ଏମକେସିଜିରେ ଚଉକି ଖେଳ

News Story - Posted on 2017-11-30

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍ କଲେଜର ଦଭରବସ୍ଥା ଏବଂ ସାଂପ୍ରତିକ ସମୟରେ ଏଠାକାର ପ୍ରାଶାସନିକ ଅବ୍ୟବସ୍ଥା ସଂପର୍କରେ ସରକାରଙ୍କ ସମ୍ମୁଖରେ ଯେଉଁ ବିଷୋଦଗାର ସାଧାରଣ ଜନତା ଓ ସଂଗଠନ ଜଣାଇ ଆସୁଥିଲେ ତା’ର ଯବନିକା ପକାଇବାକୁ ସରକାର ସଂଦେଶ ଦେଇଛନ୍ତି । ଏ ଖବର ସହଜରେ ଗ୍ରହଣୀୟ ହୋଇପାରୁନାହିଁ । ଦୋଷୀ ଯଦି ଦୋଷ କରିଥାଏ ଦଣ୍ଡ ମିଳିବା ଆବଶ୍ୟକ । ଏଠି କିନ୍ତୁ ସରକାରଙ୍କ ଭିନ୍ନ ବିଚାର । ଗୋଟିଏ ପରିସର ଭିତରେ ଚଉକିର ଅଦଳବଦଳ କରି ସରକାର ଏଠାରେ ଡ଼ାକ୍ତରମାନଙ୍କ ମନୋବଳ ବଢ଼ାଇଛନ୍ତି ଏବଂ ଜନସାଧାରଣଙ୍କ ମାନସିକ ଅବସ୍ଥାକୁ ଶକ୍ତ ଆଘାତ ଦେଇଛନ୍ତି । ଡ଼ାକ୍ତରମାନଙ୍କ ସ୍ୱେଚ୍ଛାଚାରିତା, ଦୌରାତ୍ମ୍ୟ, ରୋଗୀ ଶୋଷଣ ମନୋବୃତ୍ତି ଏବଂ ପ୍ରାଶାସନିକ ଅବ୍ୟବସ୍ଥାକୁ ଆଖି ବୁଜିଦେଇ ଯେଉଁ ବଦଳି ନୀତି ମାଧ୍ୟମରେ ଅଧ୍ୟକ୍ଷ ଓ ଅଧ୍ୟକ୍ଷକଙ୍କୁ ବଦଳ କରିଦେଲେ ଏହା କି ପ୍ରଚାର ବିଚାର!

 

ଅଧ୍ୟକ୍ଷ ପ୍ରଫେସର ଅରୁଣ ଦଣ୍ଡପାଟ୍ଟଙ୍କୁ ତାଙ୍କ ପଦରୁ ଅପସରି ଦେଇ ପୁଣିଥରେ ରେଡ଼ିଓଲୋଜି ବିଭାଗରେ ସ୍ଥାନଟିଏ ଦେଇ କାହାକୁ ତୃପ୍ତ କରିଛନ୍ତି? ସରକାର ଡ଼ା. ଦଣ୍ଡପାଟଙ୍କୁ ଏବଂ ତାଙ୍କର ଏଠାରେ ଚାଲିଥିବା ସେବାଭାବକୁ ଉତ୍ସାହିତ କରିଛନ୍ତି ନା ରୋଗୀ ଶୋଷଣର ଜଳଜଳ ଚାଲିଥିବା ବେପାରକୁ ଉତ୍ସାହିତ କରିବାର ସୁଦୃଢ଼ ସଂକେତ ଦେଇଛନ୍ତି? ଏହା ସମୀକ୍ଷାର ବିଷୟ । ପ୍ରଫେସର ଦଣ୍ଡପାଟଙ୍କ ସମୟ ଅଧ୍ୟକ୍ଷ ଭାବରେ ଭୋଗ କରିବା ଅବଧିରେ ବହୁ ଅବ୍ୟବସ୍ଥା ସହ ଏଠାରେ ଛାତ୍ରମାନଙ୍କ ଅଶାନ୍ତି, ଗଣ୍ଡଗୋଳ, ର୍ୟାଗିଙ୍ଗ୍ ଏବଂ ଅଧ୍ୟାପକମାନଙ୍କ ମନୋମୁଖୀ କାର୍ଯ୍ୟକଳାପ ବଢ଼ିଯାଇଥିଲା । ମନ୍ତ୍ରୀଙ୍କ ପାଦ ପଡ଼ିଲେ ଏଠାରେ ଅଧ୍ୟାପକ, ପ୍ରଫେସର, ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ବେଖାତିର କରୁଥବା ନମୁନା ମଧ୍ୟ ଦିଶୁଥିଲା । ଛାତ୍ର ଅଶାନ୍ତି ବଳବତ୍ତର ଏବଂ ର୍ୟାଗିଂ ହାର ବଢ଼ିଥିଲା । ଶେଷରେ ତାଙ୍କ ଚୌକି ଗଲେ ମଧ୍ୟ ପ୍ରଫେସର ରାଧାମାଧବ ତ୍ରିପାଠୀଙ୍କୁ ଅଧ୍ୟକ୍ଷ ପଦର ଅଯାଚିତ କୃପା ପୁନଶ୍ଚ ଆଉ ଏକ ଅସନ୍ତୋଷର ଦାନା ନ ବାନ୍ଧିବ କିଏ କହିବ? ଛାତ୍ର ସମାଜ ଓ ଅଧ୍ୟାପକଙ୍କ ଭିତରେ ସମନ୍ୱୟ ରକ୍ଷା କରି ପ୍ରଫେସର ରାଧାମାଧବ ତ୍ରିପାଠୀ ପାଠପଢ଼ା ଶୈଳୀରେ କିଛି ରଂଗ ଲଗାଇ ଦେବେ ନା ପରବର୍ତ୍ତୀ ସମୟ ଡ଼ିନ୍ ଭାବରେ ମଧ୍ୟ ଦୁର୍ବଳ ପ୍ରାଶାସନିକ ଅବ୍ୟବସ୍ଥା ଭିତରେ ବିବାଦ ବଳୟରେ ଛନ୍ଦି ହେବେ? ଏହା ବି ଏକ କଠିନ ପ୍ରଶ୍ନ ।

 

ପ୍ରଫେସର କ୍ଷେତ୍ରବସୀ ସୁବୁଦ୍ଧି ଅଧୀକ୍ଷକ ଭାବରେ ଥିବା ସମୟରେ ତାଙ୍କ ବିଭାଗର ସ୍ତ୍ରୀ ଓ ପ୍ରସୂତି ବିଭାଗ ଦୁଃଖଦ ଘଟଣା କାହା ମନରୁ ଲିଭିବ! ଆସନ୍ନ ପ୍ରସୂତିଙ୍କୁ ଖଟିଆଟି ନ ମିଳିବାରୁ ଏମ୍କେସିଜିର ବାରଣ୍ଡାରେ ସନ୍ତାନ ପ୍ରସବ ହୋଇଥିବା ସମ୍ବାଦ ସାରା ରାଜ୍ୟରେ ଚହଳ ପଡ଼ିଥିଲା । ଏହା ସହ ମେଡ଼ିକାଲ୍ ପରିସରରେ ନବ ନିର୍ମିତ କୋଠାକୁ ଜଣେ କର୍ମଚାରୀ ବାପାର ସଂପତ୍ତି ପରି ବ୍ୟବହାର କରି ଏଠାରେ ଜନ୍ମଦିନ ପାଳନ କରିଥିଲା । ଏହାକୁ ନେଇ ଝଡ଼ ସୃଷ୍ଟି ହେଲା କିନ୍ତୁ ସଂଗଠନର ଦାବୀକୁ ନେଇ ଉପଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ କୁହାଗଲେ ମଧ୍ୟ ଆଶାନୁରୂପ ଦଣ୍ଡ ବିଧାନ ଏଯାବତ୍ ହୋଇନାହିଁ । ଏପରି ସମୟରେ ପ୍ରଫେସର ସୁବୁଦ୍ଧିଙ୍କୁ ପୁଣିଥରେ ତାଙ୍କ ନିଜ ବିଭାଗରେ ନେଇ ଥୋଇବା କି ପ୍ରକାର ନିଷ୍ପତ୍ତି ଏହା ମଧ୍ୟ ଭାରି ସୌହାର୍ଦ୍ଦ୍ୟପୂର୍ଣ୍ଣ ବିଚାର ବୋଲି ସରକାରଙ୍କ ଧରିନେବାକୁ ହେବ ।

 

ପ୍ରଫେସର ଚରଣ ପଣ୍ଡାଙ୍କୁ ନୂତନ ଅଧକ୍ଷକ ଦାୟିତ୍ୱ ଅର୍ପଣ ତାଙ୍କର ପ୍ରାକ୍ଟିସ୍ କ୍ୟାରିୟରକୁ ଅଧିକ ରସାଳ କରିବ । ବାଲ୍ୟବିଭାଗ ଡ଼ାକ୍ତର ଭାବରେ ତାଙ୍କର ସ୍ୱାସ୍ଥ୍ୟସେବାର ବ୍ୟବସାୟିକ ସାମ୍ରାଜ୍ୟ କାହାକୁ ଅଛପା ନାହିଁ । ହଜାର ହଜାର ରୋଗୀଙ୍କୁ ଏମକେସିଜି ସେବା ଦେଇ ପାରୁନଥିବା ବେଳେ ନୂଆ ବସଷ୍ଟାଣ୍ଡ ରାଜପଥରେ ଏ ସମସ୍ତ ଡ଼ାକ୍ତରଙ୍କ ଗୋଟିଏ ଗୋଟିଏ ଘରୋଇ କ୍ଲିନିକ୍ ନର୍ସିଂ ହୋମ ଏବଂ ଔଷଧ ଦୋକାନ ଆଗରେ ନାମ ଫଳକ ଝୁଲୁଛି । ରାତିଦିନ ଏଠାରେ ଏହି ନାମଗୁଡ଼ିକର ଗରୀମା ବଢ଼ାଇବାର ଦଲାଲମାନେ ବେଶ୍ ସକ୍ରିୟ ଭୂମିକା ନେଇ ରୋଗୀସେବା ନାମରେ ଲୁଟି ଚାଲନ୍ତି । ଡ଼ାକ୍ତର ପ୍ରଫେସର ଏମକେସିଜିର ପୃଷ୍ଠପୋଷକତାରେ ହିଁ ଏଠାରେ ଖାଲିଥିବା ସ୍ୱାସ୍ଥ୍ୟ ବଜାରରେ ରୋଗୀସେବା ନାମରେ ତଥାକଥିତ ସୌଦାଗରମାନେ ଯିଏ ଯା’ର ମୁଣ୍ଡ ଖୋଲି ହଜାର ହଜାର ଟଙ୍କା ଦୈନିକ ଲୁଟନ୍ତି । ବିଦେଶୀ କଂପାନୀର, ବିଦେଶୀ ଗାଡ଼ି, ବିଦେଶ ଭ୍ରମଣ ମୋହରେ ପ୍ରଫେସରମାନଙ୍କ କୀର୍ତ୍ତି ବେଶ୍ ଆଗରେ – ଏସସିବି ପରି ଦୃଷ୍ଟାନ୍ତ ଯଦି ଦେବେ ଏକକୁ ଆନ ବଳି ଯିବେ । ଏଠାରେ ସରକାର ବଦଳି କରି ନାହାନ୍ତି ବରଂ ଜନଭାବନାକୁ ବଳି ପକାଇ ଚଉକି ଖେଳର ରୁଚିବନ୍ତ ସଂଦେଶ ଦେଇଛନ୍ତି ବୋଲି ଧରିନେବାକୁ ହେବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top