ବିହାରୀଲାଲ- ପ୍ରଶାସକ ଓ ସ୍ଥପତି

News Story - Posted on 2017-11-11

ବୈଷ୍ଣବ ଜେନା

 

ବିହାରୀଲାଲ ପଟ୍ଟନାୟକ - ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ଏବଂ ଦକ୍ଷ ପ୍ରଶାସକ ଭାବରେ ବେଶ୍ ଜଣାଶୁଣା । ଏହା ସ୍ୱାଭାବିକ, କାରଣ ସେ କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟରେ କିଛିଦିନ ଅଧ୍ୟାପନା କଲାପରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ଦକ୍ଷତା ପ୍ରତିପାଦନ କରି ଭାରତୀୟ ପ୍ରଶାସନିକ ସେବାର ଅଫିସର ହୋଇଥିଲେ । ସେ ବହୁ ପଦପଦବୀରେ କାର୍ଯ୍ୟ କରିଥିଲେ ବି ଶ୍ରୀମନ୍ଦିର ପ୍ରଶାସନର ପ୍ରଥମ ପ୍ରଶାସକ ଭାବେ ନିଯୁକ୍ତି ତାଙ୍କ ପାଇଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ଏକ ଆହ୍ୱାନ ଥିଲା । ମାତ୍ର ସ୍ଥାପତ୍ୟ ପାଠରେ ଡିଗ୍ରୀ ହାସଲ କରି ନଥିଲେ ବି ସେ ଜଣେ ଦକ୍ଷ ଓ ଦୂରଦୃଷ୍ଟି ସଂପନ୍ନ ସ୍ଥପତି । ଏକଥା ବହୁ କମ୍ ଲୋକ ଜାଣନ୍ତି । ଆଧୁନିକ ସ୍ଥାପତ୍ୟ କଳା ତାଙ୍କର ଅଧ୍ୟୟନର ବିଷୟବସ୍ତୁ ନଥିଲା, ବରଂ ଓଡ଼ିଶାର ପ୍ରାଚୀନ ସ୍ଥାପତ୍ୟ କଳା ସମ୍ପର୍କିତ ପୋଥି ଏବଂ ପୁସ୍ତକ ଅଧ୍ୟୟନ ତାଙ୍କର ଧ୍ୟେୟ ଥିଲା ।

 

ସେହି ଅଧ୍ୟୟନରୁ ପ୍ରାପ୍ତ ଜ୍ଞାନକୁ ସେ ବିନିଯୋଗ କରିଥିଲେ ଖୋଦ ଶ୍ରୀମନ୍ଦିରରୁ ଚୁନ ପ୍ରଲେପ ଛଡ଼ାଇବା ପାଇଁ ସେ ଏକ ଅଭିନବ ପ୍ରସ୍ତାବ ଦେଇଥିଲେ । ପ୍ରଥମେ ସ୍ଥାପତ୍ୟ ବିଦ୍ୟାରେ ବିଶେଷ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା ତାଙ୍କର ପ୍ରସ୍ତାବକୁ ବିରୋଧ କରିଥିଲେ । ଶ୍ରୀମନ୍ଦିରର ସେବାୟତମାନେ ମଧ୍ୟ ଘୋର ବିରୋଧ କରିଥିଲେ ବହୁ ତର୍କ ବିତର୍କ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ସେମାନେ ମାନିବାକୁ ବାଧ୍ୟ ହୋଇଥିଲେ । ଯାହାଫଳରେ ସମଗ୍ର ବିଶ୍ୱ ଏବେ ଶ୍ରୀମନ୍ଦିରର ଅସଲ ତଥା ମୂଳ ସ୍ଥାପତ୍ୟ - ଭାସ୍କର୍ଯ୍ୟ ଦେଖିବାକୁ ପାଉଛି । ଛୁଂଚି ମୁନରେ ଏହି ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରରେ ହୋଇଥିବା ପ୍ରସ୍ତର ଗାତ୍ରର କାରୁକାର୍ଯ୍ୟକୁ ବ୍ରିଟିଶ୍ ସରକାର ଚୁନ ପ୍ରଲେପ ଲଗେଇ ଦେଇଥିଲେ । ତାହାଦ୍ୱାରା କେବଳ ପଲସ୍ତରା ଥିବା ଶ୍ରୀମନ୍ଦିରକୁ ଲୋକେ ଦେଖୁଥିଲେ ଏବଂ କାରୁକାର୍ଯ୍ୟଗୁଡ଼ିକ ଲୁଚି ରହିଥିଲା ।

 

ସେହିପରି ଭାବେ ଶ୍ରୀମନ୍ଦିର ପ୍ରଶାସନ ଏବେ ଯେଉଁ ଢାଂଚାରେ ଚାଲିଛି, ତାହା ହେଉଛି ବିହାରୀଲାଲଙ୍କ ମାନସ ସନ୍ତାନ । ଶ୍ରୀମନ୍ଦିର ସର୍ବପ୍ରଥମ ପ୍ରଶାସକ ଭାବେ ସେ ଉକ୍ତ ଢାଂଚା ପ୍ରସ୍ତୁତ କରିଥିଲେ ଯାହାକି ମହାପ୍ରଭୁଙ୍କ ବିଭିନ୍ନ ବେଶ, ପୂଜାନୀତି ଓ ରଥଯାତ୍ରାକୁ ସମୟାନୁବର୍ତ୍ତି ଓ ଶୃଙ୍ଖଳିତ କରିଥିଲା । ଏହାଛଡା ବିଭିନ୍ନ ସେବା ଏବଂ ବ୍ୟଞ୍ଜନ ମଧ୍ୟ ସୁନିୟନ୍ତ୍ରୀତ ହୋଇଥିଲା । ପୂର୍ବରୁ ରାଜାଙ୍କ ଅମଳରେ ପ୍ରଚଳିତ କିଛି ବ୍ୟଞ୍ଜନ ଲୁପ୍ତ ହୋଇଯାଇଥିଲେ କି ବିଭିନ୍ନ ଗବେଷଣାତ୍ମ ପୁସ୍ତକ ଏବଂ କିମ୍ବଦନ୍ତୀକୁ ଦୃଷ୍ଟିରେ ରଖି ସେହି ବ୍ୟଞ୍ଜନ ଗୁଡ଼ିକର ପୁନଃ ବ୍ୟବସ୍ଥିତ କରାଇଥିଲେ ବିହାରୀଲାଲ ପଟ୍ଟନାୟକ । ଶ୍ରୀମନ୍ଦିରର ଆର୍ଥିକ ବ୍ୟବସ୍ଥାରେ ସ୍ୱଚ୍ଛଳତା ଆଣିବା ପାଇଁ ତାଙ୍କର ପ୍ରାଥମିକ ପ୍ରୟାସ ଥିଲା ।

 

ସରକାରୀ ଚାକିରୀରୁ ଅବସର ପରେ ପ୍ରାୟ ୯୦ ପ୍ରତିଶତ ଲୋକ ବ୍ୟକ୍ତିକେନ୍ଦ୍ରିକ ହୋଇପଡ଼ନ୍ତି ଓ ନିଜକୁ କେବଳ ନିଜ ପରିବାର ମଧ୍ୟରେ ସୀମିତ ରଖନ୍ତି, ମାତ୍ର ବିହାରୀଲାଲଙ୍କ କ୍ଷେତ୍ରରେ ଏହାଥିଲା ଏକ ବ୍ୟତିକ୍ରମ । ଅବସର ସମୟ ମଧ୍ୟ ତାଙ୍କର ଚଳଚଂଚଳ ଥିଲା, ଯାହାକି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବଳବତ୍ତର ଥିଲା । ଏହି ସମୟରେ ସେ ଆଧ୍ୟାତ୍ମିକ ଭାବାବେଗକୁ ଶିକ୍ଷା ବ୍ୟବସ୍ଥା ସହିତ ସଫଳତାର ସହିତ ଯୋଡ଼ିପାରିଥିଲେ ।

 

ରାଜ୍ୟବ୍ୟାପୀ ଶହ ଶହ ସଂଖ୍ୟାରେ ଅରବିନ୍ଦ ଶିକ୍ଷାକେନ୍ଦ୍ର ଖୋଲାଯିବା ତାହାର ଜ୍ୱଳନ୍ତ ଉଦାହରଣ । ଏତଦ୍ବ୍ୟତୀତ ମହର୍ଷି ଅରବିନ୍ଦ ଏବଂ ଶ୍ରୀମାଙ୍କର ଭକ୍ତ ଭାବରେ ବିହାରୀଲାଲ ସେମାନଙ୍କର ଦର୍ଶନକୁ ପ୍ରଚାର ଓ ପ୍ରସାର କରାଇବାରେ ବେଶ୍ ସଫଳ ହୋଇଛନ୍ତି । ଏବେ ତାଙ୍କର ଉଦ୍ୟମରେ ରାଜ୍ୟରେ ୬୦୦ରୁ ଅଧିକ ଅରବିନ୍ଦ ପାଠଚକ୍ର ଖୋଲାଯାଇଛି । ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ଶୁଦ୍ଧପୁତ ଆଧ୍ୟାତ୍ମିକ ଜୀବନ ଏବଂ ଉତ୍ତମ ସାମାଜିକ ସହାବସ୍ଥାନବାଦୀ କରାଯାଇପାରିଛି । ଏହି ପାଠଚକ୍ରର ସଦସ୍ୟ ତଥା ଅରବିନ୍ଦ ସ୍କୁଲ୍ର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ବୋଲି ସମଗ୍ର ଦେଶରେ ବିଶ୍ୱାସ ରହିଛି । ମହର୍ଷି ଶ୍ରୀ ଅରବିନ୍ଦ ସମଗ୍ର ବିଶ୍ୱକୁ ଦେଇଥିବା ବାଣୀ (ଯୋଗ ହେଉଛି ସାମଗ୍ରୀକ ଜୀବନ) ଏବେ ବିଶ୍ୱ ଜନାଦୃତ । ଏହାକୁ ଲୋକଙ୍କ ପାଖକୁ ନେବା ପଛରେ ବିହାରୀଲାଲଙ୍କ ଅନବରତ ଉଦ୍ୟମ ଥିଲା ।

 

କଟକ ଜିଲ୍ଲାର କଣ୍ଟାପଡ଼ା ଅଂଚଳରେ ୧୯୩୦ ମସିହା ଜୁନ୍ ୧୪ ତାରିଖ ରଜ ସଂକ୍ରାନ୍ତିରେ ଜନ୍ମ ନେଇଥିବା ଏହି ଆଧ୍ୟାତ୍ମିକ ପୁରୁଷଙ୍କର ନିକଟରେ ପରଲୋକ ହୋଇଯାଇଛି । ସେ ଜଣେ ଭିନ୍ନ ଧରଣର ସଂଗ୍ରାମୀ ଥିଲେ - ସମାଜରୁ କୁସଂସ୍କାର ଅଶିକ୍ଷା ଭେଦଭାବକୁ ଦୂର କରିବା ହିଁ ତାଙ୍କର ସଂଗ୍ରାମ ଥିଲା । ସେହି କର୍ମଯୋଗୀଙ୍କ ଅବର୍ତ୍ତମାନରେ ଆମ୍ଭ ସମେତ ଲାଇଫ୍ ଡିଭାଇନ୍ର ସମସ୍ତ ସଦସ୍ୟ ଆନ୍ତରିକ ଶ୍ରଦ୍ଦାଞ୍ଜଳି ଜଣାଉଛୁ । ତାଙ୍କ ଧାରା ବଳବତ୍ତର ରହିବ । ଏହା ଆମର ତାଙ୍କ ପ୍ରତି ବଚନବଦ୍ଧତା ।

 

ସାମ୍ବାଦିକ, ମୋ-୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top