ନଷ୍ଟ ହେଉଛି ୫୩% ନଦୀଜଳ

News Story - Posted on 2017-12-05

ଚଳିତ ବିଧାନ ସଭାରେ ଜଳସମ୍ପଦ ବିଭାଗ ଦାୟିତ୍ୱରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ, ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଙ୍କ ପ୍ରଶ୍ନର ଉତ୍ତର ଦେଇ ଯେଉଁ ତଥ୍ୟ ପ୍ରକାଶ କରିଛନ୍ତି ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକର ୫୩ ପ୍ରତିଶତ ଜଳ ବ୍ୟବହତ ହୋଇପାରିନାହିଁ । ଏ ଜଳ ସମୁଦ୍ରକୁ ବହି ଯାଉଛି । ମହାନଦୀ ଉପର ମୁଣ୍ଡରେ ୧୦୦ଟି ବନ୍ଧ ହେଲେ ମଧ୍ୟ ଓଡ଼ିଶା ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ ବୋଲି ପୂର୍ବରୁ ଉତ୍ତର ରଖି ପରବର୍ତ୍ତୀ ପର୍ଯ୍ୟାୟରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ବନ୍ଧ ନିର୍ମାଣ ହେଉଥିବାରୁ ମହାନଦୀରେ ଜଳସ୍ତର କମିବା ଅଭିଯୋଗ ଆଣିଥିବା ସରକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଆତ୍ମସମୀକ୍ଷାର ସୁଯୋଗ ସୃଷ୍ଟି କରିଛି ।

 

ବିଧାୟକ ଶ୍ରୀ ଦାସଙ୍କର ପ୍ରଶ୍ନ ଥିଲା, ରାଜ୍ୟରେ ପ୍ରବାହିତ ନଦୀମାନଙ୍କ ମଧ୍ୟରୁ କେଉଁ କେଉଁ ନଦୀରୁ କେତେ ପରିମାଣ ଓ କେତେ ପ୍ରତିଶତ ଜଳ କୃଷି ପାନୀୟଜଳ, ଶିଳ୍ପ ଏବଂ ପର୍ଯ୍ୟାବରଣ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ, ଅବଶିଷ୍ଟ କେତେ ପ୍ରତିଶତ ବଳକା ଜଳ ସମୁଦ୍ରକୁ ପ୍ରବାହିତ ହୋଇଥାଏ, ତାର ଏକ ବିବରଣୀ ପ୍ରଦାନ କରିବେ କି? ସମୁଦ୍ରକୁ ପ୍ରବାହିତ ବଳକା ଜଳକୁ ବିନିଯୋଗ ପାଇଁ କେବେ କି କି ପଦକ୍ଷେପ ନେଇଛନ୍ତି ଏବଂ ସମୁଦ୍ରକୁ ପ୍ରବାହିତ କେଉଁ କେଉଁ ନଦୀର ବଳକା ଜଳକୁ କେବେ ସୁଦ୍ଧା କେଉଁ କେଉଁ କ୍ଷେତ୍ରରେ ବିନିଯୋଗ କରାଯିବ, ଏଥିପାଇଁ ସରକାରଙ୍କର ନିର୍ଦ୍ଦିଷ୍ଟ ଯୋଜନାର ରୂପରେଖ କ’ଣ ତାହା ପ୍ରକାଶ କରିବେ କି?

 

ତାଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ଜଳ ଯୋଜନା ୨୦୦୪ରେ ଥିବା ତଥ୍ୟ ଭିତ୍ତିରେ ଅନ୍ୟାନ୍ୟ ନଦୀ ସମେତ ମହାନଦୀର ପରିସଂଖ୍ୟାନ ଉପସ୍ଥାପିତ କରିଛନ୍ତି । ଏହି ପରିସଂଖ୍ୟାନ ଅନୁଯାୟୀ ମହାନଦୀର ଉପଲବ୍ଧ ଜଳର ୪୬.୭୭ ପ୍ରତିଶତ ଜଳସେଚନ, ପାନୀୟ ଜଳ ଓ ପର୍ଯ୍ୟାବରଣ ପାଇଁ ବ୍ୟବହୃତ ହେଉଥିଲା ବେଳେ, ୫୩.୨୩ ପ୍ରତିଶତ ଜଳ ସମୁଦ୍ରକୁ ନିଷ୍କାସିତ ହେଉଛି । ରାଜ୍ୟ ସରକାର ମହାନଦୀ ଅବବାହିକାରେ ଜଳସ୍ତର କମିଯିବା କାରଣରୁ ତୁମ୍ବି ତୋଫାନ କରି କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଅଭିଯୋଗ ଆଣିଥିବା ବେଳେ ନିଜ ପାଖରେ ଉପଲବ୍ଧ ତଥ୍ୟ ଏ ଅଭିଯୋଗଗୁଡ଼ିକୁ ପ୍ରତିପାଦିତ କରିବାରେ ବ୍ୟର୍ଥ ହୋଇଛି ।

 

ସରକାର ବଳକା ଜଳର ବିନିଯୋଗ କରିବା ପାଇଁ ଓଡ଼ିଶା ଜଳ ବିନିଯୋଗ ଯୋଜନା ୨୦୫୧ ପ୍ରଣୟନ କରିଛନ୍ତି ବୋଲି ଗୃହରେ ତଥ୍ୟ ଦେଇ ନିକଟ ଭବିଷ୍ୟତରେ କ’ଣ କରିବାର ଯୋଜନା ଅଛି, ତାହା ଜଣାଇ ନାହାନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାଇ ସମୁଦାୟ ୧୧ଟି ମୁଖ୍ୟ ନଦୀ ଅବବାହିକାରୁ ବାର୍ଷିକ ଆନୁମାନିକ ୯୫ ହଜାର ୫୪୦ କ୍ୟୁବିକ୍ ମିଟର ଜଳ ଉପଲବ୍ଧ ହୋଇଥାଏ ଓ ଏହା ମୁଖ୍ୟତଃ ଜଳସେଚନ, ପାନୀୟ ଜଳ, ଶିଳ୍ପ ଓ ପର୍ଯ୍ୟାବରଣ ବ୍ୟବହାରରେ ଲାଗିବା ପରେ ବଳକା ଜଳ ସମୁଦ୍ରକୁ ପ୍ରବାହିତ ହେଉଥାଏ । ଏହି ୧୧ଟି ମୁଖ୍ୟ ନଦୀର ଉପଲବ୍ଧ ଜଳରୁ ୪୬.୯୯ ପ୍ରତିଶତ ବ୍ୟବହାରରେ ଲାଗୁଥିଲାବେଳେ ୫୩.୦୧ ପ୍ରତିଶତ ଜଳ ସମୁଦ୍ରରେ ମିଶିଥାଏ ।

 

ମହାନଦୀ ବ୍ୟତୀତ ବ୍ରାହ୍ମଣୀର ୫୫.୮୧ %, ବୈତରଣୀର ୪୦.୭୮ %, ଋଷିକୁଲ୍ୟାର ୨୬.୪୮%, ବଂଶଧାରାର ୬୩.୬୦%, ବୁଢ଼ାବଳଙ୍ଗର ୬୬.୧୭%, କୋଲାବର ୫୨.୯୦%, ଇନ୍ଦ୍ରାବତୀର ୪୫.୮୦%, ବାହୁଡ଼ାର ୦.୦୦%, ନାଗାବଳୀର ୬୯.୫୪%, ସୁବର୍ଣ୍ଣରେଖାର ୬୨.୮୯% ଜଳ ସମୁଦ୍ରରେ ମିଶୁଥିବା ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top