ମୁଣ୍ଡ ନୁଆଇଁଲେ ମୋଦି ସରକାର

News Story - Posted on 2017-11-10

କ୍ଷୁଦ୍ର ମଧ୍ୟମ ବ୍ୟବସାୟୀଙ୍କ ବିରୋଧ ଆଗରେ ମୁଣ୍ଡ ନୁଆଇଁଛନ୍ତି ମୋଦି ସରକାର । ସର୍ବୋଚ୍ଚ ଜିଏସଟି ହାର ୨୮ ପ୍ରତିଶତ ପରିସରରୁ ପ୍ରତ୍ୟାହାର କରିଛନ୍ତି ୧୭୭ ସାମଗ୍ରୀ । ଏହା ଫଳରେ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଟିକସ କମ୍ ପଡ଼ିବ ଓ ତାହା ଶସ୍ତା ହେବ । ଆସାମର ଗୁଆହାଟିରେ ବସିଥିବା ଜିଏସଟି ପରିଷଦ ବୈଠକ ପରେ ଏହି ଘୋଷଣା କରିଛନ୍ତି ପରିଷଦର ଅଧ୍ୟକ୍ଷ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ନଭେମ୍ବର ୧୫ ତାରିଖରୁ ଏହି ନିଷ୍ପତ୍ତି ଲାଗୁ ହେବ ।

 

ଗତ ଜୁଲାଇ ମାସରେ ସମଗ୍ର ଦେଶରେ ଦ୍ରବ୍ୟ ଓ ସେବା କର ବା ଜିଏସଟି ଲାଗୁ ହେବା ପରେ ୨୨୭ଟି ସାମଗ୍ରୀ ଉପରେ ୨୮ ପ୍ରତିଶତ ଟିକସ ଧାର୍ଯ୍ୟ ହୋଇଥିଲା । ଏହା ହେଉଛି ସର୍ବୋଚ୍ଚ ଜିଏସଟି ହାର । ଏହା ବିରୋଧରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟୀମାନେ ସ୍ୱର ଉତ୍ତୋଳନ କରିଥିଲେ । ଏହା ବିରୋଧରେ ଜନ ଆନ୍ଦୋଳନ ହୋଇନଥିଲେ ମଧ୍ୟ ସାଧାରଣ ଲୋକମାନେ ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ମଂଚରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ବି ଉଚ୍ଚ ହାରର ଟିକସ ପାଇଁ ଜିଏସଟିକୁ ଗବର ସିଂହ ଟ୍ୟାକ୍ସ ଭାବେ ଅଭିହିତ କରିଥିଲେ ।

 

ଜନମତ ସଂଗଠିତ ହେଉଥିବା ଲକ୍ଷ୍ୟ କରି ଶେଷରେ ସରକାର ଜିଏସଟିରେ ପରିବର୍ତ୍ତନ ପାଇଁ ରାଜି ହୋଇଥିଲେ । କିଛି ଦିନ ତଳେ ଏଭଳି ସୂଚନା ଦେଇଥିଲେ ଅର୍ଥ ସଚିବ ହସମୁଖ ଆଧିଆ । ସେ କହିଥିଲେ ଯେ ଜିଏସଟି ହାରରେ ଆମୂଳଚୁଳ ପରିବର୍ତ୍ତନ ଦରକାର ଅଛି । ଆଜି ଗୁଆହାଟିରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି ପରିଷଦ ବୈଠକରେ ୨୮ ପ୍ରତିଶତ ଜିଏସଟି ସ୍ଲାବରୁ ୧୭୭ ସାମଗ୍ରୀ ହଟାଇବାକୁ ନିଷ୍ପତ୍ତି ହୋଇଛି । ଫିଟମେଣ୍ଟ କମିଟି ୬୨ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି କାଏମ ରଖିବାକୁ ସୁପାରିଶ କରିଥିଲେ ବି ପରିଷଦ ଏହାକୁ ୫୦କୁ ଖସାଇ ଦେଇଛି । ଏହା ସହିତ ଅନ୍ୟ କେତେକ ସ୍ଲାବରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

 

ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଶାମ୍ପୁ, ଡେଓଡରାଣ୍ଟ, ଦାନ୍ତଘଷା ପେଷ୍ଟ, ଶେଭିଂ କ୍ରିମ, ଆଫଟର ଶେଭ ଲୋସନ, ଜୋତା ପଲିସ, ଚକୋଲେଟ, ଚୁଇଂ ଗମ୍ ଓ ପୁଷ୍ଟିକର ପାନୀୟ ଆଦି ଉପରେ ପୂର୍ବରୁ ଲାଗୁଥିବା ୨୮ ପ୍ରତିଶତ ଜିଏସଟ ଆଉ ଲାଗୁ ହେବ ନାହିଁ । ଏସବୁ ସାମଗ୍ରୀ ଉପରେ ଏଣିକି ୧୮ ପ୍ରତିଶତ ଜିଏସଟି ହିସାବ ହେବ । ସେ କହିଛନ୍ତି ଯେ ନୂଆ ନିଷ୍ପତ୍ତି ଅନୁସାରେ ୧୮ ପ୍ରତିଶତ ଜିଏସଟି ସ୍ଲାବରୁ ୧୩ଟି ସାମଗ୍ରୀ ୧୨ ପ୍ରତିଶତ ସ୍ଲାବକୁ ଅଣାଯାଇଛି । ସେହିପରି ୬ଟି ସାମଗ୍ରୀକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ, ୮ଟି ସାମଗ୍ରୀକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ଅଣାଯାଇଛି । ଅନ୍ୟ ଏକ ନିଷ୍ପତ୍ତି ଅନୁସାରେ ୬ଟି ସାମଗ୍ରୀ ଉପରେ ପୂର୍ବରୁ ହିସାବ ହେଉଥିବା ୫ ପ୍ରତିଶତ ଜିଏସଟିକୁ ଶୂନ କରାଯାଇଛି । ଏହି ୬ଟି ଜିନିଷ ଉପରେ ଆଉ ଜିଏସଟି ଲାଗିବ ନାହିଁ ।

 

ନୂଆ ନିଷ୍ପତ୍ତି ଅନୁସାରେ କେବଳ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବା ଏସି ଓ ୱାସିଂ ମେସିନ ପରି ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ପୂର୍ବ ପରି ୨୮ ପ୍ରତିଶତ ଜିଏସଟି ହିସାବ ହେବ । ସେହିପରି ରଙ୍ଗ ଓ ସିମେଣ୍ଟ ଉପରେ ୨୮ ପ୍ରତିଶତ ଜିଏସଟି କାଏମ ରହିଛି । ବିହାର ଉପମୁଖ୍ୟମନ୍ତ୍ରୀ ତଥା ଏକ ଜିଏସଟି କମିଟିର ମୁଖ୍ୟ ସୁଶୀଲ କୁମାର ମୋଦି କହିଛନ୍ତି ଯେ ଗ୍ରାନାଇଟ ଓ ମାର୍ବଲ ଉପରେ ପୂର୍ବରୁ ଲାଗୁ ହୋଇଥିବା ୨୮ ପ୍ରତିଶତ ଜିଏସଟିକୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି । ସେହିପରି ଲୁଗାଧୁଆ ପାଉଡର ବା ଡିଟରଜେଣ୍ଟକୁ ମଧ୍ୟ ୧୮ ପ୍ରତିଶତ ସ୍ଲାବକୁ ଅଣାଯାଇଛି ।

 

ଏଣିକି ତାରକା ହୋଟେଲ ବ୍ୟତିତ ଅନ୍ୟ କୌଣସି ହୋଟେଲ ବା ରେସ୍ତୋରାଁରେ ଖାଇଲେ ଖାଦ୍ୟ ଉପରେ ମାତ୍ର ୫ ପ୍ରତିଶତ ଜିଏସଟି ହିସାବ ହେବ । ଆଗରୁ ଏହା ୧୮ ପ୍ରତିଶତ ହିସାବ ହେଉଥିଲା । ପଂଚ ତାରକା ହୋଟେଲର ଖାଦ୍ୟ ଉପରେ ପୂର୍ବରୁ ୨୮ ପ୍ରତିଶତ ଜିଏସଟି ଲାଗୁଥିବାବେଳେ ଏବେ ତାହା ୧୮ ପ୍ରତିଶତକୁ ଖସାଇ ଦିଆଯାଇଛି । ନୂଆ ନିଷ୍ପତ୍ତି ଫଳରେ ସରକାର ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କାର ଟିକସ ହରାଇବେ ବୋଲି ମୋଦି କହିଛନ୍ତି ।

 

ପଶ୍ଚିମ ବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକର ତୀବ୍ର ବିରୋଧ ଯୋଗୁଁ ସରକାର ଏହି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି । ତଥାପି ଆହୁରି କେତେକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ୨୮ ପ୍ରତିଶତ ସ୍ଲାବ ଅଧୀନରେ ରହିଛି । ସେଗୁଡ଼ିକ ଉପରେ ଟିକସ ଶସ୍ତା କରିବାକୁ ମଧ୍ୟ ବିରୋଧୀ ଦଳର ଦାବି ଅବ୍ୟାହତ ରହିବ । ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟିକୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ତୀବ୍ର ବିରୋଧ କରି ଏହାକୁ ଗବର ସିଂହ ଟ୍ୟାକ୍ସ ଆଖ୍ୟା ଦେଇଥିଲେ । ସରକାରଙ୍କର ଉଚ୍ଚ ହାରର ଟିକସ ଯୋଗୁଁ ଦେଶର କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି । ସାଧାରଣ ଖାଉଟି ମଧ୍ୟ ଜିଏସଟି ଜରିଆରେ ଲୁଟ୍ର ଶିକାର ହୋଇଛନ୍ତି ବୋଲି ସେ କହିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top