ସଚିବଙ୍କଠାରୁ ରାଷ୍ଟ୍ରପତିଙ୍କ ଦରମା କମ୍! 

News Story - Posted on 2017-11-19

ମୋଦି ସରକାରଙ୍କ ଅବହେଳା ଯୋଗୁଁ ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଏବେ ବି ସର୍ବୋଚ୍ଚ ସ୍ତରୀୟ ଅମଲା ଓ ସେନା ମୁଖ୍ୟମାନଙ୍କଠାରୁ କମ୍ ବେତନ ପାଉଛନ୍ତି । ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେବା ପରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ବେତନ ସଂକ୍ରାନ୍ତ ଆଇନରେ ହେବାକୁ ଥିବା ସଂଶୋଧନ ପ୍ରସ୍ତାବକୁ ଏଯାଏଁ କ୍ୟାବିନେଟ୍ ସଚିବାଳୟ ଅନୁମୋଦନ ଦେଇନାହିଁ । ତେଣୁ ଏହି ଅପମାନଜନକ ଅସଙ୍ଗତି ସୃଷ୍ଟି ହୋଇଛି ।
ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କର ଦରମା ବୃଦ୍ଧି ନେଇ ଏକ ପ୍ରସ୍ତାବ ପ୍ରସ୍ତୁତ କରି କ୍ୟାବିନେଟ ମଂଜୁରୀ ନିମନ୍ତେ ପଠାଯାଇଛି । ବର୍ଷକ ତଳୁ ଏହି ପ୍ରସ୍ତାବ କ୍ୟାବିନେଟ ସଚିବାଳୟରେ ପଡ଼ି ରହିଛି । ତେଣୁ ଦେଶର ଶାସନ ଯାହାଙ୍କ ନାମରେ ଚାଲିଛି ସେ ତାଙ୍କ ଅଧସନ୍ତ କର୍ମଚାରୀଙ୍କଠାରୁ କମ୍ ଦରମା ପାଉଛନ୍ତି ।

 

ଏହି ପ୍ରସ୍ତାବକୁ ମୋଦି ସରକାରଙ୍କ ଅନୁମୋଦନ ମିଳି ନଥିବାରୁ ଏବେ ବି ରାଷ୍ଟ୍ରପତି ମାସିକ ୧.୫ ଲକ୍ଷ, ଉପରାଷ୍ଟ୍ରପତି ୧.୨୫ ଲକ୍ଷ ଓ ରାଜ୍ୟପାଳ ୧.୧୦ ଲକ୍ଷ ଟଙ୍କା ଦରମା ପାଉଛନ୍ତି । ଅଥଚ ସପ୍ତମ ବେତନ କମିଶନ ଲାଗୁ ହେବା ପରେ କ୍ୟାବିନେଟ ସଚିବ ମାସିକ ୨.୫ ଲକ୍ଷ ଟଙ୍କା ଦରମା ପାଉଛନ୍ତି । କେନ୍ଦ୍ର ସରକାରଙ୍କ ଅନ୍ୟ ବିଭାଗୀୟ ସଚିବମାନଙ୍କର ଦରମା ହେଲା ମାସିକ ୨.୨୫ ଲକ୍ଷ ଟଙ୍କା । ସେହିପରି ତିନି ବାହିନୀର ମୁଖ୍ୟମାନେ ମଧ୍ୟ କ୍ୟାବିନେଟ ସଚିବଙ୍କ ତତ୍ତୁଲ୍ୟ ଦରମା ପାଇଥାନ୍ତି । ଅଥଚ ରାଷ୍ଟ୍ରପତି ତିନି ବାହିନୀର ସର୍ବୋଚ୍ଚ ମୁଖ୍ୟ ହୋଇଥିଲେ ମଧ୍ୟ ତାଙ୍କ ଦରମା ତାଙ୍କ ଅଧସ୍ତନଙ୍କଠାରୁ କମ୍ ।

 

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଯାଇଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ଅନୁମୋଦନ କଲା ପରେ ତାହା ଏକ ବିଲ୍ ରୂପରେ ସଂସଦରେ ଆଗତ ହେବ ଓ ସଂସଦ ତାହାକୁ ଗ୍ରହଣ କଲା ପରେ ଯାଇଁ ତାହା କାର୍ଯ୍ୟକାରୀ ହୋଇପାରିବ । ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ରାଷ୍ଟ୍ରପତିଙ୍କ ମାସିକ ଦରମା ୫ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି ହୋଇପାରିବ । ସେହିପରି ଉପରାଷ୍ଟ୍ରପତିଙ୍କ ଦରମା ମାସିକ ୩.୫ ଲକ୍ଷ ଓ ରାଜ୍ୟପାଳଙ୍କ ଦରମା ୩ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରାଯାଇ ପାରିବ ।

 

ଶେଷ ଥର ପାଇଁ ୨୦୦୮ ମସିହାରେ ଉପା ସରକାର ସମୟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରଜ୍ୟାପାଳମାନଙ୍କ ଦରମା ଏକା ଥରକେ ତିନି ଗୁଣ ବୃଦ୍ଧି ପାଇଥିଲା । ତା’ ପୂର୍ବରୁ ରାଷ୍ଟ୍ରପତିଙ୍କ ଦରମା ଥିଲା ମାସିକ ୫୦ ହଜାର ଟଙ୍କା, ଉପରାଷ୍ଟ୍ରପତିଙ୍କର ମାସିକ ୪୦ ହଜାର ଟଙ୍କା ଏବଂ ରାଜ୍ୟପାଳଙ୍କର ମାସିକ ୩୬ ହଜାର ଟଙ୍କା । ବର୍ଷକ ତଳେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଥିବା ପ୍ରସ୍ତାବରେ ପୂର୍ବତନ ରାଷ୍ଟ୍ରପତି, ଦିବଙ୍ଗତ ରାଷ୍ଟ୍ରପତିଙ୍କ ପତ୍ନୀ, ପୂର୍ବତନ ଉପରାଷ୍ଟ୍ରପତି, ଦିବଙ୍ଗତ ଉପରାଷ୍ଟ୍ରପତିଙ୍କ ପତ୍ନୀ ଏବଂ ପୂର୍ବତନ ରାଜ୍ୟପାଳମାନଙ୍କ ଭତ୍ତା ବୃଦ୍ଧି ପାଇଁ ମଧ୍ୟ ସୁପାରିଶ କରାଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top