ଭାରତରେ ଫାସିବାଦ ଓ ଅସହିଷ୍ଣୁତା!

News Story - Posted on 2017-11-15

ସୂର୍ଯ୍ୟମଣି ମିଶ୍ର

 

ବରିଷ୍ଠ ସିପିଆଇଏମ୍‍ ନେତା ପ୍ରକାଶ କାରାତଙ୍କ ୬ ସେପ୍ଟେମ୍ବର ୨୦୧୬ ଇଂରାଜୀ ଦୈନିକ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ଲେଖାକୁ ନେଇ ସେତେବେଳେ ଜେଏନୟୁର କେତକ ପୁରାତନ ସାଥୀ ଜବାବ ମାଗିଥିଲେ ।

 

କାରାତଙ୍କ ଯୁକ୍ତି ଥିଲା ଭାରତରେ ଗଣତନ୍ତ୍ର ସବୁ ସ୍ତରରେ ସକ୍ରିୟ, କ୍ରିୟାଶୀଳ ଏବଂ ଚଳଚଞ୍ଚଳ । ପଞ୍ଚାୟତରୁ ସଂସଦ, ନ୍ୟାୟାଳୟରୁ ବିଧାନସଭା ଯାଏ ଗଣତନ୍ତ୍ର ଜୀବିତ । ବିଭିନ୍ନ ସ୍ତରରେ ବିରୋଧୀ ରାଜନୈତିକ ଦଳ ମଧ୍ୟ କ୍ରିୟାଶୀଳ । ଏପରି ବସ୍ତୁଗତ ସ୍ଥିତିରେ ଭାରତରେ ଫାସିବାଦ ଆସିବାର ସମ୍ଭାବନା କମ୍‍ । ଫାସିବାଦ ଏତାଦୃଶ୍ୟ ସଂକଟକୁ ଏଡାଇ, କୌଣସି ଶାସ୍ତ୍ରୀୟ ପ୍ରଣାଳୀ ବାଟଦେଇ ଆସିପାରିବ ନାହିଁ । ସଂସଦୀୟ ଗଣତନ୍ତ୍ରକୁ ନଷ୍ଟ କରିବାକୁ ଆସିବ ନାହିଁ ।

 

କିନ୍ତୁ ବିତର୍କ ହେଉଛି ସଂସଦୀୟ ଗଣତନ୍ତ୍ରରେ ଫାସିବାଦ ଶକ୍ତିର କାର୍ଯ୍ୟଶୈଳୀ ବଦଳିଯାଇଛି । ଫାସିବାଦ ଗଣତନ୍ତ୍ରକୁ ରହିବାକୁ ଦେଇଥାଏ, କିନ୍ତୁ ସଂବିଧାନକୁ ନିଷ୍କ୍ରିୟ କରିବାପାଇଁ ଗଣତନ୍ତ୍ରକୁ ଅଚଳ କରିବା ପାଇଁ ନୂଆ ନୂଆ ସୂତ୍ର ବାହାର କରିପାରେ! ନିରନ୍ତର ବହୁ ସଂଖ୍ୟକବାଦୀଙ୍କ ସାଂପ୍ରଦାୟିକତାର ରାଜନୈତିକ ଏଜେଣ୍ଡା, ଆଧାରରେ ଗଣମାଧ୍ୟମ ଠାରୁ ଆରମ୍ଭ କରି ସରକାର ଯାଏ ଚଳାଇବା ବସ୍ତୁତଃ ଫାସିବାଦ, ଯାହାକୁ ବରିଷ୍ଠ ସିପିଆଇଏମ୍‍ ନେତା ଶ୍ରୀ କାରାତ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି । ଗ୍ରହଣ କରିବା ସପକ୍ଷରେ ମଧ୍ୟ ନାହାଁନ୍ତି ।

 

ଏହି ପ୍ରସଙ୍ଗକୁ ନେଇ କେବଳ ସିପିଆଇଏମ୍‍ରେ ନୁହେଁ, ଅନ୍ୟ ବାମଦଳରେ ·ଲିଛି ବିତର୍କ । ଯେଉଁ ସମୟରେ ଅନ୍ୟ ସମାଜବାଦୀ, ପ୍ରଗତୀଶୀଳ କର୍ମୀ ବିଜେପିକୁ ଫାସିବାଦ ଦଳ ଭାବେ ଖୋଲାଖୋଲି କହୁଛନ୍ତି; କିନ୍ତୁ ଶ୍ରୀ କରାତ ଫାସିବାଦର ଉତ୍‍ଥାନ ନେଇ ଭିନ୍ନମତ ରଖିଛନ୍ତି ।

 

ବିଜେପିର ଫାସିବାଦ ସ୍ୱରୂପ ହେଉଛି ବିମୁଦ୍ରୀକରଣ । ମନ୍ତ୍ରୀ, ସଂସଦର ବିତର୍କ ବିନା ବ୍ୟକ୍ତିଗତ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟକାରୀ କରାଗଲା । ଏହା କେବଳ ଏକଛତ୍ରବାଦୀ ସ୍ୱରୂପ ନୁହେଁ, ଫାସିବାଦୀ ଚରିତ୍ର ମଧ୍ୟ । ଏହା ହେଉଛି କଂଗ୍ରେସ ସମେତ ବାମଦଳର ମତ । ଗତ ୩ ବର୍ଷରେ ସୁପ୍ରିମ କୋର୍ଟଙ୍କୁ ଥରକୁ ଥର ବିଭିନ୍ନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପଡୁଛି । କଲେଜିୟମ୍‍ ଅଚଳ କରିବା ପାଇଁ ଉଦ୍ୟରତ ଫାସିବାଦର ଆଉ ଏକ ଲକ୍ଷଣ ।

 

ଏହା ହେଉଛି ଭାରତୀୟ ଫାସିବାଦର ନୂଆ ରୂପ । ସଂଯୋଗକୁ ଏହି ପ୍ରସଙ୍ଗରେ ବିଜେପି ସହ ଅନ୍ୟ କେତେକ ଦଳ ଏକାଠି ହୋଇଛନ୍ତି । ବିଜେପି ମାର୍କା ଫାସିବାଦ କେବଳେ ଆରଏସଏସ ମଧ୍ୟରେ ସୀମିତ ନୁହେଁ । ନିଜ ସହ ଅନ୍ୟ ଦଳକୁ ଏହି ବିଚାର ସହ ଯୋଡ଼ିବା ହେଉଛି ଫାସିବାଦର ନୂଆ କୌଶଳ । ଦଳ ଏବଂ ନେତା ବିଚ୍ଛିନ୍ନତାବାଦୀଙ୍କର ଖୋଲାଖୋଲି ସହାୟତା ନେଉଛନ୍ତି । ଏହି ଦଳ ସହ ସଂଯୁକ୍ତ ମୋର୍ଚ୍ଚା ଗଠନ କରାଯାଇଛି । ଫାସିବାଦ ବିଭିନ୍ନ ତରିକାରେ ସଂଖ୍ୟାଲଘୁଙ୍କୁ ଆତଙ୍କିତ କରୁଛନ୍ତି । ସର୍ବଦା ଭୟରେ ରଖାଯାଉଛି । ଖାଦ୍ୟ, ବସ୍ତ୍ର, ପ୍ରେମକୁ ନେଇ ଫତୁଆ ଜାରି କରାଯାଉଛି । ସଂବିଧାନ ଏବଂ ନ୍ୟାୟପାଳିକା ବିଜେପିର ଏକ ଫାସିବାଦୀ ଧାରାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି । ପ୍ରଶ୍ନ ହେଉଛି କ’ଣ ବିରୋଧୀ ଦଳ ନିଷ୍କ୍ରିୟ । ବିରୋଧୀ ଦଳ ନିଷ୍କ୍ରିୟତାର ବଡ଼ କାରଣ ହେଉଛି ବିଜେପି-ଆରଏସଏସର ବୈଚାରିକ ଚରିତ୍ରକୁ ବୁଝି ପାରିବାର ଅକ୍ଷମତା । ନୂଆ ସ୍ଥିତି ଅନୁଯାୟୀ ରାଜନୈତିକ ସଂଘର୍ଷକୁ ପ୍ରମୁଖ ପ୍ରସଙ୍ଗ ଭାବେ ପ୍ରାଥମିକତା ଦେବା ପାଇଁ ସ୍ଥିର କରିପାରୁ ନାହାଁନ୍ତି ।

 

ଆଜି ବେଜେପିକୁ ଫାସିବାଦୀ ଦଳ ବୋଲି କହୁଥିବା କଂଗ୍ରେସ ଦଳ ଭୁଲିଯିବା ଉଚିତ ନୁହେଁ ଯେ, ଭାରତର ଫାସିବାଦ ଏକଛତ୍ରବାଦୀ ରାସ୍ତାରେ ଜରୁରୀ ପରିସ୍ଥିତି ସମୟରେ ଆସିଥିଲା । ଏହି ସମୟରେ ଜନତା ଆନ୍ଦୋଳନରତ ଥିଲେ । ସେତେବେଳେ କଂଗ୍ରେସର ଏକଛତ୍ରବାଦ କାର୍ଯ୍ୟ ବିରୋଧରେ ଯେଉଁ ନେତା ରାସ୍ତାକୁ ଓହ୍ଲାଇଥିଲେ, ସେତେବେଳେ ସେମାନଙ୍କୁ କିପରି ଦମନ କରାଯାଇଥିଲା, ତାହା ଆଜି ଦିନରେ ସମୀକ୍ଷା କରିବାର ପ୍ରାସଙ୍ଗିକତା ହରାଇନାହିଁ । କାରଣ ଏବେ ଫାସିବାଦ ରାଷ୍ଟ୍ରବାଦ ରାସ୍ତାଦେଇ ପ୍ରବେଶ କରିଛି । ଏହାସହ ଯୋଡି ହୋଇଯାଇଛି ଏକଛତ୍ରବାଦ ।

 

ପ୍ରକାଶ କାରାତ ଫାସିବାଦ ଉତ୍‍ଥାନକୁ ସ୍ୱୀକାର କରନାହାଁନ୍ତି କି ଅସ୍ୱୀକାର କରିନାହାନ୍ତି । ବିଜେପି ଯେ ଏକ ଫାସିବାଦୀ ଦଳ ଏହାକୁ ଦୃଢଯୁକ୍ତି ମାଧ୍ୟମରେ ପ୍ରମାଣିତ କରିପାରିନାହାଁନ୍ତି । ଅଥଚ ଏହି ସିପିଆଇଏମ୍‍ ଦଳର ଅନ୍ୟତମ ବରିଷ୍ଠନେତା ସୀତାରାମ ୟେଚୁରୀ ଏବଂ ସିପିଆଇ, ସିପିଆଇଏମ୍‍ଏଲ୍‍ ଲିବରେସନ୍‍ ଭଳି ବାମଦଳର ନେତାମାନଙ୍କ ପକ୍ଷରୁ ବିଜେପିକୁ ଏକ ସାଂପ୍ରଦାୟିକ ଫାସିବାଦୀ ଦଳ ବୋଲି ଚିତ୍ରଣ କରାଯାଉଛି । ଏପରି କହିବାରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପଛରେ ପଡ଼ିନାହାଁନ୍ତି । ବାମଦଳ ସ୍ୱର ସହ ସ୍ୱର ମିଳାଇଛନ୍ତି ।

 

କଂଗ୍ରେସ ଉପାଧ୍ୟକ୍ଷ ଶ୍ରୀ ଗାନ୍ଧୀ ନିକଟରେ ଆମେରିକା ଗସ୍ତରେ ଯାଇ ଭାରତର ଆର୍ଥିକ ସ୍ଥିତି କିମିତି ବିଗିଡ଼ି ଯାଇଛି, ସେ ସଂପର୍କିତ କିଛି ସତ୍ୟ ତଥ୍ୟ ଉପସ୍ଥାପନ କରିଥିଲେ । କିନ୍ତୁ ସହନଶୀଳତା ଏବଂ ଶାନ୍ତିର ସଂକଟ ସଂପର୍କିତ କିଛି ମିଛ ବି କହିଥିଲେ । ତାଙ୍କ ମତ-ମନ୍ତବ୍ୟକୁ ନେଇ ଦେଶରେ ଚର୍ଚ୍ଚା ଥମୁନି । ଏହା ସତ୍ୟ ଯେ ଭାରତର ରାଜନେତାମାନଙ୍କୁ ସମୟ ସମୟରେ ମିଛ କହିବାକୁ ପଡ଼ିଥାଏ! କିନ୍ତୁ ରାହୁଲଜୀ ଦେଶର ସହନଶୀଳତାକୁ ନେଇ ଆମେରିକାରେ କହିଥିବା ମିଛକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ କଥାହେବାବେଳେ ଭାରତକୁ ନିନ୍ଦିତ କରିବାକୁ ପଛେଇ ନଥିଲେ! କଂଗ୍ରେସ ଶାସନ ସମୟରେ ସହନଶୀଳତା ଓ ଶାନ୍ତିଥିଲା ଏବେ ଗତ ତିନି ବର୍ଷରେ ଏପରି ସ୍ଥିତି ବିଗିଡ଼ିଯାଇଛି । ଯାହାକୁ ନେଇ ଶ୍ରୀ ଗାନ୍ଧୀ ଉଦବେଗ ପ୍ରକାଶ କରିଛନ୍ତି ।

 

ଶ୍ରୀ ଗାନ୍ଧୀଙ୍କୁ ସାଧାରଣଲୋକଙ୍କ ପ୍ରଶ୍ନ-ଆପଣଙ୍କ ଭାରତରେ କ’ଣ ଏପରି ଘଟିଯାଉଛି? କ’ଣ ଏତେ ପରିବର୍ତ୍ତନ?

 

ଶ୍ରୀ ଗାନ୍ଧୀ ଏହି ମତ-ମନ୍ତବ୍ୟକୁ ଶୁଣିବା ପରେ ଇତିହାସ କଥା ମନେପଡ଼ିଯାଇଛି । ୧୦୨୪ ଖ୍ରୀଷ୍ଟାବ୍ଦରେ ସୋମନାଥ ମନ୍ଦିର ଲୁଣ୍ଠନ ହୋଇଥିଲା । ୧୯୨୫ରେ ସଂଗଠନର ପ୍ରତିଷ୍ଠା ସମୟରେ ଆରଏସ୍‍ଏସ୍‍ ଯାହା କହୁଥିଲା ତାହା ହିଁ ଆଜି କହୁଛି । ଆରଏସ୍‍ଏସ୍‍ର ବିସ୍ତାର ପାଇଁ ଦାୟୀ କିଏ? ଶ୍ରୀ ଗାନ୍ଧୀ ଆଜିଯାଏ ଏଥିପାଇଁ ନିଜଦଳକୁ ଦାୟୀ କରିପାରିନାହାଁନ୍ତି ।

 

କଂଗ୍ରେସ ଶାସନ ତୁଳନାରେ ଆଜି ଦିନରେ ସାଂପ୍ରଦାୟିକ ଦଙ୍ଗା କମ୍‍; କିନ୍ତୁ ଅଶାନ୍ତି ଅଧିକ । ଅମୃତସର, କାଶ୍ମୀର ଏବଂ ଶ୍ରୀଲଙ୍କାରେ ଶାନ୍ତି ପାଇଁ ଭାରତୀୟ ସେନା ଯାଇଥିବା ଅତୀତର ପ୍ରସଙ୍ଗ । ୧୯୮୪ରେ ଅମୃତସରରେ ଅପରେସନ ବ୍ଲୁ-ଷ୍ଟାର ଶେଷ ହୋଇଥିଲା କିପରି? ଇନ୍ଦିରାଜୀ ଫାରୁକ ଅବଦୁଲ୍ଲା ସରକାରଙ୍କୁ ଭାଂଗି ଦେଇଥିଲେ । କିପରି ଜଡ଼ ପାଲଟିଥିଲା କାଶ୍ମୀର ସମସ୍ୟା? ରାଜୀବଜୀଙ୍କ ଶାସନକାଳରେ ଭାରତୀୟ ସେନାକୁ ଶ୍ରୀଲଙ୍କାର ଜାଫନାକୁ ପଠାଗଲା ଯୁଦ୍ଧ କରିବାକୁ । ଏହି ସରକାର ଚିତ୍ରକୁ ନେଇ ଆଜି ଦିନରେ ଦେଶର ଚିତ୍ରକୁ ତୁଳନାକଲେ ସହନଶୀଳତା ଏବଂ ଶାନ୍ତି ଯେ ଦୃଢ ସ୍ଥିତିରେ ଅଛି ତାହାକୁ କ’ଣ ଅସ୍ୱୀକାର କରାଯାଇ ପାରିବ?

 

ଗତ ୩ ବର୍ଷ ମଧ୍ୟରେ ଯୁଦ୍ଧର ସ୍ଥିତି ସୃଷ୍ଟି ହୋଇନି, କି ବଡ଼ ଧରଣର ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇନି । କିନ୍ତୁ ଏହା ଉଲ୍ଲେଖ କରିବା ଏବଂ ସ୍ୱୀକାର କରିବା ଠିକ୍‍ ଓ ଜରୁରୀ ହେବ ଯେ, ଆଜି ଦେଶରେ ଶାନ୍ତିର ଚାଦର ତଳେ ଅସହିଷ୍ଣୁତା ଉଗ୍ର ଚିତ୍ର ସ୍ଥାନେ ସ୍ଥାନେ ଦେଖିବାକୁ ମିଳୁଛି । ସେ ଗୋ’ସୁରକ୍ଷା ବାହିନୀ ହେଉ ବା ଲଭ୍‍ ଜିହାଦୀ ବାହିନୀ ହେଉ । ସଂଖ୍ୟାଲଘୁମାନେ ଦେଶରେ ଦେଖୁଛନ୍ତି ଦଙ୍ଗା କମ୍‍; କିନ୍ତୁ ଘୃଣା ଓ ଅସହିଷ୍ଣୁତା ଅଧିକ । ଏହା ତ ଅସହିଷ୍ଣୁତାର ଚିତ୍ର । ଅଙ୍ଗେ ନିଭାଉଛନ୍ତି ସାଂପ୍ରଦାୟିକତାର ବିଷ ଜ୍ୱାଳାକୁ । ବିଜେପି ଦଳର ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟଗୁଡ଼ିକରେ ଅସହିଷ୍ଣୁତାର ଚିତ୍ର ଅଧିକରୁ ଅଧିକ । ଏହାକୁ କ’ଣ ଫାସିବାଦୀ ଶକ୍ତିଙ୍କ ଉତ୍‍ଥାନ ଭାବେ ଗ୍ରହଣ କରାଯାଇ ପାରିବ କି? ଫାସିବାଦ ହେଉଛି ମୁକ, ବଧିର, ଅନ୍ଧତ୍ୱ ମିଶ୍ରିତ ଶକ୍ତି । ଗୋଟିଏ ଭାଷାରେ କହିଲେ ଫାସିବାଦ ହେଉଛି ଅମାନବିକତାର ପ୍ରତୀକ । ଫାସିବାଦର ଠିକଣା ଛୁଇଁବା ପାଇଁ ଆବଶ୍ୟକ ଶକ୍ତି ଓ ସାହସ । ଫାସିବାଦରେ ତର୍କ-ବିତର୍କର ସ୍ଥାନ ନଥାଏ । ପୁଞ୍ଜିବାଦର ଦୁଇଟି ସ୍ୱରୂପ ବା ଦୁଇଟି ସ୍ତମ୍ଭ । ଗୋଟିଏ ଫାସିବାଦ ଅନ୍ୟଟି ଉଦାରବାଦ ।

 

ଆଜି ସମୟ ଆସିଛି ଫାସିବାଦ ଏବଂ ଅସହିଷ୍ଣୁତାକୁ ନେଇ ଯେଉଁ ପ୍ରଶ୍ନ ସୃଷ୍ଟି ହୋଇଛି, ସେ ସଂପର୍କରେ ବିତର୍କକୁ ଆଗକ୍‍ୁ ବଢ଼ାଇବା ପାଇଁ କେଉଁମାନେ ନିରବ ରହିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ । କେଉଁ ଦଳ ହତ୍ୟାକାରୀ, ବଳାକ୍ରାରୀ, ଦଙ୍ଗାକାରୀ ଏବଂ ଦେଶୀୟ ପୁଞ୍ଜି ଲୁଣ୍ଠନକାରୀଙ୍କ ରକ୍ଷା କବଚ ହୋଇଛି, ସେ ସଂପର୍କରେ ଅନୁଧ୍ୟାନ କରିବା ଦେଶର ବିକାଶ ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ ।

 

ଜର୍ମାନର ହିଟଲରଙ୍କ ଫାସିବାଦ ବିଚାରକୁ କେଉଁ ନେତା ଆପଣଉଛନ୍ତି, ତାହାକୁ ଚିହ୍ନଟ କରିବାର ସମୟ ଆସିଛି । କେବଳ ବିଜେପି ନା କଂଗ୍ରେସର ଏକଛତ୍ରବାଦୀ ନେତା ଅଛନ୍ତି? କେଉଁ ଦଳ ଧର୍ମ, ସଂପ୍ରଦାୟ ଓ ଜାତିକୁ ନେଇ କ୍ଷମତାର ପଶାପାଲି ଖେଳୁଛନ୍ତି, ତାହାକୁ ମଧ୍ୟ ଚିହ୍ନଟ କରିବା ସମୟ ଆସିଛି ।

 

ଗୋଟିଏ ଧର୍ମ ଓ ସଂପ୍ରଦାୟର ବିଦେଶୀ ପ୍ରଚାରକଙ୍କ ଟଙ୍କାକୁ ନେଇ ଚାନ୍ଦା ଭାବେ ଗ୍ରହଣ କରୁଥିବା ନେତା ନିଜକୁ ଧର୍ମନିରପେକ୍ଷତାର ବାର୍ତ୍ତା ଦେଉଛନ୍ତି, ଏହା ତ ସହଜରେ ସାଧାରଣରେ ଗ୍ରହଣ ହେଉନାହିଁ । ଏହାକୁ ବୁଝିବାକୁ ହେବ- ହିନ୍ଦୁତ୍ୱବାଦୀଙ୍କୁ କେବଳ ଫାସିବାଦୀ କହିଦେଲେ ଏହା ପ୍ରମାଣଯୋଗ୍ୟ ହେବନି କି ଜନତାଙ୍କ ହୃଦୟଙ୍କୁ ଛୁଇଁବନି । ଉଦାରବାଦୀଙ୍କ ଶରଣାପନ୍ନ ହେଲେ କେହି ସାମ୍ୟବାଦୀ ହୋଇପାରିବେ ନାହିଁ । ବରଂ ସୁବିଧାବାଦୀ ଓ ସଂଶୋଧନବାଦୀ ଭାବେ ପରିଚିତ ହେବେ । ପଥଚ୍ୟୁତ ଲଢ଼େଇ ଯୋଗୁଁ ସାମ୍ୟବାଦୀଙ୍କ ଏକତା ଦାନା ବାନ୍ଧୁନାହିଁ । ସାମ୍ୟବାଦୀ ବିଳାପ ନକରି ଦକ୍ଷିଣପନ୍ଥୀଙ୍କ ବିରୋଧରେ ମୁର୍ଦ୍ଦାବାଦର ନାରା ନଦେଇ ସଂଘବଦ୍ଧ ଏକତା ମାଧ୍ୟମରେ ଫାସିବାଦର ସ୍ୱରୂପ, ପୁଞ୍ଜିବାଦର କାୟା ବିସ୍ତାରକୁ ଏବଂ ଅସହିଷ୍ଣୁତା ସୃଷ୍ଟିକାରୀଙ୍କୁ ଧରାଶାୟୀ କରାଯିବା ପାଇଁ ଏକାଠି ହେବାକୁ ହେବ । ପଦପଦବୀର ପିପାସା ପଛରେ ନଗୋଡ଼ାଇ ସମାଜବାଦୀ ବିଚାରକୁ ନେଇ ଆଗକ୍‍ୁ ବଢ଼ିବାର ସମୟ ଆସିଛି ।

 

କଂଗ୍ରେସ ପଛରେ ନଗୋଡ଼ାଇ ଏବଂ କେବଳ ବିଜେପିକୁ ଫାସିବାଦୀ କହିଲେ ସାଧାରଣ ଜନତା ସମର୍ଥନ ଜଣାଇବେ ନାହିଁ । କାରଣ କଂଗ୍ରେସ ଓ ବିଜେପିର ଆର୍ଥିକ ନୀତି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଉଭୟେ ଆମେରିକା ସାମ୍ରାଜ୍ୟବାଦର ଜଣାଣ କରୁଛନ୍ତି । ଏହି ପରି କ୍ଷମତା ପିପାସାର କଂଗ୍ରେସ, ବିଜେପି ଦଳର ସମାନତା । ଏହି ଦୁଇ ଦଳର ଏକଛତ୍ରବାଦୀ ନେତାଙ୍କ ଉପସ୍ଥିତିକୁ ଅସ୍ୱୀକାର କରାଯାଇନପାରେ । ଦେଶରେ ଫାସିବାଦ କମ୍‍ ଏକଛତ୍ରବାଦ ଅଧିକରୁ ଅଧିକ ମୁଣ୍ଡ ଟେକୁଛି । ଫଳରେ ଦେଶର ରାଜନୈତିକ ଦଳଗୁଡ଼ିକରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଖୋଜାଚାଲିଛି । ଏହି ପରିପ୍ରେକ୍ଷୀରେ ଫାସିବାଦ ଏବଂ ଅସହିଷ୍ଣୁତା ପ୍ରସଙ୍ଗକୁ ନେଇ ବିତର୍କ ଜୋର୍‍ ଧରିଛି । କାରଣ ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ, ଯେଉଁଠି ବିଭିନ୍ନତାରେ ଏକତା ବିଶେଷତ୍ୱ ଭାବେ ପରିଚୟ ଲାଭ କରିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top