ତମେ କେଉଁ ଆକାଶର ତରା ହେ?

News Story - Posted on 2017-11-13

ଦେବେନ୍ଦ୍ର ପୃଷ୍ଟି

 

କେଉଁ ଆକାଶର ତରା ତୁମେ?
କେଉଁ ତରା ତୁମେ ଆକାଶର?
ସମୁଦ୍ର ସେପାରି ନାବିକ କି?
ପାର କରିବାକୁ ଆସିବ କି?

 

ସାଆନ୍ତ ତୁମେ କି ସଭିଙ୍କର?
ଦୁନିଆର ଦୁଃଖ ଦୂର କର?
ରଜା କିବା ତୁମେ ପ୍ରଜାଙ୍କର?
ନ୍ୟାୟ ନିକିତିର ଦଣ୍ଡଧର?

 

ତେବେ କାହିଁକି କାହିଁକି କାହିଁକି?
ଏତେ ପାତର ଅନ୍ତର କାହିଁକି?
ଜଣେ ନଖାଇ ଫୋଫାଡ଼ି ଦିଅନ୍ତି,
ପଣେ ଭୋକିଲା ପେଟରେ ଶୁଅନ୍ତି ।

 

ଦଳେ ଦେଖେଇ ହୁଅନ୍ତି ଦୟାବାନ ।
ଦଳେ କରନ୍ତି ତାଙ୍କର ଜୟଗାନ ।
ଏ କି ତୁମରି ରଚିତ ସାମ୍ୟବାଦ?
ଯାହା ବଢ଼ାଇ ଚାଲିଛି ଭେଦାଭେଦ?

 

ତମ ରଙ୍ଗ କାହିଁକି କଳା ହେ?
ତମ ଭାଇ କିଆଁ ହେଲେ ଗୋରା ହେ?
ତମେ ଖାଇବ ଷାଠିଏ ପଉଟି,
ତାହା କାହା ଝାଳବୁହା ପାଇଟି?

 

କୋଟି ଜନତାଙ୍କ ନାହିଁ ବାସଟିଏ,
ତମ ମଥାନ ଛୁଉଁଚି ଆକାଶ ।
ଚାଲିଚାଲି ଆମ ପାଦ ବିଣ୍ଡି
ତମେ ରଥଚଢ଼ି ଯାଅ ବନ୍ଧୁବାସ ।

 

ତମେ କେଉଁ ଆକାଶର ତରା ହେ?
ଆମେ କେଉଁ ମରତର ମରା ହେ?
ଆମେ ପ୍ରେମ କଲେ ଲାଗେ ପାତକ,
ତମ ପ୍ରେମରେ ସାଜନ୍ତି ଘାତକ ।

 

ଆମେ ମର୍ତ୍ତ୍ୟରେ ମଣିଷ ଦେହଧାରୀ ।
ତମେ ଈଶ୍ୱର କି କେହି ଅଶରୀରି?
ତମେ କେଉଁ ଧାରଣାରେ ପୁରସ୍ତମ?
ଆମେ କେଉଁ ଅବିଗୁଣେ ନରାଧମ?

 

ମୋର ସମୁଦ୍ର ଡେଇଁବା ଲୋଡ଼ା କି?
ମୋର ନଈ ପାର ହେବା ଲୋଡ଼ା କି?
ଏଇ ମାଟିରେ ଲୋଟିବ ମଲା ଦେହ ।
କିଏ ବଂଚିଛି କି ମାଟି ଛାଡ଼ିକି?

 

ତମେ ପ୍ରଭୁ ଯଦି ଏଇ ପୃଥିବୀର,
ତେବେ ମାଟି, ପାଣି ଏଠି ଭରିଦିଅ ।
ଫୁଲ, ଫଗୁଣରେ ପୂରୁ ମୋ ଦୁନିଆ ।
ପ୍ରେମ ପାରାବାରେ ଜଳୁ ଜନ୍ମନିଆଁ ।

 

ଆମ ଯୁଦ୍ଧ ଜିତିବା ଲୋଡ଼ା ନାହିଁ,
ଆମ କ୍ଷୁବ୍ଧ ପୃଥିବୀ ଲୋଡ଼ା ନାହିଁ,
ଆମେ ପ୍ରୀତିରୁ ଜନମ ନେଇଛୁ,
ଆମେ ଶାନ୍ତିରେ ମରିବୁ, ମନା ନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top