ନକଲି କିଏ, ଅସଲି କିଏ, କହିବ କିଏ?

News Story - Posted on 2017-11-09

ହେମାଙ୍ଗ ରାଉଳ

 

ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଚାରୋଟି ସ୍ତମ୍ଭ ମଧ୍ୟରୁ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ, ଯାହାର ଭୂମିକା ସଂପ୍ରତି ସମାଜରେ ବହୁ ଉଚ୍ଚରେ। ଦିନଥିଲା କିଛି ମାତ୍ର ଛପାକାଗଜ ଭିତରେ ସମ୍ୱାଦ ପରିବେଷଣ କରୁଥିବା ସାମ୍ୱାଦିକତାର ଭାଗ୍ୟ ସୀମିତ ଥିଲା। ସମୟ ବଦଳିଛି ବଦଳିଛି ଗଣମାଧ୍ୟମର ରୂପରେଖ। କେତେ କାୟାକଳ୍ପ ନବକଳେବରରେ ଝଲସି ଉଠୁଛି ସାମ୍ୱାଦିକତା ଓ ସାମ୍ୱାଦିକ ଜୀବନର ପ୍ରତିଟି ପୃଷ୍ଠା। ଗଣମାଧ୍ୟମ ସାମ୍ୱାଦିକତା ପାଠ୍ୟକ୍ରମ ପରିସରରେ ଭିନ୍ନ ଭିନ୍ନ ବିଭାଗର ସାମ୍ୱାଦିକତା ଡ଼ିଗ୍ରୀକୁ ପାଠ୍ୟକ୍ରମ ପରିସରରେ ଭିନ୍ନ ଭିନ୍ନ ବିଭାଗର ସାମ୍ୱାଦିକତା ଡ଼ିଗ୍ରୀକୁ ଅଧିକ ରୁଚିବନ୍ତ କରିଛି। ବହୁ ମେଧାବୀ ଛାତ୍ରଛାତ୍ରୀ ସାମ୍ୱାଦିକ ବୃତ୍ତିକୁ ପେସା କରି ଆତ୍ମସୁଖ ଲୋଡ଼ିବାର ଅପୂର୍ବ ସମ୍ଭାବନା ଗଣମାଧ୍ୟମର ସ୍ୱରକୁ ଶାଣିତ କରିଛି। ସହରଠୁଁ ମହାନଗର, ପଲ୍ଲୀଠୁ ନଗରୀ ଭିତରେ ସାମ୍ୱାଦିକ ବୃତ୍ତିରେ ଯେଉଁ ଗୁରୁତ୍ୱ ସ୍ଥାନ ରହିଛି ତା’ର ପଥ ସଂଚାଳନ କରିବା ମଧ୍ୟ ସରକାରଙ୍କର ଗୋଟିଏ ଗୁରୁଦାୟିତ୍ୱ। ସେଥିପାଇଁ ସରକାରଙ୍କ ତରଫରୁ ପ୍ରକୃତ ସାମ୍ବାଦିକଙ୍କୁ ଚିହ୍ନଟ କରାଯାଇଥାଏ। ସେମାନଙ୍କୁ ଅଧିସ୍ବୀକୃତି ଦିଆଯାଇଥାଏ। ଚିହ୍ନଟ ସାମ୍ବାଦିକଙ୍କୁ ମଧ୍ୟ ସରକାର କେତେକ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ହିତାଧିକାରୀ ଭାବେ ସାମିଲ କରିଥାନ୍ତି।

 

ଏହି ପରିପ୍ରେକ୍ଷୀର ଗଂଜାମ ଜିଲ୍ଲାର ସାମ୍ବାଦିକଙ୍କ ଗଣନା ଓ ଚିହ୍ନଟ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି। ଗଂଜାମରେ ସାମ୍ୱାଦିକମାନଙ୍କ ସଂଖ୍ୟା ଢ଼େର ଅଧିକ। କେମିତି ଏତେ ସଂଖ୍ୟାରେ ସାମ୍ୱାଦିକ ଛତୁ ଫୁଟିଲା ପରି ମିଳିଗଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ସାମ୍ୱାଦିକଙ୍କ ମୁଣ୍ଡଗଣତି କ୍ଷେତ୍ରରେ ଜିଲ୍ଲା ଲୋକ ସଂପର୍କ ଅଧଥିକାରୀ ବା ଡ଼ିଆଇପିଆରଓ ଉପଯୁକ୍ତ ଦାୟିତ୍ବ ନିର୍ବାହ କରି ନଥିବା ଅଭିଯୋଗ ହେଉଛି। ଦୀର୍ଘ ଦଶନ୍ଧି ଧରି ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ୱାଦିକଙ୍କ ନାମ, ସଂଖ୍ୟା, ପଂଜିକୃତ ନମ୍ୱର, ବାର୍ଷିକ ସାମ୍ୱାଦିକଙ୍କ ପୁନଃ ନବୀକରଣକୁ ନେଇ ନନାଦି ସନ୍ଦେହ ସୃଷ୍ଟି ହୋଇଛି। କେଁଉ ସାମ୍ୱାଦିକ ଅସଲି କେଉଁ ସାମ୍ବାଦିକ ନକଲି ଏବେ ଚିହ୍ନିବା ଭାରି କଷ୍ଟ।

 

ଗାଁ ସହର ସବୁଠି ପ୍ରେସ‌୍‍ ଲେଖାଗାଡ଼ିଙ୍କ ସଂଖ୍ୟା ବି କିଛି କମ‌୍‍ ନୁହେଁ। ନକଲି ସାମ୍ୱାଦିକଙ୍କ ପାଖରେ ଅସଲି ସାମ୍ୱାଦିକଙ୍କ ଜ୍ଞାନଗୁଣ ବ୍ୟକ୍ତିତ୍ୱ ବନ୍ଧା ପକାଇ ଜିଲ୍ଲା ପ୍ରଶାସନ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛି। ନିୟମ କହୁଛି ଜିଲ୍ଲାର ସାମ୍ୱାଦିକଙ୍କୁ ପଂଜିକୃତ ସଂଖ୍ୟା ଦେବା ସହ ଡ଼ିଆଇପିଆରଓ ଏକ ପରିଚୟ ପତ୍ର ଦେବେ। ଏହି ପରିଚୟ ପତ୍ରର ଏକ ନକଲ ଜିଲ୍ଲା ଆରକ୍ଷୀ ମୁଖ୍ୟ, ଜିଲ୍ଲା ପ୍ରଶାସନ ମୁଖ୍ୟ, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀଙ୍କ ପାଖରେ ରହିବା ବାଞ୍ଚନୀୟ। ପ୍ରତିବର୍ଷ ଏହି ସାମ୍ୱାଦିକଙ୍କ ପଂଜିକୃତ ନବୀକରଣ ସହ ତାଙ୍କର କର୍ମମୟ ଜୀବନର ଦକ୍ଷତା ସହ କେଉଁ ଗଣମାଧ୍ୟମରେ କାର୍ଯ୍ୟରତ ତାହା ସୂଚାଇବା ଅନିବାର୍ଯ୍ୟ। ପ୍ରିଣ୍ଟ ମିଡ଼ିଆ ଓ ଇଲୋକ୍ଟ୍ରୋନିକସ‌୍‍ ମିଡ଼ିଆ ସମ୍ୱାଦ ବିଭାଗର ମୁଖ୍ୟଙ୍କ ସହ ଏଇ ସାମ୍ୱାଦିକଙ୍କ ପରିଚୟ ସରକାରୀ ବ୍ୟବସ୍ଥା ମୁତାବକ ରହିବା ଆବଶ୍ୟକ।

 

ଦୁଃଖର କଥା ଗଣମାଧ୍ୟମ ସମାଜର ସୁଖଦୁଃଖ ଭଲମନ୍ଦ ବୁଝି ଲୋକଙ୍କ ପାଖରେ ପହଞ୍ଚାଇବାର ନୈତିକ ଦାୟିତ୍ୱ ମୁଣ୍ଡାଇଥିବା ବେଳେ ଗଂଜାମରେ ଗଣମାଧ୍ୟମର ଅବ୍ୟବସ୍ଥା ନିଶ୍ଚୟ ଏକ ଦୁର୍ବଳ ପ୍ରଶାସନିକ ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଯେକୌଣସି କାର୍ଯ୍ୟକ୍ରମର ସରକାର ରୂପରେଖରେ ସାମ୍ୱାଦିକଙ୍କ ପାଖକୁ ପଠାଯାଇଥିବା ସଂଦେଶ ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ ବେଳେ ତାଳମେଳ ରହୁନାହିଁ। ଗଣମାଧ୍ୟମରେ ଫଟୋ ସାମ୍ୱାଦିକ ସଂଖ୍ୟା, ବାର୍ତ୍ତା ସାମ୍ୱାଦିକ ସଂଖ୍ୟାକୁ ନେଇ କୌତୁହଳ ବଜାୟ ରହିଛି। ଗଂଜାମରେ ଏଭଳି ଅନେକ ସାମ୍ବାଦିକଙ୍କୁ ଜିଲ୍ଲା ପ୍ରଶାସନ ସ୍ବୀକୃତି ଦେଇଛି ଯେଉଁମାନଙ୍କ ଯୋଗ୍ୟତା ବିଷୟରେ ସନ୍ଦେହ ରହିଛି। ଜିଲ୍ଲାରେ ଅନେକ ଲୋକ ସାମ୍ବାଦିକ ପରିଚୟ ଧରି ବୁଲୁଛନ୍ତି। କିନ୍ତୁ ସେମାନେ ସମସ୍ତେ କ’ଣ ସାମ୍ବାଦିକ? ଏହା ଜାଣିବାକୁ ଯାଞ୍ଚ ନାହିଁ କି ଗଣନା ନାହିଁ। ରାଜ୍ୟ ପଶୁ ଗଣତି, ପକ୍ଷୀ ଗଣତି, ଗଛ ଗଣତି, ବାଘ ଗଣତି, କଇଁଚ ଗଣତି ହୋପାରୁଥିବାବେଳେ ସାମ୍ୱାଦିକଙ୍କ ମୁଣ୍ଡ ଗଣତି ହୋଇପାରେ ନାହିଁ।

 

ଫଳରେ ନକଲି ଅସଲି ଓ ଅତୀତ ଭବିଷ୍ୟତ ସାମ୍ୱାଦିକଙ୍କୁ ନେଇ ଗଂଜାମରେ ଜୋରଦାର ଚର୍ଚ୍ଚା। ସାମ୍ୱାଦିକ ବୃତ୍ତି ଛାଡ଼ି ଅନ୍ୟବୃତ୍ତିକୁ ପଳାଇଥିବା  ଲୋକ ଓ ଅସ୍ତିତ୍ୱ ହରାଇଥିବା ଅନେକ ଖବରକାଗଜର ପ୍ରତିନିଧି ଏବେ ମଧ୍ୟ ଜିଲ୍ଲା ପ୍ରଶାସନ ପାଇଁ ସାମ୍ବାଦିକ। ଏହା ଜନ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରୁଛି। ସାମ୍ବାଦିକ ମହଲରେ ମଧ୍ୟ ଏହାକୁ ନେଇ ଅନେକ ସମୟରର ଚର୍ଚ୍ଚା ହୋଇଥାଏ। ଏ ବିଷୟରେ ଜିଲ୍ଲା ପ୍ରଶାସନ ସଚେତନ ରହିବା ଦରକାର।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top