ବିଶ୍ୱାସଘାତ : ଆଧାର ତଥ୍ୟ ଲିକ୍!

News Story - Posted on 2017-11-19

ଅନନ୍ୟ ପରିଚୟ ବା ଆଧାର ବ୍ୟବସ୍ଥାରେ ନିଜେ ସରକାର ହିଁ ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ ସହିତ ଖେଳ ଖେଳିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଧୀନସ୍ତ ପ୍ରାୟ ୨୦୦ ସଂସ୍ଥା ଆଧାରଧାରୀଙ୍କ ନାମ, ଠିକଣା ଓ ଅନ୍ୟାନ୍ୟ ସୂଚନା ପବ୍ଲିକ ଡୋମେନ୍ ବା ସାଧାରଣ ମଂଚରେ ପ୍ରଘଟ କରିଦେଇଛନ୍ତି । ଏକଥା ପୁଣି ଅନ୍ୟ କେହି କହି ନାହାନ୍ତି, କହିଛନ୍ତି ଖୋଦ ଆଧାର କର୍ତ୍ତୃପକ୍ଷ ବା ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ।

 

ତେବେ ଏକଥା ନଜରକୁ ଆସିଲା ପରେ ଆଧାର କର୍ତ୍ତୃପକ୍ଷ ଏସବୁ ତଥ୍ୟକୁ ପବ୍ଲିକ ଡୋମେନରୁ ଲିଭେଇ ଦେଇଛନ୍ତି ବୋଲି କହିଛନ୍ତି । ସୂଚନା ଅଧିକାର ଆଇନ ବଳରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଏହା ପ୍ରକାଶ କରିଛନ୍ତି ଆଧାର କର୍ତ୍ତୃପକ୍ଷ । ତେବେ କେବେ ଏଭଳି ଉଲ୍ଲଙ୍ଘନ ହୋଇଥିଲା ତାହା ଏଇ କର୍ତ୍ତୃପକ୍ଷ ପ୍ରକାଶ କରି ନାହାନ୍ତି । କର୍ତ୍ତୃପକ୍ଷ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ତ ୨୧୦ଟି ସଂସ୍ଥା ଆଧାରଧାରୀଙ୍କ ନାମ, ଠିକଣା, ନମ୍ବର ଓ ଅନ୍ୟାନ୍ୟ ବିବରଣୀ ବିଭିନ୍ନ ସରକାରୀ ୱେବସାଇଟ୍ରେ ପ୍ରକାଶ କରାଯାଇଥିଲା । କେତେକ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟ ଅନେକ ଆଧାର ହିତାଧିକାରୀଙ୍କ ବ୍ୟକ୍ତିଗତ ତଥ୍ୟ ପଦାରେ ପକାଇ ଦେଇଥିଲେ ।

 

ଏକଥା ନଜରକୁ ଆସିଲା ପରେ ଆଧାର କର୍ତ୍ତୃପକ୍ଷ ସଂପୃକ୍ତ ୱେବସାଇଟ୍ଗୁଡ଼ିକରୁ ଏସବୁ ତଥ୍ୟ ଲିଭେଇ ଦେଇଛନ୍ତି ବୋଲି ଆରଟିଆଇ ପ୍ରଶ୍ନକର୍ତ୍ତାଙ୍କୁ ଉତ୍ତର ଦିଆଯାଇଛି । ତେବେ ପ୍ରଶ୍ନକର୍ତ୍ତାଙ୍କୁ ୟୁଆଇଡିଏଆଇ ଏକଥା ମଧ୍ୟ କହିଛି ଯେ ଆଧାର ସହିତ ଅତ୍ୟନ୍ତ ସୁଦୃଢ଼ ନିରାପତ୍ତା ବ୍ୟବସ୍ଥା ଖଂଜା ଯାଇଛି । ଏହି ବ୍ୟବସ୍ଥାକୁ ନିୟମିତ ଉନ୍ନତ କରାଯାଉଛି । ତଥ୍ୟ ନିରାପତ୍ତା ଓ ଗୋପନୀୟତା ଉପରେ ଆଧାର ବ୍ୟବସ୍ଥା ସର୍ବୋଚ୍ଚ ଅଗ୍ରାଧିକାର ପ୍ରଦାନ କରୁଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top