ଧରା ପଡ଼ିଥିବା ସୁନା କାହାର?

News Story - Posted on 2017-11-30

ନଭେମ୍ବର ୧୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ଧରା ପଡ଼ିଥିବା ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ପ୍ରକୃତରେ କାହା ପାଇଁ ଆସୁଥିଲା ସେନେଇ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଏହି ସୁନା ଭୁବନେଶ୍ୱରର ଜଣେ ଗହଣା ବ୍ୟବସାୟଙ୍କ ପାଇଁ ସ୍ମଗ୍ଲ ହୋଇ ଆସୁଥିଲା ବୋଲି କେହି କେହି କହୁଛନ୍ତି ।

 

ସେଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାଞ୍ଚ ସମୟରେ ଜଣେ ଲୋକଠାରୁ ୩୪ଟି ସୁନା ଖଣ୍ଡ ଜବତ ହୋଇଥିଲା । ଯାହା ଠାରୁ ଏହି ସୁନା ଜବତ ହୋଇଥିଲା ତାଙ୍କ ନାମ ଅହମଦ କବୀର ବୋଲି ଜଣାପଡ଼ିଥିଲା । ସେ ତାମିଲନାଡ଼ୁର ବାସିନ୍ଦା ବୋଲି ବହିଃଶୁଳ୍କ ଅଧିକାରୀମାନଙ୍କୁ କହିଥିଲା । ତେବେ ସେ ଯଦି ତାମିଲନାଡ଼ୁ ବାସିନ୍ଦା ମାଲେସିଆରୁ ସିଧାସଳଖ ଚେନ୍ନାଇ ନଯାଇ ଭୁବନେଶ୍ୱର କାହିଁକି ଆସିଥିଲା ତାହାର ଉତ୍ତର ଏଯାଏଁ ମିଳିନାହିଁ ।

 

କବୀର ପ୍ରଥମେ କହିଥିଲା ଯେ ସେ ମାଲେସିଆରେ ଦିନ ମଜୁରିଆ ଭାବେ କାମ କରେ । କିନ୍ତୁ ଅଧିକ ଜେରା ହେବାରୁ ସେ କହିଥିଲା ଯେ ସେ ଜଣେ ପାଣି ପାଇପ ମିସ୍ତ୍ରୀ । ସାରା ବିଶ୍ୱରେ ପାଣି ପାଇପ ମିସ୍ତ୍ରୀ ଭାବେ ଓଡ଼ିଆଙ୍କର ବେଶ୍ ନାଁ ଡାକ ଅଛି । କବୀର ନିକଟରେ ଥିବା ଏକ ଯନ୍ତ୍ର ବାକ୍ସରୁ ହିଁ ସୁନା ଖଣ୍ଡଗୁଡ଼ିକ ମିଳିଥିଲା । ସେହି ଯନ୍ତ୍ରବାକ୍ସରେ କେତେଗୁଡ଼ିଏ ସ୍କୃ ଡ୍ରାଇଭର ଥିଲା । ସେହି ସ୍କୃ ଡ୍ରାଇଭରଗୁଡ଼ିକର ବେଣ୍ଟରେ ସୁନାଖଣ୍ଡଗୁଡ଼ିକୁ ଲୁଚାଇ ରଖାଯାଇଥିଲା । ତାହାର ଓଜନ ୬୬୧ ଗ୍ରାମ ହେବ ବୋଲି ସେତେବେଳେ କୁହାଯାଇଥିଲା ।

 

ତେବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଏକ ସୂଚନା ଅନୁଯାୟୀ ସଂପୃକ୍ତ ବ୍ୟକ୍ତି ସେଦିନ କୁଆଡ଼େ ୨ କୋଟି ଟଙ୍କାର ସୁନା ସ୍ମଗ୍ଲ କରି ଆଣୁଥିଲେ । ଧରା ପଡ଼ିବା ପୂର୍ବରୁ ବାକି ସୁନା ସେ ତାହାର ଲକ୍ଷ୍ୟସ୍ଥଳକୁ ପଠାଇ ଦେଇଥିଲେ । ଧରା ପଡ଼ିଥିବା ବ୍ୟକ୍ତି ଜେରା ସମୟରେ ଏହି ସୁନା ଭୁବନେଶ୍ୱରର ବ୍ୟବସାୟଙ୍କ ପାଖକୁ ଆସୁଥିଲା ବୋଲି କହିଥିବା ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି । ଏହି ସୁନା ଭୁବନେଶ୍ୱରର ଜଣେ ବଡ଼ ଧରଣର ଗହଣା ବ୍ୟବସାୟୀଙ୍କ ପାଖକୁ ଆସୁଥିଲା ବୋଲି ଏଥିରେ କୁହାଯାଇଛି । ଏହି ବ୍ୟବସାୟୀ ଜଣକ ପୂର୍ବରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତାଙ୍କର କେତେକ ରାଜନୀତିକ ଦଳର ନେତାଙ୍କ ସହିତ ଘନିଷ୍ଟ ସଂପର୍କ ରହିଛି । ତାଙ୍କ ବ୍ୟବସାୟରେ ମଧ୍ୟ କେତେକ ରାଜନୀତିକ ନେତାଙ୍କ ଦୁର୍ନୀତି ଅର୍ଥ ଲାଗିଥିବା ଶୁଣାଯାଏ ।

 

ପୂର୍ବରୁ ସେ ଓ ତାଙ୍କ ପରି ଦେଶର କେତେକ ବଡ଼ ବଡ଼ ଗହଣା ବ୍ୟବସାୟୀ ମଧ୍ୟ ପ୍ରାଚ୍ୟରୁ ମୁମ୍ବାଇ ଦେଇ ସୁନା ସ୍ମଗ୍ଲିଂ କରୁଥିଲେ । ସେମାନଙ୍କର ଏଜେଣ୍ଟମାନେ ଦୁବାଇ, ରିଆଧ, ସାରଜା ପରି ମଧ୍ୟ ପ୍ରାଚ୍ୟ ସହରରୁ ଚୋରାରେ ସୁନା ଆଣି ମୁମ୍ବାଇରେ ଓହ୍ଲାଉଥିଲେ । ସେଠାକା ବହିଃଶୁଳ୍କ ଓ ରାଜସ୍ୱ ଗୁଇନ୍ଦା ଅଧିକାରୀମାନଙ୍କୁ ପ୍ରଭାବିତ କରି ସହଜରେ ଏସବୁ ସୁନା ନିର୍ଦ୍ଦିଷ୍ଟ ଲକ୍ଷସ୍ଥଳକୁ ପଠା ଯାଉଥିଲା । ଏହି କାରବାରରେ କେତେକ ମାଫିଆ ଡନ୍ଙ୍କ ସଂପୃକ୍ତି ରହୁଥିଲା । କିନ୍ତୁ ଉଭୟ ଦେଶ ଓ ମହାରାଷ୍ଟ୍ରରେ ଇସଲାମ ବିରୋଧୀ ହିନ୍ଦୁତ୍ୱ ଶକ୍ତି ଶାସନଭାର ଗ୍ରହଣ କରିବା ପରେ ମୁମ୍ବାଇ ବିମାନ ବନ୍ଦରରେ ଯାଞ୍ଚ ଓ ତନଖି ପ୍ରକ୍ରିୟା କଡ଼ାକଡ଼ି ହେବାରୁ ସୁନା ସ୍ମଗଲରମାନେ ଭୁବନେଶ୍ୱର ବିମାନ ବନ୍ଦରକୁ ମାଧ୍ୟମ କରିଛନ୍ତି । ମଧ୍ୟପ୍ରାଚ୍ୟରୁ ମୁମ୍ବାଇ ଦେଇ ଭାରତକୁ ସୁନା ସ୍ମଗଲିଂ କରିବା ଅପେକ୍ଷାକୃତ ବିପଦପୂର୍ଣ୍ଣ ହେବା ପରେ ମାଲେସିଆରୁ ଭୁବନେଶ୍ୱର ଦେଇ ସୁନା ସ୍ମଗଲିଂ ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟାରେ ଗତ ୬ ମାସ ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଦୁଇ ଦୁଇ ଥର ଚୋରା ସୁନା ଧରାପଡ଼ିଛି । ତେବେ ଏହାଠାରୁ ଆଉ କେତେ ଗୁଣ ଅଧିକ ଥର ଚୋରା ସୁନା ଧରା ନପଡ଼ି ଚାଲାଣ ହୋଇଯାଇଥିବ ତାହା କେବଳ ଅନୁମାନ ଓ ଆକଳନର କଥା ।

 

ଗତ ମେ ୧୦ ତାରିଖରେ ମାଲେସିଆରୁ ଏୟାର ଏସିଆ ବିମାନ ଯୋଗେ ଆସିଥିବା ୩୦ ଲକ୍ଷ ଟଙ୍କାର ପ୍ରାୟ ୧ କିଲୋଗ୍ରାମ ସୁନା ଧରାପଡ଼ିଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top