ଚାଷୀକୁ ଦେଖୁଛି କିଏ?

News Story - Posted on 2017-11-09

ଗୋଲକ ବିହାରୀ ନାୟକ

 

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଭାରତର ବିକାଶ ଲାଗି ଏକ ସ୍ଲୋଗାନ ଦେଇଥିଲେ ‘ଜୟ ଯବାନ-ଜୟ କିଷାନ’। ଶାସ୍ତ୍ରୀଜୀ ଠିକ‌୍‍ ରୂପେ ବୁଝିଥିଲେ ଯେ, ଭାରତ ଏକ କୃଷିପ୍ରଧାନ ଦେଶ। ଦେଶର ଉନ୍ନତି କେବଳ ହୋଇପାରିବ କୃଷିର ଉନ୍ନତି ଘଟିଲେ। ଯବାନ ବାହ୍ୟଶତ୍ରୁ ଆକ୍ରମଣରୁ ଦେଶକୁ ରକ୍ଷା କରିବା ପାଇଁ ନିଜକୁ ବଳିଦିଏ। କୃଷକ କୃଷିକ୍ଷେତ୍ରରେ ଖରା, ତରା, ଶୀତ, କାକର ଓ ବର୍ଷାକୁ ଖାତିର ନକରି କଠିନ ପରିଶ୍ରମ ଦ୍ୱାରା ଖାଦ୍ୟ ଉତ୍ପାଦନ କରି ଦେଶବାସୀଙ୍କୁ ଖାଦ୍ୟ ଯୋଗାଇ ବଞ୍ଚାଇ ରଖେ। ଦେଶ ତଥା ମଣିଷର ପ୍ରକୃତ ବନ୍ଧୁ ହେଉଛନ୍ତି କୃଷକ। କିନ୍ତୁ ଲାଲ ବାହାଦୂରଙ୍କ ବ୍ୟତୀତ ଅନ୍ୟ ନେତୃବର୍ଗ  ଭାରତବର୍ଷରେ କୃଷିର ଉନ୍ନତି ପାଇଁ ବିଶେଷ ଧ୍ୟାନ ଦେଇନଥିବାରୁ ଆଜି ସମଗ୍ର ଭାରତବର୍ଷରେ କୃଷକ ଆତ୍ମହତ୍ୟା ଭଳି ନାନା ସମସ୍ୟା ଦେଖାଦେଇଛି।

 

ଦେଶରେ ଯୋଜନା ପରେ ଯୋଜନା ହୋଇଚାଲିଛି। ସ୍ୱାଧୀନତାର ୭୦ ବର୍ଷ ପରେ ଭାରତବର୍ଷର କୃଷକ ଆଜି ପେଟପୂରା ଦୁଇଓଳି ଖାଇବାକୁ ପାଉନାହିଁ, ପିନ୍ଧିବାକୁ ପାଉନାହିଁ। ଦାରିଦ୍ର୍ୟରେ ଅନେକ କୃଷକ ପରିବାର ଭୋକରେ ସଢୁଛନ୍ତି ଭୋକର ତାଡ଼ନା ସହିନପାରି। କୃଷିକାର୍ଯ୍ୟ ପାଇଁ କରିଥିବା ଋଣ ଶୁଝି ନ ପାରିବାରୁ ଅନେକ କୃଷକ ଆତ୍ମହତ୍ୟା କରୁଛନ୍ତି। ଏହା ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଚିତ୍ର।

 

ଆଜି ଦେଶରେ କୃଷକ ଆତ୍ମହତ୍ୟାର ସଂଖ୍ୟା କ୍ରମଶଃ ବୃଦ୍ଧିପାଉଛି। କୃଷକ ଆତ୍ମହତ୍ୟା ସଂଖ୍ୟା କାହିଁକି ବୃଦ୍ଧି ପାଉଛି ତା’ର ନିରାକରଣ କରିବା ପାଇଁ ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର ଯେତିକି ଚିନ୍ତା କରିବା କଥା ତାହା କରୁନଥିବାରୁ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କୃଷକ ଆତ୍ମହତ୍ୟାକୁ ନେଇ ବିରୋଧୀ ରାଜନୈତିକ ଦଳମାନେ ଚିତ୍କାର କରୁଥିଲେ ମଧ୍ୟ ଯେଉଁଦିନ ସମାନେ କ୍ଷମତାସୀନ ହୁଅନ୍ତି, ସେମାନଙ୍କ ମନ ଶିଳ୍ପାୟନ, ଶିଳ୍ପପତି, ବ୍ୟବସାୟୀଙ୍କ ଆଡ଼କୁ ଚାଲିଯାଏ। କାରଣ ସେଠି ଅର୍ଥ ଅଛି। ଚାଷୀ ବାପୁଡ଼ା ବା କ’ଣ ଦେବ?

 

ଯେତେ କୃଷକ ଆତ୍ମହତ୍ୟା କରୁଛନ୍ତି ସମୀକ୍ଷାରୁ ଜଣାପଡ଼ିଛି ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ କେବଳ କୃଷିଋଣ ପାଇଁ। ଫସଲ ନଷ୍ଟ ହେବାଯୋଗୁ ଉଚ୍ଚହାର ସୁଧରେ ଋଣ ନେଇଥିବା କୃଷକମାନେ ଋଣ ପରିଶୋଧ କରିନପାରି ନିରୁପାୟ ହୋଇ ଆତ୍ମହତ୍ୟା ପଥ ବାଛି ନିଅନ୍ତି। ନିପଟ ମଫସଲ ଅଞ୍ଚଳରେ ବ୍ୟାଙ୍କ ନଥିବାରୁ ଚାଷୀମାନେ ବାଧ୍ୟହୋଇ ମହାଜନମାନଙ୍କ ଠାରୁ ଉଚ୍ଚ ସୁଧହାରରେ ଋଣ କରିଥାନ୍ତି। ଯେଉଁଠି ବ୍ୟାଙ୍କ ଅଛି ମରୁଡ଼ି, ପୋକଦ୍ୱାରା, ବନ୍ୟା, ବାତ୍ୟା  ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟାୟ ଦ୍ୱାରା ଫସଲ ନଷ୍ଟଯୋଗୁଁ ଚାଷୀ ବ୍ୟାଙ୍କରୁ ନେଇଥିବା ଋଣ ଶୁଝି ନ ପାରିଲେ ବ୍ୟାଙ୍କ ଘର କୋରକ ଏବଂ ବନ୍ଧକ ଜମି ନିଲାମ ପାଇଁ ନୋଟିସ‌୍‍ ଜାରି କରନ୍ତି। ବ୍ୟାଙ୍କ ଏବ ମହାଜନମାନଙ୍କର ଜୁଲମ ସହିନପାରି ଋଣ ଶୁଝିବାର ଅନ୍ୟ ଉପାୟ ନପାଇ ଆତ୍ମହତ୍ୟାର ପଥ ବାଛି ନେଉଛି। ନ୍ୟାସନାଲ କ୍ରାଇମ ରେକର୍ଡ଼ସ ବ୍ୟୁରୋର ତଥ୍ୟ ଅନୁସାରେ ଦେଶରେ ୨୦୦୧ରୁ ୨୦୧୦ ମସିହା ମଧ୍ୟରେ ମୋଟ ୧,୭୦,୧୪୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୦୧୦ ମସିହା ପରଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଭାରତବର୍ଷରେ ଏବଂ ଓଡ଼ିଶାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ସଂଖ୍ୟା ନିମ୍ନରେ ପ୍ରଦତ୍ତ ହେଲା।

 

ବର୍ଷ           ଦେଶରେ ଚାଷୀ ଆତ୍ମହତ୍ୟା ଓଡ଼ିଶାରେ ଚାଷୀ ଆତ୍ମହତ୍ୟା

୨୦୧୫        ୧୨୬୦୨                      ୫୦

୨୦୧୪       ୧୨୩୬୦                     ୧୦୬

୨୦୧୩       ୧୧୭୭୨                      ୧୫୦

୨୦୧୨        ୧୩୭୫୪                     ୧୪୬

୨୦୧୧        ୧୪,୦୨୭                    ୧୪୪

୨୦୧୦       ୧୫୯୨୪                      ୧୬୨

 

ଚାଷୀ ଆତ୍ମହତ୍ୟା କ୍ଷେତ୍ରରେ ମହାରାଷ୍ଟ୍ର ସାରା ଦେଶରେ ଶୀର୍ଷରେ ରହିଛି। ଏହା ପଛକୁ ରହିଛି କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼। ବର୍ଷ ବର୍ଷ ଧରି ଦେଶରେ ପ୍ରାୟ ସବୁ ରାଜ୍ୟରେ ଚାଷୀମାନେ ବହୁ ସଂଖ୍ୟାରେ ଋଣଭାର ହ୍ରାସ କରି ନପାରି ଆତ୍ମହତ୍ୟା କରୁଥିବା ଜାତି ପକ୍ଷରେ ଘୋର ଲଜ୍ଜ୍ୟାର ବିଷୟ।

 

ଭାରତପରି ଏକ ଜନମଙ୍ଗଳ ଗଣତାନ୍ତ୍ରିକ ଦେଶରେ ଋଣ ଭାରରେ ବୁଡ଼ି ରହିଥିବା କୃଷକମାନେ ଋଣ ପରିଶୋଧ କରି ନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। କେବଳ ଏଥିପାଇଁ କୃଷିଜାତ ସାମଗ୍ରୀର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କଲାବେଳେ ସରକାର ବାସ୍ତବତା ପ୍ରତି ଦୃଷ୍ଟି ଦେବା ଉଚିତ‌୍‍। ସମୟ ସମୟରେ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର କୃଷିଋଣ ଛାଡ଼ କରୁଥିଲେ ମଧ୍ୟ ଚାଷୀମାନଙ୍କର ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ଚଳିତବର୍ଷ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟ ସରକାର କୃଷକମାନଙ୍କର ଋଣଛାଡ଼ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ସରକାର କୃଷିଋଣ ଛାଡ଼ କରିବାକୁ ନିଷ୍ପତ୍ତି ନେଇନାହାଁନ୍ତି।

 

କୃଷି ବିଶେଷଜ୍ଞ ଏମ‌୍‍.ଏସ‌୍‍. ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାର କୃଷି କମିଶନ ଗଠନ କରିଥିଲେ। କମିଶନଙ୍କ ରିପୋର୍ଟ କେତେବର୍ଷ ତଳୁ ସରକାରଙ୍କର ବିଚାରାଧୀନ ଥିଲେ ମଧ୍ୟ ସବୁ ସୁପାରିଶ କାର୍ଯ୍ୟକାରୀ ହୋଇନାହିଁ। ବ୍ୟବସାୟ, ଚାକିରୀ, ଶିଳ୍ପ ଲାଭଜନକ ହୋଇଥିବାରୁ ଏକ୍ଷେତ୍ରରେ କାମ କରୁଥିବା ଲୋକମାନେ ସୁଖ ଶାନ୍ତିରେ ରହୁଛନ୍ତି। କିନ୍ତୁ କୃଷି ଉପରେ ନିର୍ଭର କରୁଥିବା ଦେଶର ୭୫ ଭାଗ ଲୋକମାନଙ୍କର ସମସ୍ୟା ବଢି ବଢି ଚାଲିଛି। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା ସେମାନଙ୍କ ଜମିକୁ ଜଳସେଚନ ସୁବିଧା ନାହିଁ, ଚାଷୀ ତା’ର ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇବାରୁ ଅନେକ ସମୟରେ ବଞ୍ଚିତ ହେଉଅଛି। ଅନେକ ସମୟରେ ସେମାନଙ୍କର ଉତ୍ପାଦିତ ଶସ୍ୟକୁ ବିଭିନ୍ନ କାରଣରୁ ସେ କମ‌୍‍ ମୂଲ୍ୟରେ ବିକ୍ରୟ କରିବାକୁ ବାଧ୍ୟ ହୋଇଥାଏ। ଓଡ଼ିଶା ସମେତ ଅନେକ ରାଜ୍ୟରେ ଭୂସଂସ୍ଥାର କରିବା ଦିଗରେ ଉଚିତ ପଦକ୍ଷେପ ନିଆଯାଉ ନାହିଁ, କୃଷି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ପୁଞ୍ଜି ନିବେଶର ଆବଶ୍ୟକତା ପୂରଣ କରାଯାଉ ନାହିଁ। ଏପରିକି ଖାସ୍ୟଶସ୍ୟ ମହଜୁଦ କରି ରଖିବାକୁ ଯଥେଷ୍ଟ ଗୋଦାମ ଘର ନାହିଁ। ଫଳ, ପନିପରିବାର ସଂରକ୍ଷଣ ପାଇଁ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ନାହିଁ।

 

ଓଡ଼ିଶାରେ କୃଷକ ଆତ୍ମହତ୍ୟା

 

ଓଡ଼ିଶାରେ ଆତ୍ମହତ୍ୟା କରୁଥିବା ଚାଷୀଙ୍କ ପାରବାରିକ ବିଶ୍ଲେଷଣରୁ ଜଣାପଡ଼ିଛି ଯେ ରାଜ୍ୟରେ ରାଜ୍ୟରେ ଆତ୍ମହତ୍ୟା କରିଥିବା ୭୩% ଚାଷୀ ପରିବାର ବିପିଏଲ‌୍‍ ତାଲିକାଭୁକ୍ତ। ଅବଶିଷ୍ଟ ୨୭% ଅଣ ବିପିଏଲ‌୍‍ ଶ୍ରେଣୀର। ସେହିଭଳି ଆତ୍ମହତ୍ୟା କାରଣ ସମ୍ପର୍କରେ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ୫୪% ଚାଷୀ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରୁଥିବା ବେଳେ ୩୦% କ୍ଷେତ୍ରରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥାନ୍ତି। ସେହିଭଳି ଧାନ ଅମଳର ଠିକ‌୍‍ ପୂବରୁ ନଭେମ୍ୱର, ଡ଼ିସେମ୍ୱର ମାସରେ ସର୍ବାଧିକ କୃଷକ ଆତ୍ମହତ୍ୟା ଘଟଣା ଘଟିଥାଏ। ରାଜ୍ୟର ସର୍ବାଧିକ ଚାଷୀ ଆତ୍ମହତ୍ୟା ପଶ୍ଚିମ ଓଡ଼ିଶାରେ ସଂଗଠିତ ହୋଇଥାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ କୀଟନାଶକ ଔଷଧ ସେବନ କରି ଆତ୍ମହତ୍ୟା କରିଥାନ୍ତି। ସମ୍ପ୍ରତି ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଆତ୍ମହତ୍ୟା କରୁଛନ୍ତି ଜଣକ ପରେ ଜଣେ ଚାଷୀ। ଏଇ କିଛି ଦିନ ଭିତରେ ୮ ଜଣ ଚାଷୀ ଫସଲହାନୀକୁ ନେଇ ଆତ୍ମହତ୍ୟା କଲେଣି। ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଏବେବି ରାଜ୍ୟର ସର୍ବାଧିକ କୃଷକ ଆତ୍ମହତ୍ୟା ବରଗଡ଼ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାରେ ଘଟୁଛି।

 

ବରଗଡ଼ ଜିଲ୍ଲାର କୃଷି ଓ କୃଷକଙ୍କ ଆତ୍ମହତ୍ୟା କେବଳ ରାଜ୍ୟ ରାଜନୀତିକୁ ପ୍ରଭାବିତ କରୁଛି ତାହା ନୁହେଁ, ଜାତୀୟ ସ୍ତରର ନେତାମାନେ ମଧ୍ୟ ବରଗଡ଼ ଚାଷୀ ସମସ୍ୟାକୁ ନେଇ ରାଜନୀତିକ କରୁଛନ୍ତି। ବରଗଡ଼ ଜିଲ୍ଲାର କୃଷକ ଆତ୍ମହତ୍ୟା ପ୍ରସଙ୍ଗ ନେଇ ୨୦୧୫ ମସିହା ସେପ୍ଟେମ୍ୱର ୧୦ ତାରିଖରେ ବରଗଡ଼ ଜିଲ୍ଲା ଅତାବିରାଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଦଯାତ୍ରା କରିଥିଲେ। ଠିକ‌୍‍ ପରେ ପରେ ୨୦୧୬ ମସିହା ଫେବୃୟାରୀ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ଠାରେ ଆୟୋଜିତ କୃଷକ ସମାବେଶରେ ଉଦ‌୍‍ବୋଧଦନ ଦେଇ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଦ୍ୱାରା ଦେଶରେ କୃଷକ ଆତ୍ମହତ୍ୟା ରୋକାଯାଇପାରିବ ଏବଂ କୃଷକର ଆୟ ଦ୍ୱିଗୁଣିତ ହୋଇପାରିବ ବୋଲି କହିଥିଲେ। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ତାଙ୍କ ଦଳ ସରକାର ଗଢିଲେ ସେମାନେ ଅନ୍ତତଃ ସ୍ୱାମୀନାଥନଙ୍କ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କଲେନାହିଁ। ଓଲଟି ଧାନ କୁଇଣ୍ଟାଲ ପିଛା ମାତ୍ର ୮୦ ଟଙ୍କା ବୃଦ୍ଧି କରି ଚାଷୀଙ୍କୁ ହତାଶ କଲେ। ଏହାଫଳରେ ଧାନର ସହାୟକ ମୂଲ୍ୟ ୧୫୫୦ ଟଙ୍କା ହୋଇଛି। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଓଡ଼ିଶାର ଚାଷୀକୂଳକୁ ହତୋତ୍ସାହିତ କରିଛି।

 

ଆମ ରାଜ୍ୟରେ ଚାଷୀ ବର୍ତ୍ତମାନ ଗୋଟିଏ କୁଇଣ୍ଟାଲ ଧାନ ଉତ୍ପାଦନ କରିବାକୁ ୨୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରୁଛନ୍ତି ବୋଲି କୃଷିଗବେଷଣା ସୂତ୍ରରୁ ପ୍ରକାଶ। ୨୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚକରି ୧୬୦୦ଟଙ୍କା ଠାରୁ କମ‌୍‍ରେ ବିକ୍ରି କଲେ ଚାଷୀ କ’ଣ ଲାଭ ପାଇବ? ଧାନର ସହାୟକ ମୂଲ୍ୟ ସ୍ୱାମୀନାଥନ କମିଶନଙ୍କ ଅନୁସାରେ ଉତ୍ପାଦନ ଖର୍ଚ୍ଚର ଦେଢଗୁଣ ଅର୍ଥାତ‌୍‍ କୁଇଣ୍ଟାଲ ୩୧୫୦ ଟଙ୍କା ହେବା କଥା। ଧାନ ଚାଷୀ ଏହାର ଅଦ୍ଧେର୍କ ମାତ୍ର ୧୫୫୦ ପାଉଛନ୍ତି। ଚାଷୀ ଏହାଦ୍ୱାରା ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଓଡ଼ିଶାର ଧାନଚାଷୀଙ୍କ ପରି ଦେଶର ଅନ୍ୟ ରାଜ୍ୟର ଚାଷୀମାନେ ସେମାନଙ୍କର ଉତ୍ପାଦିତ ଫସଲର ମୂଲ୍ୟ ପାଇପାରୁ ନଥିବାରୁ ଚାଷୀପାଇଁ କରୁଥିବା ଋଣ ଶୁଝିନପାରି ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଛନ୍ତି।

 

ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ବିହନ ନିଗମ/ଅଏଲ‌୍‍ ଓଡ଼ିଶା

ଫୋନ‌୍‍-୯୪୩୭୩୧୮୭୩୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top