କୃଷକ କୋହର ନିଦାନ କ’ଣ ମହୋତ୍ସବ?

News Story - Posted on 2017-12-04

ହେମାଙ୍ଗ ରାଉଳ

 

ଗୋପାଳପୁର ପର୍ଯ୍ୟଟନ ସମୁଦ୍ର ବେଳାଭୂମି ପାଇଁ ସୁପ୍ରସିଦ୍ଧ । ବିଶ୍ୱର କୋଣାନୁକୋଣରେ ଏଇ ସମୁଦ୍ର ବେଳାଭୂମିର ବେଶ୍ ଖ୍ୟାତି ରହିଥିଲା । କାହି କାହି ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସ୍ରୋତ ବଢ଼ି ଚାଲିଥିଲା । ଏହାର ସୁରମ୍ୟ ଅନୁପମ ଶୋଭା ବିଶ୍ୱ ବିରଳ । ଦୁର୍ଭାଗ୍ୟ ଏଇ ଯେ ପ୍ରକୃତରେ ପର୍ଯ୍ୟଟନ ଶିଳ୍ପରେ ଗୋପାଳପୁରକୁ ଯେଉଁଭଳି ମର୍ଯ୍ୟଦା ମିଳିବା କଥା ମିଳୁନାହିଁ । କେବଳ ମାତ୍ର ଶୀତ ଆସିଲେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠେ । ବାଢ଼ିଦିଏ ଅଜସ୍ର ସ୍ୱପ୍ନ । ଆଖିରେ ନିଦ ନଥାଇ ଗୋପାଳପୁର ଉନ୍ନତିର ସ୍ୱପ୍ନ ଦେଖିବା ଓ ଦେଖାଇବା ଏକ ଭୟାନକ ଅଭିନୟ । ସଂପ୍ରତି ଡ଼ିସେମ୍ବର ଋତୁ ପର୍ଯ୍ୟଟକଙ୍କ ଆଗମନ ପାଇଁ ଉକ୍ରୃଷ୍ଟ ସମୟ ହୋଇଥିଲେ ସୁଦ୍ଧା ସମ୍ଭବ ହେଉନାହିଁ ଯଥା ସମ୍ଭବ ଭିଡ଼ ଜମାଇବାକୁ ଗୋପାଳପୁର ସମୁଦ୍ରକୂଳରେ । ଏପରି ଏକ ସମୟରେ ପୁଣିଥରେ ଗୋପାଳପୁର ବିଚ୍ ଉତ୍ସବକୁ ନେଇ ସମ୍ଭାବନା ଅଙ୍କକଷାରେ ସମସ୍ତେ ମସ୍ଗୁଲ୍ । ଗୋପାଳପୁର ମହୋତ୍ସବ ଆଜି ଏକ ମରିଚୀକା ନା ବାସ୍ତବତା ଆଜି ବି ଜନସାଧାରଣଙ୍କ ମନରେ ବହୁ ଟଙ୍କାର ପ୍ରଶ୍ନ ।

 

ସବୁଠି ଆଜି ଚର୍ଚ୍ଚା ଚାଲିଛି ଯେ ଏଇ ମାସର ଶେଷ ସପ୍ତାହରେ ପ୍ରାୟତଃ ହେବା ଧାର୍ଯ୍ୟ । କିନ୍ତୁ ବିଡ଼ମ୍ବନା ବିଷୟ ଗୋପାଳପୁର ମହୋତ୍ସବ ଆବଶ୍ୟକତାଠାରୁ ଅଧିକ ବିଚାର କରିବାର ଅଛି ଯେ ସଂପ୍ରତି କୃଷକର ସଂସାର ଉଜୁଡ଼ି ସାରିଛି । ଉତ୍ସବ ସେଇମାନେ କରନ୍ତି ବା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନଙ୍କ ମନରେ ଉଲ୍ଲାସ ଭାବ ରହିଥାଏ । ମନୋରଂଜନ କରାଯିବାର ବେଳରେ ସ୍ଥାନୀୟ ଅଂଚଳର କଥା ଓ ବ୍ୟଥାକୁ ପ୍ରାଧାନ୍ୟ ଦିଆଯାଏ । ଏସବୁ ଦିଗରୁ ବିଚାର କରାଗଲେ କୃଷକ ଆଖିରେ ଲୁହ ଏବଂ ବୁକୁର କୋହ କମିବନି । ଏବେ ବି କ୍ଷତାକ୍ତ ମନରେ କୃଷକର ଜୀବନଶୈଳୀକୁ ସ୍ୱାଭାବିକ ହେଲାପରି ମନେହୁଏନି । ପ୍ରାକୃତିକ ଦୁର୍ବିପାକରେ ଆଘାତ ପାଇଛି କୃଷକର କୃଷି ଜୀବନ । ରାଶିରାଶି କେଦାର ଭୂମିରେ ଅମଳର ଅସଲ ସମୟରେ ଦାଉ ସାଧିଛି ପ୍ରକୃତି । କୃଷକ ଜୀବନ ହାରିଛି । ଅକାଳ ମୃତ୍ୟୁର ଦୁଃଖରେ କୃଷକ ଜୀବନ ଦୁର୍ବିସହ । ପୁଣି ଆଉ ଏକ ବର୍ଷା ବିତ୍ପାତର ସୂଚନା ଦେଇକ୍ତି ପାଣିପାଗ । ଭସାଇ ଦେବ ଦକ୍ଷିଣ ଓଡ଼ିଶାର ଭୂମିକୁ । ଯାହା ଟିକକ ଆଶା ଥିଲା ତାହା ବି ଏବେ ମଉଳିଯିବ । କ’ଣ ଖାଇବ କିପରି ବଂଚିବ ମଣିଷ । ଆଜି ମାର୍ଗଶିର ମାସରେ ପନିପରିବା ଦର ମଧ ଆକାଶଛୁଆଁ । ପଚାଶ ଟଙ୍କା ତଳକୁ କୋବି, ଟମାଟ, ବିନ୍ସ ଦର ଛିଡ଼ୁନି । କ’ଣ ପାଇଁ ଏ ଅଭାବ ପନପରିବାର । କୃତ୍ରିମ ଅଭାବର ନାଟକ କରି ଲୋକଙ୍କୁ ଲୁଟିବାରେ ଦଲାଲମାନେ ସକ୍ରିୟ । କୃଷକର ପେଟକୁ ଗୋଇଠାମାରି ବଜାରରେ ସାଧାରଣ ନିରୀହ ଜନତାର ପକେଟ୍ରୁ ଅର୍ଥ ଲୁଟିବାର ଷଡ଼ଯନ୍ତ୍ର ହୋଇନି ତ?

 

ଏସବୁ ଦିଗରୁ ଚିନ୍ତା କଲେ କୃଷି ଓ କୃଷକର ପୀଡ଼ା ବର୍ଣ୍ଣନାତୀତ । ତଥାପି ଯଦି ମହୋତ୍ସବଟିଏ ଜିଲ୍ଲା ପ୍ରଶାସନ ଲଦିଦେବ କୋଟି ଟଙ୍କା ଖର୍ଚ୍ଚ କରି । ଏହା ନିଶ୍ଚୟ ଉପହସିତ ହେବ । ଜିଲ୍ଲା ପ୍ରଶାସନ ଗୋପାଳପୁର ଫେଷ୍ଟିଭାଲ୍ ପାଇ ଯେତେ ତତ୍ପର ହୋଇ ଅତୀତରୁ ଆସିଛି ଗୋପାଳପୁରର ଭାଗ୍ୟ ବଦଳାଇବାରେ ଅସମର୍ଥ । ଗୋପାଳପୁରକୁ ନେଇ କେତେବେଳେ ବିଡ଼ିଏ, କେତେବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ପୁଣି କେତେବେଳେ ଭଂଗା ଘରେ ଚକା ଜହ୍ନପରି ନାମକରା ଫୋରମ୍ ଫର ଗଂଜାମର ପ୍ରୟାସ କରିଛି ତଥାପି ଫଳ ପାଇନି ଗୋପାଳପୁର । ଗୋପାଳପୁର ବେଳାଭୂମିର ପର୍ଯ୍ୟଟନ ବିକାଶ ପର୍ବ ମହୋତ୍ସବ ଦ୍ୱାରା ସ୍ଥାନୀୟ ଜନସାଧାରଣ ବା କ’ଣ ପାଆନ୍ତି ସେମାନଙ୍କୁ ହିଁ ଜଚ୍ଚା ।

 

ଏହିସ୍ରୋତରେ ୨୦୧୭ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରଶାସନ ତତ୍ପର ହୋଇଥିବା ବେଳେ ଆଜି ଏ ନେଇ ଯେଉଁ ପ୍ରସ୍ତୁତି ବୈଠକ ହୋଇଥିଲା ସେଥିରେ ପ୍ରଶାସନ ଆରମ୍ଭରୁ ଝୁଣ୍ଟିବା ଭଳି ପରିସ୍ଥିତି ଦେଖାଯାଇଛି । କିଛି ହାତଗଣତି ନେତା ଓ ଅଫିସରଙ୍କୁ ନେଇ ଏହି ପ୍ରସ୍ତୁତି ବୈଠକ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବୈଠକକୁ ଦେଖିଲେ ଏପରି ଲାଗୁଥିଲା ସତେ ଯେମିତି ସଧବା ସ୍ତ୍ରୀର ସିନ୍ଥିରେ ସିନ୍ଦୁର ନାହିଁ । ବୈଠଳରେ ନା ଥିଲେ ଛତ୍ରପୁର ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନ, ନା ଥିଲେ ବ୍ରହ୍ମପୁର ସାଂସଦ ତଥା ଗରିବ ଲୋକମାନଙ୍କ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ବରି ବିଜେଡ଼ି ନେତା ତଥା ବର୍ତ୍ତମାନର ସରକାରଙ୍କ ହାଇଭୋଲ୍ଟେଜ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି କି ନାହିଁ ସଂଦେହ । ବୈଠଳରେ ପୁରୁଣା କମିଟି ମେମ୍ବର ମାନଙ୍କୁ ସାମିଲ କରାଯାଇଥିବା ଦେଖିବାକୁ ମିଳିଥିଲା ବେଳେ ନୂତନ କମିଟି ମେମ୍ବର କେହି ନଥିଲେ । କିଛି ହାତଗଣତି ପ୍ରଶାସନର ବା ବା ଗାଉଥିବା ମିଡ଼ିଆ ଭାଇମାନଙ୍କୁ ବୈଠକକୁ ଡ଼କାଯାଇଥିଲା । ଏହା ଅନ୍ୟ ଗଣମାଧ୍ୟମ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ବୈଠଳରେ ଆଇନ ଶୃଙ୍ଖଳା ବିଭାଗର ମଧ୍ୟ କୌଣସି ଅଫିିସରଙ୍କ ଦେଖାନଥିଲା । ଏହି ବୈଠକକୁ ଦେଖିଲେ ପ୍ରଶାସନର ଖାମଖିଆଲି ମନୋଭାବ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ଯେପରିକି ବିଚ୍ ଫେଷ୍ଟିବେଲ୍ ହେଉଛି କିଛି ହାତଗଣିତି କମିଟି ମେମ୍ବରଙ୍କ ନିଜସ୍ୱ କାର୍ଯ୍ୟ ।

 

ଚାଷୀ ପ୍ରାକୃତିକ ବିପର୍ଯ୍ୟୟର ସାମନା କରି ମୁଣ୍ଡରେ ହାତ ଦେଇ ସରକାରଙ୍କ ସାହାଯ୍ୟକୁ ଅନାଇ ବସିଥିବା ବେଳେ ପ୍ରଶାସନର ଏଭଳି ବୈଠକ ହାସ୍ୟାସ୍ପଦ ସୃଷ୍ଟି କରିଛି । ଜିଲ୍ଲାର ଚାଷୀର କ୍ଷୟକ୍ଷତି ପରିମାଣ ଆକଳନ କରି ରିପୋର୍ଟ ଦେବାକୁ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ପ୍ରଶାସନର ଚାଷିର ବିଲକୁ ନଯାଇ ତଥା ମେଇନ୍ ଉପରୁ ଏବଂ କିଛି ସ୍ଥାନରେ ଜମା ନଯାଇ ଏସି ରୁମ୍ରେ ବସି ଯେଉଁ କ୍ଷୟକ୍ଷତି ଆକଳନ କରିଛନ୍ତି, ତାହା ମଧ୍ୟ ହାସ୍ୟାସ୍ପଦ ହୋଇଛି । ଏଣୁ କୃଷକର ବାସ୍ତବ ଚିତ୍ରକୁ ଗୋପାଳପୁର ବେଳାଭୂମି ମହୋତ୍ସବର ଦୃଶ୍ୟପଟରେ ଯଦି ଚିତ୍ରିତ କରାଯାଇଥାନ୍ତା ବା ଚାଷୀର ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ଏପରି ବୈଠକ କରାଯାଇଥାନ୍ତା ତା’ହେଲେ ଚାଷୀର ଘରେ ପ୍ରତ୍ୟେକ ଦିନ ମହୋତ୍ସବ ଅନୁ ିତ ହୋଇଥାନ୍ତା ।

 

ଗୋପାଳପୁର ମହୋତ୍ସବ ପରେ କୁଢ଼କୁଢ଼ ମଇଳା ଆବର୍ଜନା ପଲିଥିନ ଜରି ଦେଶୀ ମଦ ପୁଡ଼ିଆ ବିଦେଶୀ କାଗଜ, ବୋତଲ ସହ ଦେଖିବାକୁ ମିଳନ୍ତି କିଛି ମାତ୍ର ପାଦଚିହ୍ନ ଜନତାଙ୍କର । କିନ୍ତୁ ସବୁଦିନ ପାଇଁ ପାଦ ପଡ଼ିବାର ବ୍ୟବସ୍ଥାଟି କାହିିଁକି ସମ୍ଭବ ନୁହଁ ଏହା ଅନୁଶୀଳନୀୟ । ଗୋପାଳପୁର ମହୋତ୍ସବଟିଏ ଆୟୋଜନ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସଂଶ୍ଲିଷ୍ଟ ମଣିଷମାନେ ଟିକିଏ ଜାଗି ଉଠନ୍ତି । ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ଲମ୍ବି ଚାଲେ ମୁମ୍ବାଇରୁ ହରିଆନା ଯାଏଁ ଖୋଜାପଡ଼େ କଳାକାର । ଶୀତ, ଥଣ୍ଡା, କାକର ଭିତରେ ଗୋପାଳପୁରକୁ ସଜାଇ ଦିଆଯାଏ କାମିନି ରୂପରେ । ସତେ ଯେମିତି ସେ ଆକର୍ଷିତ ଚେହେରା ନେଇ ଡ଼ାକୁଛି ହାତଠାରି କିନ୍ତୁ ପାଂଚଞ୍ଚଦିନ ପରେ ଜୁଆରମାଳାରେ ପର୍ଯ୍ୟଟନ ବିକାଶ ସ୍ୱପ୍ନ ସବୁ ଫେଣ ପରି ମିଳେଇଯାଏ । ଶାସକ ଗୋଷ୍ଠୀର ବିଧାୟକମାନଙ୍କ ଆଡ଼ପ ମଣ୍ଡପ ପରି ମନେହୁଏ ଏଇ ସୁସଜ୍ଜିତ ମଂଚ । ସେମାନଙ୍କ ହାତରେ କିଛି ମାତ୍ର ସ୍ମରଣିକା ଧରାଇଦେଇ ଫଟୋ ପୋଜ୍ ନେଇ ତୁନିପଡ଼ନ୍ତି ଆୟୋଜକ । ଅଥଚ ସ୍ମରଣିକା ଖଣ୍ଡେ ଏପରି ଗଣମାଧ୍ୟମ ହାତକୁ ଆସିନଥାଏ । ବଳ ସାମର୍ଥ୍ୟ କ୍ଷମତା ପଦପଦବୀର ଆଧାରରେ ବିଚ୍ ଫେଷ୍ଟିବାଲ୍ ଆୟୋଜନ ଏବଂ ପରେ ନିରାଧାର ସମ୍ବୋଧନ ନେତାଙ୍କ ମିଳେଇଯାଏ । ହତଶ୍ରୀ ଗୋପାଳପୁରର ଭାଗ୍ୟ ବଦଳିଛି ନା ବଦଳିବ । ଏଇ ଉତ୍ସବ ଆୟୋଜନ ନକରି, ଅର୍ଥ ଶ୍ରାଦ୍ଧ ନକରି କୃଷିର ଉନ୍ନତି କରାଗଲେ ହୁଏତ ଗ୍ରହଣୀୟ ହେବ ସାଧାରଣରେ ଚର୍ଚ୍ଚା ଓ ଆଲୋଚନା ଚାଲିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top