କେତେ କମିଲା କଳାଧନ ଓ ଆତଙ୍କବାଦ?

News Story - Posted on 2017-11-07

ନଭେମ୍ବର ୮, ୨୦୧୬ । ସେଦିନ ରାତିରେ ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ଓ ଦେଶରେ ପ୍ରଚଳିତ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍କୁ ନିଷିଦ୍ଧ କରିଦେଲେ । ସେତେବେଳେ ସେ କହିଥିଲେ କଳାଧନ, ଆତଙ୍କବାଦ, ଜାଲିନୋଟ୍ ଓ ଦୁର୍ନୀତି ବିରୋଧରେ ଲଢ଼େଇ କରିବା ପାଇଁ ସେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆସନ୍ତାକାଲିକୁ ତାଙ୍କର ଏହି ବିମୁଦ୍ରାକରଣ ନିଷ୍ପତ୍ତିକୁ ବର୍ଷେ ପୂରିବ । କେତେ ସଫଳ ହୋଇଛି ତାଙ୍କ ଉଦ୍ଦେଶ୍ୟ?

 

ବିମୁଦ୍ରାକରଣ ନିଷ୍ପତ୍ତି ପରେ ପରେ ସରକାରଙ୍କ ତରଫରୁ କୁହାଗଲା ଯେ ଏହି ପ୍ରକ୍ରିୟାରେ ଅଚଳ ହୋଇଥିବା ଅନେକ ନୋଟ୍ ଆଉ ବ୍ୟାଙ୍କକୁ ଫେରିବ ନାହିଁ । ଯେଉଁ ଟଙ୍କା ବ୍ୟାଙ୍କକୁ ଫେରିବ ନାହିଁ ତାହା ହିଁ କଳାଧନ । ତାହା ସବୁଦିନ ପାଇଁ ଅଚଳ ହୋଇଯିବ । କିନ୍ତୁ ଏହା ହେଲା କି?
ସରକାର ଆଶା କରିଥିଲେ ଯେତେ ନୋଟ୍ ନିଷିଦ୍ଧ ହେଲା ତାହାର ଅତି କମ୍ରେ ୨୫ ପ୍ରତିଶତ ବା ଚାରି ଭାଗରୁ ଭାଗେ ଆଉ ବ୍ୟାଙ୍କକୁ ଫେରିବ ନାହିଁ । ସରକାରଙ୍କ ସର୍ବୋଚ୍ଚ ଓକିଲ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ସୁପ୍ରିମ କୋର୍ଟରେ ସେହି ମାସ କହିଥିଲେ ବିମୁଦ୍ରାକରଣ ନିଷ୍ପତ୍ତି ସୁଦ୍ଧା ଦେଶରେ ୧୫.୪୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ପ୍ରଚଳିତ ଥିଲା । ସେଥିରୁ ପ୍ରାୟ ୪-୫ ଲକ୍ଷ କୋଟି ଟଙ୍କାର ନୋଟ୍ ବ୍ୟାଙ୍କକୁ ଫେରିବ ନାହିଁ । ମାତ୍ର, ତାଙ୍କ କଥା ସତ ହୋଇନାହିଁ । ଚଳିତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ନିଷିଦ୍ଧ ହୋଇଥିବା ନୋଟ୍ର ମାତ୍ର ୧ ପ୍ରତିଶତ ବ୍ୟାଙ୍କଗୁଡ଼ିକୁ ଫେରି ନାହିଁ ।

 

ଏହା ଜଣାପଡ଼ିବା ପରେ ସରକାର ଏବେ କହୁଛନ୍ତି ଯେ ବିମୁଦ୍ରାକରଣ ପରେ ପରେ କଳାଧନ ବାହାର କରିବାକୁ ଅନେକ ସ୍ଥାନରେ ଚଢ଼ାଉ ହୋଇଥିଲା । ସେସବୁ ଚଢ଼ାଉ ବଳରେ ସରକାର ୧,୦୦୩ କୋଟି ଟଙ୍କା ବ୍ୟାଜ୍ୟାପ୍ତ କରିଦେଇଛନ୍ତି । ଏହା ବାଦ ୧୭,୫୨୬ କୋଟି ଟଙ୍କାର ଆୟ ବହିର୍ଭୂତ ଟଙ୍କାର ସନ୍ଧାନ ପାଇଛନ୍ତି । ସେହିପରି ବିମୁଦ୍ରାକରଣ ପରେ ୩୫ ହଜାର କମ୍ପାନୀ ଜମା କରିଥିôବା ୧୭ ହଜାର କୋଟି ଟଙ୍କା ବିଷୟରେ ମଧ୍ୟ ସନ୍ଧାନ ମିଳିଛି । ଏ ସବୁ ଟଙ୍କା ମିଶାଇଲେ ମଧ୍ୟ ଏହା ନିଷିଦ୍ଧ ହୋଇଥିବା ମୋଟ ଟଙ୍କାର ୨ ପ୍ରତିଶତ ।

 

ବିମୁଦ୍ରାକରଣ ପୂର୍ବ ବର୍ଷଗୁଡ଼ିକରେ ଏହାଠାରୁ ଅଧିକ ଆୟ ବହିର୍ଭୂତ ଟଙ୍କା ଧରାପଡ଼ିଥିଲା । ସରକାରୀ ତଥ୍ୟ ଅନୁସାରେ ୨୦୧୨-୧୩ ବର୍ଷ ୧୯,୩୩୭ କୋଟି ଆୟ ବହିର୍ଭୂତ ଟଙ୍କା ଠାବ ହୋଇଥିଲାବେଳେ ୨୦୧୩-୧୪ ବର୍ଷରେ ୯୦,୩୯୧ କୋଟି ଆୟ ବହିର୍ଭୂତ ଟଙ୍କା ଧରାପଡ଼ିଥିଲା । ଏ ତଥ୍ୟ ପ୍ରଦାନ କରିଛନ୍ତି ଦେଶର କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ । ତେବେ ମୋଦି ସରକାରଙ୍କ ଦାବି ହେଉଛି ବ୍ୟାଙ୍କକୁ ଟଙ୍କା ସବୁ ଫେରି ଆସିଲା ମାନେ ନୁହେଁ ଯେ ତାହା ଧଳା ହୋଇଗଲା । ସରକାର ୧୩ ଲକ୍ଷ ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା ଜମାକୁ ସନ୍ଦେହ ନଜରରେ ଦେଖୁଛନ୍ତି । ସେସବୁ ଉପରେ ତଦନ୍ତ ଚାଲିଛି । ଏସବୁ ଖାତାରେ ୨.୯ ଲକ୍ଷ କୋଟି ଟଙ୍କା ଜମା ହୋଇଛି । ତେବେ ଏହି ଅର୍ଥରୁ କେତେ ଆୟ ବହିର୍ଭୂତ ତାହା କେହି ଜାଣି ନାହାନ୍ତି ।

 

ସିଏଜି ରିପୋର୍ଟ ଅନୁସାରେ ୨୦୧୬ ପୂର୍ବରୁ ମଧ୍ୟ ଏହାଠାରୁ ଅଧିକ ଟଙ୍କା ନେଇ ସରକାର ଯାଞ୍ଚ କରିଥିଲେ । ୨୦୧୩-୧୪ ବର୍ଷରେ ସରକାର ୨.୮୭ ଲକ୍ଷ କୋଟି ଟଙ୍କାର ବୈଧତା ନେଇ ଯାଞ୍ଚ କରିଥିବାବେଳେ ୨୦୧୪-୧୫ ବର୍ଷ ୩.୮୩ ଲକ୍ଷ କୋଟି ଏବଂ ୨୦୧୫-୧୬ ବର୍ଷ ୫.୧୬ ଲକ୍ଷ କୋଟି ଟଙ୍କା ଉପରେ ଏପରି ଯାଞ୍ଚ ହୋଇଥିଲା ।

 

ସେହିପରି ମୋଦିଙ୍କ ବିମୁଦ୍ରାକରଣ ପରେ ଦେଶରୁ ଜାଲିନୋଟ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇପାରି ନାହିଁ । ନିଜେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଗତ ଜୁଲାଇ ମାସରେ ସଂସଦରେ କହିଛନ୍ତି ଯେ ବିମୁଦ୍ରାକରଣ ପରେ ଦେଶରେ ୧୧.୨୩ କୋଟି ଟଙ୍କାର ଜାଲିନୋଟ୍ ଧରାପଡ଼ିଛି । ଏହା ହେଉଛି ନିଷିଦ୍ଧ ହୋଇଥିବା ମୋଟ ଅର୍ଥର ମାତ୍ର ୦.୦୦୦୭ ପ୍ରତିଶତ । ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ୨୦୧୬-୧୭ ବର୍ଷ ରିପୋର୍ଟରେ କହିଛି ଯେ ୨୦୧୬ ନଭେମ୍ବର ୮ ତାରିଖ ପରେ ଦେଶରେ ୪୩ କୋଟି ଟଙ୍କାର ଜାଲିନୋଟ୍ ଧରା ପଡ଼ିଛି । ଏହା ଅରୁଣ ଜେଟଲିଙ୍କ ପରିସଂଖ୍ୟାନଠାରୁ ୪ ଗୁଣ ଅଧିକ । ତେବେ ଏହା ମଧ୍ୟ ନିଷିଦ୍ଧ ନୋଟ୍ର ମାତ୍ର ୦.୦୦୦୨ ପ୍ରତିଶତ ।

 

ବିମୁଦ୍ରାକରଣ ପରେ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ କମିନାହିଁ । ବିମୁଦ୍ରାକରଣ ପୂର୍ବ ୧୦ ମାସ ଓ ପର ୧୦ ମାସର ତଥ୍ୟ ଅନୁଶୀଳନ କଲେ ଜଣାଯାଏ ଯେ ୨୦୧୬ ନଭେମ୍ବର ୮ ତାରିଖ ପରେ ପୂର୍ବାପେକ୍ଷା ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ବିମୁଦ୍ରାକରଣ ପରେ କେବଳ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ୩୮ ପ୍ରତିଶତ ବୃଦ୍ଧି ପାଇଛି । ଏହି ମଧ୍ୟରେ ବେସାମରିକ ନାଗରିକଙ୍କ ମୃତ୍ୟୁସଂଖ୍ୟା ୨୫୦୦ ପ୍ରତିଶତ ଏବଂ ନିରାପତ୍ତା ବାହିନୀର କର୍ମଚାରୀଙ୍କ ମୃତ୍ୟୁସଂଖ୍ୟା ୨ ପ୍ରତିଶତ ବୃଦ୍ଧି ପାଇଛି । ନକ୍ସଲ ଉପଦ୍ରୁତ ରାଜ୍ୟଗୁଡ଼ିକରେ ବେସାମରିକ ନାଗରିକଙ୍କ ମୃତ୍ୟୁସଂଖ୍ୟା ୪୫ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ନିରାପତ୍ତା ରକ୍ଷୀଙ୍କ ମୃତ୍ୟୁସଂଖ୍ୟା ୮୨ ପ୍ରତିଶତ ବୃଦ୍ଧି ପାଇଛି ।
ବିମୁଦ୍ରାକରଣ ସଫଳ ହୋଇଛି ନା ବିଫଳ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top