ଭୂମିହୀନଙ୍କ ସଂଖ୍ୟା ୬୪% ବଢ଼ିଛି

News Story - Posted on 2017-12-05

ବାସହୀନମାନଙ୍କୁ ଘର ଯୋଗେଇବା ପାଇଁ ଉଭୟ କେନ୍ଦ୍ର ରାଜ୍ୟ ସରକାର ଯୋଜନା ପ୍ରଣୟନ କରି ଆର୍ଥିକ ସହାୟତା ଯୋଗେଇ ଦେଉଛନ୍ତି । ନିକଟ ଅତୀତରେ ଗୋଟିଏ ବର୍ଷରେ ୧୦ ଲକ୍ଷ ବାସଗୃହ ନିର୍ମାଣ କରି ଗରୀବ ଲୋକଙ୍କୁ ଯୋଗେଇ ଦେଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏହି ପରିସଂଖ୍ୟନକୁ ସାଧାରଣରେ ମିଥ୍ୟା କହି ବିଭିନ୍ନ ମହଲରେ ସମୋଲୋଚନା କରାଯାଇଥିଲା । ହେଲେ ବିଧାନସଭାରେ ଝାରସୁଗୁଡ଼ା ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମାହାନ୍ତି ଯେଉଁ ତଥ୍ୟ ଉପସ୍ଥାପନା କରିଛନ୍ତି, ତାହା ସରକାରଙ୍କ ଦାବୀକୁ ସନ୍ଦେହ ଘେରକୁ ଟାଣି ନେଇଛି ।

 

ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ରାଜସ୍ୱ ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ୨୦୦୭ ମସିହାରେ ସମୁଦାୟ ଭୂମିହୀନ ପରିବାରଙ୍କ ସଂଖ୍ୟା ୩୧୬୦୬୭ ଥିଲା । ପ୍ରାୟ ୧୦ ବର୍ଷ ପରେ ଏହା ବୃଦ୍ଧି ପାଇ ୪୯୬୦୯୬ ରେ ପହଂଚିଛି । ଅର୍ଥାତ ଗୋଟିଏ ଦଶନ୍ଧି ମଧ୍ୟରେ ଭୂମିହୀନଙ୍କ ସଂଖ୍ୟା ୬୩.୭୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ଭୂମିହୀନଙ୍କ ମଧ୍ୟରୁ ୧୬୦୯୭ ପରିବାରଙ୍କ ଆବେଦନ ପତ୍ର ସରକାରଙ୍କ ବିଚାରାଧୀନ ଅଛି । ଭୂମିହୀନ ପରିବାରଗୁଡ଼ିକ ଆପାତତଃ ବାସହୀନ । ତା’ର କାରଣ ହେଉଛି, ନିଜ ନାମରେ ଜମି ନଥିବା କୌଣସି ପରିବାରକୁ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳି ନଥାଏ ।

 

ମନ୍ତ୍ରୀ ଦେଇଥିବା ପରିସଂଖ୍ୟାନର ସତ୍ୟତା ଉପରେ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନ୍ତ୍ରୀଙ୍କ ପ୍ରଦତ୍ତ ଉତ୍ତର ଅନୁସାରେ ଗଞ୍ଜାମ ଜିଲ୍ଲାରେ ୨୦୦୭ ମସିହାରେ ଭୂମିହୀନ ପରିବାରଙ୍କ ସଂଖ୍ୟା ୧୭୯୧୯ ଥିଲା । ୨୦୧୭ ମସିହାରେ ଭୂମିହୀନ ପରିବାରଙ୍କ ସଂଖ୍ୟା ମଧ୍ୟ ୧୭୯୧୯ । ଜମି ଯୋଗାଇ ଦିଆଯାଇଥିବା ଭୂମିହୀନ ପରିବାରଙ୍କ ସଂଖ୍ୟା ୧୭୯୧୯ ବୋଲି ତଥ୍ୟ ରଖିଥିବା ବେଳେ ଆବେଦନ କରି ସେହି ଜିଲ୍ଲାରେ ଅପେକ୍ଷାରେ ଥିବା ପରିବାରଙ୍କ ସଂଖ୍ୟା ୧୬୨୫୮ ବୋଲି ମନ୍ତ୍ରୀ କହିଛନ୍ତି । ଏହିପରି ଭ୍ରମାତ୍ମକ ପରିସଂଖ୍ୟାନ ଏ ତଥ୍ୟର ବିଶ୍ୱାସନୀୟତା ଉପରେ ସନ୍ଦେହ ସୃଷ୍ଟି କରିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top