ବିମୁଦ୍ରାୟନର ଏକ ବର୍ଷ ପରେ

News Story - Posted on 2017-11-11

ଅରୁଣ ଜେଟଲୀ, ଅର୍ଥମନ୍ତ୍ରୀ, ଭାରତ ସରକାର

 

ଭାରତୀୟ ଅର୍ଥନୀତିରେ ନଭେମ୍ବର ୮, ୨୦୧୬ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ରୂପେ ଲିପିବଦ୍ଧ ହୋଇରହିବ । ଏହି ଦିନ ସରକାର ଦେଶକୁ ‘କଳା ଟଙ୍କାର ବ୍ୟାଧିରୁ ମୁକ୍ତ’ କରିବା ସକାଶେ ନିଜର ପ୍ରତିବଦ୍ଧତା ପ୍ରକଟ କରିଥିଲେ । ଆମକୁ, ଭାରତୀୟମାନଙ୍କୁ ଦୁର୍ନୀତି ଓ କଳାଧନ ସମ୍ପର୍କରେ ଦୀର୍ଘ ଦିନ ଧରି ‘ଚାଲିଛି ଭାଇ, ଚାଲିଥାଉ’ ଭଳି ଏକ ମାନସିକତାରେ ବଂଚି ରହିବାକୁ ପଡିଥିଲା ଏବଂ ଏହାର କୁପ୍ରଭାବକୁ ସମାଜର ମଧ୍ୟବର୍ଗ ଓ ନିମ୍ନସ୍ତରରେ ବସବାସ କରୁଥିବା ଲୋକଙ୍କୁ ହିଁ ଅଧିକ ମାତ୍ରାରେ ସହ୍ୟ କରିବାକୁ ପଡୁଥିଲା । ଏଭଳି ଏକ ବ୍ୟବସ୍ଥାର ମୂଳୋତ୍ପାଟନ ସକାଶେ ସେମାନଙ୍କ ମନରେ ଦୀର୍ଘଦିନରୁ ଏକ ସୁପ୍ତ ଭାବନା ରହିଆସିଥିଲା । ଏବଂ ସେମାନଙ୍କ ଏହି ଭାବନା ହିଁ ୨୦୧୪, ମେ ମାସ ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଥିଲା ।

 

୨୦୧୪ ମେ’ ମାସରେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ କଳାଟଙ୍କାର କୁପ୍ରଭାବକୁ ନିୟନ୍ତ୍ରଣ କରିବା ସକାଶେ ଜନସାଧାରଣଙ୍କ ଆଶା ଆକାଂକ୍ଷାର ପୂରଣ ନିମନ୍ତେ ସରକାର ଏକ ଏସଆଇଟି ଗଠନ କରିଥିଲେ । ଦେଶବାସୀଙ୍କୁ ଜଣା ଯେ ସେତେବେଳର ସରକାର କଳାଟଙ୍କା କାରବାରକୁ ରୋକିବା ଦିଗରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କିଭଳି ଭାବେ ଅନେକ ବର୍ଷ ଧରି ଏଡାଇ ଆସିଥିଲେ । କଳା ଟଙ୍କା ବିରୋଧରେ ସଂଗ୍ରାମର ଇଚ୍ଛାଶକ୍ତି ହୀନତାର ଆଉ ଏକ ଉଦାହରଣ ହେଲା, ବେନାମୀ ସମ୍ପତ୍ତି ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ୨୮ ବର୍ଷ ଧରି ବିଳମ୍ବ ଘଟାଯାଇଥିଲା ।

 

ଏ ସରକାର କ୍ଷମତାକୁ ଆସିବା ମାତ୍ରେ ଏ ଦିଗରେ ଦୃଢ଼ ନିଷ୍ପତ୍ତି ଗ୍ରହଣ କଲା ଓ ସେହି ଆଇନକୁ ବେଶ ସୁଚିନ୍ତିତ ଉପାୟରେ ଗତ ତିନିବର୍ଷ ଧରି ପ୍ରବର୍ତ୍ତନ କରିଆସୁଛି ଯାହାକି କଳାଟଙ୍କା ରୋକିବା ଦିଗରେ ସଫଳ ପଦକ୍ଷେପ ବୋଲି କୁହାଯାଇପାରେ । ସରକାରଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଏସଆଇଟି ଗଠନଠାରୁ ଆରମ୍ଭ କରି ବୈଦେଶିକ ସମ୍ପତ୍ତି ଠାବ, ବିମୁଦ୍ରୀକରଣ ଏବଂ ଜିଏସଟି ପ୍ରବର୍ତ୍ତନ ପର୍ଯ୍ୟନ୍ତ ବ୍ୟାପ୍ତ ।

 

ଯେତେବେଳେ ଦେଶ ‘କଳା ଟଙ୍କା - ନିରୋଧୀ ଦିବସ’ ପାଳନ କରିବାକୁ ସ୍ଥିର କରିଛି, ସେତେବେଳେ ଏକ ବିତର୍କ ଆରମ୍ଭ ହୋଇଛି ଯେ ବିମୁଦ୍ରୀକରଣର ସମଗ୍ର ପ୍ରକ୍ରିୟା ତାର ଅଭିଷ୍ଟ ଉଦ୍ଦେଶ୍ୟ ହାସଲ କରିଛି ନା ନାହିଁ । ଏହି ଆଲେଖ୍ୟରେ ବିମୁଦ୍ରୀକରଣର ସଫଳତା ସମ୍ପର୍କରେ କେତୋଟି ସକରାତ୍ମକ ଉଦାହରଣ ପ୍ରଦାନର ପ୍ରୟାସ କରାଯାଇଛି । ସେଗୁଡିକ ଉଭୟ ସ୍ପଳ୍ପକାଳୀନ ଓ ମଧ୍ୟମକାଳୀନ ।

 

ଭାରତୀୟ ରିଜର୍ଭ ବ୍ୟାଙ୍କ ତାଙ୍କର ବାର୍ଷିକ ହିସାବ ଫର୍ଦ୍ଦରେ ଦର୍ଶାଇଛନ୍ତି ଯେ ୧୫.୨୮ ଲକ୍ଷ କୋଟି ଟଙ୍କାର ବିନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟ (ଏସବିଏନ) ୩୦.୦୬.୨୦୧୭ ତାରିଖ ସୁଦ୍ଧା ପୈଠ ହୋଇଛି । ନଭେମ୍ବର ୮, ୨୦୧୬ ସୁଦ୍ଧା ଦେଶରେ ମୋଟ ୧୫.୪୪ ଲକ୍ଷ କୋଟି ମୂଲ୍ୟର ଏସବିଏନ ଥିଲା । ସେହିଭଳି ନଭେମ୍ବର ୮, ୨୦୧୬ ସୁଦ୍ଧା ଦେଶରେ ସବୁପ୍ରକାର ପ୍ରଚଳିତ ନୋଟର ପରିମାଣ ଥିଲା ୧୭.୭୭ ଲକ୍ଷ କୋଟି ।

 

ବିମୁଦ୍ରୀକରଣର ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା ଭାରତକୁ ଏକ ସ୍ୱଳ୍ପ ନଗଦ ରାଶିଯୁକ୍ତ ଅର୍ଥନୀତିରେ ପରିଣତ କରିବା । ତଦ୍ୱାରା ଅର୍ଥ ବ୍ୟବସ୍ଥାକୁ କଳା ଟଙ୍କାର ସ୍ରୋତ ହ୍ରାସ ପାଇବ । ନଗଦ ରାଶି ପ୍ରଚଳନରେ ହ୍ରାସର ଦୃଶ୍ୟପଟ୍ଟ ସୂଚୀତ କରେ ଯେ ଏହି ଉଦ୍ଦେଶ୍ୟ ଯଥେଷ୍ଟ ମାତ୍ରାରେ ସାଧିତ ହୋଇଛି । ୨୦୧୭ ସେପ୍ଟେମ୍ବର ମାସରେ ଶେଷ ହୋଇଥିବା ଷାଣ୍ମାସିକ ରିପୋର୍ଟ ସୂଚାଏ ଯେ ‘ପ୍ରଚଳିତ ନଗଦ ରାଶି’ ପରିମାଣ ୧୫.୮୯ ଲକ୍ଷ କୋଟି । ଏହାର ବାର୍ଷିକ ବୈଷମ୍ୟ (-) ୧.୩୯ ଲକ୍ଷ କୋଟି ଟଙ୍କା ହୋଇଛି, ଯଦ୍ୟପି ଗତ ବର୍ଷ ଏହାର ବାର୍ଷିକ ବୈଷମ୍ୟ ପରିମାଣ ଥିଲା (+) ୨.୫୦ ଲକ୍ଷ କୋଟି ଟଙ୍କା । ଏହାର ଅର୍ଥ ହେଉଛି ପ୍ରଚଳିତ ନଗଦ ନୋଟ କାରବାରରେ ପ୍ରାୟ ୩.୮୯ ଲକ୍ଷ କୋଟି ଟଙ୍କାର ପ୍ରଚଳନ ହ୍ରାସ ଘଟିଛି ।

 

ଆମେ ଆମ ବ୍ୟବସ୍ଥାରୁ କଣ ପାଇଁ ନଗଦ ରାଶି କମାଇବା ଦରକାର? କ’ଣ ପାଇଁ ଏହାର ପ୍ରଚଳନକୁ ସୀମିତ କରିବା ଆବଶ୍ୟକ? ଏକଥା ସର୍ବଜନବିଦିତ ଯେ ନଗଦ ରାଶି ହେଲା ଅପରିଚିତ । ଯେତେବେଳେ ବିମୁଦ୍ରୀକରଣ ପ୍ରବର୍ତ୍ତନ କରାଗଲା, ଏହାର ଗୋଟିଏ ଉଦ୍ଦେଶ୍ୟ ଥିଲା ଅର୍ଥ ବ୍ୟବସ୍ଥାରେ କାହା ପାଖରେ କେତେ ଅର୍ଥ ମହଜୁଦ ଅଛି ତାହା ଚିହ୍ନଟ କରିବା । ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ୧୫.୨୮ ଲକ୍ଷ କୋଟି ଟଙ୍କା ଫେରିବା ପରେ ପ୍ରାୟତଃ ସମସ୍ତ ଟଙ୍କା ଧାରକମାନଙ୍କୁ ଚିହ୍ନଟ କରାଯାଇପାରିଛି । ଏହା ଆଉ ଅଛପା ହୋଇ ରହିନାହିଁ । ବିଭିନ୍ନ ପ୍ରକାର ଆକଳନରୁ ପ୍ରାୟ ୧.୬ ଲକ୍ଷ କୋଟିରୁ ୧.୭ ଲକ୍ଷ କୋଟି ଟଙ୍କାର ସନ୍ଦେହଜନକ କାରବାର ହୋଇଥିବାର ଜଣାପଡିଛି । ଏବେ ତାହା ଟିକସ ପ୍ରଶାସନ ଓ ଅନ୍ୟ ପ୍ରବର୍ତ୍ତନ ଏଜେନ୍ସିଙ୍କ ନିକଟରେ ରହିଛି ଓ ସେମାନେ ସେମାନଙ୍କ ବିଶାଳ ତଥ୍ୟ ବିଶ୍ଳେଷଣ ବ୍ୟବସ୍ଥା ମାଧ୍ୟମରେ ଏପରି ସନ୍ଦେହ ଜନକ କାରବାର ସମ୍ପର୍କରେ ତର୍ଜମା କରି ଦେଖୁଛନ୍ତି ।

 

ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇସାରିଛି । ୨୦୧୬-୧୭ ବର୍ଷରେ ବ୍ୟାଙ୍କମାନଙ୍କ ପକ୍ଷରୁ ପ୍ରଦତ ସନ୍ଦେହଜନକ ଅର୍ଥ କାରବାର ରିପୋର୍ଟ (ଏସଟିଆର) ଢ଼େର ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୧୫-୧୬ରେ ଏହି ସଂଖ୍ୟା ୬୧,୩୬୧ ଥିବାବେଳେ ୨୦୧୬-୧୭ରେ ତାହା ୩,୬୧,୨୧୪କୁ ବୃଦ୍ଧି ପାଇଛି । ସେହି ଅବଧି ମଧ୍ୟରେ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନରେ ସନ୍ଦେହଜନକ କାରବାର ୪୦,୩୩୩ ରୁ ୯୪,୮୩୬ରେ ପହଂଚିଛି । ପୁଣି ବଜାର ନିୟନ୍ତ୍ରକ ‘ସେବି’ ପକ୍ଷରୁ ପଞ୍ଜିକୃତ କାରବାର ସଂଖ୍ୟା ୪,୫୭୯ରୁ ୧୬,୯୫୩କୁ ବଢ଼ିଛି ।

 

ଏଭଳି ତଥ୍ୟ ବିଶ୍ଳେଷଣ ଆଧାରରେ ଆୟକର ବିଭାଗ ପକ୍ଷରୁ ୨୦୧୬-୧୭ରେ ଅର୍ଥ ଜବତ ପରିମାଣ ୨୦୧୫-୧୬ ବର୍ଷ ତୁଳନାରେ ଦୁଇଗୁଣରୁ ଅଧିକ ହୋଇଛି । ଏଭଳି ଚଢ଼ାଉ ଓ ଜବତ ଦ୍ୱାରା ଆୟକର ବିଭାଗ ୧୫,୪୯୭ କୋଟି ଟଙ୍କାର ଅଘୋଷିତ ଅର୍ଥ ଜବତ କରିଛି ଯାହାକି ୨୦୧୫-୧୬ ବର୍ଷ ତୁଳନାରେ ୩୮ ପ୍ରତିଶତ ଅଧିକ । ସେହିଭଳି ୨୦୧୬-୧୭ରେ ଠାବ କରାଯାଇଥିବା ଅଘୋଷିତ ଅର୍ଥ ପରିମାଣ ୧୩,୭୧୬ କୋଟି ଯାହାକି ୨୦୧୫-୧୬ ବର୍ଷ ଠାବ କରାଯାଇଥିବା ଅଘୋଷିତ ଅର୍ଥ ଠାରୁ ୪୧ ପ୍ରତିଶତ ଅଧିକ ।

 

ଲୋକ ସ୍ୱୀକାର କରିଥିବା ଅଘୋଷିତ ଅର୍ଥ ଏବଂ ଜବତ କରାଯାଇଥିôବା ଅଘୋଷିତ ଅର୍ଥର ମୋଟ ପରିମାଣ ୨୯,୨୧୩ କୋଟି ଟଙ୍କା ଛୁଇଁଛି ଯେଉଁଥିରୁ କି ୧୮ ପ୍ରତିଶତ ଅର୍ଥ କାରବାର ସନ୍ଦେହଜନକ ହୋଇଥିବା ଅନୁମାନ କରାଯାଏ ।

 

ଜାନୁଆରୀ ୩୧, ୨୦୧୭ ତାରିଖ ଦିନ ‘ଅପରେସନ କ୍ଲିନ ମନି’ ଆରମ୍ଭ କରାଯାଇଛି । ଏହି ବ୍ୟବସ୍ଥା ଦ୍ୱାରା ଏପରି ଅର୍ଥ ଜବତ ଆହୁରି ବୃଦ୍ଧି ପାଇବ । ପୁନଶ୍ଚ, ନିମ୍ନଲିଖିତ ଉପାୟରେ ନଗଦ ଅର୍ଥର ଅଜ୍ଞାତଧାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

 

-ଅଗଷ୍ଟ ୫, ୨୦୧୭ ଆୟକର ରିଟର୍ଣର୍ ଫାଇଲ କରିବାର ଚୂଡାନ୍ତ ତାରିଖ ଥିଲା । ଏହି ତାରିଖ ସୁଦ୍ଧା ୫୬ ଲକ୍ଷ ନୂଆ ବ୍ୟକ୍ତିଗତ ଟିକସଦାତା ସେମାନଙ୍କ ରିଟର୍ଣ୍ଣ ଫାଇଲ କରିଛନ୍ତି । ଗତ ବର୍ଷ ଏହି ସଂଖ୍ୟା ପ୍ରାୟ ୨୨ ଲକ୍ଷ ଥିଲା ।

 

-ନିଜସ୍ୱ ଆକଳନ ଟିକସ (ରିଟର୍ଣ୍ଣ ଫାଇଲ ସମୟରେ ଟିକସଦାତାଙ୍କ ପକ୍ଷରୁ ସ୍ୱେଚ୍ଛାକୃତ ଟିକସପୈଠ) ଯାହାକି ଅଣ-କର୍ପୋରେଟ ଟିକସଦାତାଙ୍କ ଦ୍ୱାରା ପୈଠ କରାଯାଉଛି ତାହା ଏପ୍ରିଲ ୧ରୁ ଅଗଷ୍ଟ ୫, ୨୦୧୭ ସୁଦ୍ଧା, ଗତ ବର୍ଷ (୨୦୧୬)ର ସମ ଅବଧି ତୁଳନାରେ ୩୪.୨୫% ବୃଦ୍ଧି ଘଟିଛି ।

 

-ଟିକସ ଆଧାରରେ ବୃଦ୍ଧି ଏବଂ ଆନୁ ।ନିକ ଅର୍ଥନୀତି ମଧ୍ୟକୁ ଅଘୋଷିତ ଆୟକୁ ଫେରାଇ ଆଣିବା ଫଳରେ ଅଣ-କର୍ପୋରେଟ ଟିକସଦାତାଙ୍କ ପକ୍ଷରୁ ପୈଠ ଅଗୀମ ଟିକସ ପରିମାଣ ଚଳିତ ବର୍ଷ ଏପ୍ରିଲ ୧ ରୁ ଅଗଷ୍ଟ ୫, ୨୦୧୭ ମଧ୍ୟରେ ଗତବର୍ଷ (୨୦୧୬) ସମ ଅବଧି ତୁଳନାରେ ୪୨ ପ୍ରତିଶତ ବୃଦ୍ଧି ପାଇଛି ।

 

ବିମୁଦ୍ରୀକରଣ ସମୟରେ ଯେଉଁ ତଥ୍ୟାବଳୀ ସଂଗ୍ରହ କରାଯାଇଥିଲା ତାହାରି ଆଧାରରେ ୨.୯୭ ଲକ୍ଷ ସନ୍ଧିଗ୍ଧ କମ୍ପାନୀଙ୍କୁ ଚିହ୍ନଟ କରାଯିବା ସମ୍ଭବପର ହୋଇପାରିଛି । ସେହିସବୁ କମ୍ପାନୀମାନଙ୍କୁ ବିଧିବଦ୍ଧ ଭାବେ ନୋଟିସ ଜାରି କରାଯିବା ପରେ ଏବଂ ଆଇନଗତ ବ୍ୟବସ୍ଥା ଅନୁସରଣ କରାଯିବା ଉତାରୁ, ରେଜିଷ୍ଟ୍ରାର ଅଫ କମ୍ପାନୀଜ୍ ପଞ୍ଜିକାରୁ ୨.୨୪ ଲକ୍ଷ କମ୍ପାନୀଙ୍କ ପଞ୍ଜିକରଣକୁ ରଦ୍ଦ କରାଯାଇଛି ।

 

ଅଧିକନ୍ତୁ, ଆଇନ ଅନୁସାରେ ସେହିସବୁ ପଞ୍ଜିକରଣ ରଦ୍ଦ କମ୍ପାନୀମାନଙ୍କ ବ୍ୟାଙ୍କ ଜମାଖାତାର କାରବାରକୁ ରୋକାଯାଇଛି । ଏହା ବ୍ୟତୀତ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଅଚଳ କରାଯିବା ଲାଗି ପଦକ୍ଷେପ ନିଆଯାଇଛି ଓ ସେହିସବୁ କମ୍ପାନୀର ନିର୍ଦ୍ଦେଶକମାନେ ଅନ୍ୟ କୌଣସି କମ୍ପାନୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି । ସେହିସବୁ କମ୍ପାନୀମାନଙ୍କ ଜମାଖାତାର ପ୍ରାରମ୍ଭିକ ତର୍ଜମାରୁ ନିମ୍ନଲିଖିତ ବିଷୟ ଜଣାପଡିଛି ଯାହା ଉଲ୍ଲେଖଯୋଗ୍ୟ :

 

-ପଞ୍ଜିକରଣ ରଦ୍ଦ କରାଯାଇଥିବା ୨.୯୭ ଲକ୍ଷ କମ୍ପାନୀଙ୍କ ମଧ୍ୟରୁ ୨୮,୦୮୮ କମ୍ପାନୀଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ୪୯,୯୧୦ଟି ବ୍ୟାଙ୍କ ଜମାଖାତା ସୂଚାଏ ଯେ ନଭେମ୍ବର ୯, ୨୦୧୬ ଠାରୁ ଆରଓସି ତାରିଖ ଶେଷ ହେବା ପର୍ଯ୍ୟନ୍ତ ସେହିସବୁ କମ୍ପାନୀମାନେ ୧୦, ୨୦୦ କୋଟି ଟଙ୍କା ଜମା ଓ ଉଠାଣ କାରବାର କରିଥିଲେ ।

 

-ଏହିସବୁ କମ୍ପାନୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ୧୦୦ରୁ ଅଧିକ ବ୍ୟାଙ୍କ ଜମାଖାତା ଥିବା ଜଣାପଡିଛି । ଗୋଟିଏ କମ୍ପାନୀର ୨, ୧୩୪ଟି ଜମାଖାତା ଥିବା ନଜରକୁ ଆସିଛି ।

 

-ସେହିପରି ଆୟକର ବିଭାଗ ପକ୍ଷରୁ ୧୧୫୦ଟି ସେଲ କମ୍ପାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଛି । ଏହି ସବୁ କମ୍ପାନୀମାନେ ୨୨,୦୦୦ ହିତାଧିକାରୀଙ୍କ ଲାଗି ମାଧ୍ୟମ ଭାବେ ବ୍ୟବହୃତ ହୋଇଥିଲେ ଯାହା ମାଧ୍ୟମରେ ୧୩,୩୦୦ କୋଟିରୁ ଅଧିକ ଟଙ୍କାର ହେରଫେର କରାଯାଇଛି ।

 

ବିମୁଦ୍ରୀକରଣ ପରେ ଦେଶର ଷ୍ଟକ୍ ଏକ୍ସଚେଞ୍ଜମାନଙ୍କରେ ‘ସେବି’ ଏକ ପର୍ଯ୍ୟାୟକ୍ରମିକ ସତର୍କ ବ୍ୟବସ୍ଥା ପ୍ରବର୍ତନ କରିଛି । ଷ୍ଟକ ଏକ୍ସଚେଞ୍ଜମାନଙ୍କରେ ପ୍ରାୟ ୮୦୦ରୁ ଉଦ୍ଧ୍ୱର୍ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଚଳ ଏବଂ ବାଜ୍ୟାପ୍ତ କମ୍ପାନୀମାନଙ୍କୁ ଅଧିକାଂଶ ସମୟରେ ଅପଶକ୍ତିମାନେ ମାଧ୍ୟମ ରୂପେ ବ୍ୟବହାର କରିଥାନ୍ତି । ସେସବୁ ଅଚଳ କମ୍ପାନୀମାନେ ଏକ୍ସଚେଞ୍ଜ ଗୁଡ଼ିକରେ ପଡ଼ି ନରହିବା ଉଦ୍ଦେଶ୍ୟରେ, ପ୍ରାୟ ୪୫୦ରୁ ଊଦ୍ଧ୍ୱର୍ ଏପରି ଅଚଳ କମ୍ପାନୀଙ୍କୁ ଅଣତାଲିକାଭୁକ୍ତ (ବାଜ୍ୟାପ୍ତ) କରାଯାଇଛି ଏବଂ ସେମାନଙ୍କ ପ୍ରମୋଟରଙ୍କ ଅଚଳ ଆକାଂଉଟଗୁଡ଼ିକୁ ଅକାମୀ କରାଯାଇଛି । ପଞ୍ଜିକୃତ କମ୍ପାନୀମାନଙ୍କରେ ସେମାନଙ୍କୁ ନିର୍ଦ୍ଦେଶକ କାର୍ଯ୍ୟାଭାର ସମ୍ଭାଳିବାରୁ ମଧ୍ୟ ନିଷେଧ କରାଯାଇଛି । ପୂର୍ବରୁ ଆଂଚଳିକ ଷ୍ଟକ ଏକ୍ସଚେଞ୍ଜମାନଙ୍କରେ ପଞ୍ଜିକୃତ ୯୦୦ ପାଖାପାଖି କମ୍ପାନୀମାନଙ୍କର କୌଣସି ପତ୍ତା ମିଳୁନାହିଁ । ସେମାନଙ୍କୁ ନିଖୋଜ କମ୍ପାନୀ ବୋଲି ଘୋଷଣା କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

 

ବିମୁଦ୍ରୀକରଣ ଅର୍ଥ ସଂଚୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଥିବା ପରି ପ୍ରତୀୟମାନ ହୁଏ । ସମାନ୍ତରାଳ ଭାବେ, ଅର୍ଥନୀତି ଅଧିକ ଆନୁଷ୍ଠାନିକ ହେବା ଦିଗକୁ ଗତି କରୁଛି । ପୁଣି ବସ୍ତୁ ଓ ସେବାକର ବ୍ୟବସ୍ଥା ପ୍ରବର୍ତ୍ତନ ପରେ ତାହା ବାସ୍ତବତାରେ ପରିଣତ ହୋଇଛି । ଏପରି ବ୍ୟବସ୍ଥା ଗ୍ରହଣ ଦ୍ୱାରା ପରିଲକ୍ଷିତ କେତେକ ପରିବର୍ତ୍ତନ ନିମ୍ନରେ ପ୍ରଦାନ କରାଗଲା : -

 

-କର୍ପୋରେଟ ବଣ୍ଡ ମାର୍କେଟ ଅତିରିକ୍ତ ଆର୍ଥିକ ସଂଚୟ ଏବଂ ସୁଧହାର ହ୍ରାସ ପ୍ରସାରଣ ଯୋଗୁଁ ତାର ଫାଇଦା ହାସଲ କରିବା ଆରମ୍ଭ କରିଛି । ୨୦୧୬-୧୭ ଆର୍ଥିକ ବର୍ଷରେ କର୍ପୋରେଟ ବଣ୍ଡ ମାର୍କେଟରେ ଜାରି ବଣ୍ଡ ବୃଦ୍ଧି ପାଇ ୧.୭୮ ଲକ୍ଷ କୋଟି ଛୁଇଁଛି । ପୂର୍ବ ବର୍ଷ ତୁଳନାରେ ଏହା ୭୮,୦୦୦ କୋଟି ଟଙ୍କା ଅଧିକ । କ୍ୟାପିଟାଲ ମାର୍କେଟରେ ଅନ୍ୟ ଉତ୍ସରୁ ଜାରି ବଣ୍ଡର ବର୍ଦ୍ଧିତ ବୈଷମ୍ୟ ୨୦୧୬-୧୭ରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହୋଇଛି ଯାହାକି ୨୦୧୫-୧୬ ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ଥିଲା ।

 

-ପୁଣି ସରକାରୀ ଓ ରାଇଟ୍ସ ବଣ୍ଡ ମାଧ୍ୟମରେ ପ୍ରାଥମିକ ମାର୍କେଟରେ ଏହି ମାତ୍ରାରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି । ୨୦୧୫-୧୬ ଆର୍ଥିକ ବର୍ଷରେ ମୋଟ ୮୭ଟି ସରକାରୀ ଓ ରାଇଟ୍ସ ଜାରି କରାଯାଇଥିଲା ଯାହାର ମୂଲ୍ୟ ପରିମାଣ ଥିଲା ୨୪,୦୫୪ କୋଟି । ୨୦୧୭-୧୮ର ପ୍ରଥମ ଛଅମାସ ମଧ୍ୟରେ ଏଭଳି ୯୯ଟି ସରକାରୀ ବଣ୍ଡ ଓ ରାଇଟ୍ସ ମାଧ୍ୟମରେ ଏବେ ସୁଦ୍ଧା ୨୮,୩୧୯ କୋଟି ଟଙ୍କା ଜାରି କରାଯାଇସାରିଛି ।
-୨୦୧୬-୧୭ ଆର୍ଥିକ ବର୍ଷରେ ମ୍ୟୁଚୁଆଲ ଫଣ୍ଡକୁ ହୋଇଥିବା ଅର୍ଥ ନିବେଶରେ ୧୫୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ଯାହା ୩.୪୩ ଲକ୍ଷ କୋଟି ଟଙ୍କା ଛୁଇଁଛି । ନଭେମ୍ବର ୨୦୧୬ ଠାରୁ ଜୁନ ୨୦୧୭ ମଧ୍ୟରେ ମ୍ୟୁଚୁଆଲ ଫଣ୍ଡ ମାଧ୍ୟମରେ ପୁଞ୍ଜି ନିବେଶ ମାତ୍ରା ୧.୭ ଲକ୍ଷ କୋଟି ହୋଇଛି ଯାହାକି ପୂର୍ବ ବର୍ଷ ଏହି ଅବଧିରେ ୯.୧୬୦ କୋଟି ଥିଲା ।

 

-ନଭେମ୍ବର ୨୦୧୬ରେ ବୀମା କମ୍ପାନୀମାନଙ୍କ ପ୍ରିମିୟମ ସଂଗ୍ରହ ଦୁଇଗୁଣଠାରୁ ଅଧିକ ହୋଇଥିଲା । ନଭେମ୍ବର ୨୦୧୬ ଠାରୁ ଜାନୁଆରୀ ୨୦୧୭ ମଧ୍ୟରେ ପୁନଃପୌନିକ ସଂଗ୍ରହରେ ଗତ ବର୍ଷ ତୁଳନାରେ ୪୬ ପ୍ରତିଶତ ଅଭିବୃଦ୍ଧି ଘଟିଥିଲା । ସେହିଭଳି ସେପ୍ଟେମ୍ବର ୨୦୧୭ରେ ପୂରଣ ହୋଇଥିବା ବର୍ଷରେ ପ୍ରିମିୟମ ସଂଗ୍ରହ ପରିମାଣରେ ୨୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ।

 

୨୦୧୬-୧୭ରେ ଭାରତ ନଗଦ ବିହୀନ ଅର୍ଥନୀତି ଆଡ଼କୁ ଧୀରେ ଧୀରେ ଗତି କରିଛି । ସେଥି ମଧ୍ୟରୁ କେତୋଗୋଟି ଧାରା ନିମ୍ନରେ ପ୍ରଦାନ କରାଗଲା : -

 

-କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ମାଧ୍ୟମରେ ଯଥାକ୍ରମେ ୩.୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୧୦ କୋଟି କାରବାର ଏବଂ ୩.୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୪୦ କୋଟି କାରବାର କରାଯାଇଛି । ୨୦୧୫-୧୬ ଆର୍ଥିକ ବର୍ଷରେ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ମାଧ୍ୟମରେ ଯଥାକ୍ରମେ ୧.୬ ଲକ୍ଷ କୋଟି ଏବଂ ୨.୪ ଲକ୍ଷ କୋଟି ଟଙ୍କାର କାରବାର କରାଯାଇଛି ।

 

-ପ୍ରି-ପେଡ ଇନଷ୍ଟ୍ରୁମେଂଟ ମାଧ୍ୟମରେ ୨୦୧୫-୧୬ ବର୍ଷରେ ୪୮,୮୦୦ କୋଟି ଟଙ୍କାର କାରବାର କରାଯାଇଥିବାବେଳେ ୨୦୧୬-୧୭ ବର୍ଷରେ ତାହା ୮୩,୮୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ପିପିଆଇଏସ ମାଧ୍ୟମରେ ମୋଟ କାରବାର ୭୫ କୋଟିରୁ ୧୯୬ କୋଟିରେ ପହଂଚିଛି ।

 

-୨୦୧୬-୧୭ ବର୍ଷରେ ଜାତୀୟ ଇଲେକ୍ଟ୍ରୋନିକ ଫଣ୍ଡ ହସ୍ତାନ୍ତର ମାଧ୍ୟମରେ ୧୬୦ କୋଟି କାରବାର କରାଯାଇଥିଲା । ଯାହାର ମୂଲ୍ୟ ଥିଲା ୧୨୦ ଲକ୍ଷ କୋଟି ଟଙ୍କା । ପୂର୍ବ ବର୍ଷ ଏହି ଅବଧି ମଧ୍ୟରେ ୮୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୩୦ କୋଟି କାରବାର ହୋଇଥିଲା ।

 

ଅର୍ଥନୀତି ଅଧିକରୁ ଅଧିକ ମାତ୍ରାରେ ଆନୁ ।ନିକ ହୋଇ ଚାଲିଥିବା ବେଳେ ଶ୍ରମିକମାନଙ୍କୁ ଏହାର ସୁବିଧା ଅଧିକ ମାତ୍ରାରେ ମିଳିଛି । ଇପିଏଫ ଦେୟ, ଇଏସଆଇସି ବ୍ୟବସ୍ଥା ପାଇଁ ଦେୟପୈଠ ଏବଂ ଶ୍ରମିକମାନଙ୍କ ବେତନ/ମଜୁରୀ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଜମାଖାତାରେ ପୈଠ କରାଯିବା ଭଳି ସାମାଜିକ ସୁରକ୍ଷା ବ୍ୟବସ୍ଥା ଏବେ ଅଧିକ ସୁନିଶ୍ଚିତ ହୋଇଛି । ଶ୍ରମିକମାନେ ଅଧିକରୁ ଅଧିକ ସଂଖ୍ୟାରେ ବ୍ୟାଙ୍କ ଜମାଖାତା ଖୋଲୁଛନ୍ତି, ବିମୁଦ୍ରୀକରଣ ପରେ ଇପିଏଫ, ଇଏସଆଇସି ଭଳି ସୁବିଧା ସେମାନଙ୍କୁ ଅଧିକ ପରିମାଣରେ ମିଳିଛି । ୫୦ ଲକ୍ଷ ଶ୍ରମିକ ବ୍ୟାଙ୍କ ଆକାଂଉଟ ଖୋଲିଛନ୍ତି ଓ ତାହାରି ମାଧ୍ୟମରେ ସେମାନଙ୍କୁ ବେତନ ମିଳୁଛି । ଏହି ସୁବିଧା ଲାଗି ମଜୁରୀ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି ।

 

ବିମୁଦ୍ରୀକରଣର ପରିମାଣ ସ୍ୱରୂପ ଜାମ୍ମୁକାଶ୍ମୀରରେ ଢ଼େଲାପଥର ଫିଙ୍ଗା ଘଟଣାର ପ୍ରଭାବ କମିବା ସହ ବାମପନ୍ଥୀ, ଉଗ୍ରବାଦୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ନକ୍ସଲ ଉପଦ୍ରବ କାଣ୍ଡ ହ୍ରାସ ପାଇଛି । ଏହାର ପ୍ରତ୍ୟକ୍ଷ କାରଣ ହେଉଛି ଏଭଳି ତତ୍ୱଙ୍କ ନିକଟରେ ନଗଦ ରାଶିର ଅଭାବ । ଜାଲ ନୋଟ ବ୍ୟବହାର ମଧ୍ୟ କମିଯାଇଛି । ୨୦୧୬-୧୭ ଆର୍ଥିକ ବର୍ଷରେ ୧୦୦୦ ଟଙ୍କିଆ ଏଫଆଇସିଏନ ଚିହ୍ନଟ ୧.୪୩ ଲକ୍ଷ ଖଣ୍ଡରୁ ୨.୫୬ ଖଣ୍ଡକୁ ବୃଦ୍ଧି ପାଇଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ଯାଂଚ ଓ ପ୍ରୋସେସିଂ ବ୍ୟବସ୍ଥାରେ ୨୦୧୫-୧୬ ବର୍ଷରେ ପ୍ରତି ନିୟୁତ ୫୦୦ ଟଙ୍କିଆ ନୋଟରେ ୨.୪ ଖଣ୍ଡ ଏଫଆଇସିଏନ ଏବଂ ପ୍ରତି ନିୟୁତ ୧୦୦୦ ଟଙ୍କିଆ ନୋଟରେ ୫.୮ ଖଣ୍ଡ ଏଫଆଇସିଏନ ମିଳୁଥିବା ବେଳେ ତାହା ତତ୍ ପରବର୍ଷ (ଅର୍ଥାତ ବିମୁଦ୍ରୀକରଣ ପରବର୍ତୀ କାଳରେ) ଯଥାକ୍ରମେ ୫.୫ ଖଣ୍ଡ ଏବଂ ୧୨.୪ ଖଣ୍ଡକୁ ବୃଦ୍ଧି ପାଇଥିଲା । ଅର୍ଥାତ ଏଭଳି ଚିହ୍ନଟ ଦ୍ୱିଗୁଣିତ ହୋଇଛି ବୋଲି କୁହାଯାଇପାରେ ।

 

ସାମଗ୍ରିକ ଭାବେ ବିଶ୍ଳେଷଣରୁ ଏକଥା କହିଲେ ଭୁଲ ହେବନାହିଁ ଯେ ଦେଶ ଏବେ ଏକ ଅଧିକ ସ୍ୱଚ୍ଛ, ନିର୍ମଳ ଏବଂ ସଚ୍ଚୋଟ ଆର୍ଥିକ ବ୍ୟବସ୍ଥା ଦିଗକୁ ମୁହାଁଇଛି । କେତେକ ଲୋକଙ୍କୁ ଏହା ହୁଏତ ଦୃଶ୍ୟ ହେଉନଥାଇପାରେ । କିନ୍ତୁ ନଭେମ୍ବର ୨୦୧୬ ପରବର୍ତୀ ଜାତୀୟ ଆର୍ଥିକ ବିକାଶ ପ୍ରକ୍ରିୟାକୁ ପରବର୍ତୀ ପିଢ଼ି ଦେଖିବା ସୁନିଶ୍ଚିତ । ଏହା ଗର୍ବ ଓ ଗୌରବର ସହ କୁହାଯାଇପାରେ । କାରଣ ଭବିଷ୍ୟତ ପିଢ଼ିଙ୍କୁ ଏହା ଏକ ସ୍ୱଚ୍ଛ ଓ ନ୍ୟାୟସଙ୍ଗତ ବ୍ୟବସ୍ଥା ମଧ୍ୟରେ ଜୀବନ ବଂଚିବାର ଅବସର ପ୍ରଦାନ କରିବ । (ପିଆଇବି)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top