ସାମ୍ୟବାଦ ଆଉ କେତେ ଦୂର?

News Story - Posted on 2017-12-04

ସୂର୍ଯ୍ୟମଣି ମିଶ୍ର

 

ଆଜି ଭାରତ ସମତେ ସମସ୍ତ ପୁଞ୍ଜିବାଦୀ ରାଷ୍ଟ୍ରରେ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ କ୍ଷେତ୍ରରେ ଅସମାନତାର ଆକାଶ-ପାତାଳ ଚିତ୍ର ଦେଖିବାକୁ ମିଳୁଛି । ମଣିଷ ଆଜି ବଜାରବାଦ ନିକଟରେ ନିଜକୁ ଆତ୍ମସମର୍ପଣ କରିଛି । ଭୋଗବାଦ ପାଲଟିଛି ଆଦର୍ଶ । ମଣିଷ ଜୀବନ ପଣ୍ୟ ହୋଇଛି । ଚାକଚକ୍ୟ, ବେଶଭୂଷା ଓ ଜୀବନ ପ୍ରବାହର ଦୃଶ୍ୟକୁ ଦେଖିଲେ ମନେହେଉଛି ହୁଏତ ସମାଜ ପ୍ରଗତିର ରାସ୍ତାରେ ଆଗକୁ ବଢ଼ୁଛି । କିନ୍ତୁ ବାସ୍ତବତା ହେଉଛି ଯେଉଁ ପଦ୍ଧତି ଆଧାରରେ ଆଜି ମଣିଷର ବ୍ୟକ୍ତିସ୍ୱାଧୀନତା ଓ ସମ୍ମାନର ସହ ବଞ୍ôଚବାର ଗ୍ୟାରେଣ୍ଟି ପାଇଁ ସଂକଟ ସୃଷ୍ଟି ହୋଇଛି, ଏହା ପଛରେ ରହିଛି ପୁଞ୍ଜିବାଦୀ ବ୍ୟବସ୍ଥାର ନୀତି । ସାମ୍ୟବାଦର ବିନା ଯେ ସମାଜରେ ସମସ୍ତ ମଣିଷ ସମାନଭାବେ ବଞ୍ôଚବେ, ସମାନଭାବେ ସେମାନଙ୍କର ବିକାଶ ହେବ, ତାହା କଳ୍ପନା କରାଯାଇନପାରେ । ସାମ୍ୟବାଦର ବିଶେଷତ୍ୱ ଓ ଆବଶ୍ୟକତା ତଥା ପ୍ରାସଙ୍ଗିକତା ଉପରେ ଆଲୋଚନା କଲାବେଳେ ମଣିଷ ସମାଜ ସୃଷ୍ଟିର ଆଦ୍ୟ ସମୟକୁ ସ୍ମୃତିଚାରଣ ଓ ସମୀକ୍ଷା କରିବା ଉଚିତ ହେବ ।

 

ମଣିଷ ସମାଜର ସୃଷ୍ଟିର ଆଦ୍ୟରେ ପୁରୁଷ ଓ ମହିଳା ସମାନ ଥିଲେ । ମିଳିମିଶି ପ୍ରକୃତିରୁ ଖାଦ୍ୟ ସଂଗ୍ରହ କରୁଥିଲେ । ଉତ୍ପାଦିତ ସଂପଦ ଉପରେ ଉଭୟଙ୍କର ସମାନ ଅଧିକାର ଥିଲା । କେହି ପ୍ରକୃତିର ମାଲିକ ନଥିଲେ । ସମୟ ଚକ୍ରରେ କ୍ଷେତ ସୃଷ୍ଟି ହେଲା । କ୍ଷେତ ପାଇଁ ନିଜ ପାଖରେ ଜମିର ଆବଶ୍ୟକତା ପଡ଼ିଲା । ବ୍ୟକ୍ତିଗତ ମାଲିକାନା ଆରମ୍ଭ ହେଲା । କ୍ଷେତ ପାଇଁ ପଶୁପାଳନ ଆବଶ୍ୟକ ପଡ଼ିଲା । ଜମି ଓ ପଶୁଙ୍କୁ ଦେଖାଶୁଣା କରିବା ପାଇଁ ମହିଳାଙ୍କୁ ଘରେ ରହିବାକୁ ହେଲା । ଆଉ ଜଙ୍ଗଲକୁ ଖାଦ୍ୟ ସଂଗ୍ରହ ପାଇଁ ଯିବାକୁ ପଡ଼ିଲା ନାହିଁ । ମାଂସ ପାଇଁ ଘରେ ପଶୁ ପାଳନ କରାଗଲା । ସନ୍ତାନ ସୃଷ୍ଟିର ଆବଶ୍ୟକତାକୁ ଗୁରୁତ୍ୱ ଦିଆଗଲା । ମହିଳା ପୁରୁଷ ପାଇଁ ସନ୍ତାନ ସୃଷ୍ଟି କରିବ, ଏହା ହେଉଛି ତା’ର ପ୍ରମୁଖ ଓ ପରମ ଦାୟିତ୍ୱ । ଏଇଠୁ ଆରମ୍ଭ ହେଲା ପିତୃସତ୍ତାର ଆଧିପତ୍ୟ । ଏହାସହ ପ୍ରକୃତିରୁ ଖାଦ୍ୟ, ବସ୍ତ୍ର, ଉତ୍ପାଦନ ପୁରୁଷ ହାତରେ ହିଁ ରହିଲା । ଏ ସମସ୍ତ ସମ୍ପତ୍ତି ମାଲିକାନା ପୁରୁଷ କୈନ୍ଦ୍ରିକ ହେଲା । ମୋ ସମ୍ପତ୍ତି, ମୋ ମାଲିକାନା, ମୋ ପରେ ମୋ ପୁଅର- ଏହି ଧାରା ଜନ୍ମନେଲା ।

 

ମହିଳା ପୁରୁଷର ଅଧୀନସ୍ଥ ହେଲେ । ମହିଳା ବାହାରକୁ ଯିବା ମନା, ଅନ୍ୟ ପୁରୁଷଙ୍କ ସହ ମିଶିବା ମନା, ଏପରି ଧାରା ଦେଇ ଉତ୍ପାଦିତ ସମ୍ପଦ ମୁଷ୍ଟିମେୟ ଲୋକଙ୍କ ହାତରେ ଏକାଠି ହେଲା । ଧୀରେ ଧୀରେ ମଣିଷ ସମାଜ ପ୍ରକୃତି ଉପରେ ନିର୍ଭର ନକରି ବଜାର ଉପରେ ନିର୍ଭର କଲା । ବଜାର ଏଥିପାଇଁ ପୁଞ୍ଜିପତି, ଜମିଦାର ଓ ଉଦ୍ୟୋଗପତିଙ୍କୁ ପସନ୍ଦ କଲା । ରାଷ୍ଟ୍ର କ୍ଷମତା ଏହି ବର୍ଗଙ୍କୁ ସୁରକ୍ଷା ଦେବା ସହ ଅଧିକରୁ ଅଧିକ ଭାବେ ବଜାରକୁ ପସନ୍ଦ ଓ କ୍ରିୟାଶୀଳ କରିଚାଲିଲା । ଏହା ତ ପୁଞ୍ଜିବାଦର ଧାରାବାହିକ ବିକାଶ । ଏବେ ଏଇଥି ପାଇଁ ସର୍ବାଧିକ ମଣିଷ ବଜାରର ଦାସ ପାଲଟିଛନ୍ତି । ଏବେ ମଣିଷ ହାତରୁ ବ୍ୟକ୍ତିଗତ ମାଲିକାନା ଖସିଯାଇଛି । କିନ୍ତୁ ମଣିଷ ମନରେ ମିଛ ମାଲିକାନାର ଭ୍ରମ ସୃଷ୍ଟି କରାଯାଉଛି । ବଜାର ଫୋନ୍‍ କରି କହୁଛି- ଯେତେ ପାର ସେତେ ଲୋନ୍‍ ନିଅ । ଆବଶ୍ୟକ ସମସ୍ତ ଦ୍ରବ୍ୟ ଲୋନ୍‍ରେ ମିଳୁଛି । ବ୍ୟକ୍ତିଗତ ସ୍ୱାଧୀନତା ଆଜି ସଙ୍କଟରେ । ପୁଞ୍ଜିବାଦର କାୟା ବିଶ୍ୱବ୍ୟାପୀ ବିସ୍ତାରିତ ହେବାରେ ଲାଗିଛି । ଏହି କ୍ଷମତା ବିରୁଦ୍ଧରେ, ଗୋଲାମିରୁ ମୁକ୍ତି ପାଇଁ ମୁହଁ ଖୋଲିଲେ ତାଙ୍କୁ ପୁଞ୍ଜିବାଦର ଫର୍ମୁଲାରେ ଋଣଗ୍ରସ୍ତ କରାଯାଉଛି । ବିଳାସବ୍ୟସନ ପାଇଁ ଋଣ ଯାହାକୁ ଯେତେ ଉପଲବ୍ଧ । ଜୀବନସାରା ଋଣରେ ବୁଡ଼ାଇଦେଇ ଦାସ କରୁଛି ପୁଞ୍ଜିବାଦ । ସାମ୍ୟବାଦର ଉତ୍‍ଥାନକୁ ଭାଙ୍ଗିଦେବା ପାଇଁ ପୁଞ୍ଜିବାଦ ନୂଆ ନୂଆ ଫର୍ମୁଲାକୁ ଆପଣେଇଛି ।

 

ସାମ୍ୟବାଦର ସ୍ଥିତି ଏବେ ସଂକଟରେ । ୧୯୯୧ରେ ସୋଭିଏତ୍‍ ସଂଘ ଭାଙ୍ଗିଯିବା ସାମ୍ୟବାଦର ଭବିଷ୍ୟତ ପ୍ରତି ଧକ୍‍କା ଥିଲା । ୧୯୧୭ରେ ରୁଷ୍‍ ବିପ୍ଳବ, ଭ୍ଲାଦିମିର୍‍ ଲେନିନଙ୍କ ନେତୃତ୍ୱରେ ମାର୍କ୍ସବାଦ ବିଚାର ପୁଞ୍ଜିବାଦକୁ ଆଘାତ ଦେଇଥିଲା । କମୁନିଜିମ୍‍ ବା ସାମ୍ୟବାଦ କେବଳ ରୁଷରେ ନୁହେଁ ଏକ ବିଚାରଧାରା ଭାବେ ବିଶ୍ୱରେ ପ୍ରସାରିତ ହୋଇଥିଲା । ରୁଷରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠା ପରେ ଏକ ବିଶ୍ୱାସ ଦୃଢ଼ ହୋଇଥିଲା ଯେ, ପୁଞ୍ଜିବାଦରୁ ସୃଷ୍ଟି ଦାସତ୍ୱ ଓ ଅସମାନତା ହୁଏତ ଗୋଟିଏ ଦଶନ୍ଧି ମଧ୍ୟରେ ଶେଷ ହୋଇଯିବ । ସୋଭିଏତ୍‍ ଦେଶର ସାମ୍ୟବାଦ ଆମେରିକାର ପୁଞ୍ଜିବାଦକୁ ପରାଜିତ କରିବ ଓ ଧରାଶାୟୀ କରିବ । ବିଶ୍ୱର ଗୋଟିଏ ଭାଗ ଲୋକ ସୋଭିଏତ୍‍ ସଂଘର କମୁନିଜିମ୍‍ ବା ସାମ୍ୟବାଦ ସପକ୍ଷରେ, ଅନ୍ୟପକ୍ଷରେ ଆଉ ଗୋଟିଏ ଭାଗର ଲୋକ ସଂଯୁକ୍ତ ରାଷ୍ଟ୍ର ଆମେରିକାର ପୁଞ୍ଜିବାଦ ସପକ୍ଷରେ ରହିଲେ । ଆରମ୍ଭ ହେଲା ଆନ୍ତର୍ଜାତିକ ସ୍ତରରେ ସୋଭିଏତ୍‍ ସଂଘ ଓ ଆମେରିକା ମଧ୍ୟରେ ସାମ୍ୟବାଦ ଓ ପୁଞ୍ଜିବାଦକୁ ନେଇ ଶକ୍ତି ପରୀକ୍ଷା । ଏହା ଶୀତଳ ଯୁଦ୍ଧର ସ୍ଥିତି ସୃଷ୍ଟି କଲା ।

 

ପ୍ରଥମେ କ୍ୟୁବାକୁ ନେଇ ଆମେରିକା ଓ ରୁଷ୍‍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା । ଏହାପରେ ଭିଏତନାମ୍‍ ଯୁଦ୍ଧରେ ପାଶ୍ଚାତ୍ୟ ଦେଶ ଦ୍ୱାରା ନିୟନ୍ତ୍ରିତ ‘ନାଟୋ’ ଏବଂ ପୂର୍ବ ୟୁରୋପ ଦ୍ୱାରା ନିୟନ୍ତ୍ରିତ ‘ବାରସା’ ଇତ୍ୟାଦିର ଭୂମିକା ରହିଲା । ନାଟୋ ଏବଂ ବାରସା ଉଭୟ ସାମରିକ ସଂଗଠନ । ବିଶ୍ୱର ବିଭିନ୍ନ ରାଷ୍ଟ୍ର ପ୍ରସଙ୍ଗକୁ ନେଇ ନିଜର ଶକ୍ତି ପ୍ରଦର୍ଶନକୁ ହାତଛଡ଼ା କରୁନଥିଲେ ଏହି ଦୁଇ ସାମରିକ ସଂଗଠନ । ଶୀତଳ ଯୁଦ୍ଧର ବଡ଼ ଉଦାହରଣ ଭାବେ ଦେଖିବାକୁ ମିଳିଥିଲା କ୍ୟୁବାରେ ରୁଷର ସାମ୍ୟବାଦୀ ପ୍ରଭାବ । ଏଇଠି ଆମେରିକାର ପୁଞ୍ଜିବାଦ ପରାସ୍ତ ହୋଇଥିଲା । କ୍ୟୁବାର ତକ୍ରାଳୀନ ରାଷ୍ଟ୍ରପତି ଫିଡେଲ୍‍ କାଷ୍ଟ୍ରୋଙ୍କୁ ରୁଷ ସମର୍ଥନ ଦେଇଥିବା ଯୋଗୁଁ ଆମେରିକା-ରୁଷ୍‍ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଆମେରିକାର ବିରୋଧକୁ ସାମ୍ନା କରିବାକୁ ଯାଇ ଋଷ୍‍ ବିଶ୍ୱର ସମସ୍ତ କମ୍ୟୁନିଷ୍ଟ ଦେଶଗୁଡ଼ିକୁ ଏକାଠି କରି ଆମେରିକା ବିରୁଦ୍ଧରେ ଅଭିଯାନକୁ ଆଗକୁ ବଢ଼ାଇଲା । ମନେହେଉଥିଲା ଆମେରିକାର ପୁଞ୍ଜିବାଦ ପତନର ସମୟ ଆସିଗଲା । ତେବେ ଏଭଳି ଆଶା ଓ ସମ୍ଭାବନା ଧୂଳିସାତ୍‍ ହେଲା । ସାମ୍ୟବାଦ ପ୍ରତି ପ୍ରଶ୍ନ ଓ ଗଭୀର ପ୍ରଶ୍ନ ଚିହ୍ନ ସେତେବେଳେ ଲାଗିଲା ଯେତେବେଳେ ସାମ୍ୟବାଦର ଜନ୍ମସ୍ଥାନ ରୁଷ୍‍ କମ୍ୟୁନିଷ୍ଟ ପାର୍ଟି ଭିତରେ ଆଭ୍ୟନ୍ତରୀଣ ମତଭେଦ ସୃଷ୍ଟି ହେଲା ଓ ଅଧିକ ଭାବେ ଏହି ମତଭେଦ ଦେଖିବାକୁ ମିଳିଲା ।

 

୮୦ ଦଶକରେ ତକ୍ରାଳୀନ ସୋଭିଏତ୍‍ ସଂଘର ରାଷ୍ଟ୍ରପତି ମିଖାଇଲ୍‍ ଗୋର୍ବାଚୋଭ୍‍ ରୁଷ୍‍ ଭିତରେ ଗ୍ଲାସ୍‍ନୋଷ୍ଟ ଏବଂ ପେରେସ୍ତ୍ରୋଇକା ବିଚାରଧାରାକୁ ଆଗକୁ ବଢ଼ାଇଲେ, ଯାହାର ମୁଖ୍ୟ ଲକ୍ଷ୍ୟ ଥିଲା ସମାଜରେ ମୁକୁଳାପଣ ଏବଂ ବୈଚାରିକ ବିଚାର ମନ୍ଥନ । ଗୋର୍ବାଚୋଭ୍‍ ନିଜେ ଜଣେ କମ୍ୟୁନିଷ୍ଟ ଥିଲେ । ଗୋର୍ବାଚୋଭଙ୍କ ଦ୍ୱାରା ଯେତେବେଳେ ଜର୍ମାନର ବର୍ଲିିନ୍‍ ପାଚେରି ଭାଙ୍ଗିବାର ଆହ୍ୱାନ ଦିଆଗଲା ସେତେବେଳ ବ୍ରିଟେନର ମାର୍ଗାରେଟ୍‍ ଥାଚର୍‍ ଏବଂ ଆମେରିକା ରାଷ୍ଟ୍ରପତି ରୋଲାଣ୍ଡ ରେଗନ୍‍ ରୁଷକୁ ବା ଗୋର୍ବାଚୋଭଙ୍କୁ ପୂର୍ଣ୍ଣ ସମର୍ଥନ ଦେଲେ । ଗୋର୍ବାଚୋଭଙ୍କ ଉଦାରବାଦୀ ଆଭିମୁଖ୍ୟ କମୁନିଜିମ୍‍ ବିରୋଧୀ ଥିଲା । ଏଇଠୁ ସାମ୍ୟବାଦ ଉପରେ ପ୍ରଶ୍ନ ଚିହ୍ନ ଆହୁରି ଦୃଢ଼ୀଭୂତ ହେଲା । ରୁଷ୍‍ ଭିତରେ ସାମ୍ୟବାଦୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂଘର୍ଷ ଲାଗିଲା ।

 

ଶେଷରେ ୧୯୯୧ରେ ସୋଭିଏତ୍‍ ସଂଘ ଭାଙ୍ଗିଲା । ସୋଭିଏତ୍‍ ସଂଘ ଭାଙ୍ଗିବା ପରେ ପରେ ପୂର୍ବ ୟୁରୋପୀୟ ଦେଶ ଯଥା ରୋମାନିଆ, ହଙ୍ଗେରୀ, ପୋଲାଣ୍ଡ, ବୁଲ୍‍ଗେରିଆ, ଚେକୋସ୍ଲୋଭାକିଆ ଆଦି ଦେଶର ସାମ୍ୟବାଦୀ ସରକାର ଉପରେ ବିଦ୍ରୋହ ଦେଖାଦେଲା । ପୂର୍ବ ୟୁରୋପ ଦେଶରେ ସାମ୍ୟବାଦ ଏକଦଳୀୟ ଶାସନ ବ୍ୟବସ୍ଥାର ଏକ ପ୍ରକାର ପତନ ଦେଖିବାକୁ ମିଳିଲା । ଗଣତନ୍ତ୍ର ନାଁରେ କିଛି ରାଜନୈତିକ ଦଳ ଗଣତାନ୍ତ୍ରିକ ବିଚାରଧାରାକୁ ଆପଣେଇ ସୋଭିଏତ୍‍ ସଂଘ ଭାଙ୍ଗିବା ପରେ ପରେ ସାମ୍ୟବାଦ ଦୁର୍ବଳ ହେଲାବୋଲି ପ୍ରଚାର କରିବାକୁ ଲାଗିଲେ । ହୁଏତ ଚୀନ୍‍ ଏବଂ ଭିଏତନାମରେ ଏବେ ବି କମ୍ୟୁନିଷ୍ଟ ସରକାର ରହିଛି । ନେପାଳରେ କମୁନିଜିମ୍‍ ସଶକ୍ତ ସ୍ଥିତିରେ ଜନତାଙ୍କ ସମର୍ଥନ ନେଇ ତିଷ୍ଠିଛି । ପୁଞ୍ଜିବାଦୀ ଆର୍ଥିକ ବିଚାର ଧାରା ଏକ ଅସମାନତା ଭିତ୍ତିକ, ଦାସତ୍ୱ ସୃଷ୍ଟିକାରୀ ସମାଜ ତିଆରି କରୁଛି । ପୁଞ୍ଜିବାଦକୁ ଆପଣେଇ ଏହି ବିଚାରକୁ ଶତତ ସମର୍ଥନ ଦେଉଥିବା ଆମେରିକା ସମେତ ସମସ୍ତ ପୁଞ୍ଜିବାଦୀ ରାଷ୍ଟ୍ରରେ ଏବେ ଦେଖିବାକୁ ମିଳୁଛି ଅସମାନତାର ଚିତ୍ର । ଅଳ୍ପ କିଛି ଭାଗ ମଣିଷ ପୁଞ୍ଜିକୁ ନିଜ ଅକ୍ତିଆରରେ ରଖି ଶାସନ କ୍ଷମତାରେ ଥିବା ସରକାରକୁ ପୁଞ୍ଜିବାଦୀ ମାର୍ଗରେ ପରିଚାଳିତ କରୁଛନ୍ତି ।

 

ଗଣତନ୍ତ୍ରରେ ଗଣ ଅତ୍ୟାଚାରିତ, ଶୋଷିତ ଓ ଲାଞ୍ଛିତ । ସାମ୍ୟବାଦ ବା କମୁନିଜିମ୍‍ ସିଦ୍ଧାନ୍ତର ଜୟଜୟକାର ଶୁଣାଯାଉଛି; କିନ୍ତୁ ପୁଞ୍ଜିବାର କାୟା ଆହୁରି ବଢ଼ିଚାଲିଛି । ମଣିଷ ସମାଜ ଗଠନର ଆଦ୍ୟକାଳରେ ଏକ ବୈଷମ୍ୟ ବିହୀନ ଜୀବନ କାଟୁଥିଲା, ତା’ର ଥିଲା ସ୍ୱାଧୀନତା, ଦାସତ୍ୱର ଚିହ୍ନ ନଥିଲା, ଶୋଷଣ ନଥିଲା କି ଲିଙ୍ଗଗତ, ଜାତିଗତ, ଧର୍ମଗତ ଭେଦଭାବ ନଥିଲା । ପୁଞ୍ଜିବାଦ ରାସ୍ତାରେ ଏହିସବୁ ବୈଷମ୍ୟ ଏବେ ସମାଜର ସମତାଭିତ୍ତିକ ବିଚାର ଓ ମୂଲ୍ୟବୋଧକୁ ଉଜାଡ଼ି ଦେବାରେ ଲାଗିଛି । ଖୋଜାଚାଲିଛି ସାମ୍ୟବାଦ । ତେବେ ଏହି ସାମ୍ୟବାଦ ପ୍ରତିଷ୍ଠାର ସ୍ୱପ୍ନ ସାକାର ହେବ କେବେ, କେବେ ଏକ ବୈଷମ୍ୟ ବିହୀନ ସମାଜ ପ୍ରତିଷ୍ଠା ହେବ? ଏନେଇ ବିତର୍କ ଆରମ୍ଭ ହୋଇଛି । ଅଧ୍ୟୟନ ଏବଂ ଗବେଷଣାର କେନ୍ଦ୍ରବିନ୍ଦୁ ପାଲଟିଛି ମହାନ ଦାର୍ଶନିକ କାର୍ଲମାର୍କ୍ସଙ୍କ ଦାସକ୍ୟାପିଟାଲ୍‍ ପୁସ୍ତକ ।

 

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top