କୋଠା ସୁନ୍ଦର, କିନ୍ତୁ ସେବା?

News Story - Posted on 2017-11-30

ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ କଲେଜର ସାଂପ୍ରତିକ ରୂପ ସୌନ୍ଦର୍ଯ୍ୟ ଦେଖିଲେ ଆଖି ଖୋଷି ହୋଇଯିବ । କି ସୁନ୍ଦର ଭବ୍ୟ ଅଟ୍ଟାଳିକା ନିର୍ମାଣ କରାଯାଇ ଲୋକାର୍ପଣ କରାଗଲା! ମୁଖ୍ୟମନ୍ତ୍ରୀଙ୍କ କର ସ୍ପର୍ଶରେ ସତେ ଯେମିତି ୫ ମିନିଟ୍ ପାଇଁ ହସି ଉଠିଲା ୫୦୦ କୋଟି ଟଙ୍କାର ଅଟ୍ଟାଳିକା ।

 

ମାତ୍ର କିଛି କ୍ଷଣ ମଧ୍ୟରେ କୋଠା ଉଦଘାଟନ କରି ଫେରିଗଲେ ନବୀନବାବୁ । ଉପସ୍ଥିତ ଥିଲେ ମାତ୍ର ହାତଗଣତି ୫୦ ଜଣ । ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ଅଧ୍ୟାପକ ଅଧ୍ୟକ୍ଷ ସବୁ ଜଳକା ପରି ଅନାଉଥିବା ସମୟରେ ମୁଖ୍ୟମନ୍ତ୍ରୀ ପହଂଚିଲେ, ହାତ ଲଗାଇ ଦେଲେ ଦଉଡ଼ିକୁ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ନସରୁଣୁ ଅଧୈର୍ଯ୍ୟ ହୋଇ ଫେରିଗଲେ ବାବୁ ନବୀନ ପଟଟନାୟକ । ଜଳକା ପରି ଅନାଇ ରହିଥିଲେ ଜନସାଧାରଣ । ରାଶିରାଶି ଅର୍ଥ ଶ୍ରାଦ୍ଧରେ ଏହି ବଡ଼ ମେଡ଼ିକାଲର ପରିସରର ଚେହେରା ଯେମିତି ହସୁଥିଲା ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ଟିକିଏ ହସିଦେଇ ଥିଲେ ମଜା କିଛି ନିଆରା ହୋଇଥାନ୍ତା । ନବୀନବାବୁ ଗୋଟିଏ ଢ଼ଙ୍ଗରେ ଆସନ୍ତି, ଠିଆ ହୁଅନ୍ତ. ଗଣମାଧ୍ୟମକୁ ପୋଜ ଦିଅନ୍ତି, ଫେରିଯାଆନ୍ତି- ଏହା ତାଙ୍କ ଷ୍ଟାଇଲ୍ ।

 

ତଥାପି ଶାସନରେ ଶ୍ରେଷ୍ଠ, ପ୍ରଶାସନରେ ଶ୍ରେଷ୍ଠ!

 

ବ୍ରହ୍ମପୁର ବଡ଼ ମେଡ଼ିକାଲର ସମସ୍ୟାର ତାଲିକା ଯେତେ ଲମ୍ବା ତା’ର ସମାଧାନ ପାଇଁ ସମୟ ଦେବାରେ ଜଣାପଡ଼ୁଛି କେହି ବି ସମର୍ଥ ନୁହଁନ୍ତି ।

 

ନା’ ସ୍ୱାସ୍ଥ୍ୟମନ୍ତ୍ରୀ ନା ଜନସାଧାରଣଙ୍କ ସଂଗଠନର ଆନ୍ଦୋଳନ କିଏ ବି ସମାଧାନର ସୂତ୍ର ବାହାର କରିବା କାଠିକାର ପାଠ । ବଡ଼ ମେଡ଼କାଲର ସମସ୍ୟାକୁ ନେଇ ତିିନିମାସ ଭିତରେ ଆନ୍ଦୋଳନ ଚାଲିଛି ସହରରେ । ଘଣ୍ଟପିଟାଠୁଁ ବାଇକ ରାଲି ସବୁ ଫେଲ୍ ମାରିବାର ରହସ୍ୟ କ’ଣ ?
ହଁ, ମୁଖ୍ୟମନ୍ତ୍ରୀଙ୍କ ଆଗମନରୁ ସ୍ପଷ୍ଟ ଏଠି ଜଣାପଡ଼ିଲା ଯେ ମାତ୍ର ୫ ମିନିଟରେ ଉଦଘାଟନ ପର୍ବ ସାରିଦେଇ ପଳାଇଯିବା କାରଣ ହେଲା ବହୁ ସଂଗଠନର ଆନ୍ଦୋଳନ । କିନ୍ତୁ କୌଣସି ସଂଗଠନର କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ନଥିଲେ କାହିଁକି? କ’ଣ ପାଇ ଏ ନୀରବତା? ବ୍ରହ୍ମପୁରଠାରେ ମୁଖ୍ୟମନ୍ତ୍ରୀ ପହଂଚିଥିଲେ ଅତି କ୍ଲାନ୍ତ ବିଷର୍ଣ୍ଣ ବଦନରେ, ଟିକିଏ ବି ସରସତା ନଥିଲା । ଚାଲି ଚାଲି ଉଦଘାଟନ ସ୍ଥଳକୁ ଗଲେ । ମାତ୍ର ୨୦ ପାହୁଣ୍ଡ ଚାଲିବା ବି ତାଙ୍କ ପାଇଁ ଟିକିଏ କଷ୍ଟ ମନେ ହେଉଥିଲା । ଅଣନିଃଶ୍ୱାସୀ ଅବସ୍ଥାରେ ବଡ଼ ମେଡ଼ିକାଲ୍ କୋଠାଗୁଡ଼ିକ ଉଦଘାଟନ କରିଦେଲେ, ହେଲେ ଏଇ ମେଡ଼ିକାଲର ଭବ୍ୟ ପ୍ରାସାଦର ଅଟ୍ଟାଳିକାଗୁଡ଼ିକୁ ସ୍ୱାସ୍ଥ୍ୟସେବାର ବାଟଟି କେମିତି ଫିଟିବ ତାହା ସେ ବୁଝିଲେ ନାହିଁ ।

 

ଏକ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ହାତେଇଥିବା ଏଲ୍ ଆଣ୍ଡ ଟି ବଡ଼ବଡ଼ କୋଠାଗୁଡ଼ିକୁ ଥୋଇ ଦେଇକ୍ତି ମହାନଗରୀର ଭ୍ରମଟିଏ ତିଆରି କରିବାର ରୂପଚର୍ଯ୍ୟାରେ । କେତେ ଖର୍ଚ୍ଚ, ପକେଟ୍ ଖର୍ଚ୍ଚ କେତେ, କମିଶନ କେତେ ବାଟବଣା ତା’ର ହିସାବ କିତାବ କରିବ କିଏ? ଭବ୍ୟ ପ୍ରସାଦ ଭିତର ରୋଗୀ ଶୋଇବେ । ଡ଼ାକ୍ତର ସେବା ନେବେ । ଡ଼ାକ୍ତରୀ ଛାତ୍ର ପାଠ ପଢ଼ିବେ । ପ୍ରେକ୍ଷାଳୟରେ ନାଚଗୀତ ଆଲୋଚନା ଚକ୍ର ଅଧିବେଶନ ବସିବ କିନ୍ତୁ ଏସବୁ ଭିତରେ ମୌଳିକ ସ୍ୱାସ୍ଥ୍ୟସେବା ଦେବାର କାହାଣୀ ଗାଉଥିବା ଏମକେସିଜିରେ ପ୍ରକୃତ ପରିଚୟ ହଜିଯିବନି ତ? ଏଠାରେ କୋଠାକୁ ସୁନ୍ଦର କରାଯାଇଛି । ମଣିଷଙ୍କ ହୃଦୟଗୁଡ଼ିକ ସୁନ୍ଦର ହୋଇଯିବ ପ୍ରକୃତ ସେବା ଜନସାଧାରଣଙ୍କୁ ସମର୍ପି ଦିଆଯାଏ ହୁଏତ ମନ୍ଦିର ପାଲଟିଯିବ । ଏଠାରେ କୋଟି କୋଟି ଟଙ୍କାର ସୁରମ୍ୟ ଅଟ୍ଟାଳିକାର ନିର୍ମାଣ ସାର୍ଥକତା ସେଇଦିନ ଜନସାଧାରଣ ଉପଲବ୍ଧ କରିବ ଯେଉଁଦିନ କୌଣସି ଗାଡ଼ି ବିଶାଖପାଟଣା କିମ୍ବା ଭୁବନେଶ୍ୱର ନଯାଇ ରୋଗୀଟି ସ୍ୱାସ୍ଥ୍ୟସେବା ପାଇ ଖୁସୀ ହେବ । କୋଠାର ସୌନ୍ଦର୍ଯ୍ୟ ଟପିଯିବ ।

 

ରୋଗୀର ଅଧରରେ ହସର ସୌନ୍ଦର୍ଯ୍ୟ, ମଣିଷମାନେ ମଣିଷ ଉପରେ ଦାଉ ସାଧୁଥିବାର କାହାଣୀ ଆଉ ଆମକୁ ଗଣମାଧ୍ୟମ ପୃଷ୍ଠା ସଜାଡ଼ି ଲେଖିବାକୁ ପଡ଼ିବନି ଏବଂ ହଜାର କୋଟି ଟଙ୍କାର ବଡ଼ ମେଡ଼ିକାଲ୍ କୋଠାର ଭବ୍ୟ ପ୍ରାସାଦ ଭତରୁ ଶୁଭୁଥିବ ହଁ ମାନବ ସେବା ହିଁ ମାଧବର ସେବା ।

 

ଶ୍ରେଷ୍ଠ ବ୍ରହ୍ମପୁର ଗଢ଼଼ିବାର ସ୍ୱପ୍ନ ଭିତରେ ରନ୍ଧ୍ର..!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top