ମାନଷୀ ଛିଲ୍ଲାର ବିଶ୍ୱ ସୁନ୍ଦରୀ

News Story - Posted on 2017-11-18

ପୁଣି ଜଣେ ଭାରତୀୟ ଯୁବତୀ ଜିତିଛନ୍ତି ବିଶ୍ୱ ସୁନ୍ଦରୀ ଉପାଧି । ସେ ହେଉଛନ୍ତି ହରିଆନାର ଡାକ୍ତରୀ ଛାତ୍ରୀ ମାନୁଷୀ ଛିଲ୍ଲର । ଚୀନର ସାନ୍ୟାଠାରେ ଆୟୋଜିତ ବିଶ୍ୱ ସୁନ୍ଦରୀ ୨୦୧୭ ପ୍ରତିଯୋଗିତାରେ ୧୦୮ ଦେଶର ପ୍ରତିନିଧିଙ୍କୁ ପଛରେ ପକାଇ ଦେଇଛନ୍ତି ଚିଲ୍ଲର । ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଜିତିବାରେ ମାନୁଷୀ ହେଉଛନ୍ତି ଷଷ୍ଠ ଭାରତୀୟ । ତାଙ୍କ ପୂର୍ବରୁ ଐଶ୍ୱର୍ଯ୍ୟା ରୟ, ଡାଏନା ହେଡେନ, ଯୁକ୍ତା ମୁଖୀ, ପ୍ରିୟଙ୍କା ଚୋପ୍ରା ପ୍ରମୁଖ ଏହି ଉପାଧି ଜିତି ସାରିଛନ୍ତି ।

 

ଚଳିତ ବର୍ଷ ଫେମିନା ଭାରତ ସୁନ୍ଦରୀ ବା ମିସ୍ ଇଣ୍ଡିଆ ଟାଇଟଲ୍ ଜିତି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ ହରିଆନାର ଏହି ୨୦ ବର୍ଷ ବୟସ୍କା ସୁନ୍ଦରୀ ମାନୁଷୀ ଛିଲ୍ଲର । ସାନ୍ୟା ସହରରେ ଅନୁଷ୍ଠିତ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ସେ ମୁଖ୍ୟ ଟାଇଟଲ୍ ସହିତ ହେଡ଼ ଟୁ ହେଡ଼ ଚାଲେଞ୍ଜ ଏବଂ ବିଉଟି ଉଇଥ ଏ ପରପୋଜ୍ ଟାଇଟଲ୍ ମଧ୍ୟ ଜିତିଛନ୍ତି । ତାଙ୍କୁ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି ୨୦୧୬ର ବିଶ୍ୱ ସୁନ୍ଦରୀ ବିଜେତା ପୁଏର୍ତ୍ତୋ ରିକୋର ଷ୍ଟିଫାନୀ ଡେଲ୍ ଭାଲ୍ଲେ । ଏହି ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ଇଂଲଣ୍ଡ ସୁନ୍ଦରୀ ଷ୍ଟିଫାନୀ ହିଲ୍ ଏବଂ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି ମେକ୍ସିକୋ ସୁନ୍ଦରୀ ଆନ୍ଦ୍ରିଆ ମେଜା ।

 

ମାନୁଷୀଙ୍କ ବାପାମା’ ଡାକ୍ତରୀ ବୃତ୍ତିରେ ଅଛନ୍ତି । ସେ ନୂଆଦିଲ୍ଲୀର ସେଣ୍ଟ ଥମାସ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଏବେ ସୋନେପତର ଭଗତ ଫୁଲ ସିଂହ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢ଼ୁଛନ୍ତି । ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଶେଷ ରାଉଣ୍ଡକୁ ୫ ଜଣ ପ୍ରତିଯୋଗୀ ମନୋନୀତ ହୋଇଥିଲେ । ସାନ୍ୟାଙ୍କୁ ପଚରାଯାଇଥିଲା, କେଉଁ ବୃତ୍ତିକୁ ସର୍ବାଧିକ ବେତନ ମିଳିବା କଥା ଏବଂ କାହିଁକି? ଏହାର ଉତ୍ତରରେ ଛିଲ୍ଲର କହିଥିଲେ ଯେ ମା’ ହିଁ ସର୍ବାଧିକ ସମ୍ମାନାସ୍ପଦ । ମୁଁ ଭାବୁ ନାହିଁ ଯେ ଏହା କେବଳ ଅର୍ଥ, କିନ୍ତୁ ମା’ ଦେଉଥିବା ସ୍ନେହ ଓ ମମତା ହିଁ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ । ମା’ ହିଁ ମୋ ଜୀବନର ସବୁଠୁ ବଡ଼ ପ୍ରେରଣା । ମା’ ହିଁ ସର୍ବାଧିକ ସମ୍ମାନର ଅଧିକାରୀ ।

 

ଶେଷ ଥର ପାଇଁ ୨୦୦୦ ମସିହାରେ ପ୍ରିୟଙ୍କା ଚୋପ୍ରା ବିଶ୍ୱ ସୁନ୍ଦରୀ ଟାଇଟଲ ଜିତିଥିଲେ । ତାଙ୍କ ପୂର୍ବରୁ ୧୯୯୯ରେ ଯୁକ୍ତା ମୁଖୀ ମଧ୍ୟ ଏହି ପ୍ରତିଯୋଗିତାରେ ସଫଳ ହୋଇଥିଲେ । ସେମାନଙ୍କ ପୂର୍ବରୁ ଡାଏନା ହେଡେନ (୧୯୯୭) ଓ ଐଶ୍ୱର୍ଯ୍ୟା ରୟ (୧୯୯୪) ମଧ୍ୟ ଏହି ପ୍ରତିଯୋଗିତାରେ ଜିତି ଭାରତୀୟ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିଥିଲେ । ୧୯୬୬ ମସିହାରେ ରୀତା ଫାରିଆ ପ୍ରଥମ ଭାରତୀୟ ଭାବେ ବିଶ୍ୱ ସୁନ୍ଦରୀ ମାନ୍ୟତା ଲାଭ କରିଥିଲେ ।

 

ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ୬୭ ବର୍ଷର ଇତିହାସରେ ଭାରତର ସର୍ବାଧିକ ୬ ଜଣ ସୁନ୍ଦରୀ ଏହି ମାନ୍ୟତା ଲାଭ କରିଥିବାବେଳେ ଇଂଲଣ୍ଡର ୫ ଜଣ ସୁନ୍ଦରୀ ଏହି ଉପାଧି ପାଇଛନ୍ତି । ଦକ୍ଷିଣ ଆଫ୍ରିକା, ଆମେରିକା, ଆଇସଲାଣ୍ଡ, ଜାମାଇକା ଓ ସୁଇଡେନର ସୁନ୍ଦରୀମାନେ ତିନି ଥର ଲେଖାଏଁ ଏହି ଟାଇଟଲ ଜିତିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top