ଭାଷା ଆନ୍ଦୋଳନକୁ ବିଭ୍ରାନ୍ତ ଉଦ୍ୟମ

News Story - Posted on 2017-11-15

ସରକାର ଶିଶୁ ଦିବସ ପାଳନ ଅବସରରେ ରାଜ୍ୟବ୍ୟାପୀ ବ୍ୟାପକ ଆୟୋଜନ କରି ରାଜ୍ୟ ସରକାର ପାଂଚଞ୍ଚବର୍ଷ ଧରି ରାଜ୍ୟରେ ଚାଲିଥିବା ଭାଷା ଆନ୍ଦୋଳନକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି ବୋଲି ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଏବଂ ଓଡ଼ିଆ ପଢ଼ିବା ପାଇଁ ଛାତ୍ରମାନଙ୍କୁ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ସେ ଭୁଲି ଯାଉଛନ୍ତି ଓଡ଼ିଆ ଭାଷା ଓଡ଼ିଆ ପିଲାମାନଙ୍କ ପାଇଁ ଜୀବନ ଜୀବିକାର ଭାଷା ନହେଲେ ସେମାନେ ଓଡ଼ିଆ ପଢ଼ିବାକୁ ଆଗ୍ରହୀ ହେବେ ନାହିଁ ।

 

ସରକାର ଭାଷା ଆଇନକୁ କାର୍ଯ୍ୟକାରୀ କରି ପ୍ରଶାସନ, ନ୍ୟାୟାଳୟ ଓ ବ୍ୟବସାୟ ବାଣିଜ୍ୟର ଭାଷା ନକଲା ଯାଏ ଓଡ଼ିଆ ପିଲାଏ ଓଡ଼ିଆ ପଢ଼ିବାକୁ କାହିଁକି ମନ ବଳାଇବେ? ମୁଖ୍ୟମନ୍ତ୍ରୀ ଇଂରାଜୀରେ କହିବେ, ଲେଖିବେ, ରାଜ୍ୟର ସବୁ କାର୍ଯ୍ୟ ଇଂରାଜୀରେ ଚାଲିଥିବ ଓଡ଼ିଆ ପିଲାଏ ଓଡ଼ିଆ ପଢ଼ି ଚାକିରି ଖଣ୍ଡେ ପାଇବେ କେଉଁଠି? ତେଣୁ ଓଡ଼ିଆ ପଢ଼ିବା ପାଇଁ ପ୍ରୋତ୍ସାହନ ଘୋଷଣା କରିଦେଲେ ଓଡ଼ିଆ ପିଲାଏ ଓଡ଼ିଆ ପଢ଼ିବାକୁ ଧାଇଁ ଆସିବେ ବୋଲି ଭାବିବା ଏକ ଭ୍ରମାତ୍ମକ ଧାରଣା । ଓଡ଼ିଆ ମାଧ୍ୟମ ସରକାରୀ ବିଦ୍ୟାଳୟରେ ଓଡ଼ିଆ ପଢ଼ାଇବା ପାଇଁ ଓଡ଼ିଆ ଶିକ୍ଷକ ନଥିଲା ବେଳେ ସେ ସବୁ ବିଦ୍ୟାଳୟରେ ପିଲାମାନେ ଓଡ଼ିଆରେ ଭଲ କରିବେ କେମିତି ବୋଲି ଶ୍ରୀ ପରିଡ଼ା ପ୍ରଶ୍ନ କରିଛନ୍ତି?

 

ଦ୍ୱିତୀୟ କଥାଟି ହେଉଛି, ମୁଖ୍ୟମନ୍ତ୍ରୀ ଓଡ଼ିଆ ଶିକ୍ଷାର ବିକାଶ କଥା କହିଲା ବେଳେ ଓଡ଼ିଆ ଭାଷା ଆଇନକୁ କାହିଁପାଇଁ କାର୍ଯ୍ୟକାରୀ କରୁନାହିଁନ୍ତି ସେ ବିଷୟରେ ନୀରବ ରହିଯାଇଛନ୍ତି । ୨୦୧୬, ଅଗଷ୍ଟ ୧୬ ତାରିଖରୁ ଭାଷା ଆଇନ ଲାଗୁ ହେଲା ବୋଲି ସରକାର ଘୋଷଣା କରିଥିଲେ । ଇତି ମଧ୍ୟରେ ଦେଢ଼ବର୍ଷ ବିତିଗଲାଣି । ସଚିବାଳୟର ଗୋଟିଏ ହେଲେ ଫାଇଲର ନଥିପତ୍ରରେ ଓଡ଼ିଆରେ ଲେଖାଗଲା ନାହିଁ କି ସ୍ୱୟଂ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ମଧ୍ୟରୁ କେହି ସେଥିରେ ଓଡ଼ିଆରେ ଦସ୍ତଖତଟିଏ କରିନାହାନ୍ତି । ଅନ୍ୟ ଦିଗରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣି ନାହାନ୍ତି ବୋଲି ଓଡ଼ିଶା ଭାଷା ଆଇନ କାର୍ଯ୍ୟକାରୀ ହୋଇପାରୁନି ବୋଲି ଲୋକେ ଯେଉଁ ଅଭିଯୋଗ କରୁଛନ୍ତି ତାହାକୁ ବେପ୍ରମାଣ କରିବା ପାଇଁ ଆଜିକାର ଉତ୍ସବରେ ଅଫିସରମାନେ ନୂଆ ଏକ ଉପାୟ ଅବଲମ୍ବନ କରିଥିଲେ ।

 

ଇତି ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସରଙ୍କ ଦ୍ୱାରା ଇଂରେଜୀ ଅକ୍ଷରରେ ଲିଖିତ ଇଂରାଜୀ ମିଶା ଓଡ଼ିଆ ଭାଷଣ ପଢ଼ୁଥିଲେ । କିନ୍ତୁ ଶିଶୁ ଦିବସ ଉତ୍ସବରେ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଏପରି ଏକ ଯନ୍ତ୍ର ସେମାନେ ରଖିଦେଲେ ଯେଉଁଥିରେ ଅଫିସରଙ୍କ ଦ୍ୱାରା ଇଂରାଜୀ ଅକ୍ଷରରେ ଲେଖା ଭାଷଣଟି ଲେଖି ହୋଇଯାଉଥିଲା । ମୁଖ୍ୟମନ୍ତ୍ରୀ ତାହାକୁ ନିର୍ନିମେଶ ନୟନରେ ପଢ଼ୁଥିଲେ । ଲୋକେ ଭାବୁଥିଲେ ଆମ ମୁଖ୍ୟମନ୍ତ୍ରୀ ବିନା ହାତଲେଖାରେ ଓଡ଼ିଆ ଇଂରାଜୀ ମିଶା ଭଲ ଭାଷଣ ଦେଇ ପାରୁଛନ୍ତି । ଏହା ସରଳ ବିଶ୍ୱାସୀ ଓଡ଼ିଆମାନଙ୍କୁ ଭଣ୍ଡେଇବା ପାଇଁ ଚତୁର ଅଫିସରମାନଙ୍କର ଏକ ଅପକୌଶଳ ଥିଲା । ଓଡ଼ିଆମାନେ ସରଳ ଏବଂ ଗରିବ ହୋଇ ପାରନ୍ତି । କିନ୍ତୁ ସେମାନଙ୍କ ଭାଷା ସଂସ୍କୃତି ଓ ଐତିହ୍ୟ ଦୁର୍ବଳ ନୁହେଁ । ଆଜି ସେଇ ସବୁକୁ ବଂଚାଇବା ପାଇଁ ରାଜ୍ୟବ୍ୟାପୀ ଭାଷା ଆନ୍ଦୋଳନ ଚାଲିଛି । ଓଡ଼ିଆମାନଙ୍କୁ ପ୍ରତାରିତ ନକରି ସରକାର ତୁରନ୍ତ ଭାଷା ଆୟୋଗ ଓ ଦଣ୍ଡବିଧାନ ବ୍ୟବସ୍ଥା କରି ଭାଷା ଆଇନକୁ କାର୍ଯ୍ୟକାରୀ କରନ୍ତୁ ବୋଲି ଶ୍ରୀ ପରିଡ଼ା ଦାବୀ କରିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top