ବକ୍ସିଙ୍କ ପାଇକପଣିଆ

News Story - Posted on 2017-11-18

ବିରଜା ମହାପାତ୍ର

 

୧୭୭୦ ମସିହା ବେଳକୁ ଖୋର୍ଦ୍ଧା ରାଜ୍ୟର ପତନ ହୋଇଥାଏ । ମରାଠାମାନେ ଗଜପତି ବୀର କିଶୋର ଦେବଙ୍କ ସହିତ ଚୁକ୍ତି କରି ଜଗନ୍ନାଥ ମନ୍ଦିର ପ୍ରଶାସନ, ୧୪ ଗଡ଼ଜାତ ଓ ଚାରୋଟି ପ୍ରଗଣା- ଲେମ୍ବାଇ, ରୋହଙ୍ଗ, ସେରେଇ ଓ ଚବିଶକୁଦ ଦଖଲ କରିନେଲେ । ରାଜାଙ୍କ ପାଖରେ ରହିଲା କେବଳ ଖୋର୍ଦ୍ଧାର ଦୁର୍ଗ । ଇତିମଧ୍ୟରେ ମରାଠାମାନଙ୍କ ଦ୍ୱାରା ନିୟୋଜିତ କାନୁନ୍ଗୋ ଓ ଚୋ÷ଧୁରୀମାନେ କର ଆଦାୟ ନାମରେ ସାଧାରଣ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲେ । ନିଷ୍କର ଜମି ଭୋଗ କରୁଥିବା ପାଇକମାନଙ୍କ ଠାରୁ ଖଜଣା ଆଦାୟ ହେବା ଆରମ୍ଭ ହେଲା । ଗଜପତିଙ୍କର ସୈନ୍ୟବଳ ମଧ୍ୟରେ ଅସନ୍ତୋଷ କୁହୁଳିଲା । ୧୮୦୩ ମସିହା ବେଳକୁ ଗଜପତି ରଜା ହେଲେ ମୁକୁନ୍ଦଦେବ (ଦ୍ୱିତୀୟ) । ମରହଟ୍ଟାମାନଙ୍କୁ ହଟାଇବା ପାଇଁ ବ୍ରିଟିଶ କର୍ଣ୍ଣେଲ ହାରକୋର୍ଟ ରାଜାଙ୍କ ସହିତ ଯୋଗାଯୋଗ କଲେ । ମରାଠାମାନଙ୍କୁ ହଟାଇ ଖୋର୍ଦ୍ଧା ଦଖଲରେ ସହଯୋଗ କଲେ ପ୍ରତିବଦଳରେ ଏକଲକ୍ଷ ଟଙ୍କା ଦିଆଯିବ ବୋଲି କର୍ଣ୍ଣେଲ ହାଇକୋର୍ଟ ପ୍ରସ୍ତାବ ଦେଲେ । ଗଜପତି ଖୋର୍ଦ୍ଧାର ଖାସମାହାଲ ଓ ଉପରୋକ୍ତ ଚାରିଟି ପ୍ରଗଣା ଓ ପୁରୀ ମନ୍ଦିର ପ୍ରଶାସନର ପ୍ରତ୍ୟାବର୍ତ୍ତନ ଚାହିଁଲେ । କର୍ଣ୍ଣେଲ ହାରକୋର୍ଟଙ୍କ ଯୁଦ୍ଧ ହେଲା । ମରହଟ୍ଟାମାନେ ଛତ୍ରଭଙ୍ଗ ଦେଲେ । କିନ୍ତୁ ବ୍ରିଟିଶ ଅଧିକାରୀମାନେ ନଭେମ୍ବର ୨୯, ୧୮୦୩ ତାରିଖରେ ପୁରୀ ରାଜାଙ୍କୁ ଏକ କରଦରାଜ ଭାବେ ବଶ୍ୟତା ସ୍ୱୀକାର କରିବାକୁ ପ୍ରସ୍ତାବ ଦେଲେ ।

 

କ୍ଷୁବ୍ଧ ହେଲେ ରାଜାଙ୍କର ପରାମର୍ଶଦାତା ତଥା ରାଜପୁରୋହିତ ଜୟୀ ରାଜଗୁରୁ । ରାଜଗୁରୁ ରାଜାଙ୍କୁ କହିଲେ, “ଏମାନଙ୍କ ସହିତ ଚୁକ୍ତିବଦ୍ଧ ନହେବାକୁ ମୁଁ ଆଗରୁ ତାଗିଦ କରିଆସିଛି ।” ବ୍ରିଟିଶ ଅଧିକାରୀଙ୍କ ପ୍ରସ୍ତାବ ଅଗ୍ରାହ୍ୟ ହେଲା । ୧୮୦୪ ମସିହା ନଭେମ୍ବର ମାସରେ ବରୁଣେଇ ପାହାଡ଼ ତଳେ ଯୁଦ୍ଧ ହେଲା । ଜୟୀ ରାଜଗୁରୁଙ୍କୁ ବୁଝାମଣା ପ୍ରସ୍ତାବ ବେଳେ ଗିରଫ କରାଗଲା । ୧୮୦୫ ମସିହା ଜାନୁଆରି ୩ ତାରିଖରେ ମୁକୁନ୍ଦଦେବ ଧରାପଡିଲେ । ମୁକୁନ୍ଦଦେବ ଓ ଜୟୀ ରାଜଗୁରୁଙ୍କର ବିଚାର ହେଲା ମେଦିନୀପୁରରେ । ଜୟୀ ରାଜଗୁରୁଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା । ବନ୍ଦୀ ରହିଲେ ମୁକୁନ୍ଦଦେବ ୧୪ ବର୍ଷ କାଳ । ତେବେ ଗଜପତି ପରିବାର ପରେ ଦ୍ୱିତୀୟ ପ୍ରଭାବଶାଳୀ ପରିବାର ତଥା ସେନା ନାୟକ ବକ୍ସି ଜଗବନ୍ଧୁ ଗଜପତି ରଜାଙ୍କୁ ସହଯୋଗ କଲେ ନାହିଁ ବରଂ ଗଜପତି ରାଜାଙ୍କର ବ୍ରିଟିଶ ଅଧିକାରୀଙ୍କ ସହିତ ଯୁଦ୍ଧକୁ ବିରୋଧ କଲେ ଓ ବ୍ରିଟିଶ ଅଧିକାରୀଙ୍କ ସହିତ ସାଲିସ୍ କଲେ ।

 

୧୫୯୨ ମସିହାରେ ଭୋଇ ରାଜା ରାମଚନ୍ଦ୍ର ଦେବଙ୍କୁ ଖୋର୍ଦ୍ଧା ରାଜ୍ୟର ମହାରାଜା ଭାବରେ ଘୋଷଣା କରିଥିଲେ ମୋଗଲ ବାଦଶାହ ଆକବର । ସେହି ସମୟରେ ମହାରାଜାଙ୍କ ସୈନ୍ୟବାହିନୀର ମୁଖିଆଙ୍କୁ ବକ୍ସି ଉପାଧି ଦିଆଯାଇଥିଲା । ରୋଡ଼ଙ୍ଗ ଦୁର୍ଗରେ ଅବସ୍ଥାପିତ ବକ୍ସି ପରିବାର ରାଜାଙ୍କର ତଥା ଜଗନ୍ନାଥଙ୍କର ତତ୍ତ୍ୱାବଧାନର ଦାୟିତ୍ୱ ନେଇଥିଲେ । ମାତ୍ର କର୍ଣ୍ଣେଲ ହାରକୋର୍ଟ ୧୮୦୩ ମସିହାରେ ଓଡ଼ିଶା ଆକ୍ରମଣ କରିବା ବେଳେ ବକ୍ସି ଜଗବନ୍ଧୁ ପ୍ରଥମେ ବ୍ରିଟିଶ ସରକାରଙ୍କର ନିକଟରେ ଶରଣ ପଶିଥିଲେ । ବ୍ରିଟିଶ ଅଧିକାରୀ ଜି.ଟଏମ୍ବିିଙ୍କ କହିବା ଅନୁଯାୟୀ- “୧୮୦୩ ମସିହାରେ କର୍ଣ୍ଣେଲ ହାରକୋର୍ଟଙ୍କ ନିକଟରେ ଆତ୍ମସମର୍ପଣ କରିବାରେ ଜଗବନ୍ଧୁ ପ୍ରଥମ ଥିଲେ ଏବଂ ପ୍ରଦେଶର ବ୍ରିଟିଶ ଶାସନର ପ୍ରଥମ ବର୍ଷ ପାଇଁ ତାଙ୍କ ସହିତ କିଲ୍ଲା ରୋଡ଼ଙ୍ଗର ବନ୍ଦୋବନ୍ଦ କରାଯାଇଥିଲା ।”

 

ପ୍ରଶାସକ ତାରା ଦତ୍ତଙ୍କ ସମ୍ପାଦିତ ଖୋର୍ଦ୍ଧା ଗେଜେଟେରିଅରରେ ଲେଖାଯାଇଛି ଯେ, ଖୋର୍ଦ୍ଧାର ବକ୍ସି ପୁରୁଷାନୁକ୍ରମିକ ରାଜକୀୟ ବଳର ଅଧିନାୟକ ଭାବରେ ନିଷ୍କର ଜମି ଉପଭୋଗ କରୁଥିଲେ । ଓଡ଼ିଶା ଦଖଲର ତିନିବର୍ଷ ପର୍ଯ୍ୟନ୍ତ ବକ୍ସି ବ୍ରିଟିଶ ସରକାରଙ୍କୁ ଖଜଣା ଦେଉନଥିଲେ । ଏହି ଗେଜେଟିଅରରେ ଲେଖାଯାଇଛି ଯେ, ୧୮୦୩ ମସିହାରେ ବ୍ରିଟିଶ ଶାସନ ବିରୋଧରେ ଯୁଦ୍ଧ ବେଳେ ବକ୍ସି ଗଜପତି ରାଜାଙ୍କୁ ସମର୍ଥନ କରୁନଥିଲେ । ୧୮୦୬ ମସିହାରୁ ମେଜର ଫ୍ଲେଚରଙ୍କ ନିର୍ଦ୍ଦେଶରେ ନୂତନ ରାଜସ୍ୱ ନୀତି ପ୍ରଣୟନ ହେଲା । ବକ୍ସିଙ୍କୁ ମୋଟା ଖଜଣା ଦେବାକୁ ହେଲା । କିଛି ମୁସ୍ଲିମ ଓ କିଛି ବଙ୍ଗଳା କର୍ମଚାରୀ ପ୍ରଜା ଶୋଷଣରେ ଲାଗିପଡିଲେ ।

 

ଏହି ମର୍ମରେ ଏପ୍ରିଲ ୧୮୧୯ ମସିହାରେ ବକ୍ସି ଜଗବନ୍ଧୁ ଓ ତାଙ୍କ ଦେବାନ କୃଷ୍ଣଚନ୍ଦ୍ର କଲିକତାର ଫୋର୍ଟ ଉଇଲିଅମ ଠାରେ ଅବସ୍ଥାପିତ ମୁଖ୍ୟ ସଚିବ ଡବ୍ଲୁ.ବି. ବେଲିଙ୍କୁ ଏକ ଚିଠି ଲେଖିଥିଲେ । ପ୍ରଥମେ ଚିଠିଟିର ଇଂରାଜୀ ଭାଷାରେ ଅନୁବାଦ କରାଯାଇ ପୁରୀର ଜଏଣ୍ଟ ମାଜିଷ୍ଟ୍ରେଟ ମେଲ୍ଭିଲେଙ୍କୁ ଦିଆଯାଇଥିଲା । ଏହି ଚିଠିଟି ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଉପଲବ୍ଧ । ଚିଠିଟିକୁ ଓଡ଼ିଆରେ ଅନୁବାଦ କଲେ ଏହିପରି ହେବ :
“ଓଡ଼ିଶାର ଜଗବନ୍ଧୁ ଭ୍ରମରବର ରାୟ ବକ୍ସି ଓ ଦେବାନ କୃଷ୍ଣଚନ୍ଦ୍ର ଭ୍ରମରବର ରାୟ ଇଂରେଜ ଭଦ୍ରବ୍ୟକ୍ତିମାନଙ୍କୁ ସସମ୍ମାନ ପ୍ରଣିପାତ କରି ଆବେଦନ କରୁଅଛୁ କି, ବ୍ରିଟିଶ ସରକାର କଟକ ଦଖଲ କରିବା ୧୪ ବର୍ଷ ହେଲା । ସେତେବେଳେ ମହାରାଜା ମୁକୁନ୍ଦ ଦେବ ଯୁବ ଅବସ୍ଥାରେ ଥିଲେ । ସେ ପୁରୋହିତ ଜୟୀ ରାଜଗୁରୁଙ୍କର କୁମନ୍ତ୍ରଣାରେ ପ୍ରଭାବିତ ଥିଲେ । ବ୍ରିଟିଶ ଶକ୍ତିଙ୍କ ବିରୋଧରେ ଲଢିବା ପାଇଁ ତାଙ୍କ ମନ୍ତ୍ରଣା ଆମ ଉପଦେଶ ବିରୋଧୀ ଥିଲା । ତାଙ୍କୁ ଗିରଫ କରାଯାଇ ମେଦିନିପୁର ପଠାଗଲା । ସେତେବେଳେ ମେଜର ଫ୍ଲେଚର ଖୋର୍ଦ୍ଧା ଅଞ୍ଚଳର ଅଧିକାରୀ ହେଲେ । ଆମେ ଉତ୍ସୁକତାର ସହିତ ସେହି ଅଧିକାରୀଙ୍କୁ ଅପେକ୍ଷା କରିଥିଲୁ । ବଂଶାନୁକ୍ରମିକ ଭାବରେ ଉତ୍ତରାଧିକାରୀ ସୂତ୍ରରେ ଆମେ ଉପଭୋଗ କରୁଥିବା ନିଷ୍କର ଜମି ଜାଗିରକୁ ଫେରାଇବା ପାଇଁ ଦରଖାସ୍ତ ଦେଲୁ । ଲେମ୍ବାଇ, ରୋହଙ୍ଗ, ସେରେଇ ଓ ଚବିଶକୁଦକୁ ନେଇ ଚାରୋଟି ପ୍ରଗଣା ଫେରାଇବାକୁ ଦାବି କଲୁ । ଆମେ ଦାବି ରଖିଲୁ ଯେ ଆମକୁ ବକ୍ସି, ବେର ଓ ଦେବାନ ପଦବୀ ସହିତ ରୋଡ଼ଙ୍ଗ ଜିଲ୍ଲା ଓ ମହଲ ସସମ୍ମାନେ ଫେରାଇ ଦିଆଯାଉ ।

 

ମେଜର ଫ୍ଲେଚର ଆମର ଦାବିକୁ ପ୍ରତ୍ୟାଖ୍ୟାନ କଲେ । ଆମର ସମସ୍ତ ଜମିକୁ ଦଖଲ କରି ଆମ ପାଇଁ ବଖରାଏ ଘର କିମ୍ବା ବିଘାଟିଏ ଜମି ରଖିଲେ ନାହିଁ । ମହାରାଜାଙ୍କୁ ମେଦିନୀପୁରରୁ ଅଣାଯାଇ ପୁରୀରେ ଥଇଥାନ କରାଗଲା । ତାଙ୍କ ଚଳିବା ପାଇଁ ଅର୍ଥର ବ୍ୟବସ୍ଥା କରାଗଲା । ସେତେବେଳେ କଟକର ଅଧିକାରୀମାନଙ୍କ ନିକଟରେ ଆମେ ଅନୁରୂପ ଦାବି ଉପସ୍ଥାପିତ କଲୁ । ଆମେ ନ୍ୟାୟସମ୍ମତ କର ଦେବାକୁ ମଧ୍ୟ ସହମତ ହେଲୁ ।

 

କହିବା ବାହୁଲ୍ୟ ଯେ ଆମେ ଜମିଦାର ଭାବେ ଆମ ସମ୍ପତ୍ତିକୁ ଏ ଅଞ୍ଚଳର ବିନା କରରେ ବଂଶାନୁକ୍ରମିକ ଭାବେ ବାଦଶାହ ଓ ସୁବେଦାରଙ୍କ ଅନୁକମ୍ପାରୁ ଉପଭୋଗ କରିଆସିଛୁ । ଆମ ଦୁର୍ଭାଗ୍ୟ ଯେ ଆମ ଅଳିକୁ ଉପେକ୍ଷା କରାଗଲା । ଦିଲ୍ଲୀର ମୋଗଲ ବାଦଶାହ ରୋଡଙ୍ଗ ଜିଲ୍ଲା ଓ ଖୁଦୁକାସ୍ତ ଜମିଦାରୀ ଆମର ଜଣେ ପୁରୁଖାଙ୍କୁ ନେଇ ତାଙ୍କୁ ବକ୍ସି ପଦବୀରେ ନ୍ୟସ୍ତ କରିଥିଲେ । ବ୍ରିଟିଶ କମ୍ପାନୀ ଓଡ଼ିଶା ଦଖଲ କରିବା ସତ୍ତେ୍ୱ ଆମେ ତାହାକୁ ନିଷ୍ଠାର ତିନି ବର୍ଷ ଯାଏ ଉପଭୋଗ କରିଛୁ । ଏବେ ଜମି ଓ ସମ୍ପତ୍ତି ଦଖଲ ପ୍ରତିବାଦରେ ଆମେ ବାରମ୍ବାର ଆବେଦନ ପତ୍ର ଦେଲୁ ଓ ବିଫଳ ହେଲୁ । ଏଣୁ ପ୍ରଭାବଶାଳୀ ବକ୍ସି ଦରିଦ୍ର ହୋଇ ଅନ୍ୟ ଜମିଦାରଙ୍କ ଆର୍ଥିକ ସହାୟତା ଉପରେ ନିର୍ଭର କଲେ ।

 

ରାଜପ୍ରଦତ୍ତ ଗଡ଼ଛତ୍ରୀ ଓ ଅନ୍ୟ ସଂଲଗ୍ନ ଅଞ୍ଚଳରୁ ଦେବାନଙ୍କୁ ବେଦଖଲ କରାଗଲା । ଫଳତଃ ସେ ଦରିଦ୍ର ହେଲେ । ଅଭିଯୁକ୍ତ ଉପଦ୍ରବକାରୀଙ୍କୁ ବ୍ରିଟିଶ ପ୍ରଶାସନ ଖାଇବା ଓ ପିନ୍ଧିବା ପାଇଁ ବ୍ୟବସ୍ଥା କରୁଥିବା ବେଳେ ଆମକୁ ଏଭଳି ଦାରିଦ୍ର୍ୟର ଶିକାର ହେବାକୁ ପଡିଲା କାହିଁକି? ଆମେ ଏମିତି କ’ଣ ଅପରାଧ କରିଥିଲୁ? ଏପରିକି ବ୍ରିଟିଶ ସରକାରଙ୍କୁ ବିରୋଧ କରୁଥିବା କେତେକ ଜମିଦାର ଓ ରାଜାଙ୍କୁ କ୍ଷମା ଦିଆଯାଇଛି ଓ ସେମାନଙ୍କ ରାଜ୍ୟ ଓ ଜମିଦାରୀ ଫେରାଇ ଦିଆଯାଇଛି । ଯୁବ ଅବସ୍ଥାରେ ଦୁଷ୍ଟ ମନ୍ତ୍ରୀଙ୍କର ପ୍ରରୋଚନାରେ ମୁକୁନ୍ଦ ଦେବ ଦେଶଦ୍ରୋହ ଅପରାଧ କରିଥିବାରୁ ତାଙ୍କୁ ରାଜ୍ୟକୁ ୧୪ ବର୍ଷ ବାହାରେ ରହିବାକୁ ପଡିଲା ।

 

ପୁରୀ ଭଳି ଗୋଟିଏ ରାଜ୍ୟର ଅବସ୍ଥା ଧ୍ୱସ୍ତ ବିଧସ୍ତ ହେଲା । ରାଜା ଦଣ୍ଡିତ ନହୋଇଥିଲେ ଉତ୍ତର ପୂର୍ବର ଦାରୁଠେଙ୍ଗଠାରୁ ଦକ୍ଷିଣ ଛତ୍ରଗଡ଼ ଯାଏ ତିନିଲକ୍ଷ ଲୋକଙ୍କର ପ୍ରାଣକୁ ଆଘାତ ହୋଇନଥାନ୍ତା । ଏ ଅଞ୍ଚଳର ଖଜଣା ଆଦାୟ ହେଲା । ପାଞ୍ଚ ଟଙ୍କାର ସମ୍ବଳରେ ୧୫ ଟଙ୍କାର କରଦାବି ହେଲା । ଲୁଣ ମୂଲ୍ୟ ପାଉଣାରୁ ପାଞ୍ଚ ପାଉଣା ହେଲା । ହତାଶ ହେଲେ ଚାଷୀ । ଏପରିକି ଲୋକ ନିଜର ବାସନକୁସନ ହରେଇ ବସିଲେ । ଏହି ଦୟନୀୟ ଅବସ୍ଥା ନେଇ ଲୋକେ ଆମ ପାଖକୁ ଆସିଲେ । ଆମର ସ୍ୱାଚ୍ଛନ୍ଦ୍ୟ ସବୁଠାରୁ ନିମ୍ନସ୍ତରକୁ ଯାଇଥିଲା । ଭାବିଲୁ ଜମି ଛାଡି ଜଙ୍ଗଲକୁ ଯିବୁ । ସେଇଠି ରହିବୁ । ଜମି ଚାଷ ହେବ ନାହିଁ କି ଖଜଣା ଦିଆଯିବ ନାହିଁ । ଭାବିଲୁ ଇଂରେଜମାନେ ଆମ ଦୟନୀୟ ଅବସ୍ଥାକୁ ବୁଝିପାରିବେ । ଏହି ଯୋଜନା ଅନୁଯାୟୀ ଲୋକେ ଜଙ୍ଗଲ ପଳେଇଲେ ।

 

କିନ୍ତୁ ବ୍ରିଟିଶ ଅଧିକାରୀ ଏହାକୁ ଭୁଲ ବୁଝିଲେ । ସୈନ୍ୟ ପଠାଇ ନରସଂହାର ଆରମ୍ଭ କଲେ । ରାଜ୍ୟ ଧ୍ୱସ୍ତ ବିଧ୍ୱସ୍ତ ହେଲା । ବର୍ତ୍ତମାନ ପ୍ରଶାସନ ଖୋର୍ଦ୍ଧା ଅଞ୍ଚଳ ପରିଦର୍ଶନ କରିଛନ୍ତି ଓ ମହାରାଜା ରାମଚନ୍ଦ୍ରଙ୍କ ଅବସ୍ଥା ଦେଖିଛନ୍ତି । ଏବେ ଆମମାନଙ୍କ ଅବସ୍ଥା ବିଚାରକୁ ନିଆଯାଉ । ମହାରାଜା ରାମଚନ୍ଦ୍ରଙ୍କୁ ଖୋର୍ଦ୍ଧାର ଗାଦି ମିଳୁ । ଆମର ପୁରୁଖା ସମ୍ପତ୍ତି ଆମ ପାଖକୁ ଫେରିଆସୁ । ଖୋର୍ଦ୍ଧାବାସୀ ଖୁସିରେ ରୁହନ୍ତୁ । ଏହାପରେ ଯଦି କେହି ବ୍ରିଟିଶ ପ୍ରଶାସନ ବିରୋଧରେ କିଛି ଅପରାଧ କରେ ଆମେ ତାକୁ ଖଣ୍ଡାରେ ନିପାତ କରିବୁ । ଏବେ ବକ୍ସି ଜଗବନ୍ଧୁଙ୍କୁ ଓ ଦେବାନ ଭ୍ରମରବର ରାୟଙ୍କୁ ରାଜକ୍ଷମା ଦିଆଯାଉ ।”

 

(ଏହି ଚିଠିଟିକୁ ୨୧.୭.୧୮୧୯ ତାରିଖରେ କଲିକତାର ଫୋର୍ଟ ଉଇଲିୟମଠାରେ ଅବସ୍ଥାପିତ ମୁଖ୍ୟ ସଚିବ ଡବ୍ଲୁ.ବି. ବେଲିଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ଉତ୍ସ:-ଗାଇଡ଼ ଟୁ ଓଡ଼ିଶାନ ରେକର୍ଡ଼ସ ଭଲ୍ୟୁମ-୩, ଏସସି ଦେ, ଆନ୍ନେକ୍ସର ନଂ. ଏକ୍ସଏଲଭିଆଇଆଇଆଇ ପୃଷ୍ଠା ନଂ. ୮୦-୮୩, ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର)

 

ଲୋକମେଳି ଯୋଗୁ ପାଇକ ଆନ୍ଦୋଳନ ୧୮୧୭ ବେଳକୁ ଭୟାବହ ରୂପ ନେଲାଣି । ଗୋପାଳ ଛୋଟରାୟ, ବିଷ୍ଣୁ ପାଇକାରୀ, ରାମ ସିଂହ, ନରସିଂହ, ରାମ ପ୍ରଧାନ, ପରଶୁରାମ ପଟ୍ଟନାୟକ, ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା । ୧୦୩ ବିଦ୍ରୋହୀଙ୍କୁ ଦେଶାନ୍ତର (କଳାପାଣି) ପଠାଗଲା । ଗରିଲା ଯୁଦ୍ଧରେ ଶହଶହ ଲୋକ ପ୍ରାଣ ହରାଇଲେ । ପରିଶେଷରେ ବକ୍ସି ଜଗବନ୍ଧୁ ଓ ଦେବାନ କୃଷ୍ଣଚନ୍ଦ୍ର ୧୮୨୫ ମସିହାରେ ଆତ୍ମ ସମର୍ପଣ କଲେ । ମୂଲଚାଲରେ ଜଗବନ୍ଧୁଙ୍କୁ କୋଠି ମିଳିଲା । ମାସିକ ଦେଢଶହ ଟଙ୍କା ଭତ୍ତା ମିଳିଲା । ବକ୍ସି ୧୮୨୯ ମସିହାରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

 

ଏବେ ପ୍ରଶ୍ନ-୧୮୦୩ ମସିହାରେ ବକ୍ସି ବ୍ରିଟିଶ ଶକ୍ତିଙ୍କ ସହିତ ସାଲିସ କରି ୩ ବର୍ଷ ନିଷ୍କର ଜମି ଭୋଗ କରିବା ଓ ଗଜପତି ରାଜାଙ୍କର ବ୍ରିଟିଶ ସହିତ ଲଢାଇ ନିଷ୍ପତ୍ତିକୁ ବିରୋଧ କରିବା କେଉଁ ପାଇକ ପଣିଆ ଥିଲା?

 

୧୮୧୭ ମସିହାରେ ପାଇକ ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ବକ୍ସି ଓ ତାଙ୍କ ଦେୱାନ ଇଂରେଜ ମୁଖ୍ୟ ସଚିବଙ୍କୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିବା କେଉଁ ପାଇକପଣିଆ ଥିଲା?

 

ଶହଶହ ଲୋକ ପ୍ରାଣବଳି ଦେଇସାରିବା ପରେ ୧୮୨୫ ମସିହାରେ ବ୍ରିଟିଶ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରି ବକ୍ସି ଭତ୍ତା ନେବା ଏବଂ କଟକରେ କୋଠି ହାସଲ କରିବା କେଉଁ ପାଇକପଣିଆ ଥିଲା?

 

ଭଲହେଲା ଏବେ ଗୋଟିଏ ସମୟ ଆସିଛି ଇତିହାସର ଏହି ଅଣଦେଖା ପୃଷ୍ଠାକୁ ପୁଣିଥରେ ଫେରି ଚାହିଁବା । ଆଶା ଐତିହାସିକମାନେ ବିଚାର କରିବେ । ପାଇକ ବିଦ୍ରୋହ ଇତିହାସରେ ବେଶ ଉଲ୍ଲେଖନୀୟ ଅଧ୍ୟାୟ ହେବ । କାରଣ ଏହା ସାଧାରଣ ଜନତା ଓ ଆଦିବାସୀ ଲଢିଥିଲେ ଯାହା ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିରଳ ।

ଆଡ଼ଭୋକେଟ, ଚେମ୍ବର ନମ୍ବର-୧୨, ଦିଲ୍ଲୀ ହାଇକୋର୍ଟ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top