଦବୀ ଖାଲି ପଡ଼ିଥିବା ବେଳେ ଏଗୁଡ଼ିକ ପୂରଣ ପାଇଁ ପ୍ରଚେଷ୍ଟା ଜାରି ରହିଛି ।

 

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବିପୁଟ ଲାଗି ୫ଟି ପ୍ରଫେସର, ୧୫ଟି ରିଡର ଓ ୫ଟି ଅଧ୍ୟାପକଙ୍କୁ ମିଶାଇ ମୋଟ ୨୫ଟି ଶିକ୍ଷକ ପଦବୀ ଥିବା ବେଳେ ଏଠାରେ ମାତ୍ର ଦୁଇଜଣ ଅଧ୍ୟାପକ ଅଛନ୍ତି । ମୋଟାମୋଟି ଭାବେ ବିପୁଟରେ ବିଭିନ୍ନ ପାହ୍ୟାର ୫୦ଟି ପଦବୀ ଖାଲି ପଡ଼ିଛି । ବିପୁଟ ଅଧୀନରେ ଥିବା ଭୁବନେଶ୍ୱରର ସିଇଟି, ବ୍ରହ୍ମପୁରର ପିଏମ୍ଇସି, କଳାହାଣ୍ଡି ଓ କେନ୍ଦୁଝରର ଜିସିଇ ଓ କଟକର ଆଇଏମଆଇଟିରେ ୪୦ଟି ପ୍ରଫେସର ସମେତ ୨୨୪ଟି ଶିକ୍ଷକ ପଦବୀ ଖାଲିପଡ଼ିଛି । ଏହି ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ୭୦ରୁ ଅଧିକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ।

 

ବୁର୍ଲାସ୍ଥିତ ଭିସୁଟରେ ୧୯ଟି ପ୍ରଫେସର ସମେତ ୬୬ଟି ଶିକ୍ଷକ ପଦବୀ ଖାଲି ରହିଛି । ଏଠାରେ ମୋଟାମୋଟି ଭାବେ ୧୦୬ଟି ବିଭିନ୍ନ ପାହ୍ୟାର ପଦବୀ ଦୀର୍ଘଦିନ ଧରି ପୂରଣ ହୋଇନାହିଁ । ସେହିପରି ସରାଙ୍ଗସ୍ଥିତ ଆଇଜିଆଇଟିରେ ୮ଟି ପ୍ରଫେସର ପଦବୀ ମୋଟ ୫୮ଟି ଶିକ୍ଷକ ପଦବୀ ଖାଲି । ଏହି ବୈଷୟିକ ଶିକ୍ଷାନୁଷ୍ଠାନରେ ଆଉ ୨୯ଟି ଅଣଶିକ୍ଷକ ପଦବୀ ମଧ୍ୟ ପୂରଣ ହୋଇନାହିଁ ।

 

ବିଭାଗୀୟ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ରାଜ୍ୟରେ ଥିବା ୪୯ଟି ସରକାରୀ ଆଇଟିଆଇରୁ ୨୨ଟିରେ ଅଧ୍ୟକ୍ଷ ନାହାନ୍ତି । ଏଗୁଡ଼ିକରେ ୫୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି । ମୋଟାମୋଟି ଭାବେ ସରକାରୀ ଆଇଟିଆଇଗୁଡ଼ିକରେ ୮୭୯ ପଦବୀ ଫାଙ୍କା । ସେହିପରି ରାଜ୍ୟରେ ଥିବା ୩୨ଟି ସରକାରୀ ଇଞ୍ଜିନିୟରିଂ ସ୍କୁଲ ଓ ପଲିଟେକନିକରୁ ୩୧ଟିରେ ଅଧ୍ୟକ୍ଷ ନଥିବା ବେଳେ ଏଗୁଡ଼ିକରେ ସାଢ଼େ ତିନିଶହରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋଟାମୋଟି ଭାବେ ୭୪୨ ପଦବୀ ଖାଲି ରହିଛି ।

 

ଯୁବ ଛାତ୍ରଙ୍କ ଦକ୍ଷତା ବିକାଶ କରି ରାଜ୍ୟ ତଥା ରାଷ୍ଟ୍ର ଗଠନରେ ସେମାନଙ୍କୁ ବ୍ରତୀ କରାଇବା ସହିତ ସେମାନେ ଯେଭଳି ସ୍ୱାବଲମ୍ବନଶୀଳ ହେବେ ସେ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା କହୁଛନ୍ତି । କିନ୍ତୁ ବାସ୍ତବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ସହସ୍ରାଧିକ ଶିକ୍ଷକ ପଦବୀ ସମେତ ଅନ୍ୟାନ୍ୟ ପଦବୀ ବର୍ଷ ବର୍ଷ ଧରି ପୂରଣ ନ ହେବା ଫଳରେ ବସ୍ତୁତଃ ସରକାର ଏମାନଙ୍କ ଦକ୍ଷତାର ବିନାଶ କରୁଛନ୍ତି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଏ ସବୁ ପଦବୀ ପୂରଣ ଲାଗି ଦାବି କରିଛନ୍ତି । ତେବେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ଆସନ୍ତା ଶିକ୍ଷାବର୍ଷ ପୂର୍ବରୁ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ପ୍ରତିଶ୍ରୁତି ଦେଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top