ବୈତରଣୀ ଜଳ ଲୁଟ କରୁଛି ଜିନ୍ଦଲ

News Story - Posted on 2017-11-10

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡର ଦେଓଝରଠାରେ ଜିନ୍ଦଲ କମ୍ପାନୀ ତାର ଖଣି ବ୍ୟବସାୟ ଓ ଶିଳ୍ପ ସାମ୍ରାଜ୍ୟ ବିସ୍ତାର କରିଥିବାବେଳେ କମ୍ପାନୀର ଆବଶ୍ୟକ ପଡୁଥିବା ଜଳ ନିମନ୍ତେ ବୈତରଣୀ ନଦୀରୁ ବ୍ୟାପକ ଜଳ ବ୍ୟବହାର କରୁଛି । ବ୍ୟାପକ ଜଳ ବ୍ୟବାହାର ଦ୍ୱାରା ନଦୀର ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଜିନ୍ଦଲ କମ୍ପାନୀ ୧ ସେକେଣ୍ଡରେ ୮.୩୬ କ୍ୟୁବିକ୍ ମିଟର ଜଳ ଏହି ନଦୀରୁ ନେବା ପାଇଁ ଅନୁମତି ପାଇଥିଲେ ମଧ୍ୟ ନିର୍ଦ୍ଧାରିତ ପରିମାଣର ଜଳଠାରୁ କମ୍ପାନୀ ଯଥେଷ୍ଟ ଅଧିକ ପରିମାଣର ଜଳ ବିଭିନ୍ନ ଉପାୟରେ ନେଉଥିବା ଭଳି ସଙ୍ଗୀନ ଅଭିଯୋଗ ହେଉଛି । ତେବେ ଯେତିକି ଜଳ ବୈତରଣୀ ନଦୀରୁ ବ୍ୟବହାର କରାଯାଉଛି ସେହି ଅନୁପାତଠାରୁ ଯଥେଷ୍ଟ କମ୍ ଜଳ ବାବଦକୁ ସରକାରଙ୍କୁ ରାଜସ୍ୱ ଦେଉଛି ।

 

କମ୍ପାନୀ ନିଜର ବ୍ୟବହାର ପାଇଁ ବୈତରଣୀ ନଦୀର ଚମ୍ପୁଆ ନିକଟରୁ ଦୈନିକ ଘଣ୍ଟା ପ୍ରତି ୪ ହଜାର କ୍ୟୁବିକ୍ ମିଟର ଜଳ ନେବା ପାଇଁ ଜଳସମ୍ପଦ ବିଭାଗ ନିକଟରେ ଆବେଦନ କରିଥିବା ବେଳେ ଯଦି ସରକାର ଏହାକୁ ମଞ୍ଜୁରି ଦିଅନ୍ତି ତେବେ ବୈତରଣୀ ନଦୀ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଶୁଷ୍କ ହୋଇଯିବା ଭଳି ଆଶଙ୍କା ଦେଖାଦେବ । ଗତ ୩ବର୍ଷ ଧରି ବୈତରଣୀ ନଦୀର ତଳମୁଣ୍ଡ ଆଖୁଆପଦା ନିକଟରେ ନଦୀ ଜଳ ସ୍ରୋତ କ୍ରମଶ ଶୁଷ୍କ ହେଉଥିବା ବେଳେ ନଦୀର ସୁରକ୍ଷା ନିମନ୍ତେ ପ୍ରଶାସନ କୌଣସି ଅଙ୍କୁଶ ନଲଗାଇବା ପରିବେଶବିତ ଓ କୃଷିବିତ ମହଲରେ ଅସନ୍ତୋଷର କାରଣ ହୋଇଛି । ଏପରିକି ଏହି ନଦୀ ଜଳ ସୁରକ୍ଷାକୁ ନେଇ ବୈତରଣୀ ନଦୀ ଜଳ ବଞ୍ଚାଅ ସୁରକ୍ଷା ମଞ୍ଚଞ୍ଚପକ୍ଷରୁ ଗତ କିଛିବର୍ଷ ଧରି ବାରମ୍ବାର ଆନ୍ଦୋଳନ ହୋଇ ଆସୁଛି । କମ୍ପାନୀମାନଙ୍କର ବେଆଇନ ଭାବେ ନଦୀ ଜଳ ବ୍ୟବହାର ଏବଂ ଜଳସମ୍ପଦ ବିଭାଗର ସ୍ଥାଣୁତା ଫଳରେ ଜିଲାର ଚାଷୀ ଚାଷ ପାଇଁ ଏହି ନଦୀ ଜଳ ବ୍ୟବହାର କରିବାରୁ ବଞ୍ଚିତ ହେଉଛନ୍ତି ।

 

ଦେଓଝର ଅଞ୍ଚଳରେ କମ୍ପାନୀ ରିଜର୍ଭ ଫରେଷ୍ଟ ମଧ୍ୟରେ ବେଆଇନ ଭାବେ ପାଇପ ଲାଇନ ବିଛାଇ ଇନ୍ଟେକ୍ ୱେଲ ମାଧ୍ୟମରେ ବୈତରଣୀ ନଦୀରୁ ଜଳ ଶୋଷୁଥିବା ଅଭିଯୋଗ ଆଗକୁ ଆସୁଛି । ଦିନକୁ ଦିନ ସଙ୍କୁଚିତ ହୋଇ ଚାଲିଥିବା ବୈତରଣୀ ନଦୀ କମ୍ପାନୀମାନଙ୍କର ବର୍ଜ୍ୟବସ୍ତୁ ଦ୍ୱାରା ପ୍ରଦୂଷିତ ହେଉଥିବା ବେଳେ ଯାହା ପାଣି ରହୁଛି ଶିଳ୍ପପତି ଓ ଖଣିମାଲିକମାନେ ତାହା ମଧ୍ୟ ଲୁଟି ନେଉଛନ୍ତି । ଏବେ ବୈତରଣୀ ନଦୀରୁ ଜିନ୍ଦଲ କମ୍ପାନୀ ବାସୁଦେବପୁର(ମିରିଗିଶିଙ୍ଗା)ରୁ ପାଣି ନେଉଛି । ଏହାବ୍ୟତୀତ ଆହୁରି ଅନେକ କମ୍ପାନୀ ଏହି ନଦୀରୁ ପାଣି ନେବା ପାଇଁ ଆଗ୍ରହ ପ୍ରକାଶ କରି ଅନୁମତି ପାଇଁ ଲାଇନ ଲଗାଇଛନ୍ତି । ଯଦି ଏସବୁ ଶିଳ୍ପକାରଖାନାକୁ ପାଣି ପାଇଁ ଅନୁମତି ମିଳେ ତେବେ ଆଗାମୀ ଦିନରେ ଜିଲ୍ଲାରେ ଜଳସଂକଟ ଗୁରୁତର ରୁପ ନେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top