ବିଜେପିର କଂଗ୍ରେସୀକରଣ!

News Story - Posted on 2017-11-30

ସୂର୍ଯ୍ୟମଣି ମିଶ୍ର

 

ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଧିକାରୀ ସୂତ୍ରରେ କ୍ଷମତା ପାଇନାହାନ୍ତି । ଅତି ସାଧାରଣ ପରିବାରରୁ ବିଶ୍ୱର ସର୍ବବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି । ଏହା ପୂର୍ବରୁ ଲାଲବାହାଦୁର ଶାସ୍ତ୍ରୀ, ଗୁଜରଲାଲ ନନ୍ଦା ଏବଂ ଅଟଳ ବିହାରୀ ବାଜପାୟୀଙ୍କ ଭଳି ସାଧାରଣ ପରିବାରରୁ ଆସିଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ତିନିବର୍ଷ ପୂରଣ ପୂର୍ବରୁ ତାଙ୍କୁ ହଟାଇବା ପାଇଁ ଦେଶବ୍ୟାପୀ ସୋସିଆଲ୍‍ ମିଡିଆରେ ବିପ୍ଳବ ଆରମ୍ଭ ହୋଇଛି । ଏଇଠି ଅଟକିନି ତାଙ୍କ ବିରୋଧରେ ସ୍ୱର । କଂଗ୍ରେସ ଓ ବାମଦଳ ସମେତ ଅନ୍ୟ କେତେକ ଆଞ୍ଚଳିକ ଦଳ ମଧ୍ୟ ମୋଦି ବିରୋଧୀ ଆନ୍ଦୋଳନରେ ମୁଖର । ଏହି ସମୟରେ ଦେଶର ସର୍ବପୁରାତନ ଦଳର ସମ୍ଭାବ୍ୟ ଅଧ୍ୟକ୍ଷ ତଥା ବର୍ତ୍ତମାନର ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମୋଦିଙ୍କ ବିକଳ୍ପ ଦୌଡ଼ରେ ଥିବା ଲକ୍ଷ୍ୟ କରାଯାଇଛି । ଗୁଜୁରାଟ ନିର୍ବାଚନର ବିଗୁଲ ବାଜିବା କ୍ଷଣି ରାହୁଳଜୀ ମୋଦିଜୀଙ୍କୁ ଏକ ବିଫଳ ରାଜନେତା ଭାବରେ ଚିତ୍ରଣ କରିଛନ୍ତି । ବିଜେପି ଦଳକୁ ସାଂପ୍ରଦାୟିକ ଦଳ ବୋଲି କହିବା ସହ ବିମୁଦ୍ରାକରଣ ଓ ଜିଏସଟି ଭଳି ପଦକ୍ଷେପ ଦେଶର ସାଧାରଣ ନାଗରିକଙ୍କ ଆର୍ଥିକ ସ୍ୱାଧୀନତାକୁ ବିପନ୍ନ କରିଥିବା ସୂଚାଇଛନ୍ତି ।

 

ରାହୁଳ ଗାନ୍ଧି ଆସନ୍ତା ଡିସେମ୍ବର ୧୯ ସୁଦ୍ଧା କଂଗ୍ରେସ ଦଳର ସର୍ବୋଚ୍ଚ ପଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ଥୟ । ଏହା କଂଗ୍ରେସ ଦଳରେ ପ୍ରଭାବ ପକାଇବ । ଦଳରେ ପରିବର୍ତ୍ତନ ଆସିବ ବୋଲି କଂଗ୍ରେସ କର୍ମୀମାନେ ମତଦେବା ଆରମ୍ଭ କଲେଣି । କଂଗ୍ରେସ ଦଳକୁ ନେହେରୁ ସମ୍ଭାଳି ଥିଲେ । ଏହାପରେ ଇନ୍ଦିରାଜୀ ଓ ରାଜୀବଜୀଙ୍କ ହାତମୁଠାରେ ଦଳ ଥିଲା । ରାଜୀବଜୀଙ୍କ ସମୟକୁ ଛାଡ଼ିଦେଲେ ଦଳର ଅନ୍ୟ କେତେଜଣ ବରିଷ୍ଠ ନେତା ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ପଦ ଦାୟିତ୍ୱ ନେଇଥିଲେ । ତେବେ ନେହରୁ ଓ ଗାନ୍ଧି ପରିବାରର ସଦସ୍ୟ ବ୍ୟତୀତ ଅନ୍ୟ କେହି ଅଧ୍ୟକ୍ଷ ପଦରେ ଆସୀନ ହେଲାପରେ ଦଳରେ ଶୃଙ୍ଖଳା ବ୍ୟାହତ ହୋଇଥିବା ନରସିଂହ ରାଓ ଓ ସୀତାରାମ କେଶରୀଙ୍କ ଅଧ୍ୟକ୍ଷ ସମୟକୁ ମନେ ପକାଯାଇପାରେ । ଏବେ ଏପରି ଏକ ସମୟ ଯେଉଁ ସମୟରେ ଦଳ ପାଇଁ ରାହୁଲଜୀଙ୍କୁ କିଛି ଜନତାଙ୍କୁ ଆକର୍ଷିତ କରିବା ଭଳି କାର୍ଯ୍ୟ କରିବାକୁ ହେବ । କଂଗ୍ରେସ ଦଳର ନୀତିଗତ ନିଷ୍ପତ୍ତି ଏଯାଏଁ ଦିଲ୍ଲୀର ୧୦ ଜନପଥରେ ହେଉଥିଲା । ଡିସେମ୍ବର ୧୯ ପରେ ରାହୁଲଜୀଙ୍କ ବାସଭବନରେ ହେବ । ରାହୁଲଜୀ ଧୀରେ ଧୀରେ ନିଜର ନିଷ୍ପତ୍ତି ନେବାରେ ସକ୍ଷମ ଓ ସଫଳ ହେବେ, ଏପରି ଆଶା କରାଯାଉଛି । ଯଦିଓ ଦଳରେ ରାହୁଳଜୀଙ୍କ ଅଧ୍ୟକ୍ଷ ପଦକୁ ନେଇ କିଛି ବରିଷ୍ଠ ନେତା ବାହାରକୁ ମୁହଁ ଖୋଲୁନଥିଲେ ହେଁ ଖୁସିନଥିବା ସୂଚନା ମିଳିଛି । ମୋଦିଜୀଙ୍କ ଭଳି ଶକ୍ତିଶାଳୀ ନେତାଙ୍କୁ ମୁକାବିଲା କରିବାରେ ରାହୁଳଜୀଙ୍କ ସାମର୍ଥ୍ୟ ଉପରେ ଏଯାଏଁ ଜନତାଙ୍କ ମନରୁ ପ୍ରଶ୍ନବାଚୀ ଦୂର ହୋଇନି । କାରଣ ରାହୁଳଜୀଙ୍କ ପରିପକ୍ୱତା ଉପରେ ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠିଛି ।

 

ରାହୁଳଜୀଙ୍କ ବକ୍ତବ୍ୟ ଏବଂ ଉଠାଉଥିବା ପ୍ରସଙ୍ଗ ସଶକ୍ତ ହୋଇପାରିନି । ମୋଦିଜୀଙ୍କ ସରକାର ବିରୁଦ୍ଧରେ ସେ ଭାଷଣ ଉଲ୍ଲେଖ କରୁଥିବା ପରିସଂଖ୍ୟାନ କେତେକ କ୍ଷେତ୍ରରେ ଭୁଲ ପ୍ରମାଣିତ ହୋଇଛି । ସାଧାରଣରେ ଲୋକ ଏଭଳି ଭାଷଣକୁ ନେଇ ହସୁଛନ୍ତି । ରାହୁଳଜୀ ମୋଦିଜୀଙ୍କୁ ମୁକାବିଲା କରିବା ପାଇଁ ନିଜର ନେତୃତ୍ୱର ମାନକୁ ଆହୁରି ସଶକ୍ତ କରିବାକୁ ହେବ । ବିଜେପିର ସର୍ବୋଚ୍ଚ ନେତୃତ୍ୱ ତାଲିକାରେ କେବଳ ମୋଦିଜୀ ନୁହଁନ୍ତି, ତାଙ୍କୁ ଛାଡ଼ିଦେଲେ ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ଅରୁଣ ଜେଟ୍‍ଲୀଙ୍କ ଭଳି ନେତା ମଧ୍ୟ ଅଛନ୍ତି । ଏହିପରି ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ, ଅଖିଲେଶ ଯାଦବ, ବହୁଜନ ସମାଜବାଦୀ ପାର୍ଟିର ମାୟାବତୀ, ଜନତା ଦଳ(ୟୁ)ର ନୀତୀଶ କୁମାର, ଏହା ବ୍ୟତୀତ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକରେ ବହୁ ବରିଷ୍ଠ ନେତା ଅଛନ୍ତି । ଯେଉଁମାନେ ରାହୁଳଜୀଙ୍କ ଠାରୁ ରାଜନୀତିରେ ଅଧିକ ପରିପକ୍ୱ । ଏହି ସମସ୍ତ ନେତାଙ୍କୁ ଅତିକ୍ରମ କରିବା ରାହୁଳଜୀଙ୍କ ପାଇଁ ଏତେ ସହଜ ନୁହେଁ । ଏଥିପାଇଁ ରାହୁଳଜୀ କ’ଣ ପ୍ରସ୍ତୁତ କି? ଦେଶର ହିନ୍ଦୀବହୁଳ ରାଜ୍ୟରେ କଂଗ୍ରେସ ପଛରେ । କେତେବେଳେ ଅଖିଳେଶଙ୍କ ପଛରେ ତ କେତେବେଳେ ମାୟାବତୀଙ୍କ ପଛରେ । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ରାହୁଳଜୀଙ୍କ ପ୍ରତି ଜନତାଙ୍କ ଆକର୍ଷଣ ଯେ ବୃଦ୍ଧି ପାଉନାହିଁ, ତାହାକୁ ଅସ୍ୱୀକାର କରାଯାଇନପାରେ । କିନ୍ତୁ ମୋଦିଜୀଙ୍କ ଆକର୍ଷଣ ସହ ତୁଳନା କରିବା ଭୁଲ ହେବ ।

 

ଫେସ୍‍ବୁକ୍‍ ଏବଂ ଟ୍ୱିଟର୍‍ ଲାଇକରେ ରାହୁଳଜୀଙ୍କୁ କିଛିଦିନ ପୂର୍ବେ ଅଧିକ ଲୋକ ପସନ୍ଦ କରିଥିବା ସୂଚନା ମିଳିଥିଲା । କିନ୍ତୁ ପରେ ଜଣାପଡ଼ିଲା ଏହା ପଛରେ କର୍ପୋରେଟ୍‍ ହାଉସର ହାତ ଅଛି । ଏବେ ବି ରାହୁଳଜୀ ଲେଖାଯାଇଥିବା ଭାଷଣ ପଢ଼ୁଛନ୍ତି । ଏହାର ବାର୍ତ୍ତା ସାଧାରଣଙ୍କୁ କ’ଣ ଯାଉଛି? ଯେଉଁଦିନ ରାହୁଳଜୀ ବିନା ଲେଖାରେ ଭାଷଣ ଦେବେ, ସଠିକ୍‍ ପ୍ରଶ୍ନ ଉଠାଇବେ, ତେବେ ମୋଦିଜୀଙ୍କ ବିକଳ୍ପ ଦୌଡ଼ରେ ସଫଳ ହେବେ ଏବଂ ତାଙ୍କର ପରିପକ୍ୱତା ନେଇ ଆଉ ପ୍ରଶ୍ନ ଉଠିବ ନାହିଁ । କଂଗ୍ରେସ ପାଇଁ ବିଜୟର ଦିନ ବିଳମ୍ବ ହେବନି ।

 

ନିକଟରେ ଏକ ବିଦେଶୀ ଏଜେନ୍ସି ପକ୍ଷରୁ କରାଯାଇଥିବା ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୮୮ ପ୍ରତିଶତ ସହ ଦେଶର ସର୍ବାଧିକ ଜନପ୍ରିୟ ନେତା ବୋଲି ଉଲ୍ଲେଖ କରିଛି । ଏହି ସର୍ଭେରେ ୫୮ ପ୍ରତିଶତ ସହ ରାହୁଳ ଗାନ୍ଧି ଦେଶର ଦ୍ୱିତୀୟ ସର୍ବାଧିକ ଆଦୃତ ନେତା ବୋଲି କୁହାଯାଇଛି । ହୁଏତ ଏହି ସର୍ଭେ ରିପୋର୍ଟ ସହ ଅନେକ ବୁଦ୍ଧିଜୀବୀ ସହମତ ଓ ଅସହମତର ସୂଚନା ଦେଇଛନ୍ତି । ଏହି ସର୍ଭେ ଗୁଜୁରାଟ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଉପସ୍ଥାପିତ କରାଯାଇଥିବା କୁହାଯାଉଛି । ଏହି ସର୍ଭେର ସତ୍ୟତା ହୁୁଏତ ଗୁଜୁରାଟ ନିର୍ବାଚନ ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବ । ବିଜେପି ଗୁଜୁରାଟ ନିର୍ବାଚନ ଅଭିଯାନରେ ରାହୁଲ ଗାନ୍ଧିଙ୍କୁ ପପ୍ପୁ ବୋଲି ଏକ ବିଜ୍ଞାପନରେ ଦର୍ଶାଇଥିଲା । ଯାହାକୁ ନିର୍ବାଚନ କମିଶନ ହଟାଇ ଦେଇଛନ୍ତି । ଲୋକପ୍ରିୟତା ଦୃଷ୍ଟି ମୋଦିଜୀ ଓ ରାହୁଲଜୀଙ୍କ ମଧ୍ୟରେ ଯେତେ ଫରକ ଥାଉନା କାହିଁକି, ଆଗମୀ ଦିନରେ ମୋଦିଜୀଙ୍କୁ ମୁକାବିଲା କରିବାର ଶକ୍ତି ରାହୁଲଜୀଙ୍କ ପାଖରେ ଅଛି । ଏନେଇ ଜନତାଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇଛି । ୨୮୨ ଲୋକସଭା ଆସନର ନେତା ନରେନ୍ଦ୍ର ମୋଦିଙ୍କ ତୁଳନାରେ ୪୪ ଆସନ ବିଶିଷ୍ଟ ନେତା ହେଉଛନ୍ତି ରାହୁଳ ଗାନ୍ଧି । ଲୋକପ୍ରିୟତାରେ ମୋଦୀଜି ଆଗରେ ନିଶ୍ଚୟ । ତାଙ୍କୁ ପଛକୁ ହଟାଇ ଆଗକୁ ଯିବା ପାଇଁ ରାହୁଳଜୀଙ୍କୁ ଅଧିକ ସଂଗ୍ରାମ କରିବାକୁ ପଡ଼ିବ । କଂଗ୍ରେସ ଦଳ ନେତୃତ୍ୱାଧୀନ ସରକାର ୨୫ ବର୍ଷ ପୂର୍ବେ ଯେଉଁ ଉଦାରୀକରଣ ଆର୍ଥିକ ନୀତି କାର୍ଯର୍୍ୟକାରୀ କରିଥିଲେ, ତା’ର ପରାଭବ ହେଲା ଧନୀ ଅଧିକ ଧନୀ ହେଉଛନ୍ତି, ଆଉ ଗରିବ ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି । ଧନୀ-ଗରିବ ବ୍ୟବଧାନ ବା ଆର୍ଥିକ ଅସମାନତା ଆକାଶକୁ ଛୁଇଁଲାଣି । ଏହି ନୀତିକୁ ନବଦଳାଇବାର ପ୍ରତିଶ୍ରୁତି ନଦେବା ଯାଏ ରାହୁଲଜୀ ଯେ ଏକ ନୂଆ ଭାରତ ଗଢ଼ିବେ ଓ ଅସମାନତା ଦୂର କରିବେ ଏନେଇ ବିଶ୍ୱାସ ସୃଷ୍ଟି ହେବ ବା କିପରି?

 

୨୦୧୭ ଆରମ୍ଭରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଧରାଶାୟୀ ହୋଇଗଲା । ଗୁଜୁରାଟ ନିର୍ବାଚନ ପ୍ରଚାର ରାହୁଳଜୀଙ୍କୁ ଯଦିଓ ଜାତୀୟ ରାଜନୀତିରେ ମୋଦିଜୀଙ୍କ ବିକଳ୍ପ ଭାବେ ପ୍ରସ୍ତୁତ କରିଛି, ଏହା ସ୍ୱୀକାର କରିବାକୁ ଉଚିତ ହେବ ଯେ ଆଗାମୀ ୨୦୧୯ ନିର୍ବାଚନରେ ରାହୁଲଜୀଙ୍କ ନେତୃତ୍ୱାଧୀନ କଂଗ୍ରେସ ଏକାକୀ ମୋଦିଜୀଙ୍କୁ ମୁକାବିଲା କରିପାରିବ ନାହିଁ । ୨୦୧୪ ସାଧାରଣ ନିର୍ବାଚନ ଏହାର ଉଦାହରଣ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ହେବ । ଗୁଜୁରାଟ ନିର୍ବାଚନ ଫଳାଫଳ ଏହି ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ ନିଶ୍ଚୟ । ମୋଦିଜୀଙ୍କ ଲୋକପ୍ରିୟତାରେ ଆଞ୍ଚ ଆସିଲେ ହୁଏତ ରାହୁଳଜୀଙ୍କ ପାଇଁ ସ୍ୱଭାବିକ ଲାଭ ହେବ ।

 

ରାହୁଳଜୀଙ୍କ ପାଇଁ ମୋଦିଜୀଙ୍କୁ ଅଡ଼ୁଆରେ ପକାଇବା ଭଳି ଏକାଧିକ ପ୍ରସଙ୍ଗ ରହିଛି । ଏହି ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଗୋରକ୍ଷକଙ୍କ ଉନ୍ମାଦ, ଲଭ୍‍ ଜିହାଦୀ, ପଦ୍ମାବତୀ ପ୍ରକରଣ ସହ ବିମୁଦ୍ରାକରଣ ଓ ଜିଏସଟି ଅନ୍ତର୍ଭୁକ୍ତ । ମୋଦିଜୀଙ୍କ ମାତୃ ସଂଗଠନ ଆରଏସଏସ ଏବଂ ଦଳ ବିଜେପିର ଏକାଧିକ ନେତା ଯେଭଳି ଭାଷଣରେ ହିଂସାତ୍ମକ ଉଚ୍ଚାରଣ କରୁଛନ୍ତି ଓ ଗୋମାତାର ସୁରକ୍ଷା ନାଁରେ ହତ୍ୟାକାଣ୍ଡ ଘଟଣା ଘଟାଉଛନ୍ତି ଏବଂ ସାଂପ୍ରଦାୟିକତାର ବିଷ ମଞ୍ଜି ବୁଣୁଛନ୍ତି, ତାହା ମୋଦିଜୀଙ୍କ ଲୋକପ୍ରିୟତାକୁ ହ୍ରାସ କରୁଛି ନିଶ୍ଚୟ ।

 

ମୋଦିଜୀ ଓ ତାଙ୍କ ଦଳ ବିଜେପି ପାଇଁ ସବୁଠାରୁ ବଡ଼ ବାଧକ ସାଜିଛି, ବିଜେପିର କଂଗ୍ରେସୀକରଣ । କଂଗ୍ରେସ ସମୟର ଯୋଜନାକୁ ନାମ ପରିବର୍ତ୍ତନ କରି କାର୍ଯ୍ୟକାରୀ କରିବା, ଇନ୍ଦିରାଜୀଙ୍କ ନୀତିକୁ ଆପଣେଇବା, ଏହାସହ କଂଗ୍ରେସର ଏକାଧିକ ଚର୍ଚ୍ଚିତ ତଥା ବିବାଦୀୟ ନେତାଙ୍କୁ ଦଳକୁ ଆଣିବା ତାଙ୍କର ଏହି ନୀତିର ନମୂନା । ଏହି ତାଲିକାରେ ପଶ୍ଚିମବଙ୍ଗର ସାରଦା ଚିଟ ଫଣ୍ଡ ସହ ଜଡ଼ିତ ହୋଇ ଜେଲ୍‍ ଯାଇଥିବା ମୁକୁଲ ରାୟଙ୍କ ଭଳି ନେତା ଅନ୍ୟତମ । ଏହାସହ ଦୁର୍ନୀତିରେ ଜଡ଼ିତ ହୋଇ ଜେଲ୍‍ ଯାଇଥିବା ସୁଖରାମ ଓ ତାଙ୍କ ପୁଅଙ୍କୁ ବିଜେପିକୁ ଆଣିବା ଫଳରେ ଦଳ ଏକ ସଂସ୍କାରର ଦଳ ବୋଲି ପରିହାସରେ ଲୋକ କହିବା ଆରମ୍ଭ କଲେଣି । ଲୋକ କଥା ଅନୁଯାୟୀ ଗଙ୍ଗାରେ ବୁଡ଼ ପକାଇଲେ ସମସ୍ତ ପାପ ଯେପରି ଧୋଇଯାଏ, ଠିକ୍‍ ସେହିପରି ଦୁର୍ନୀତିଗ୍ରସ୍ତ ବିଜେପିକୁ ଆସିଲେ ତାଙ୍କ ଦେହରୁ ଦୁର୍ନୀତିର କାଳିମା ଲିଭିଯାଏ । କେବଳ ଏଇଠି ଅଟକିନି ବିଜେପିର କଂଗ୍ରେସୀକରଣ ପର୍ବ । ନଜମା ହେଫତୁଲ୍ଲା, ରୀତା ବହୁଗୁଣା, ଏନବି ରେନସିଂହ, କଂଗ୍ରେସରେ ଥିବା ସତପାଲ ମହରାଜ, ତାଙ୍କ ପତ୍ନୀ ଅମୃତା ରାୱତ୍‍, ବିଜୟ ବହୁଗୁଣା, ହରକ୍‍ ସିଂହ ରାୱତ୍‍, ଯଶପାଲ ଆର୍ଯ୍ୟ, ଗିରିଧାରୀ ଗମାଙ୍ଗଙ୍କ ଭଳି ନେତା ଏବେ ବିଜେପିରେ । ଅନ୍ୟପଟେ ବିଜେପିର ଶଙ୍କରସିଂହ ବାଘେଲା, ନାରାୟଣ ରାଣେ, ସଞ୍ଜୟ ନିରୂପମଙ୍କ ଭଳି କେତେକ ନେତା ରାଷ୍ଟ୍ରବାଦ ଛାଡ଼ି ଏବେ ଧର୍ମନିରପେକ୍ଷ କଂଗ୍ରେସରେ ।

 

ଓଡ଼ିଶାଠାରୁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଭଳି ସମସ୍ତ ରାଜ୍ୟରେ ବିଜେପିରେ କଂଗ୍ରେସ ସଦସ୍ୟ ଓ ନେତାଙ୍କ ପ୍ରବେଶକୁ ଦେଖିଲା ପରେ ବିଜେପି ଯେ କଂଗ୍ରେସୀକରଣ ହେବାରେ ଲାଗିଛି, ତାହା ସ୍ପଷ୍ଟ ହେଉଛି । ରାହୁଳଜୀ ମୋଦିଜୀଙ୍କ ବିକଳ୍ପ ଦୌଡ଼ରେ ଦୌଡ଼ି ମୋଦିଜୀଙ୍କୁ ପଛରେ ପକାଇବାର ସମ୍ଭାବନା ନିକଟରେ ନଥିଲେ ହେଁ ଭବିଷ୍ୟତରେ ଯେ ମୋଦିଜୀଙ୍କୁ ପଛରେ ନପକାଇବେ, ତାହାକୁ ଅସ୍ୱୀକାର କରାଯାଇ ନପାରେ । ଯଦିଓ କଂଗ୍ରେସ ଓ ବିଜେପିର ଆର୍ଥିକ ନୀତିରେ ଫରକ ନାହିଁ, ଯଦିଓ ଉଭୟ ଦଳ ଆମେରିକା ସାମ୍ରାଜ୍ୟବାଦର ସପକ୍ଷରେ । କେବଳ ମୋଦିଜୀଙ୍କ ପାଇଁ ସଂକଟ ହେଉଛି ସାଂପ୍ରଦାୟିକତାର ଏଜେଣ୍ଡା ଆଉ ରାହୁଳଜୀଙ୍କ ବିକଳ୍ପ ଦୌଡ଼ର ଆସେଟ୍‍ ହେଉଛି ଧର୍ମନିରପେକ୍ଷତା । କିନ୍ତୁ ଉଭୟ ଦଳର ନେତା କେହି କର୍ପୋରେଟ୍‍ ହାଉସର ସ୍ୱାର୍ଥ ବିରୋଧରେ ଯାଇ ସାଧାରଣଜନତାଙ୍କ ବିକାଶ ପାଇଁ ଯେ ପ୍ରତିବଦ୍ଧ, ତାହାର ସୂଚନା ଏଯାଏଁ ମିଳିନି । ରାହୁଲଜୀ ମୋଦିଜୀଙ୍କ ବିକଳ୍ପ ଦୌଡ଼ରେ ଦୌଡ଼ୁଛନ୍ତି ଆଉ ବିଜେପିର କଂଗ୍ରେସୀକରଣ ଆଗକୁ ବଢ଼ୁଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top