ଓଡ଼ିଆଙ୍କୁ ମୂର୍ଖ କରି ଶାସନ!

News Story - Posted on 2017-12-04

ପ୍ରହଲାଦ କୁମାର ସିଂହ

 

ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବର୍ଷ ରାଜଧାନୀରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେମାନେ ଭଲ ପାଠପଢ଼ି ନିଜକୁ ଭଲ ମଣିଷ ଭାବେ ଗଢ଼ିବା ସହିତ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ଲାଗି ଶପଥପାଠ କରାଉଥିବା ବେଳେ ଭୁବନେଶ୍ୱରରୁ ପ୍ରାୟ ୬୫୦ କିଲୋମିଟର ଦୂର ମାଓବାଦୀ ପ୍ରବଣ ମାଲକାନଗିରି ଜିଲ୍ଲାର ଖଇରିପୁଟ ବ୍ଲକ ଅନ୍ତର୍ଗତ ଆମିଳିପୁଟ ଗାଁରେ ଥିବା ବିଦ୍ୟାଳୟର ପିଲାମାନେ ପାଠ ପଢ଼ିବା ପାଇଁ ଶିକ୍ଷକ ଯୋଗାଇଦେବା ଅଳିରେ ରାସ୍ତାରୋକ ଭଳି ଅଭାବନୀୟ ପ୍ରତିବାଦ କରିଛନ୍ତି । ଏଭଳି ଏକ ମର୍ମସ୍ପର୍ଶୀ ସମ୍ବାଦ ପ୍ରକାଶ ପାଇଛି ବିଭିନ୍ନ ଗଣମାଧ୍ୟମଧରେ । ଭୂଗୋଳ, ଇତିହାସ କି ରାଜନୀତି ପୃଷ୍ଠାରେ ଆମିଳିପୁଟ ଚର୍ଚ୍ଚାରେ ନଥିବା ବେଳେ ଏହି ଅଞ୍ଚଳର ପିଲାମାନେ ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ମୁଖା ଖୋଲିବା ସହ ସେମାନଙ୍କ ସମସ୍ୟା ପ୍ରତି ଉଦାସୀନ ଥିବା ସରକାରୀ କଳର ବଡ଼ପଣ୍ଡାମାନଙ୍କୁ ଏକପ୍ରକାର ଚେତାବନୀ ଦେଇଛନ୍ତି । ଏ ପିଲାମାନଙ୍କ ଅଦ୍ଭୂତପୂର୍ବ ସାହସକୁ ଯେତେ ପ୍ରଶଂସା କଲେ ବି କମ ହେବ । ଆଗେ ପିଲାଦିନେ ପଢ଼ା ଯାଉଥିଲା, ମନ ଦେଇ ପାଠ ପଢ଼ିବୁ, କାଳିଆ ଘୋଡ଼ାରେ ଚଢ଼ିବୁ, ମଧୁବାବୁ ସଙ୍ଗେ ଲଢ଼ିବୁ । ଉକ୍ରଳ ଗୌରବ ମଧୁସୂଦନଙ୍କ ସମକକ୍ଷ ହେବା ପାଇଁ ପିଲାମାନଙ୍କ ଲାଗି ଏହା ଏକ ପ୍ରେରଣାଦାୟୀ ବାଣୀ । କିନ୍ତୁ ଶିକ୍ଷକ ନଥିବାରୁ ପାଠ ପଢ଼ିବା ଲାଗି ଆମିଳିପୁଟର କୋମଳମତି ପିଲାମାନେ ଯେ ପ୍ରବଳ ପରାକ୍ରମଶାଳୀ ସରକାରଙ୍କ ସହିତ ଲଢ଼ିବାକୁ ଆଗେଇ ଆସି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଏହା ଅନ୍ୟମାନଙ୍କ ପାଇଁ ନିଶ୍ଚୟ ଦିଗବାରେଣୀ ।

 

ଆମିଳିପୁଟ ଗ୍ରାମରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ପଢ଼ାଇବା ଲାଗି ଜଣେ ହେଲେ ଶିକ୍ଷକ ନାହାନ୍ତି । ସରକାରଙ୍କ ଏହି ଜଘନ୍ୟ ଅପରାଧ ଯୋଗୁ ଗତବର୍ଷ ଏହି ସ୍କୁଲରୁ ପରୀକ୍ଷା ଦେଇଥିବା ୨୧ ଜଣ ଯାକ ଛାତ୍ରଛାତ୍ରୀ ଫେଲ ହୋଇଥିଲେ । ସେତେବେଳେ ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଆଦିଙ୍କୁ ଗାଁ ଲୋକ ଯେତେ ନେହୁରା ହେଲେ ବି ଆଦିବାସୀ ଅଧ୍ୟୁଷିତ ଏହି ଦୁର୍ଗମ ଅଞ୍ଚଳର କରୁଣ ସ୍ଥିତି କାହା ହୃଦୟକୁ ଛୁଇଁଲା ନାହିଁ । ଏହାପରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଂଚି ୫ ଦିନ ଭିତରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି କହିଆସିଥିଲେ । କିନ୍ତୁ ରାଜନୈତିକ ନେତାମାନଙ୍କ ନିର୍ବାଚନ ପ୍ରତିଶ୍ରୁତି ଭଳି ଏହା କେବଳ ପ୍ରତିଶ୍ରୁତିରେ ରହିଯିବାରୁ ଗତ ଅକ୍ଟୋବର ମାସରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଗୁହାରି କରିଥିଲେ । ତଥାପି ମଧ୍ୟ ଶିକ୍ଷକ ନିଯୁକ୍ତି ନ ହେବାରୁ ଆଉ ତିନିମାସ ପରେ ଏହି ବିଦ୍ୟାଳୟର ପିଲାମାନେ କିଭଳି ମାଟ୍ରିକ ପରୀକ୍ଷା ଦେବେ ତାହା ଚିନ୍ତା ବଢ଼ାଇ ଦେଇଛି । ସଭିଏଁ ପଢ଼ିବା-ସଭିଏଁ ବଢ଼ିବା ଠାରୁ ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ ଭଳି ସରକାରୀ ସ୍ଲୋଗାନ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଛିଗୁଲେଇବା ଭଳି ମନେ ହେବା ପରିପ୍ରେକ୍ଷୀରେ ସେମାନେ ଅଭିମାନରେ ବର୍ଣ୍ଣାଢ୍ୟ ଶିଶୁ ଦିବସ ସମାରୋହକୁ ବର୍ଜନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ରାଜଧାନୀରେ ଶପଥପାଠ କରାଉଥିବା ବେଳେ ଆମିଳିପୁଟ ସ୍କୁଲର ପିଲାମାନେ ଶିକ୍ଷକ ନିଯୁକ୍ତି ଅଳିରେ ଖୋଲା ଆକାଶ ତଳେ ଶିଶୁ ଦିବସରେ ରାସ୍ତାରୋକ କରିବାକୁ ବାଧ୍ୟ ହୋଇଛନ୍ତି ।

 

କେବଳ ଆମିଳିପୁଟ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱ୍ୱବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ଏହା ଆମ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର । ରାଜନୈତିକ ଦଳ, ଛାତ୍ର ସଙ୍ଗଠନ, ସିଭିଲ ସୋସାଇଟି ଆଦି ପକ୍ଷରୁ ଏହି ପ୍ରସଙ୍ଗକୁ ହାଲୁକା ଭାବେ ନିଆଯାଇଥିବା ବେଳେ ଶିକ୍ଷା ଆଲୋକରୁ ବଞ୍ଚିତ ହେଉଥିବା ଆମିଳିପୁଟ ସ୍କୁଲର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏମାନଙ୍କର ଆଖି ଖୋଲିବ ବୋଲି ବିଶ୍ୱାସ ।

 

ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୩୩,୩୯୮ଟି ପ୍ରାଥମିକ ଓ ୧୭,୬୯୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି । ଏଥିରୁ ମୋଟେ ୪,୦୩୨ଟି ପ୍ରାଥମିକ ଓ ୫,୮୮୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲାଗି ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ ଥିବା ବେଳେ ୧,୪୪୮ଟି ପ୍ରାଥମିକ ଓ ୫,୩୭୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଜଣେକରି ଶିକ୍ଷକ ଅଛନ୍ତି । ଏହି ତଥ୍ୟ ସୂଚାଇ ଦେଉଛି ଆମ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ବିକଳ ଅବସ୍ଥାକୁ । ରାଜ୍ୟର ବହୁ ଛାତ୍ରଛାତ୍ରୀ ସପ୍ତମ ଅଷ୍ଟମ ଶ୍ରେଣୀରେ ପହଞ୍ଚିବା ବେଳକୁ ଅକ୍ଷର ଜ୍ଞାନ, ମିଶାଣ ଫେଡ଼ାଣ, ପଣିକିଆ ଆଦି ଜାଣୁନାହାନ୍ତି । ଏଭଳି ପ୍ରାୟ ୨୦ ଲକ୍ଷ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଗତବର୍ଷ ଚିହ୍ନଟ କରି ସରକାର ଉଜ୍ଜ୍ୱଳ ଯୋଜନାରେ ସାମିଲ କରିଥିଲେ ମଧ୍ୟ ସେମାନଙ୍କ ସରକାରୀ ପ୍ରାୟୋଜିତ ଅନ୍ଧାରୀ ଭବିଷ୍ୟତ ଆଲୋକିତ ହେବାର ସମ୍ଭାବନା ନାହିଁ । ରାଜ୍ୟରେ ନିରକ୍ଷରଙ୍କ ସଂଖ୍ୟା କୋଟିଏରୁ ଅଧିକ ବୋଲି ଜନଗଣନା ତଥ୍ୟ କହୁଛି । ଏଥିସହ ପ୍ରତିବର୍ଷ ଯୋଡ଼ି ହେଉଛନ୍ତି ନୂଆ ନିରକ୍ଷର ଓ ଅର୍ଦ୍ଧ ସାକ୍ଷର ।

 

ରାଜ୍ୟରେ ଥିବା ହାଇସ୍କୁଲଗୁଡ଼ିକରେ ପ୍ରାୟ ୨୦ ହଜାର ପଦବୀ ଖାଲି ପଡ଼ିଛି । କେବଳ ୪,୬୨୬ଟି ସରକାରୀ ହାଇସ୍କୁଲରେ ପ୍ରାୟ ୧,୪୦୦ ପ୍ରଧାନ ଶିକ୍ଷକ ପଦବୀ ସହିତ ୮ ହଜାର ଶିକ୍ଷକ ନାହାନ୍ତି । ଅବସ୍ଥା ଏପରି ହୋଇଛି ଯେ କେଉଁଠି ଆମିଳିପୁଟ ଭଳି ପ୍ରାଥମିକ ଶିକ୍ଷକ ହାଇସ୍କୁଲରେ ପାଠ ପଢ଼ାଉଛନ୍ତି ତ ଆଉ କେଉଁଠି ସଂସ୍କୃତ ଶିକ୍ଷକଙ୍କୁ ବିଜ୍ଞାନ ଓ ଗଣିତ ଶ୍ରେଣୀରେ ବସିବାକୁ ପଡ଼ୁଛି । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ବି ୨,୨୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲିଥିବା ସରକାର ସ୍ୱୀକାର କରୁଛନ୍ତି । ଶିକ୍ଷକ ତାଲିମ ପାଇଁ ଥିବା ବି.ଇଡି ଓ ସି.ଟି ଶିକ୍ଷାନୁଷ୍ଠାନଗୁଡ଼ିକରେ ବି ତାଲିମ ଦେବାକୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି ।

 

ଆମ ରାଜ୍ୟରେ ଥିବା ଯୁକ୍ତ ୨ କଲେଜଗୁଡ଼ିକରୁ କେଉଁଠି ବି ହେଲେ ଜଣେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ସଂଖ୍ୟାଧିକ ସ୍ଥାନରେ ଅଧ୍ୟାପକ ମରୁଡ଼ି । ୫୨ଟି ସରକାରୀ ଡିଗ୍ରୀ କଲେଜରୁ ୪୮ଟିରେ ଅଧ୍ୟକ୍ଷ ପଦବୀ ଖାଲି । ଉଭୟ ସରକାରୀ ଓ ବେସରକାରୀ କଲେଜଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ ମରୁଡ଼ି ଲାଗି ରହିଛି । ସ୍ୱୟଂଶାସିତ କଲେଜଗୁଡ଼ିକରୁ ଅଧିକାଂଶରେ ନିୟମିତ ଅଧ୍ୟକ୍ଷ ନଥିବା ବେଳେ ୪୦୦ରୁ ଅଧିକ ଅଧ୍ୟାପକ ପଦବୀ ଖାଲି । ସାହାଯ୍ୟପ୍ରାପ୍ତ ବେସରକାରୀ କଲେଜଗୁଡ଼ିକ ଲାଗି ନିୟମିତ ଅଧ୍ୟକ୍ଷ ପଦବୀ ବି ନାହିଁ । କଲେଜସ୍ତରରେ ଥିବା ପ୍ରଫେସର ପଦବୀ ତ ଏବେ ସ୍ୱପ୍ନ । କେବଳ ସରକାରୀ କଲେଜଗୁଡ଼ିକରେ ପ୍ରାୟ ୨ ହଜାର ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଫାଙ୍କା । ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ପ୍ରତିବର୍ଷ କଲେଜମାନଙ୍କରେ ହିଂସାତ୍ମକ ରାଜନୀତି ଘଟୁଛି । କିନ୍ତୁ ନିଜ ନିଜ କଲେଜରେ ଖାଲିଥିବା ନିୟମିତ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଣଶିକ୍ଷକ ପଦବୀ ପୂରଣ ପାଇଁ ଛାତ୍ର ସଙ୍ଗଠନ କିମ୍ବା ଛାତ୍ର ସଂସଦ ପକ୍ଷରୁ ସେମିତି କିଛି ସଙ୍ଗଠିତ ଜୋରଦାର ଆନ୍ଦୋଳନ ହେଉନାହିଁ । ଅନ୍ତତଃପକ୍ଷେ ମାଲକାନଗିରି ଜିଲ୍ଲାର ଆମିଳିପୁଟ ଗାଁର ଆନ୍ଦୋଳନକାରୀ ସ୍କୁଲ ପିଲାମାନଙ୍କଠାରୁ ଏମାନେ କିଛି ଶିଖିବା କଥା ।

 

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ଅତି ସାଙ୍ଘାତିକ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୬୬ଟି, ଉକ୍ରଳ ବିଶ୍ୱବିଦ୍ୟାଳୟରେ ୮୯ଟି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୭୦ଟି, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୪୨ଟି, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୨୮ଟି, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୧ଟି ଶିକ୍ଷକ ପଦବୀ ଖାଲିଥିବା ସ୍ୱୀକାରୋକ୍ତି ବିଧାନସଭାରେ ସରକାର ଦେଇଛନ୍ତି । ଫକୀରମୋହନ, ଉତ୍ତର ଓଡ଼ିଶା, ଖଲ୍ଲିକୋଟ, ରମାଦେବୀ ଆଦି ସରକାରୀ ବିଶ୍ୱବିଦ୍ୟାଳୟରେ ଅବସ୍ଥା ସାଙ୍ଘାତିକ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧,୨୦୦ରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଖାପାଖି ୧୦୦ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ୩୦୦ରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି । ସଂସ୍କୃତି ବିଶ୍ୱବିଦ୍ୟାଳୟ ପାଇଁ ୩୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୧୦ ଜଣ । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଲାଗି ମଞ୍ଜୁରୀପ୍ରାପ୍ତ ୫ଟି ପ୍ରଫେସର, ୧୫ଟି ସହଯୋଗୀ ପ୍ରଫେସର ଓ ୫ଟି ସହକାରୀ ପ୍ରଫେସର ପଦବୀ ଥିବା ବେଳେ ଏଠି ଅଛନ୍ତି ମାତ୍ର ୩ ଜଣ ସହକାରୀ ପ୍ରଫେସର । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୫ଟି ସରକାରୀ ଇଞ୍ଜିନିୟରିଂ କଲେଜରେ ଅବସ୍ଥା ଅତି ସାଙ୍ଘାତିକ । ଏଗୁଡ଼ିକରେ ୨୦୦ରୁ ଅଧିକ ଶିକ୍ଷକ ପଦବୀ ସମେତ ବ୍ୟାପକ ଅଣଶିକ୍ଷକ ପଦବୀ ଖାଲି । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ୮୬ଟି ଶିକ୍ଷକ ପଦବୀ ଖାଲି ଥିବା ବେଳେ ସରାଙ୍ଗର ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ବି ୫୭ଟି ଶିକ୍ଷକ ପଦବୀ ଖାଲିଥିବା ସରକାରୀ ସୂତ୍ରରୁ ପ୍ରକାଶ । ଏଗୁଡ଼ିକରେ ବ୍ୟାପକ ସଂଖ୍ୟକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲିପଡ଼ିଛି ।

 

ସରକାର ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରିବା ସହିତ ସୁବ୍ରତ ବାଗଚୀଙ୍କ ଭଳି ଜଣେ ଦକ୍ଷ ବୈଷୟିକ ବିଶେଷଜ୍ଞଙ୍କୁ କ୍ୟାବିନେଟ ପାହ୍ୟା ଦେଇ ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ଦେଇଛନ୍ତି । କିନ୍ତୁ ଏହି ବିଭାଗ ଅଧୀନରେ ଥିବା ୩୧ଟି ଯାକ ସରକାରୀ ଇଞ୍ଜିନିୟରିଂ ସ୍କୁଲ ଓ ପଲିଟେକନିକରେ ଜଣେ ହେଲେ ବି ନିୟମିତ ଅଧ୍ୟକ୍ଷ ନାହାନ୍ତି । ସେହିପରି ରାଜ୍ୟରେ ଥିବା ୪୪ଟି ସରକାରୀ ଆଇଟିଆଇରୁ ୨୪ଟିରେ ନିୟମିତ ଅଧ୍ୟକ୍ଷ ପଦବୀ ସମେତ ବହୁ ଶିକ୍ଷକ ପଦବୀ ଖାଲି । ଏଗୁଡ଼ିକରେ ପାଖାପାଖି ଦେଢହଜାର ପଦବୀ ଫାଙ୍କା ।

 

ରାଜ୍ୟରେ ଥିବା ମେଡ଼ିକାଲ କଲେଜଗୁଡ଼ିକ ମଧ୍ୟରୁ ବୁର୍ଲାର ଭୀମସାରରେ ୯୮ଟି, କଟକର ଏସସିବିରେ ୮୧ଟି ଓ ବ୍ରହ୍ମପୁରର ଏମକେସିଜିରେ ୬୬ଟି ଶିକ୍ଷକ ପଦବୀ ଖାଲି । କୋରାପୁଟ ଓ ବାରିପଦାରେ ନୂଆ ମେଡ଼ିକାଲ କଲେଜ ଖୋଲାଯିବା ପରେ ଏଗୁଡ଼ିକରେ ଖାଲିଥିବା ଶିକ୍ଷକ ସଂଖ୍ୟା ଆହୁରି ବଢ଼ିଛି । ନୂଆ ମେଡ଼ିକାଲ କଲେଜ ଦୁଇଟି ତ ଶିକ୍ଷକ ନିଯୁକ୍ତି ଦୃଷ୍ଟିରୁ ଜନ୍ମରୁ ରୁଗ୍ଣ । ସେହିପରି ରାଜ୍ୟରେ ଥିବା ୩ଟି ସରକାରୀ ଆୟୁର୍ବେଦ ଓ ୪ଟି ହୋମିଓପାଥିକ କଲେଜରେ ପ୍ରାୟ ଦୁଇତୃତୀୟାଂଶ ଶିକ୍ଷକ ପଦବୀ ଖାଲି । ଖୋଦ ରାଜଧାନୀରେ ଥିବା ଡାକ୍ତର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୩୭ରୁ ୨୮ଟି ଶିକ୍ଷକ ପଦବୀ ଖାଲି । ଶିକ୍ଷକ ନଥିବାରୁ ଏଠାରେ ୫ ବର୍ଷ ହେବ ସ୍ନାତକୋତ୍ତର ପାଠ୍ୟକ୍ରମ ବନ୍ଦ । ଏହାଛଡ଼ା ବିଭିନ୍ନ ସରକାରୀ ନର୍ସିଂ, ଫାର୍ମାସି ଆଦି ଶିକ୍ଷାନୁଷ୍ଠାନରେ ବି ଅବସ୍ଥା ସାଙ୍ଘାତିକ । ସଙ୍ଗୀତ, ନାଟକ, ଚାରୁ ଓ କାରୁକଳା ପଢ଼ାଇବା ପାଇଁ ଥିବା ସରକାରୀ କଲେଜଗୁଡ଼ିକ ଶିକ୍ଷକ ମରୁଡ଼ିଜନିତ ବ୍ୟାଧିରେ ସଂକ୍ରମିତ ।

 

ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ବୋମାମାଡ଼ ଭଳି ହିଂସାକାଣ୍ଡ, କୁଳପତିଙ୍କଠାରୁ ଅଧ୍ୟକ୍ଷଙ୍କ ଦପ୍ତରରେ ଭଙ୍ଗାରୁଜା, ବନ୍ଦ ପାଳନ, ମାରପିଟ ଆଦି ଘଟୁଛି । ରାଜନୈତିକ ଦଳମାନଙ୍କ କ୍ରୀଡ଼ା ପୁତ୍ତଳିକା ସାଜି କିଛି ଛାତ୍ର ଗୋଷ୍ଠୀ ଏଭଳି କାଣ୍ଡ ଘଟାଇବା ଏକ ପ୍ରଥାରେ ପଡ଼ିଗଲାଣି । ମଧ୍ୟାହ୍ନ ଭୋଜନ ହେରଫେର ପ୍ରସଙ୍ଗରେ ବି ବହୁ ଗାଁରେ ଗଣ୍ଡଗୋଳ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ଶପଥ ଅନୁଯାୟୀ ଛାତ୍ରଛାତ୍ରୀମାନେ କିଭଳି ଭଲ ପାଠ ପଢ଼ି ନିଜକୁ ଗଢ଼ିବା ସହିତ ନିଜ ରାଜ୍ୟକୁ ଶ୍ରେଷ୍ଠ କରିବେ ସେଥିଲାଗି ଆବଶ୍ୟକ ସଂଖ୍ୟକ ନିୟମିତ, ଯୋଗ୍ୟ ଓ ଅଭିଜ୍ଞ ଶିକ୍ଷକ ପାଇବା ସଂକ୍ରାନ୍ତରେ କିନ୍ତୁ କାହାରି ପାଟି ଖୋଲୁନାହିଁ । ରାଜଧାନୀରୁ ପ୍ରାୟ ୬୫୦ କିମି ଦୂରରେ ଥିବା ମାଓବାଦୀ ପ୍ରବଣ ମାଲକାନଗିରି ଜିଲ୍ଲାର ଖଇରିପୁଟ ବ୍ଲକ ଅନ୍ତର୍ଗତ ଆମିଳିପୁଟ ଗାଁର ପିଲାମାନେ ଶିକ୍ଷକ ନିଯୁକ୍ତି ଦାବିରେ ରାଜରାସ୍ତାରେ ଆନ୍ଦୋଳନ କରି ପ୍ରଶାସନକୁ ଥରାଇ ଦେଉଥିବା ବେଳେ ସେମାନଙ୍କ ପଛରେ ଅଭିଭାବକ ଓ ସ୍ଥାନୀୟ ଲୋକେ ଦଳମତ ନିର୍ବିଶେଷରେ ଏକଜୁଟ ହୋଇଛନ୍ତି । ଏହା ଏକ ଶୁଭ ଲକ୍ଷଣ ।

 

ଆମ ରାଜ୍ୟର ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯେଉଁ ସବୁ ସ୍ଥାନରେ ଶିକ୍ଷକ ନାହାନ୍ତି ଓ ଭିତ୍ତିଭୂମିର ଅଭାବ ରହିଛି ସେଠାରେ ଯଦି ଛାତ୍ରଛାତ୍ରୀ, ଅଭିଭାବକ ଓ ଦଳମତ ନିର୍ବିଶେଷରେ ସାଧାରଣ ଲୋକେ ଆମିଳିପୁଟର ପିଲାମାନଙ୍କ ଭଳି କିମ୍ବା ସେମାନଙ୍କଠାରୁ ଅଧିକ ତୀବ୍ର ସ୍ୱର ଉତ୍ତୋଳନ କରନ୍ତେ ତା’ ହେଲେ ସେମାନେ ଭଲ ପାଠ ପଢ଼ି ନିଜକୁ ଭଲ ମଣିଷ ଭାବେ ଗଢ଼ିବା ସହିତ ଓଡ଼ିଶାକୁ ମଧ୍ୟ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ପାରନ୍ତେ । ଏ ପରିପ୍ରେକ୍ଷୀରେ ଶିଶୁ ଦିବସ ଅବସରରେ ଦିଆଇଥିବା ଶପଥକୁ ସଫଳ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ସର୍ବପ୍ରଥମେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ସହିତ ଦୁର୍ବଳ ଭିତ୍ତିଭୂମିକୁ ସୁଧାରି ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଚାହି ।

ମୋ- ୯୪୩୭୦୧୭୩୯୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top