ଅସୁରେଶ୍ୱର ଗୋରକ୍ଷଣୀ- ସଂପ୍ରୀତିର ପ୍ରତୀକ

News Story - Posted on 2017-11-11

ବୈଷ୍ଣବ ଜେନା

 

ଭାରତ ଏକ ବିବିଧତା ମଧ୍ୟରେ ଏକତାର ଦେଶ । ସମଗ୍ର ବିଶ୍ୱରେ ଏପରି ବିବିଧତା ମଧ୍ୟରେ ଏକତାର ନଜିର ମଧ୍ୟ ବିରଳ । ଏ ଦେଶରେ ବିଭିନ୍ନ ଧର୍ମର, ଜାତିର, ବର୍ଣ୍ଣର, ଆକୃତିର, ଭାଷାର ଏବଂ ଭୌଗୋଳିକ ସ୍ଥିତିର ଲୋକେ ବାସ କରନ୍ତି । ଭିନ୍ନ ଭିନ୍ନ ସଂପ୍ରଦାୟ ମଧ୍ୟରେ ବିଭେଦତା ଏହି ଦେଶରେ ବ୍ୟାପକ ଭାବେ ଘଟିଥାଏ । କିନ୍ତୁ ପରବର୍ତ୍ତର୍ୀ ସମୟରେ ଏକତା ଦେଖାଯାଇଥାଏ । ଏହି କ୍ରମରେ ଆମ ରାଜ୍ୟରେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସାମୟିକ ବିଭେଦତା ଦେଖାଯାଇଥାଏ, ମାତ୍ର ତାହାଠାରୁ ସଦଭାବନା ଓ ସଂପ୍ରୀତିର ନିଦର୍ଶନ ମଧ୍ୟ ବହୁ ଅଧିକ ।

 

ଏହି ରାଜ୍ୟରେ ମୁସଲମାନମାନେ ରଥ ଯାତ୍ରାରେ ସାମିଲ ହେବା, ଦୁର୍ଗାପୂଜା କରିବା ଏବଂ ଗଣେଶ ପୂଜା କରିବା ଆଦି ଘଟଣା ଖବର କାଗଜ ପୃଷ୍ଠା ମଣ୍ଡନ କରିଥାଏ । ଅପରପକ୍ଷରେ ଇଦ ମିଳନ ଓ ଇଫତାରରେ ଏବେ ହିନ୍ଦୁ ମୁସଲମାନମାନଙ୍କ ସହିତ ହିନ୍ଦୁମାନେ ସାମିଲ ହେବା ଏକ ନୂତନ ପରମ୍ପରା ସୃଷ୍ଟି ହେଲାଣି । ମୃତ୍ୟୁ କ୍ଷେତ୍ରରେ ମୁସଲମାନମାନଙ୍କ କବରସ୍ଥାନକୁ ହିନ୍ଦୁମାନେ ଯାଉଥିବା ବେଳେ ମୁସଲମାନମାନେ ମଧ୍ୟ ହିନ୍ଦୁଙ୍କ ଶ୍ମଶାନକୁ ଦାହ ସଂସ୍କାରରେ ସହଯୋଗ ପାଇଁ ଆସିଲେଣି । ଏହା ଭାଇଚାରା ଏବଂ ସାଂପ୍ରଦାୟିକ ସଦଭାବନାର ନିଦର୍ଶନ । ତେବେ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ଆତ୍ମୀୟତା ତଥା ସଂପ୍ରୀତିର ଜ୍ୱଳନ୍ତ ପ୍ରତୀକ ହେଉଛି ଅସୁରେଶ୍ୱରର ଗୋରକ୍ଷଣୀ । ଏକଥା ଓଡ଼ିଶାବାସୀ ବହୁତ କମ ଜାଣିଛନ୍ତି । ଏପରିକି ଜାତୀୟ ସ୍ତରରେ ଓ ବିଶ୍ୱସ୍ତରରେ ଯେତିକି ପ୍ରାଣୀ ସଚେତନ ଲୋକ ଜାଣିଛନ୍ତି, ସେତିକି ଲୋକ ଓଡ଼ିଶାରେ ଜାଣିନାହାଁନ୍ତି ।

 

କେନ୍ଦ୍ରାପଡ଼ା ଜିଲ୍ଲା ଅସୁରେଶ୍ୱର ଗ୍ରାମ ନଦୀକୂଳରେ ୧୯୪୨ ମସିହାରେ ସ୍ୱାଧୀନଚେତା, ସମାଜ ସଂସ୍କାରକ ତଥା ସାଂପ୍ରଦାୟିକ ସଦଭାବନାରେ ବିଶ୍ୱାସ କରୁଥିବା ଜଳଧର ନାୟକ ତାଙ୍କର ଜଣେ ବନ୍ଧୁଙ୍କ ସହିତ ବସି କଥାବାର୍ତ୍ତା ହେଉଥିଲେ । ସେହି ଦୁଇଜଣ ପ୍ରାୟ ସବୁଦିନ ବସି କଥା ହୁଅନ୍ତି । ତାଙ୍କ ବନ୍ଧୁଙ୍କ ନାମ ଆସରଫ ଅଲ୍ଲୀ । ବାବୁ ଜଳଧର ଏବଂ ଜନାବ ଆସରଫ ଭିନ୍ନ ଭିନ୍ନ ଧର୍ମାବଲମ୍ବୀ ହେଲେ ବି ସେମାନଙ୍କ ମଧ୍ୟରେ ଥିଲା କ୍ଷୀର-ନୀରର ସମ୍ପର୍କ । ଦୁହେଁ ବସି ଅନ୍ତରଙ୍ଗ ଆଳାପରେ ମାତିଥିବା ବେଳେ ଏକ ଦୁଃଖଦାୟକ ଘଟଣା ସେମାନଙ୍କ ସାମ୍ନାକୁ ଆସିଲା । କିଛି ମୁସଲମାନ ବ୍ୟକ୍ତି ଗୋଟିଏ ଗାଈକୁ ଟାଣି ଟାଣି ନେଉଥିଲେ । ଉଦ୍ଦେଶ୍ୟ ଥିଲା ମାଂସଭକ୍ଷଣ ଓ ଚମଡ଼ା ପାଇଁ ହତ୍ୟା । ଗାଈଟି ବିଚରା ଆସନ୍ନ ହତ୍ୟା ଜାଣିପାରି ବିରାଟ ଜିଭ ବାହାର କରି ଆର୍ତ୍ତ ଚିକ୍ରାର କରୁଥାଏ । ଏହି ଘଟଣା ବାବୁ ଜଳଧର ଏବଂ ଜନାବ ଆସରଫଙ୍କୁ ବିବ୍ରତ କରିପକାଇଲା ।

 

ସେହିଦିନ ସେହିଠାରେ ସେ ଦୁହେଁ ଶପଥ ନେଲେ - ଗାଈଟିକୁ ମୁକ୍ତ କରିବା ପାଇଁ । ସେ ଦୁହେଁ ଦୌଡ଼ିଗଲେ ସେହି ମୁସଲମାନ ଲୋକମାନଙ୍କ ପାଖକୁ । ପ୍ରଥମେ ଯୁକ୍ତିତର୍କ ଓ ପରେ ଅନୁନୟ ବିନୟରେ କଥାବାର୍ତ୍ତା ହେଲା । ଜଳଧର ଓ ଆସରଫଙ୍କ କଥାରେ ସେହି ଲୋକମାନେ ରାଜି ହେଲେ । ଗାଈଟିକୁ ଏହି ଦୁଇ ବନ୍ଧୁଙ୍କୁ ସମର୍ପି ଦେଇ ଚାଲିଗଲେ । ଗାଈଟିକୁ ଧରି ସେମାନେ ନଦୀ ପଠାରୁ ଫେରିଲେ ମାତ୍ର ଘରକୁ ନେଲେ ନାହିଁ । ସେହି ଉଦ୍ଧାର ଗାଈଟିକୁ ନେଇ ଆରମ୍ଭ ହେଲା ନୂଆ ପରିକଳ୍ପନା । ନୂତନ ଧରଣର ଆଶ୍ରୟ କେନ୍ଦ୍ର । ନାମ ରଖାଗଲା - ଅସୁରେଶ୍ୱର ଗୋରକ୍ଷଣୀ । ତାହାର ପରିଚାଳନାରେ ସାମିଲ ହୋଇଗଲେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର କିଛି ଲୋକ । ଯାହାଫଳରେ ଏହି ଦୁଇ ଧର୍ମର ଲୋକଙ୍କୁ ନେଇ ତଥା ହିନ୍ଦୁଧର୍ମର ବିଭିନ୍ନ ଜାତିକୁ ନେଇ ସମୃଦ୍ଧ ଥିବା ଅସୁରେଶ୍ୱର ଗାଁର ଆଉ ଏକ ପରିଚୟ ନଜରକୁ ଆସଲା । କାରଣ ସେଠାରେ ଆରମ୍ଭ ହେଲା ବିଶ୍ୱରର ସର୍ବପ୍ରଥମ ଭିନ୍ନ ଧରଣର ଗୋ ସେବା କେନ୍ଦ୍ର, ଯେଉଁଠାରେ ରଖାଗଲା କେବଳ ରୋଗଗ୍ରସ୍ତ, ଦୁର୍ଘଟଣାଗ୍ରସ୍ତ ଏବଂ ଶାରୀରିକ ଅକ୍ଷମତା/ଭିନ୍ନତା ଥିବା ଗାଇଗୋରୁ ଓ ମହିଁଷିମାନଙ୍କୁ ।

 

ସେହି ଶାରୀରିକ ଭିନ୍ନତାଙ୍କ ମଧ୍ୟରେ ଜନ୍ମରୁ ଅନ୍ଧ, ଜନ୍ମରୁ ବଧିର, ଛୋଟା, ଚାରିଗୋଡ ପରିବର୍ତ୍ତେ ତିନିଗୋଡ କିମ୍ବା ପାଂଚ ଗୋଡ଼ିଆ ଗାଇଗୋରୁ, ଜଟିଆ, କୁଜା, ତ୍ରିନେତ୍ରଧାରୀ କିମ୍ବା ଏକ ଆଖିଆ ଗାଈଗୋରୁ । ସାଧାରଣତଃ ଏମାନଙ୍କୁ ଘରେ ନରଖି ମାଲିକମାନେ ଘଉଡ଼ାଇ ଦେଇଥାଆନ୍ତି । ସେଠାରେ ରଖାଗଲା ନାହିଁ ଦୁଧିଆଳୀ ଗାଈମାନଙ୍କୁ କିମ୍ବା ସୁସ୍ଥ ସବଳ ବଳଦମାନଙ୍କୁ । ଅର୍ଥାତ ସେମାନଙ୍କଠାରୁ କିଛି ଆଶା କରାଗଲା ନାହିଁ କେବଳ ସେବା । ଏହି ସେବାରେ ଲାଗି ପଡ଼ିଲେ ବହୁ ଗୋସେବକ । ଏହା ସତ୍ତେ୍ୱ ଗୋରକ୍ଷଣୀ ଦାୟିତ୍ୱରେ ଥିବା ଲୋକମାନଙ୍କୁ ଭରଣ ପୋଷଣ ଏବଂ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଚିନ୍ତା ଘାରିଥିଲା । ତେଣୁ ସେମାନେ ମୁଠି ଚାଉଳ ସଂଗ୍ରହର ବ୍ୟବସ୍ଥା କରିଥିଲେ । ପାଖାପାଖି ୫୦ ଖଣ୍ଡ ଗ୍ରାମରୁ ମୁଠି ଚାଉଳ ସଂଗ୍ରହ ପାଇଁ ନିଯୁକ୍ତି ହେଲେ ସେତିକି ସଂଖ୍ୟକ ସ୍ୱେଚ୍ଛାସେବୀ । ମୁଠିଚାଉଳ ଅର୍ଥାତ ରୋଷେଇ କରିବା ପୂର୍ବରୁ ପ୍ରତ୍ୟେକ ଗୃହିଣୀ ହାଣ୍ଡିରେ ଚାଉଳ ପକାଇବା ପୂର୍ବରୁ ରଖୁଥିଲେ ମୁଠାଏ ଚାଉଳ । ମାସକରେ ୩୦ ମୁଠା ଚାଉଳ ପାଖାପାଖି ଏକ କେଜି । ମାସକରେ ଥରେ ତାହାକୁ ସଂଗ୍ରହ କରାଯିବାର ବ୍ୟବସ୍ଥା କରିଥିଲେ ସେହି ଗୋରକ୍ଷଣୀର ଜଳଧରଙ୍କ ସହିତ ଅନ୍ୟ ପରିଚାଳକ ଓ ସେବକମାନେ । ଏବେ ମଧ୍ୟ ସେହି ଧାରା ବଳବତ୍ତର ରହିଛି ।

 

କିଛି ବର୍ଷ ତଳେ ପବିତ୍ର ଗୋଷ୍ଠାଷ୍ଟମୀରେ ସେଠାକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ । ବିଶ୍ୱରେ ପ୍ରାଣୀ ସୁରକ୍ଷା ପ୍ରସଙ୍ଗରେ ମେନକାଙ୍କ ସ୍ଥାନ ସ୍ୱତନ୍ତ୍ର ଅଟେ । ସେ ପ୍ରାୟ ୪୦ ବର୍ଷ ହେଲା ପ୍ରାଣୀ ସୁରକ୍ଷା (ଉଭୟ ଗୃହପାଳିତ ଓ ଜଙ୍ଗଲୀ) ପାଇଁ କାର୍ଯ୍ୟ କରିଆସୁଛନ୍ତି । ଅସୁରେଶ୍ୱରକୁ ଆସି ସେ ଗୋରକ୍ଷଣୀର ପ୍ରତ୍ୟେକ ଅନ୍ତେବାସୀ ବା ଶାରୀରିକ ଅକ୍ଷମ ଗାଇଗୋରୁଙ୍କୁ ଗୋଟି ଗୋଟି ଦେଖିବା ସହ ପ୍ରତ୍ୟେକଙ୍କ ସଂପର୍କରେ ପଚାରି ବୁଝିଲେ । ଏହାପରେ ସେ ଅତ୍ୟନ୍ତ ଭାବ ବିହ୍ୱଳ ହୋଇ କହିଲେ - ଏଭଳି ସଂସ୍ଥା ବିଶ୍ୱରେ ବିରଳ, ଅତୀତରେ କେବଳ ସ୍ୱିଜରଲ୍ୟାଣ୍ଡରେ ଏପରି ଏକ ସେବା କେନ୍ଦ୍ର ଖୋଲାଯାଇଥିଲା । ତେବେ ତାହା କେବଳ ଦୁର୍ଘଟଣାଗ୍ରସ୍ତ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ସେହି ସଂସ୍ଥା କେବେଠାରୁ ବନ୍ଦ ହୋଇଗଲାଣି ବୋଲି ଶ୍ରୀମତୀ ଗାନ୍ଧୀ କହିଥିଲେ । ଏତଦ ବ୍ୟତୀତ ସେହି ସେବା କେନ୍ଦ୍ରଟିର ଇତିହାସ ସମ୍ପର୍କରେ ଜାଣିଲା ପରେ ଶ୍ରୀମତୀ ଗାନ୍ଧୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହିତ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଭାଇଚାରା ଓ ବନ୍ଧୁତା ତଥା ଗୋମାତା ସୁରକ୍ଷାର ଏହା ଶ୍ରେଷ୍ଠ ନିଦର୍ଶନ ବୋଲି କହିଥିଲେ ।

 

କହିବା ବାହୁଲ୍ୟ ଯେ ମହାପୁରୁଷ ଜଳଧରଙ୍କଠାରୁ ସେହି ଗୋ ସେବା କେନ୍ଦ୍ରଟି ତାଙ୍କ ଜ୍ୱାଇଁ ତଥା ପାଟକୁରାର ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ପାଖକୁ ଆସିଥିଲା । ରାଜୁ ବାବୁଙ୍କ ପରଲୋକ ପରେ ତାହା ତାଙ୍କ ପୁତ୍ର ପୂର୍ବତନ ମନ୍ତ୍ରୀ ତଥା ଏବେର ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଦାୟିତ୍ୱକୁ ଆସିଛି । ପିଢି ପରେ ପିଢି ପାର ହୋଇ ଏହା ତୃତୀୟ ପିଢିକୁ ଆସିଲାଣି, ମାତ୍ର ଆଭିମୁଖ୍ୟରେ ପରିବର୍ତ୍ତନ ହୋଇନାହିଁ କିମ୍ବା ସେବକମାନେ ଥକି ପଡ଼ିନାହାଁନ୍ତି । ଗୋ ମାତାର ଆଶୀର୍ବାଦ ସେମାନଙ୍କ ସହିତ ରହିଛି । ତେଣୁ ସେମାନେ ଥକି ପଡ଼ିବେ ନାହିଁ କିମ୍ବା ମହାବାତ୍ୟା ପରି ବିପର୍ଯ୍ୟୟରେ କେନ୍ଦ୍ରର କ୍ଷତି ଘଟିବ ନାହିଁ ।

 

ସଂପ୍ରତି ଦେଶରେ ଗୋଚାଲାଣ, ଗୋହତ୍ୟା ଓ ଗୋସୁରକ୍ଷାକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ଯଦି ସେମାନେ ବାବୁ ଜଳଧର ଏବଂ ଜନାବ ଆସରଫ ସୃଷ୍ଟି କରିଥିବା ନଜରକୁ ଗ୍ରହଣ କରିନିଅନ୍ତେ ତେବେ ସମଗ୍ର ଦେଶରେ ବାତାବରଣ ଭିନ୍ନ ହୁଅନ୍ତା । ସାଂପ୍ରଦାୟିକ ଭେଦଭାବ ରୁହନ୍ତା ନାହିଁ । ଗୋସଂପଦ ବଢ଼ି ବଢ଼ି ଚାଲନ୍ତା, ସାମାଜିକ ଅର୍ଥନୀତିର ବିକାଶ ଘଟନ୍ତା, ପରିବେଶ ସୁରକ୍ଷା ରୁହନ୍ତା, ରାସାୟନିକ ସାରର ବ୍ୟବହାର କମ୍ ହୁଅନ୍ତା ଏବଂ ଲୋକେ ଶୁଦ୍ଧ ଘିଅ, ଦୁଧ, ଦହି, ଲହୁଣୀ, କୋରୁଅ, ଛେନା ଆଦି ଖାଇପାରନ୍ତେ ।

 

ସାମ୍ବାଦିକ, ମୋ-୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top