ଅଣ୍ଡା ନିରାମିଷ!

News Story - Posted on 2017-11-30

କୁକୁଡ଼ା ଅଣ୍ଡା ଆମିଷ ନା ନିରାମିଷ? ଏମିତି ଏକ ପ୍ରଶ୍ନ ଅନେକ ସମୟରେ ଉଠିଥାଏ । ଏହା ଏକ ଆମିଷ ବୋଲି ଲୋକଙ୍କ ମଧ୍ୟରେ ଏକ ଦୃଢ଼ ଧାରଣା ରହିଛି । ତେବେ କେହି କେହି ଏହା ନିରାମିଷ ବୋଲି ଯୁକ୍ତି କରିଥାନ୍ତି । ଏହି ଯୁକ୍ତିକୁ ଗ୍ରହଣ କରୁଥିବା ନିରାମିଷାଶୀ ଲୋକମାନେ ତେଣୁ ଅଣ୍ଡା ଖାଇବାକୁ ଭଲ ପାଇଥାନ୍ତି ।

 

ତେବେ ସଂପ୍ରତି ବୈଜ୍ଞାନିକମାନେ ଏହାର ଏକ ଚୂଡ଼ାନ୍ତ ଉତ୍ତର ଦେଇଛନ୍ତି । ଏହା ପରେ ଏନେଇ ଚାଲି ଆସିଥିବା ଦ୍ୱନ୍ଦ୍ୱ ଓ ସନ୍ଦେହରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଉଛି । ବୈଜ୍ଞାନିକମାନଙ୍କ ମତରେ ଅଣ୍ଡା ହେଉଛି ଏକ ଶୁଦ୍ଧ ନିରାମିଷ ଖାଦ୍ୟ!

 

ଏକ ଜୀବନ୍ତ ପ୍ରାଣୀ କୁକୁଡ଼ାଠାରୁ ମିଳୁଥିବାରୁ ଅଣ୍ଡା ଏକ ଆମିଷ ବୋଲି ଏକ ଧାରଣା ରହିଛି । କିନ୍ତୁ ବୈଜ୍ଞାନିକମାନଙ୍କ ଅନୁଶୀଳନ ହେଉଛି ଭିନ୍ନ ପ୍ରକାର । ସେମାନଙ୍କ ମତରେ ଅଣ୍ଡାର ତିନିଟି ଅଂଶ ରହିଛି । ଗୋଟିଏ ହେଉଛି ଏହାର ଖୋଳପା, ଆରଟି ଏହାର ଧଳା ନାଳୁଆ ଅଂଶ ଏବଂ ତୃତୀୟରେ ଏହାର ହଳଦିଆ କେଶର । ଅଣ୍ଡାର ଧଳା ନାଳୁଆ ଅଂଶରେ କେବଳ ପୁଷ୍ଟିସାର ରହିଛି । ଏହାର କେଶରରେ ପୁଷ୍ଟିସାର ସହିତ ଚର୍ବି ଓ କୋଲେଷ୍ଟରଲ ରହିଛି ।

 

ଲୋକମାନେ ଯେଉଁସବୁ ଅଣ୍ଡା ଖାଉଛନ୍ତି ସେଥିରେ ଭ୍ରୁଣ ନଥାଏ । ସେଥିରୁ ଆଉ ଗୋଟିଏ କୁକୁଡ଼ା ଜନ୍ମ ହେବାର ସମ୍ଭାବନା ନାହିଁ । ଫାର୍ମର ଲେୟାର କୁକୁଡ଼ା ବିନା ଗଞ୍ଜାରେ ଅଣ୍ଡା ଦିଏ । ତେଣୁ ଫାର୍ମ ଅଣ୍ଡାରୁ କୁକୁଡ଼ା ଚିଆଁ ଜନ୍ମ ନିଏ ନାହିଁ । ସେହିପରି ଦେଶୀ କୁକୁଡ଼ାମାନେ ମଧ୍ୟ ୬ ମାସ ବୟସର ହୋଇଗଲେ ଅଣ୍ଡା ଦେଇଥାନ୍ତି । ଗଞ୍ଜା ସହିତ ନମିଶି ଯଦି କୁକୁଡ଼ା ଅଣ୍ଡା ଦେଇଥାଏ ତେବେ ସେଥିରୁ ମଧ୍ୟ କୁକୁଡ଼ା ଚିଆଁ ବାହାରେ ନାହିଁ । ବୈଜ୍ଞାନିକମାନଙ୍କ ମତରେ ଅଣ୍ଡା ଦେବା ପାଇଁ କୁକୁଡ଼ା ସହିତ ଗଞ୍ଜା ମିଶିବାର କିଛି ବାଧ୍ୟବାଧକତା ନାହିଁ । ଗଞ୍ଜା ସହଯୋଗ ବିନା ବି କୁକୁଡ଼ା ଅଣ୍ଡା ଦେଇପାରେ ।

ତେଣୁ ଏହି ଅଣ୍ଡାକୁ ଖାଇଲେ ଆଉ ଗୋଟେ ପ୍ରାଣୀକୁ ଖାଇଲ ବୋଲି କୁହାଯାଇ ପାରିବ ନାହିଁ । ଯେଉଁ ଅଣ୍ଡାରେ ଆଉ ଗୋଟିଏ ପ୍ରାଣୀ ଜନ୍ମ ନେବାର ସମ୍ଭାବନା ନାହିଁ ବା ଯାହା ଭ୍ରୂଣ ରହିତ ତାହା ତେଣୁ ନିରାମିଷ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top