ଏମକେସିଜି- କିଛି ଫରକ ନାହିଁ!

News Story - Posted on 2017-11-09

ଏମକେସିଜି ମାୟା ନାରାୟଣଙ୍କୁ ଅଗୋଚର ! ସଂପ୍ରତି ଏଇ ବୃହତ ଅନୁଷ୍ଠାନ ପାଇଁ ବିକଳ ହୋଇ ଉଠୁଥିବା ବହୁ ସଂଗଠନର ନାଯ୍ୟ ଦାବୀକୁ ନେଇ ପ୍ରତିଦିନ ଗଣମାଧ୍ୟମରେ ଖବର ପଢ଼ି ପଢ଼ି ଗଂଜାମର ସହରରୁ ଗ୍ରାମାଞ୍ଚଳ ସବୁଠି ଗୋଟିଏ ଚର୍ଚ୍ଚା କିଏ ବଦଳାଇବ ବଡ଼ ମେଡ଼ିକାଲର ରୁଗ‌୍‍ଣ ବ୍ୟବସ୍ଥାର ଚିତ୍ର? ବଡ଼ ମେଡ଼ିକାଲ‌୍‍ର ଖବର ଛାପିବାରେ ଯେତିକି ନୈତିକ ଦାୟିତ୍ୱ ଗଣମାଧ୍ୟମର ରହିଛି ବିଭିନ୍ନ ସାମାଜିକ ସଂଗଠନର ଆନ୍ଦୋଳନର କାର୍ଯ୍ୟଧାରା ମଧ୍ୟ ସେତିକି ଜରୁରୀ।

 

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବା ଏମକେସିଜି ମେଡିକାଲ କଲେଜର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗଣମାଧ୍ୟମ ବହୁବାର ଲୋକଲୋଚନକୁ ଆଣି ସରକାରଙ୍କୁ ଚେତାଇଛି। ଏବେ ବ୍ରହ୍ମପୁର ସହର ସାଙ୍ଗଠନିକ ନେତୃତ୍ବ ମୁଣ୍ଡାଇଥିବା କେତକ ଲୋକ ମେଡିକାଲ ପ୍ରସଙ୍ଗ ନେଇ ଚର୍ଚ୍ଚାରେ। ମେଡିକାଲ ନେଇ ଏବେ ସବୁଠୁ ଆଗରେ ଅଛି ଘଣ୍ଟ ଧ୍ୱନି। ତା’ ପଛରେ ଫୋରମ‌୍‍ ଫର‌୍‍ ଗଂଜାମ। ତାଡ଼ ପଛକୁ ବିଜେପି ମଧ୍ୟ ମେଡ଼ିକାଲ‌୍‍ ସମସ୍ୟା ନେଇ ଆନ୍ଦୋଳନ ପ୍ରସ୍ତୁତି ଚଳାଇଛି। ସତରେ କ’ଣ ଏହି ସଂଗଠନମାନଙ୍କ ଡ଼ାକ ସରକାର ଶୁଣି କିଛି ଗୋଟିଏ ସମାଧାନ କରି ବଡ଼ ମେଡ଼ିକାଲ‌୍‍ର ବ୍ୟଥା ଉପଚାର କରିବେ? ନା କେବଳ ଗଣମାଧ୍ୟମ ପୃଷ୍ଠାର ଶୀରୋନାମା ହୋଇ ରହିଯିବ? ଏମକେସିଜି ଅବ୍ୟବସ୍ଥା ନେଇ ଦୀର୍ଘ ସପ୍ତାହ ଧରି ଘଣ୍ଟା ପିଟା ଚାଲିଥିଲେ ମଧ୍ୟ ସରକାର ନୀବରଦ୍ରଷ୍ଟା। ଘଣ୍ଟ ଆନ୍ଦୋଳନର ଭବିଷ୍ୟତ କ’ଣ ବୋଲି ପ୍ରଶ୍ନ ପଚାରିବାରୁ ଅବନୀ ଗୟା କହିଥିଲେ ଯେ ବ୍ରହ୍ମପୁରରେ ସହରବାସୀଙ୍କ ଯେତିକି ଆନ୍ତରିକତା ରହିବା କଥା ସେତିକି ରହୁନାହିଁ। କିନ୍ତୁ ଖୁବ‌୍‍ ଶୀଘ୍ର ଏକ ଜନ ଆନ୍ଦୋଳନ ପାଇଁ ଆମେ ପୁଣିଥରେ ବୃହତ‌୍‍ ପ୍ରୟାସ ଆରମ୍ଭ କରିବୁ। ବହୁ ଦାବି ପତ୍ର ଦେଇଛୁ କିନ୍ତୁ ସରକାର ଶୁଣୁନାହାନ୍ତି।

 

ଏମ‌୍‍କେସିଜି ସଂପର୍କରେ ଉଠୁଥିବା ଝଡ଼ ଜନତାଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଥିଲେ ଏନେଇ ହେଉଥିବା ଆନ୍ଦୋଳନ ପ୍ରତି ଯେତିକି ପରିମାଣରେ ଜନତାଙ୍କ ଆନ୍ତରିକତା ରହିବା କଥା ତାହା ରହିନି। ତଥାପି ସାଙ୍ଗଠନିକ ବିଚାର ଧାରାରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ଫୋରମ‌୍‍ ଫର ଗଂଜାମ ଭୁବନେଶ୍ୱର ପର୍ଯ୍ୟନ୍ତ ଦାବି ପତ୍ର ନେଇ ଯାଇଛି। ଫୋରମ‌୍‍ ଫର ଗଂଜାମର ସୁଧୀର ରାଉତ ସଂଯୋଜକ ଭାବରେ ଏହି ମେଡିକାଲ ଶିକ୍ଷାନୁଷ୍ଠାନର ସମସ୍ୟାକୁ ଭଲ ଭାବରେ ଜାଣନ୍ତି। ସାଙ୍ଗଠନିକ ଦକ୍ଷତାଠାରୁ ଗଣମାଧ୍ୟମରେ ସେ ବେଶ‌୍‍ ସକ୍ରିୟ। ତେବ ତାଙ୍କ ସାଙ୍ଗରେ ଲୋକ ନାହାନ୍ତି। ମାତ୍ର ପାଞ୍ଚ ଛଅ ଜଣକୁ ନେଇ ସଂଗଠନ ହୋଇପାରେ କିନ୍ତୁ ଆନ୍ଦୋଳନ କରିବା ସହଜ ନୁହେଁ। ବହୁ ସଂଗଠନ ହିଁ ଜନ ଆନ୍ଦୋଳନର ବାର୍ତ୍ତାବହ। ବିନା ଜନ ସମର୍ଥନରେ

ଏମ‌୍‍କେସିଜିର ସମସ୍ୟାକୁ ନେଇ ଫୋରମ‌୍‍ର ଲଢ଼େଇ ନିର୍ଣ୍ଣାୟକ ହେବା ସମ୍ଭବପର ନୁହେଁ। ସଂଗଠନମାନଙ୍କୁ ଏକତ୍ରିତ କରି ଫୋରମ‌୍‍ ଫର ଗଂଜାମ ମଧ୍ୟ ଆର‌୍‍ଡ଼ିସିଙ୍କ ପାଖରେ ଦାବିପତ୍ର ଥୋଇଛନ୍ତି। କିନ୍ତୁ ଆଶାନୁରୂପ ସଫଳତା ନାହିଁ।

 

ଯେଉଁ ପର୍ଯ୍ୟନ୍ତ ବିଭିନ୍ନ ସଂଗଠନର ସ୍ୱର ନ ଉଠିବ ସେଇ ପର୍ଯ୍ୟନ୍ତ ଏମକେସିଜି ସମସ୍ୟା ସୁଧାରିବାକୁ ବୋଧହୁଏ ସରକାର ଚେତିବେନାହିଁ।

 

ଏ ଦୁଇଟି ସଂଗଠନକୁ ଛାଡ଼ିଦେଲେ ବିଜେପି ମଧ୍ୟ ଏମ‌୍‍କେସିଜି ସମସ୍ୟା ଉଠାଇଛି। ଏମ‌୍‍କେସିଜି ପାଇଁ ବିଜେପିର ଆନ୍ଦୋଳନ ସଫଳ ହେବା ପୂର୍ବରୁ ଛତ୍ରପୁର କାଦୁଅରେ ପଦ୍ମ ଫସିଗଲା ଏବଂ ଦଳୀୟ ସଂଗଠନର ଅଧିକାରୀ ବାଟବଣା ହୋଇଗଲେ। ଏସବୁ ଭିତରେ ବ୍ରହ୍ମପୁର ବଡ଼ ମେଡ଼ିକାଲ‌୍‍ର ସମସ୍ୟା ଓ ଦୁର୍ଗତି କେବଳ ଗଣମାଧ୍ୟମରେ ଏକ ଚର୍ଚ୍ଚିତ କାହାଣୀ ହ୍‌ଇ ରହିଯାଇଛି।

 

ଏମ‌୍‍କେସିଜିରେ କାର୍ଯ୍ୟରତ ପ୍ରତି କର୍ମଚାରୀ ବର୍ତ୍ତମାନ ସଂଗଠନର ଆନ୍ଦୋଳନ, ଜନତାଙ୍କ ସ୍ୱର, ଗଣମାଧ୍ୟମର ଚର୍ଚ୍ଚା ଓ ନେତାମାନଙ୍କ ନୀରବତାକୁ ଭଲ ଭାବରେ ପରଖି ସାରିଲେଣି। ପ୍ରଫେସର, ଅଧ୍ୟାପକ ଓ ଅଧ୍ୟକ୍ଷ ସମସ୍ତେ ଜାଣନ୍ତି କେମିତି ପରିସ୍ଥିତିକୁ ମୁକାବିଲା କରାଯିବ। ଏଠି ମନ୍ତ୍ରୀ ଆସିଲେ କି ଗଲେ କାହାର ଫରକ‌୍‍ ପଡେ଼ନି। ଏଠି ରୋଗୀ ଚିକିତ୍ସା ନପାଇ ଦାଣ୍ଡରେ ଗଡ଼ିଲେ ବି ହୃଦୟ ତରଳେନି। ଏଠି ମେଡ଼ିକାଲ‌୍‍କୁ ବାପାର ସଂପତ୍ତି ପରି କଲ୍ୟାଣ ମଣ୍ଡପ କଲେ ମଧ୍ୟ ଭୋଜି ଖାଇଲା ପରେ ଯିଏ ଯାହା ବାଟରେ ଚାଲିଯାଆନ୍ତି। ହୃଦୟହୀନ ମଣିଷଙ୍କ ରାଜୁତି ଚାଲିଛି ଏଠି। ସମସ୍ତେ ସମସ୍ତଙ୍କୁ ବଳି। ବିରାଟ ବିରାଟ କୋଠା ଭିତରେ କାୟାକଳ୍ପ ଏମକେସିଜିର ଭାଗ୍ୟ ବଦଳାଇବାର ବ୍ୟବସ୍ଥାଟି କେବଳ ସମୟ ହିଁ ନିର୍ଣ୍ଣୟ କରିବ। କାରଣ ଏଠି କୋଳିଖାଇ ମଂଜି ପୋତିବାରେ ଜଣେ ଜଣେ ଧୂରୀଣ ବିନ୍ଧାଣି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top