ତିନିଶହ ଟଙ୍କିଆ ଜୀବନ

News Story - Posted on 2017-11-30

ବିଜୟିନୀ ମହାନ୍ତି

 

ଟଙ୍କା ତିନିଶହ । ଅବଶ୍ୟ ଠିକ ସମୟରେ ମିଳିଯାଏ । ପ୍ରତ୍ୟେକ ମାସର ପନ୍ଦର ତାରିଖରେ । କିଛି ଚାଉଳ, ଡାଲି ଆଉ ଘରକରଣା ଜିନିଷ କିଣୁ କିଣୁ ସବୁ ଶେଷ । ପୁଣି ଅପେକ୍ଷା ପନ୍ଦର ତାରିଖ କୁ । ହଁ, ଇଏ କେଉଁ ଜଣେ ଦି ଜଣ ଙ୍କ କଥା ନୁହେଁ । ଉଣା ଅଧିକେ ସବୁ ବୁଢାବୁଢୀ ଙ୍କ କଥା । ସଂଖ୍ୟା ପ୍ରାୟ ଚାଳିଶ ଲକ୍ଷ ହେବ। ଏମାନେ ସମସ୍ତେ ବୟସ ର ଅପରାହ୍ନ ରେ ଉପନୀତ । କିଛି ବିଧବା ଏବଂ ଏକାକୀ ମହିଳା, ଭିନ୍ନକ୍ଷମ ଓ ରୋଗିଣା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ସାମାଜିକ ସୁରକ୍ଷା ଭତ୍ତା ଯୋଜନାର ହିତାଧିକାରୀ ଭାବେ ମାସକୁ ପାଇଥାନ୍ତି ମାତ୍ର ତିନିଶହ ଟଙ୍କା । ଯଥେଷ୍ଟ ନହେଲେ ବି ବଞ୍ଚିବା ପାଇଁ ଏହାକୁ ଏକ ସର୍ବନିମ୍ନ ସହାୟତା ବୋଲି କୁହାଯାଇ ପାରେ ।

 

କେନ୍ଦ୍ର ସରକାରଙ୍କ ତୁଳନାରେ ରାଜ୍ୟ ସରକାରଙ୍କ ଦ୍ଵାରା ଚାଲୁଥିବା ଭତ୍ତା ଯୋଜନାଟି ଏକ ଉନ୍ନତ ବିକଳ୍ପ ଯୋଜନା ଅଟେ । ଭାରତରେ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଏବଂ ଓଡିଶାରେ ମଧୁବାବୁ ଭତ୍ତା ଯୋଜନା ଉଭୟ ପ୍ରଶଂସନୀୟ । ଏସବୁ ଏପରି ଯୋଜନା ଯେଉଁଥିରେ ଗରିବ ବୁଢାବୁଢୀ, ବିଧବା ମହିଳା ଏବଂ ଭିନ୍ନକ୍ଷମ ଲୋକମାନଙ୍କୁ ଆର୍ଥିକ ସହାୟତା ଏବଂ ସୁରକ୍ଷା ଯୋଗାଇ ଦିଆଯାଇଥାଏ । ରାଜ୍ୟ ସରକାର ଆଉ ଏକ ପାଦ ଆଗକୁ ଯାଇ ରାଜ୍ୟରେ ଥିବା ଏକାକୀ ମହିଳା ଯାହାର ବୟସ ୩୦ରୁ ଅଧିକ, ତୃତୀୟ ଲିଙ୍ଗ ନାଗରିକ, ଏଡସ ରୋଗୀ, କିମ୍ବା ତାଙ୍କର ବିଧବା ସ୍ତ୍ରୀ, ଭିନ୍ନକ୍ଷମ ବ୍ୟକ୍ତି, କୁଷ୍ଟ ରୋଗୀ ଭଳି ବ୍ୟକ୍ତିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଇଛନ୍ତି । ଏହା ରାଜ୍ୟ ସରକାରଙ୍କର ଗରିବ ଏବଂ ସାହାରାହୀନ ଲୋକମାନଙ୍କର ଉନ୍ନତି ପ୍ରତି ଏକ ସକାରାତ୍ମକ ଦୃଷ୍ଟିକୋଣ ଭାବରେ ପ୍ରଶଂସନୀୟ ।   

 

ଉପଯୁକ୍ତ ହିତାଧିକାରୀଙ୍କୁ ସାମିଲ କରିବା ଏବଂ ଭତ୍ତା ବଣ୍ଟନରେ ନିୟମିତତାର ସନ୍ଦର୍ଭରେ ରାଜ୍ୟର ପ୍ରଦର୍ଶନ ଖୁବ ଭଲ । କେବଳ ସେତିକି ନୁହଁ, ନିର୍ବାଚନର ସମୟ ହେଉ କିମ୍ବା ବିମୁଦ୍ରୀକରଣର, ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର “ଜନସେବା ଦିବସ” ବା ୧୫ ତାରିଖରେ ନିହାତି ଭାବେ ଭତ୍ତା ଟଙ୍କା ଦିଆଯାଇଥାଏ । ଯାହାକି ଅନେକ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବା ମାନଙ୍କ ପାଇଁ ଅତ୍ୟନ୍ତ ସାହାଜ୍ୟକାରୀ ଅଟେ । ଏପରିକି ଯେଉଁମାନେ ଦୂର ଜାଗାରେ ରୁହନ୍ତି ଏବଂ ବ୍ୟାଙ୍କକୁ ଯିବାକୁ ହେଲେ ଦୂରତା ଦୃଷ୍ଟିରୁ ସେମାନଙ୍କୁ ଅନେକ କଷ୍ଟ ହୋଇଥାଏ, ସେମାନଙ୍କ ପାଇଁ ଏହା ଏକ ଆଦର୍ଶ ବ୍ୟବସ୍ଥା ଅଟେ ।

 

ଭାରତ ସମ୍ବିଧାନର ଅନୁଚ୍ଛେଦ ୪୧ରେ ମଧ୍ୟ କୁହାଯାଇଅଛି ଯେ, “ପ୍ରତ୍ୟେକ ରାଜ୍ୟ ତାର ଆର୍ଥିକ ସମ୍ବଳକୁ ଆଖି ଆଗରେ ରଖି ରାଜ୍ୟରେ ଥିବା ବେରୋଜଗାରୀ, ବାର୍ଦ୍ଧକ୍ୟ, ରୋଗୀ ଏବଂ ବିକଳାଙ୍ଗ ଭଳି ବ୍ୟକ୍ତି ବିଶେଷଙ୍କୁ ସାର୍ବଜନୀକ ସହାୟତା ପ୍ରଦାନ କରିପାରିବ”। ଏତତ ବ୍ୟତୀତ ୨୮ ନଭେମ୍ବର ୨୦୦୧ରେ ଭାରତର ଉଚ୍ଚତମ ନ୍ୟାୟଳୟ ମଧ୍ୟ ସମସ୍ତ ରାଜ୍ୟ ସରକାରଙ୍କୁ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଅନ୍ତର୍ଗତ ଭତ୍ତା ପାଇବାର ସମସ୍ତ ହକଦାର ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିୟମିତ ଭାବରେ ଭତ୍ତା ପ୍ରଦାନ କରିବା ପାଇଁ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଥିଲେ । ଏବଂ ପୁନଶ୍ଚ ୨୭ ଏପ୍ରିଲ ୨୦୦୪ରେ ଏହି ଯୋଜନାଟିକୁ କୌଣସି କାରଣ ବଶତଃ ଉଚ୍ଚତମ ନ୍ୟାୟ।ଳୟର ବିନା ଅନୁମତିରେ ବନ୍ଦ କିମ୍ବା ପ୍ରତିବନ୍ଧିତ କରାଯାଇ ପାରିବ ନାହିଁ ବୋଲି ଉଚ୍ଚତମ ନ୍ୟାୟଳୟ ନିର୍ଦେଶ ଦେଇଥିଲେ ।

 

ବୃଦ୍ଧ ବୃଦ୍ଧା ମାନଙ୍କର ବୟସ ସହିତ ସେମାଙ୍କର ଚିକିସ୍ଚା ଉପରେ ଅଧିକରୁ ଅଧିକ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ।  ଠିକ ସେହିପରି ବିଧବା ମହିଳା ତାର ପିଲା ମାନଙ୍କୁ ଅତି ଆବଶ୍ୟକୀୟ ଖାଦ୍ୟ, ବସ୍ତ୍ର, ବାସଗୃହ, ସ୍ଵାସ୍ଥ୍ୟସେବା ଏବଂ ଶିକ୍ଷା ଦେବାକୁ ହେଲେ ୩୦୦ ଟଙ୍କାତ କିଛି ନୁହଁ କହିଲେ ଅତ୍ୟୁକ୍ତି ହେବ । ଏପରିକି ଏହି ଟଙ୍କାରେ ସପ୍ତାହଟେ ମଧ୍ୟ ଭଲରେ କାଟିବା ଏକ କାଠିକର ପାଠ । ଭତ୍ତାର ଏହି ଛୋଟ ରାଶିଟି ଲୋକ ମାନଙ୍କର ଏକ ଜୀବନ ରେଖା ହୋଇସାରିଲାଣି । ବୃଦ୍ଧ ବୃଦ୍ଧା ଯେଉଁମାନେ ନିଜ ପରିବାରର ବିନା ସମର୍ଥନରେ ଏକାକୀ ଜୀବନ ଯାପନ କରୁଛନ୍ତି, ସେମାନଙ୍କର ସମ୍ପୂର୍ଣ ଜୀବନ ଜୀବିକା କେବଳ ଭତ୍ତା ରାଶି ଉପରେ ହିଁ ନିର୍ଭର କରିଥାଏ । ପୁଣି ଯଦି ସିଏ ସାଧାରଣ ବଣ୍ଟନ ବ୍ୟବସ୍ତାରେ ଅନ୍ତର୍ଭୁକ୍ତ ନୁହନ୍ତି, ଆଉ ୧ ଟଙ୍କିଆ ଚାଉଳ ପାଉନାହାନ୍ତି ତେବେ ସେ କ୍ଷେତ୍ରରେ ବଜାର ଦର ହିସାବରେ ତାଙ୍କୁ ମିଳୁଥିବା ୩୦୦ ଟଙ୍କାରେ କେବଳ ୧୩ ରୁ ୧୫ କେଜି ଚାଉଳ କିଣାଯାଇପାରିବ । ଜଣେ ୪ ଜଣିଆ ପରିବାରରେ ଏତିକି ମାତ୍ରାର ଖାଦ୍ୟଶସ୍ୟ ଆଦୌ ଯଥେଷ୍ଟ ନୁହଁ ।

 

ଯଦି ଆମେ ୨୦୧୨ ମସିହାର ପରିସଙ୍ଖ୍ୟନ ଦେଖିବା, ତେବେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଓଡିଶାରେ ସମୁଦାୟ ୨୦,୮୨,୨୮୪ ଜଣ ଭତ୍ତା ପାଉଥିବା ବେଳେ ୨୦୧୫-୧୬ ବେଳକୁ ଏହା କମିଯାଇ ୨୦, ୩୭, ୯୫୫ ରେ ପହଞ୍ଚିଛି । କିନ୍ତୁ ଆମେ ଯଦି ଓଡିଶା ରାଜ୍ୟର ଦୃଶ୍ୟପଟ୍ଟକୁ ଅବଲୋକନ କରିବା, ତେବେ ଏହାର ସଂଖ୍ୟା ଗତ ୫ ବର୍ଷରେ ବଢି ୧୬,୦୮,୪୦୦ ରୁ ୧୯, ୮୫,୦୨୪ ରେ ପହଞ୍ଚିଛି । ଯାହାକି ସମୁଦାୟ ହିତାଧିକାରୀଙ୍କର ପ୍ରାୟ ୫୦ ପ୍ରତିଶତ । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଏହି ପେନସନ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ସଂଖ୍ୟା ୨୦୧୫-୧୬ ଆର୍ଥିକ ବର୍ଷରେ ୪୦,୨୨,୯୭୯ ରେ ପହଞ୍ଚିଛି । ଯାହାକି ୫ ବର୍ଷ ଆଗରୁ ଏହା ୩୬, ୯୦, ୬୮୪ ଥିଲା । ୨୦୧୬-୧୭ ରେ ମଧ୍ୟ ୩ ଲକ୍ଷରୁ ଅଧିକ ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ଅତିରିକ୍ତ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ବାସ୍ତବରେ ଏହା ରାଜ୍ୟ ସରକାରଙ୍କର ଏକ ଭଲ ପ୍ରୟାସ ।

 

କେବଳ ସେତିକି ନୁହଁ, ଆମେ ଯଦି ଗତ ୪ ବର୍ଷର କେନ୍ଦ୍ରୀୟ ବଜେଟ ଯଥା ୨୦୧୪-୧୫ ରୁ ୨୦୧୭-୧୮ ବର୍ଷର ପୁଞ୍ଜି ଆବଣ୍ଟନର ପ୍ରବୃତିକୁ ଦେଖିବା, ତେବେ ଏହି ପୁଞ୍ଜି ଆବଣ୍ଟନରେ ଅନେକ ଅସ୍ଥିରତା ଥିବାର ଦେଖାଯାଏ । ଯେପରିକି ଗତ ବର୍ଷର ଅର୍ଥାତ ୨୦୧୬-୧୭ର ଆବଣ୍ଟନକୁ ତୁଳନା କଲେ ଜଣାପଡେ ଯେ ଏହି ଆର୍ଥିକ ବର୍ଷର ସମୁଦାୟ ପୁଞ୍ଜି ଏକ ନକରାତ୍ମକ ଦିଗ ଆଡକୁ ଗତି କରିଛି । ଏଥିସହ ଯଦି ରାଜ୍ୟ ଏବଂ କେନ୍ଦ୍ରର ବଜେଟକୁ ତୁଳନା କରାଯାଏ, ତେବେ ଗଲା ବର୍ଷରେ ରାଜ୍ୟ ସରକାରଙ୍କ ବଜେଟରେ ୧୯.୬୧%ର ବୃଦ୍ଧି ହେଲାବେଳେ, କେନ୍ଦ୍ର ସରକାର ମାତ୍ର ୨.୫୦% ବଜେଟର ବୃଦ୍ଧି ଏହି ଯୋଜନାରେ କରାଇଛନ୍ତି । ଯାହାକି ଆଦୌ ହିଁ ଗରିବଙ୍କ ସପକ୍ଷରେ ନୁହେଁ ।

 

ଏବେ ରାଜ୍ୟ ସରକାର ଓଡିଶାର ବିଧାୟକ ମାନଙ୍କର ମାସିକ ବେତନ ବଢାଇ ୫୮,୦୦୦ ଟଙ୍କାରୁ ୧ ଲକ୍ଷ୍ୟ ଟଙ୍କା କରାଇପାରିଲେ, ସପ୍ତମ ବେତନ ରାଶି ଅନୁଶାରେ ସରକାରୀ ଚାକିରିଆ ମାନଙ୍କର ମଧ୍ୟ ଉଭୟ ଦରମା ଏବଂ ପେନସନ ବଢାଇପାରିଲେ, ମାତ୍ର ଗତ ୧୦ ବର୍ଷ ଭିତରେ ଗରିବଙ୍କର ଭତ୍ତା ରାଶି ବଢିପାରିଲାନାହିଁ । ତେବେ କ’ଣ ବଜାରରେ ଜିନିଷ ମାନଙ୍କର ଦରଦାମ କେବଳ ଧନିକ ଶ୍ରେଣୀର ଲୋକମାନଙ୍କ ପାଇଁ ବଢୁଅଛି, ଗରିବଙ୍କ ପାଇଁ ନୁହଁ?  

 

ଏହି ପେନସନ ଯୋଜନା ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଏକ ଉତ୍ତମ ଉଦାହରଣ ହୋଇପାରନ୍ତା, ଯଦି ସରକାର ଏହା ପ୍ରତି ଆଉ ଟିକିଏ ସମ୍ବେଦନଶୀଳ ହୋଇପାରନ୍ତେ ।  ଯେପରିକି ଏବେବି ଅନେକ ବୁଢାବୁଢୀଙ୍କୁ ୮୦ ବର୍ଷରୁ ଉର୍ଦ୍ଵ ବୟସ ହୋଇସାରିଥିଲେ ମଧ୍ୟ ସେମାନେ ମାସିକ ମାତ୍ର ୩୦୦ ଟଙ୍କା ଭତ୍ତା ବାବଦକୁ ପାଉଛନ୍ତି, ଯଦିଓ ସେମାନେ ମାସିକ ୫୦୦ ଟଙ୍କା ପାଇବାର ଯୋଗ୍ୟ । ଆଜିକାଲିର ବଜାର ବ୍ୟବସ୍ତାରେ ଏପରି ୫୦୦ ଟଙ୍କା କିମ୍ବା ୩୦୦ ଟଙ୍କା ଜଣେ ମଣିଷକୁ ସମ୍ମାନର ସହ ଜୀବନ ଧାରଣ କରିବାକୁ ଦେଇପାରିବ ନାହିଁ । ତେଣୁ ରାଜ୍ୟ ସରକାରଙ୍କୁ ଭତ୍ତା ଟଙ୍କା ବଢାଇବା ବିଷୟରେ ଏବେ ନିହାତି ଭାବିବା ଜରୁରୀ । ଠିକ ସେହିପରି ଆହୁରି ଅନେକ ଲୋକ ଭତ୍ତା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ଭାବେ ରାଜ୍ୟରେ ଅଛନ୍ତି, ଯେଉଁମାନେ ଏହି ସୁବିଧାରୁ ଏବେବି ବଞ୍ଚିତ ଅଛନ୍ତି। ସେହିପରି ଲକ୍ଷ୍ୟଧାର୍ଯ୍ୟ କରାଯିବା ଦୃଷ୍ଟିରୁ ବହୁ ଯୋଗ୍ୟ ବ୍ୟକ୍ତି ବିଶେଷ ମଧ୍ୟ ବାଦ ପଡ଼ୁଛନ୍ତି । ତା’ ଛଡା ବର୍ତ୍ତମାନ ଏକ ମୁଖ୍ୟ ଚିନ୍ତା ହେଉଛି ଯେ, ଭତ୍ତା ପାଇବା ପାଇଁ ଆଧାର ସହ ଯୋଡି ହେବା ବିଷୟ ଯାହାଦ୍ୱାରା ଅନେକ ଯୋଗ୍ୟ ବ୍ୟକ୍ତିମାନେ ଏହି ବ୍ୟବସ୍ଥାରୁ ଆପେ ଆପେ କଟି ଯାଉଛନ୍ତି, ଯାହାକି ଆଦୌ ଗ୍ରହଣୀୟ ନୁହଁ । ଏପରିକି ଆୟର ପ୍ରମାଣପତ୍ର ଦାଖଲ କରିବା ଏବଂ ହିତାଧିକାରୀ ଚୟନ କରିବାର ପ୍ରକ୍ରିୟା ବର୍ତ୍ତମାନ ପାଇଁ ଏକ ବଡ ଚିନ୍ତାର ବିଷୟ ହୋଇରହିଛି । ତେଣୁ ଓଡିଶା ସରକାର ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଅଧିକ ସ୍ଵଛ ଏବଂ ସାର୍ବଜନୀକ ପଦ୍ଧତିରେ କରିପାରିଲେ ହିଁ ଏକ ଜନହିତକାରୀ ସରକାର ଭାବେ ଅଧିକ ଲୋକପ୍ରିୟ ହୋଇପାରିବେ ।

 

ଓଡିଶା ଖାଦ୍ୟ ଅଧିକାର ଅଭିଯାନ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top