ମାରଦା ଗାଥା ଗାଇବ କିଏ?

News Story - Posted on 2017-12-04

ହେମାଙ୍ଗ ରାଉଳ

 

ଗଂଜାମ ମାଟିର ବିପୁଳ ସମ୍ଭାବନାମୟ ପର୍ଯ୍ୟଟନର ଚିତ୍ରକୁ ଅଣଦେଖା କରାଯାଇ ଏକ ସୀମିତ ପରିସର ଭିତରେ ଓଡ଼଼ିଶାର ପର୍ଯ୍ୟଟନ ଶିଳ୍ପର କଥା, ଗାଥା ଲେଖାଯାଉଛି । ଧଉଳି, କୋଣାର୍କ, ପୁରୀର ଚର୍ଚ୍ଚା ସମଗ୍ର ବିଶ୍ୱରେ । ମନ୍ଦିର, ଦେବତା, ସ୍ତୁପ, ଐତିହ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ ଓ ସୌନ୍ଦର୍ଯ୍ୟ ପରି ଶବ୍ଦଗୁଡ଼ିକୁ ଯୋଡ଼ି ଦେଇ ପର୍ଯ୍ୟଟନ ବିଭାଗ ବେଶ୍ ଧୂରନ୍ଧର ସହ ବାଢ଼ିଦିଏ ବିଜ୍ଞାପନ । ବିଡ଼ମ୍ବନାର ବିଷୟ ଗଂଜାମ ପର୍ଯ୍ୟଟନକୁ ଏବଂ ଏଠାକାର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ସମୟୋଚିତ ବିକାଶ କରାଯାଇପାରିଥିଲେ ହୁଏତ ପର୍ଯ୍ୟଟନ ଶିଳ୍ପର ଶ୍ରୀବୃଦ୍ଧିରେ ଓଡ଼ିଶାର ବହୁ ଲୁକ୍କାୟିତ କ୍ଷେତ୍ର ବିଶ୍ୱ ଲୋକଲୋଚନରେ ସମ୍ମାନିତ ହୁଅନ୍ତା । ଅଥଚ ତାହା ହୋଇ ପାରିନାହିଁ କାହିଁକି? ବହୁ ଜନପ୍ରତିନିଧି ଓଡ଼ିଶାର ଭିନ୍ନ ଭିନ୍ନ ଅଂଚଳରେ ଶୀତ ଆସିଲେ ମନେ ପକାଇଥାନ୍ତି ନିଜ ନିଜ ମାଟିର କୃତି, କୀର୍ତ୍ତି, ଐତିହ୍ୟ, ପରିପାଟୀ ସମୃଦ୍ଧି ଭୂମିର ମାନକୁ ।

 

ଗୋଟିଏ ବିଡ଼ମ୍ବନା ଗଂଜାମ ମାଟିରେ ଦେଖାଯାଇଛି ଯେ ଶ୍ରୀକ୍ଷେତ୍ର ଶରଣ ମାରଦା ଆଜି ଅବହେଳିତ । ତା’ର ସୌରଭ ବିତରଣରେ କାହାର ନିଷ୍ଠା ନାହିଁ କି ଆନ୍ତରିକତା ନାହିଁ । ମାରଦା ସନ୍ନିକଟ ପୋଲସରାର କୃତି ଆଦର୍ଶ ଶିକ୍ଷାବିତ୍ ବରିଷ୍ଠ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଏକ ସୁଦୀର୍ଘ ସଂକଳନରେ ମାରଦାକୁ ନେଇ ଯାହା ରଚନା କରିଛନ୍ତି ସେଇ ମାଟିର ମାନ ମାରଦା । ବହିଖଣ୍ଡିକ ଗଂଜାମରେ ନହୋଇ ଅନ୍ୟ କୌଣସି ଉପକୂଳ ଅଂଚଳରେ ହୋଇଥିଲେ ତା’ର ଗୁଣଗାରିମା ତଥା ଆଲୋଚନା ଓ ବିକାଶର କଥା ଶୁଣିବାକୁ ମିଳୁଥାନ୍ତା । ମାରଦା ମାଟିର ଐତିହ୍ୟ ୨୭୦ ବର୍ଷ ତଳର । ଉକ୍ରଳରେ ଦୁର୍ଦ୍ଧଷ ମୁସଲମାନ ଶାସକ ତକି ଖାଁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ଆରାଧନା କ୍ଷେତ୍ର ଶ୍ରୀମନ୍ଦିରକୁ ଧ୍ୱଂସ ଉଦ୍ୟମ କରିବା ସମୟରେ ଏହି ମାରଦା ଯାହା ହାତବାଡ଼ି ପାହାଡ ସନ୍ନିକଟ ଭୟଙ୍କର ଜଂଗଲ ଥିଲା ସେଇଠି ପ୍ରଭୁ ଜଗନ୍ନାଥଙ୍କୁ ଲୁଚାଇ ରଖାଯାଇଥିଲା । ସ୍ମୃତିର ଆଇନାର ବିସ୍ମୟର ଚିତ୍ର ଭିତରେ ମାରଦା ମନ୍ଦିରର ଭାଗ୍ୟ କେବଳ ଗୋଟିଏ ଛୋଟିଆ ମନ୍ଦିର ବୋଲି ବିବେଚନା କରୁଥିବା ଐତିହାସିକମାନଙ୍କ ବିଚାରରେ ଏ ଯାବତ୍ ସଠିକ୍ ସ୍ଥାନ ନ ପାଇବା ଘୋର ପରିତାପର ବିଷୟ ।

 

କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୪୦ ପୃଷ୍ଠାର ସଂକଳନରେ ଭରି ରହିଛି ମାରଦା ମାଟିର ଐତିହ୍ୟ କୀର୍ତ୍ତିରାଜିର ସବିଶେଷ ବର୍ଣ୍ଣନା । ଆଜି ମାରଦା ମନ୍ଦିରରେ କେବଳ ଶୋଭାଯାଉଛି କେବଳ ମାତ୍ର ତିନୋଟି ପିଣ୍ଡି । ଯେଉଁଠି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିରାଜମାନ ବିଷୟ ଇତିହାସ ଦାବି କରେ । ମଥୁରା (ପୋଲସରା) ଥିଲା ଉକ୍ରୃଷ୍ଟ ଶିଳ୍ପୀ ପଥର କଳାର ଭୂମି । ଏଠାରେ ବହୁ ବଡ଼ବଡ଼ ପଥର ଶିଳ୍ପୀଙ୍କ ଜନ୍ମ ଏବଂ ଏହିମାନଙ୍କ ନିହାଣ ଶବ୍ଦର ଠକ୍ ଠକ୍ ଆଜି ବି ପୋଲସରା ଯିବା ସମୟ ପଥ ପାଶ୍ୱର୍ରେ ଦେଖିବାକୁ ମିଳୁଛି । ଠିକ୍ ବୁଢ଼ାମ୍ବ ପରେ ରାସ୍ତାର ଡ଼ାହାଣ ପାଶ୍ୱର୍ରେ ଗୁଡ଼ିଆଲୀ ପରେ ମାରଦା ମନ୍ଦିର । ଗମନାଗମନ ପାଇଁ ସାଧାରଣ ବାଟଟିଏ ଖୋଲିଦେଇ ଜିଲ୍ଲା ପ୍ରଶାସନ ଚୁପ୍ । ଅଥଚ ଆଖିଦୃଶିଆ ପ୍ରଚାର ପ୍ରଜ୍ଞାପନର ଦାୟିତ୍ୱ କାହାର? ଏଇ ପ୍ରଶ୍ନ ପଚାରିଛନ୍ତି ଗଂଜାମର ବହୁ ବରି ବୁଦ୍ଧିଜୀବୀ ।

 

ସମୁଦ୍ରକୂଳରେ ମନ୍ଦିର ପ୍ରାଙ୍ଗଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ ଶୀତ ଆସର ଆସିଲେ । ସାୟାହ୍ନରେ ନାଚି ଉଠନ୍ତି ଲାଳନାମାନେ ଓଡ଼ିଶୀ ସଂଗୀତର ଯାଦୁକରୀ ସ୍ପର୍ଶରେ । ଅଥଚ ମାରଦା ମାଟିରେ ଏପରି କିଛି ରଂଗୀନ କରିବାର ମାନସିକତାଟିର ଆଜି ବିଶେଷ ଭାବରେ ଅନୁଭୂତ ହୁଏ ଗଂଜାମବାସୀଙ୍କର । ମାରଦା ମହୋତ୍ସବଟିଏ ଆୟୋଜନ କରିବାର ଆବଶ୍ୟକତା ଯଥେଷ୍ଟ ରହିଛି । ଏଇଠି ମାଟିର ଶିଳ୍ପକଳାର ଯେଉଁ ଐତିହ୍ୟ ରହିଛି ତା’ସହ ମାରଦା ମନ୍ଦିରକୁ ଯୋଡ଼ି ଦେଇ ପାରିବା ଜରୁରୀ । ପ୍ରାକୃତିକ ରୂପ ଅନନ୍ୟ ଶୋଭାରାଶି ଭିତରେ ହାତିବାଡ଼ି ପର୍ବତ ଆଜି ବି ଅନାଇ ରହିଛି ମୁହଁକରି ମାରଦାକୁ । ମାରଦା ଭୂମିର ପର୍ଯ୍ୟଟନର ବିକାଶ ପାଇଁ ଯତ୍ନଶୀଳ ହେବାର ସମ୍ଭାବନାକୁ ଉନ୍ମୋଚନ କରିବା ପାଇଁ ଏକ ଜାତୀୟ ସ୍ତରର କର୍ମଶାଳା ମଧ୍ୟ ଏଠାକାର ବିଶ୍ୱବିଦ୍ୟାଳୟ ଆୟୋଜନ କରୁ ।

 

ବହୁ ରୋଚକ କଥା ଯେ ଆଠଗଡ଼ ମାଟିରେ ଜନ୍ମିତ ଇତିିହାସ ବିଭାଗର ପ୍ରଫେସର ମନ୍ମଥ ପାଢ଼ୀଙ୍କ କାର୍ଯ୍ୟକାଳ ସମୟରେ ଏମିତି ଏକ କର୍ମଶାଳା ଜରୁରୀ ଥିଲା । କିନ୍ତୁ ନିଷ୍ଠାର ଅଭାବ ହେତୁ ହୋଇପାରିନାହିଁ । ଆଶା କରାଯାଏ ଐତିହାସିକ କୀର୍ତ୍ତିରାଜି ମାରଦାର ସୁରକ୍ଷା ପାଇଁ ଏଠାକାର ବୁଦ୍ଧିଜୀବୀଙ୍କ ସମୂହ ସ୍ୱରଟିଏ ଉଠିବା ନିହାତି ଜରୁରୀ । କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ମାଟିର ମାନ ମରଦା ବହିଟିକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତଥାକଥିତ ଗବେଷକ ସାହିତ୍ୟ ବିଭାଗର ପ୍ରାଧ୍ୟାପକମାନେ ପଢ଼ନ୍ତୁ । ଛାତ୍ର ସମାଜ ଭିତରେ ପ୍ରଥମେ ନିଜ ଅଂଚଳର ପ୍ରତିଭା ଓ କୀର୍ତ୍ତିରାଜି ସଂପର୍କରେ ଯଥେଷ୍ଟ ଆଲୋଚନା ଚକ୍ରର ସୁଯୋଗ ସୃଷ୍ଟି କରାଯାଉ । ମାରଦା ପରି ଐତିହ୍ୟ କୀର୍ତ୍ତିରାଜିକୁ ନେଇ ସନ୍ଦର୍ଭମାନ ପ୍ରକାଶ ପାଉ । ସରକାରଙ୍କ ଦୃଷ୍ଟିଭଂଗୀ ବଦଳି ରାଜ୍ୟ ପର୍ଯ୍ୟଟନର ମାନଚିତ୍ର ମାରଦା ମାଟିର ଓ ହାତିବାଡ଼ି ପର୍ବତ ଭିତରେ ରହିଥିବା ଗୁପ୍ତଗଡ଼ ସଂପର୍କରେ ସଠିକ ଗବେଷଣା ହେଉ । ମାରଦା ସମଗ୍ର ଗଂଜାମ ମାଟିର ଗର୍ବ ଓ ଗୌରବର ଏକ ସ୍ୱାଭିମାନ ଭରା ସୁପ୍ତ କାହାଣୀ । ଯାହାକୁ ଜୀବନ୍ୟାସ ଦେବାରେ ସାମାନ୍ୟତମ ପ୍ରୟାସ କରିବା ଆମର ବିଚାର ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top