ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ କ’ଣ?

News Story - Posted on 2017-11-30

ଶକ୍ତିଶାଳୀ ଭାରତ ଗଠନ ପାଇଁ ନ୍ୟାୟପାଳିକା ସରକାରଙ୍କ ସହିତ ମିଶି କାମ କରିବା ଉଚିତ ବୋଲି ମତ ଦେଇ ଏକ ବିବାଦ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବିଧାନ ଦିବସ ପାଳନ ଅବସରରେ ସେ ସମ୍ବିଧାନକୁ ପ୍ରଶଂସା କରିବା ସହିତ ଏହା ସମୟର କଷଟି ପଥରରେ କଷି ହୋଇସାରିଛି ବୋଲି କହିଛନ୍ତି । ତେବେ ସବୁ ସାମ୍ବିଧାନିକ ସଂସ୍ଥା ଗୋଟିଏ ପରିବାର ଭଳି ସହଯୋଗମୂଳକ ଭାବେ କାମ କରିବା ଉଚିତ ବୋଲି ସେ ଦେଇଥିବା ମତ ସମ୍ବିଧାନର ‘କ୍ଷମତାରର ଭାରସାମ୍ୟ’ ବ୍ୟବସ୍ଥାର ଉଲ୍ଲଙ୍ଘନ ପାଇଁ ଉଦ୍ଦିଷ୍ଟ ବୋଲି ସମ୍ବିଧାନ ବିଶେଷଜ୍ଞମାନେ ମତ ଦେଉଛନ୍ତି ।

 

ଜାତୀୟ ଆଇନ ଦିବସ ବା ସମ୍ବିଧାନ ଦିବସ ଉତ୍ସବର ଉଦଯାପନୀ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମୟ ଅତିକ୍ରାନ୍ତ ହେବା ସଙ୍ଗେସଙ୍ଗେ ଆମ ସମ୍ବିଧାନ ସମସ୍ତ ପ୍ରକାର ପରୀକ୍ଷା ଓ ଆହ୍ୱାନର ମୁକାବିଲା କରି ଉତ୍ତୀର୍ଣ୍ଣ ହୋଇଛି । ସମସ୍ତ ସନ୍ଦେହ ମିଥ୍ୟା ପ୍ରମାଣିତ ହୋଇଛି । ସେ କହିଛନ୍ତି ଯେ ଡଜନେ ଉପରେ ଧର୍ମ, ଶତାଧିକ ଭାଷା, ୧୭୦୦ ଉପରେ କଥିତ ଭାଷା ଏବଂ ଅନେକ ଜାତି ଓ ସଂପ୍ରଦାୟର ଦେଶ ବିଶାଳ ଭାରତକୁ ଏକଜୁଟ କରି ରଖିôବା ଭଳି ଏକ ଐତିହାସିକ ଦଲିଲ ପ୍ରଣୟନ କରିବା କିଛି ସହଜ କଥା ନଥିଲା । କିନ୍ତୁ ଆମ ସମ୍ବିଧାନ ଆମର ଏହି ବିବଧ ଭାରତକୁ ଏକାଠି ରଖିପାରିଛି ।

 

ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଉକ୍ତି ଉଦ୍ଧାର କରି ସେ କହିଛନ୍ତି ଯେ ଏହି ସମ୍ବିଧାନ କାର୍ଯ୍ୟକ୍ଷମ ଓ ନମନୀୟ ଏବଂ ଯୁଦ୍ଧ ଓ ଶାନ୍ତି ସମୟରେ ଦେଶକୁ ଏକଜୁଟ କରି ରଖିôବାକୁ ଶକ୍ତିଶାଳୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି କିଛି ଭୁଲ ହେଉଛି ତେବେ ତାହା ସମ୍ବିଧାନର ଦୋଷ ନୁହେଁ, ଦୋଷ ହେଉଛି ସମ୍ବିଧାନକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ବା ବ୍ୟକ୍ତିବିଶେଷଙ୍କର ।

 

ନୂତନ ଭାରତ ସଂକଳ୍ପ ସଂପର୍କରେ କହିବାକୁ ଯାଇଁ ସେ କହିଛନ୍ତି ଯେ ଭାରତକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ ସାମ୍ବିଧାନିକ ସଂସ୍ଥା ଏକାଠି ହୋଇ କାମ କରିବା ଉଚିତ । ସେ ପଚାରିଛନ୍ତି, ଆମେ ପରସ୍ପରକୁ ଶକ୍ତିଶାଳୀ କରିବା ପାଇଁ ଗୋଟିଏ ପରିବାର ଭଳି କାର୍ଯ୍ୟ କରୁଛନ୍ତି କି? ପରସ୍ପରକୁ ସହଯୋଗ କରୁଛନ୍ତି କି? ସମ୍ବିଧାନରୁ ସୃଷ୍ଟି ହୋଇଥିବା ପ୍ରତ୍ୟେକ ସଂସ୍ଥା ୨୦୨୨ ସୁଦ୍ଧା ନୂତନ ଭାରତ ଗଠନ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।

 

ନ୍ୟାୟପାଳିକା ଓ ନିର୍ବାହୀ ମଧ୍ୟରେ ରହିଥିବା ବିବାଦ ଓ ବିଭେଦ ସଂପର୍କରେ ପରୋକ୍ଷରେ ସୂଚନା ଦେଇ ସେ କହିଛନ୍ତି ଯେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭାବରେ ଆମ ଭିତରେ ଥିବା ଆଭ୍ୟନ୍ତରୀଣ ଦୁର୍ବଳତା ଏବଂ ବ୍ୟବଧାନ ଦୂର କରିବାରେ ଆମେ ଏଯାଏଁ ସଫଳ ହୋଇନାହୁଁ । ପ୍ରତ୍ୟେକ ସ୍ତରରେ ଏ ବିଷୟରେ ଚିନ୍ତା କରାଯିବା ଉଚିତ । ଆମକୁ ଏ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିନକ ତଳେ ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ପିପି ଚୌଧୁରୀ ଓ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ମଧ୍ୟରେ ନୀତି ପ୍ରଣୟନର କ୍ଷମତା ନେଇ ପରୋକ୍ଷରେ କଥାକଟି ହୋଇଥିଲା । ପିପି ଚୌଧୁରୀ ଅଭିଯୋଗ କରିଥିଲେ ଯେ ସୁପ୍ରିମ କୋର୍ଟ ନୀତି ନିର୍ଦ୍ଧାରଣ କ୍ଷମତା ପରିସରକୁ ଜବରଦଖଲ କରିଯାଉଛି । ସେହିପରି ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଆଜି ଏଇ ସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପୂର୍ବରୁ କହିଥିଲେ ଯେ ଜନସ୍ୱାର୍ଥ ସମ୍ବଳିତ ମାମଲାଗୁଡ଼ିକ ଶାସନର ବିକଳ୍ପ ହୋଇପାରିବ ନାହିଁ ।

 

ଏ ସଂପର୍କରେ ପ୍ରଧାନ ବିଚାରପତି ତାଙ୍କ ଉଦବୋଧନ ସମୟରେ କହିଛନ୍ତି ଯେ ମୌଳିକ ଅଧିକାରଗୁଡ଼ିକ ହେଉଛି ଆମ ସମ୍ବିଧାନର ମୂଳ ମୂଲ୍ୟବୋଧ ଏବଂ ପଥର ଶଯ୍ୟା । ବୈଚାରିକ ସମୀକ୍ଷାର କ୍ଷମତା ସହିତ ଏକ ସ୍ୱାଧୀନ ନ୍ୟାୟପାଳିକାକୁ ସମ୍ବିଧାନର ସୁରକ୍ଷାର ଦାୟିତ୍ୱ ଓ କ୍ଷମତା ମିଳିଛି । ନ୍ୟାୟପାଳିକା ହିଁ ବିଭିନ୍ନ ସରକାର ସାମ୍ବିଧାନିକ ଆଇନର ବଳଗଣ୍ଡି ଭିତରେ କାର୍ଯ୍ୟକରୁଛନ୍ତି କି ନାହିଁ ତାହାର ସମୀକ୍ଷା ଓ ବିଚାର କରି କ୍ଷମତାର ଭାରସାମ୍ୟ ରକ୍ଷା କରିଥାଏ । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଆଇନ ପ୍ରଣୟନ କ୍ଷମତା କେବଳ ବ୍ୟବସ୍ଥାପକ ସଭା ବା ସଂସଦର । ସେଥିରେ ନ୍ୟାୟପାଳିକାର କିଛି ଭୂମିକା ନାହିଁ । କିନ୍ତୁ ଆଇନ ସମ୍ବିଧାନର ମୌଳିକ ମୂଲ୍ୟବୋଧ ଉଲ୍ଲଙ୍ଘନ କଲେ ନ୍ୟାୟପାଳିକା ହସ୍ତକ୍ଷେପ କରିପାରିବ ।

 

ସୂଚନାଯୋଗ୍ୟ ଯେ ଅନେକ ସମୟରେ ନ୍ୟାୟପାଳିକା ଓ ସରକାରଙ୍କ ମଧ୍ୟରେ ସ୍ୱାର୍ଥର ସଂପର୍କ ଭିତ୍ତିରେ ସହଯୋଗମୂଳକ ସମ୍ବନ୍ଧ ସ୍ଥାପିତ ହେଲେ ସରକାର ସ୍ୱେଚ୍ଛାଚାରୀ ହୋଇଯିବାର ନଜୀର ରହିଛି । ଭାରତରେ ମଧ୍ୟ ଏହାର ଉଦାହରଣ ବିରଳ ନୁହେଁ । ଜରୁରୀକାଳୀନ ପରିସ୍ଥିତିକୁ ମଧ୍ୟ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ସମର୍ଥନ କରିଥିଲେ । ଅନେକ ସମୟରେ ସିବିଆଇ ଓ ସିଏଜି ପରି ସଂସ୍ଥା ମଧ୍ୟ ସରକାରଙ୍କ ପରିବାରର ସଦସ୍ୟ ଭାବେ କାର୍ଯ୍ୟ କରି ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଙ୍ଘନ କରିଛନ୍ତି । ସେଥିପାଇଁ ସିବିଆଇକୁ ସୁପ୍ରିମ କୋର୍ଟ ପିଞ୍ଜରାବଦ୍ଧ ଶୂଆ ଭାବେ ଅଭିହିତ କରିଥିଲେ । ସିଏଜି ମଧ୍ୟ ସରକାରଙ୍କ ଅଙ୍ଗ ଭାବେ ଅତ୍ୟନ୍ତ ଦୁର୍ବଳ ସଂସ୍ଥାରେ ପରିଣତ ହୋଇଛି । ସେହିପରି ଅନେକ ସମୟରେ କ୍ଷମତାରେ ଥିବା ନେତାମାନେ ନିର୍ବାଚନ କମିଶନ ପରି ସାମ୍ବିଧାନିକ ସଂସ୍ଥାକୁ ମଧ୍ୟ ନିଜର ସହଯୋଗୀ ବା ଅଧସ୍ତନ ସଂସ୍ଥା ଭାବେ ବ୍ୟବହାର କରିଥାନ୍ତି । ଏ ଉଦାହରଣ ମଧ୍ୟ ବିରଳ ନୁହେଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top