କଳିଙ୍ଗ ଯୁଦ୍ଧ- ଇତିହାସ ଗ୍ରହଣୀୟ

News Story - Posted on 2017-11-11

ଜନାର୍ଦ୍ଦନ ପତି

 

କଳିଙ୍ଗ ଯୁଦ୍ଧ ଏକ ଐତିହାସିକ ଘଟଣା । ତତକାଳୀନ କଳିଙ୍ଗର ଅଧିକାଂଶ ଅଧିବାସୀ ଥିଲେ ଆଦିବାସୀ ଓ କୈବର୍ତ୍ତ ସଂପ୍ରଦାୟର । ସେତେବେଳେ କଳିଙ୍ଗରେ ରାଜତନ୍ତ୍ର ପ୍ରତିଷ୍ଠା ହୋଇ ନଥିଲା । ହୁଏତ ଛୋଟ ବଡ଼ ଜନପଦ ଗୁଡିକ ନିଜ ଦ୍ୱରା ଶାସିତ ହେଉଥିଲା । ସେହି କାଳରେ ଯେହେତୁ କଳିଙ୍ଗର କୌଣସି ରାଜା ନଥିଲେ, ତେଣୁ ରାଜ୍ୟର ସ୍ଥାୟୀ ବା ଅସ୍ଥାୟୀ ସେନାବାହିନୀ ବି ନଥିଲେ । ସାଧାରଣ ଲୋକମାନେ ନିଜ ମାତୃଭୂମିକୁ ରକ୍ଷା ପାଇଁ ଲଢିଥିଲେ ।

 

ମଗଧ ସମ୍ରାଟ ଅଶୋକଙ୍କ କଳିଙ୍ଗ ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ବିଶାଳ ମଗଧ ସାମ୍ରାଜ୍ୟକୁ ବିସ୍ତାର କରିବା ଓ କଳିଙ୍ଗର ମାଟି ତଳେ ଥିବା ଲୁହା ପଥରକୁ ବ୍ୟବହାର କରି ଜଙ୍ଗଲ କାଟି ଶସ୍ୟ କ୍ଷେତ୍ରରେ ପରିଣତ କରିବା । କୃଷି ଜମିର ବିସ୍ତାର ପାଇଁ ଜଙ୍ଗଲ କାଟିବା ଦରକାର ଥିଲା ଓ ଏଥିପାଇଁ ଲୁହାର ଆବଶ୍ୟକତା ଜରୁରୀ ଥିଲା, ମଗଧ ସାମ୍ରାଜ୍ୟଙ୍କ ପାଇଁ ।

 

ଏହି ଲେଖକ ଯେତେବେଳେ ଇତିହାସର ଛାତ୍ର ଥିଲା, ସେତେବେଳେ ଇତିହାସର ପ୍ରଧାନ ପ୍ରଫେସର ଡକ୍ଟର ମନ୍ନଥ ନାଥ ଦାସଙ୍କୁ ପ୍ରଶ୍ନ କରିଥିଲା ଯେ କଳିଙ୍ଗ ôଯୁଦ୍ଧ ବେଳେ କଳିଙ୍ଗର ରାଜା କିଏ ଥିଲେ? ପ୍ରଫେସର ମନ୍ମଥ ନାଥ ଦାସ ଉତ୍ତରରେ କହିଥିଲେ ଯେ ସେହି କାଳରେ କଳିଙ୍ଗର ରାଜା କେହି ନଥିଲେ । କଳିଙ୍ଗ ଯୁଦ୍ଧ ପୂର୍ବରୁ ଭାରତ ଭୂଖଣ୍ଡରେ ଏକମାତ୍ର କଳିଙ୍ଗ ହିଁ ମଗଧ ସାମ୍ରାଜ୍ୟର ଅର୍ନ୍ତଭୁକ୍ତ ହୋଇନଥିଲା । କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକଙ୍କ ତ୍ରୟୋଦଶ ଶିଳାଲିପି ଏବେ ବି ଭୁବନେଶ୍ୱରରେ ଦେଖିବାକୁ ମିଳେ ଓ ତହିଁରୁ ଅନେକ ତଥ୍ୟ ପାଇଥାଉ ।

 

ସେହି କାଳରେ କଳିଙ୍ଗର କୌଣସି ନିୟମିତ ସେନା ବାହିନୀ ନଥିଲେ । ଜନପଦମାନଙ୍କରେ ଯେଉଁମାନେ ନିଜକୁ ରକ୍ଷା କରିବାକୁ ଲଢେଇରେ ଅଂଶ ନେଇଥିଲେ ସେମାନେ କୌଣସି ଟ୍ରେନିଂ ବି ପାଇ ନଥିବେ । ସେହି କାରଣରୁ ନିୟୁତ ନିୟୁତ ଲୋକ ଯୁଦ୍ଧରେ ପ୍ରାଣ ହରାଇଲେ । କଳିଙ୍ଗ ଯୁଦ୍ଧ ୨୬୧ ଖ୍ରୀ.ପୂ.ରେ ହୋଇଥିଲା ବୋଲି ଗବେଷକ ଓ ଐତିହାସିକମାନେ ମତ ଦେଇଛନ୍ତି ।

 

କଳିଙ୍ଗ ଯୁଦ୍ଧ ଆଦୌ ହୋଇନାହିଁ ଓ ଏହା ଏକ ମନଗଢା କାହାଣୀ ବୋଲି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ମହାଶୟ ଯାହା କହୁଛନ୍ତି ତାହାର ଅର୍ଥ ଦେଶର ସମସ୍ତ ଐତିହାସିକଙ୍କର ଗବେଷଣା ଓ ତଥ୍ୟ ସଂପୂର୍ଣ୍ଣ ଅସତ୍ୟ । କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଯାହା ସବୁ ତଥ୍ୟ ଦିଆଯାଇଛି, ସେ ସବୁ ସଂପୂର୍ଣ୍ଣ ଭାବେ ସତ୍ୟ ହୋଇ ନପାରେ, କିନ୍ତୁ ଓଡିଶାର ଲିଖିତ ଇତିହାସ କଳିଙ୍ଗ ଯୁଦ୍ଧଠାରୁ ହିଁ ଲେଖା ହୋଇଛି । କଳିଙ୍ଗ ଯୁଦ୍ଧ ପୂର୍ବରୁ ଓଡିଶାର ଲିଖିତ ଇତିହାସକୁ ଖୋଜିଲେ ମଧ୍ୟ ମିଳୁ ନାହିଁ ।

 

କଳିଙ୍ଗ ଯୁଦ୍ଧକୁ ସମ୍ରାଟ ଅଶୋକଙ୍କ ବିରତ୍ୱ ଓ କଳିଙ୍ଗବାସୀଙ୍କ ଆତ୍ମମର୍ଯ୍ୟାଦା ହାନି ଘଟଣା ବୋଲି ଚିତ୍ରଣ କରିବାଟା ସଂପୂର୍ଣ୍ଣ ଅଯୁକ୍ତିକର । ଇତିହାସରେ ବର୍ଣ୍ଣନା କରାଯାଇଥିବା ଯୁଦ୍ଧ ଗୁଡିକ, ତତକାଳୀନ ସମାଜର ପରିସ୍ଥିତି ସଂପର୍କରେ ଆଗାମୀ ବଂଶଧରକୁ ଶିକ୍ଷିତ କରାଏ ।

 

ପୃଥିବୀରେ କେତେ ଯେ ଯୁଦ୍ଧ ହୋଇଛି ଆଉ ସେଥିରେ କାହାର ପରାଜୟ ବା ବିଜୟ ହୋଇଛି । ତାହା ଉପରେ କୌଣସି ଜାତି ବା ବ୍ୟକ୍ତିର ମହନୀୟତା ନିର୍ଭର କରେ ନାହିଁ, ବରଂ ଯୁଦ୍ଧ ଭିଆଇଥିବା ବ୍ୟକ୍ତି ଓ ଜାତିଗୁଡିକ ଘୃଣାର ପାତ୍ର ହୋଇଥାନ୍ତି । ପରାଜୟ ବରଣ କରିଥିବା ସମ୍ରାଟ ନେପୋଲିୟନଙ୍କର ଯୁଦ୍ଧ ବିଚକ୍ଷଣତାକୁ କେହି କ’ଣ ଅସ୍ୱୀକାର କରିପାରେ? କଳିଙ୍ଗ ଯୁଦ୍ଧ ବାରବାର ପ୍ରମାଣ କରିଛି ଯେ କଳିଙ୍ଗର ଯୋଦ୍ଧାମାନେ ସମଗ୍ର ଭାରତର ମଗଧ ସେନା ସହିତ ଲଢିଥିଲେ, ଆତ୍ମସମର୍ପଣ କରିନାହାଁନ୍ତି । ଇତିହାସର ଏହି ଗୃହୀତ ଘଟଣା ଗୁଡିକୁ ଇତିହାସରୁ ପୋଛି ଦିଆ ନଯାଉ ।

 

ସମ୍ପାଦକ ମଣ୍ଡଳୀ ସଭ୍ୟ, ସିପିଆଇ(ଏମ)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top