ଓଡ଼ିଶାରେ ଆୟୁଷ ଘୋଟାଲା !

News Story - Posted on 2017-11-06

ଭାରତରେ ଆୟୁଷ ଚିକିତ୍ସାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ସମଗ୍ର ଦେଶରେ ଆୟୁଷ ଡ଼ାକ୍ତରମାନଙ୍କୁ ନିଯୁକ୍ତି ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୨୦୦୬ ଏବଂ ୨୦୦୮ରେ ଓଡ଼ିଶା ସରକାର ମଧ୍ୟ ତତ୍ପରତା ପ୍ରକାଶ କରି ଆୟୁଷ ଡ଼ାକ୍ତର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଶେଷଥର ପାଇଁ ଆୟୁଷ ଡ଼ାକ୍ତର ନିଯୁକ୍ତି ୨୦୦୮-୨୦୦୯ରେ କରାଯାଇଥିଲା। ଆୟୁର୍ବୈଦିକ ଡ଼ାକ୍ତର ୬୧୫ ଏବଂ ହୋମିଓ ଡ଼ାକ୍ତର ୫୪୭ ଜଣ ନିଯୁ‌୍‍କ୍ତି ପାଇଁ ସରକାର ସ୍ଥିର କରିଥିଲେ। ଗଂଜାମ ପ୍ରାୟତଃ ସିଂହ ଭାଗ ପାଇଥିଲା ଆୟୁଷ ଡ଼ାକ୍ତର ନିଯୁକ୍ତିରେ। ଗଂଜାମ ଜିଲ୍ଲାରେ ସର୍ବମୋଟ ୮୨ ଡ଼ାକ୍ତରଙ୍କ ମଧ୍ୟରୁ ବିଏମ‌୍‍ଏମ‌୍‍ଏସ‌୍‍ ଡ଼ିଗ୍ରୀଧାରୀଙ୍କ ୪୩ ଏବଂ ବିଏଚ‌୍‍ଏମ‌୍‍ଏସ‌୍‍ ଡ଼ିଗ୍ରୀଧାରୀଙ୍କ ୩୯ ପଦବୀ ପୂରଣ ପାଇଁ ଆବେଦନ କରିଥିଲା। ଏନ‌୍‍ଆର‌୍‍ଏଚ‌୍‍ଏମ‌/୮.୭.୨୦୦୮ ସୁଦ୍ଧା ରାଜ୍ୟରେ କୋଣାନୁକୋଣରେ ଡ଼ିଗ୍ରୀଧାରୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିଥିଲେ ଏବଂ ୨୦୦୯ରେ ଏହାର ଫଳାଫଳ ପ୍ରକାଶ ପାଇଥିଲା।

 

ଗୋଟିଏ ମେଧାବୀ ଡ଼ାକ୍ତରଙ୍କ ତାଲିକା ଅନୁଯାୟୀ ଡ଼ାକ୍ତରଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ରାଜ୍ୟ ସରକାର କରିଥିଲେ ଏବଂ ତାଲିକା ଅନୁଯାୟୀ ନିଜ ନିଜ ଜିଲ୍ଲାରେ ପୁଣିଥରେ ସାକ୍ଷାତ‌ ପାଇଁ ସାର୍ଟିଫିକେଟ‌ର ପ୍ରମାଣପତ୍ର ସହ ଡ଼ାକ୍ତରମାନେ ଆସିଥିଲେ। ଶେଷରେ ଡ଼ାକ୍ତର ନିଯୁକ୍ତି ଗଂଜାମ ଜିଲ୍ଲାରେ ହେବା ପରେ କେତେ ବାହାର ଜିଲ୍ଲାକୁ ମଧ୍ୟ ଚାଲିଯାଇଥିଲେ ଏବଂ କେତେ ଏଠାରେ ରହିବାକୁ ପସନ୍ଦ କରିଥିଲେ। ଦୀର୍ଘ ୯ ବର୍ଷ ପରେ ନିଯୁକ୍ତି ଆଉ ପ୍ରାୟତଃ ପ୍ରକାଶ ପାଇ ନଥିଲେ ସୁଦ୍ଧା ବର୍ତ୍ତମାନ ଆୟୁଷ ଡ଼ାକ୍ତର ନିଯୁକ୍ତିର ସ୍ପଷ୍ଟ ଚିତ୍ର ଜଣାପଡ଼ୁଛି ଯେ ଅନେକ ଡ଼ାକ୍ତରଙ୍କ ଭାଗ୍ୟ ଭବିଷ୍ୟତ ସହ ସରକାର ଖେଳ ଖେଳିଛନ୍ତି। ମେରିଟ‌ ଲିଷ୍ଟରେ ନାମଥାଇ କିଛି ଡ଼ାକ୍ତର କିଛି ଡ଼ାକ୍ତର ନିଯୁକ୍ତିରୁ ବଂଚିତ ପୁଣି କିଛି ଡ଼ାକ୍ତର ମେରିଟ‌ ନଥାଇ ଆଜି ଆୟୁଷ ଡ଼ାକ୍ତର ଭାବରେ ଏନ‌୍‍ଆର‌୍‍ଏଚ‌୍‍ଏମ‌୍‍ରେ କାର୍ଯ୍ୟରତ। ଏଠାରେ ସୂଚନା ଦେଉଛୁ ଯେ ଅନେକ ଡ଼ାକ୍ତରଙ୍କୁ ସେ ସମୟରେ ହାଉସ‌୍‍ ସର୍ଜନ ପୂର୍ଣ୍ଣ ନକରି ମଧ୍ୟ ନିଯୁକ୍ତି ପତ୍ର ଦିଆଯାଇଥିଲା ଏବଂ ଆଇନ ଅଦାଲତ ପର୍ଯ୍ୟନ୍ତ କଥା ଯାଇଥିଲେ ସୁଦ୍ଧା ସଠିକ ନିଷ୍ପତ୍ତି ନେବାରେ ଏନ‌୍‍ଆର‌୍‍ଏଚ‌୍‍ଏମ‌୍‍ ସମର୍ଥ ନଥିଲା।

 

କଥା ଉଠୁଛି ଯେ ଓଡ଼ିଶା ସରକାର ବିଏଏମ‌୍‍ଏସ‌୍‍ ଓ ବିଏଚ‌୍‍ଏମ‌୍‍ଏସ‌୍‍ ଡ଼ିଗ୍ରୀଧାରୀ ଡ଼ାକ୍ତରଙ୍କ ପାଇଁ କୌଣସି ସ୍ପଷ୍ଟ ଓ ନିରପେକ୍ଷ ନିଯୁକ୍ତି ନୀତି ପ୍ରସ୍ତୁତ କରିନାହାନ୍ତି ଏବଂ ‘ମାରିନେଲେ ମହାପାତ୍ରେ, ଚାହିଁ ରହିଥା ଜଳକା’ ନ୍ୟାୟରେ ଡ଼ାକ୍ତରମାନଙ୍କୁ ନିଯୁକ୍ତି ଦେବାରେ ସ୍ୱଚ୍ଛତା ନାହିଁ। ରାଜ୍ୟ ସରକାରଙ୍କ ନିଯୁକ୍ତି ନୀତି ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରି ଆସୁଥିବା ବ୍ରହ୍ମପୁରର ଜନୈକ ଡ଼଼ାକ୍ତରୀ ଛାତ୍ର କହିଛନ୍ତି ଯେ ଗଂଜାମ ଜିଲ୍ଲାର ଆୟୁଷ ଡ଼ାକ୍ତରଙ୍କ ମଧ୍ୟରୁ କିଛି ଅପରାଧରେ ଥାଇ ନିଯୁକ୍ତିକୁ ବଂଚିତ ହେଲେ ଏବଂ ଅଦାଲତକୁ ଯାଇ କିଛି ଡ଼ାକ୍ତର ମଧ୍ୟ ନିଯୁକ୍ତି ପାଇଲେ। ଯଦି ସରକାରଙ୍କ ପ୍ରକୃତ ନିଯୁକ୍ତି ନୀତିରେ ନିଷ୍ଠା ଓ ଆନ୍ତରିକତା ରହିଥାନ୍ତା ହୁଏତ ତାଙ୍କର ମେରିଟ‌ ଥାଇ ମଧ୍ୟ ନିଯୁକ୍ତିରୁ ବଂଚିତ ହୋଇନଥାନ୍ତେ। ହାଉସ‌୍‍ ସର୍ଜନ ପୂର୍ଣ୍ଣ କରିନଥିବା ଡ଼ିଗ୍ରୀଧାରୀଙ୍କୁ ନିଯୁ‌୍‍କ୍ତି ଦେବା ଏବଂ ଦୀର୍ଘ ବର୍ଷ ବର୍ଷ ଧରି ଡ଼ିଗ୍ରୀଲାଭ କରିଥିବା ଡ଼ାକ୍ତରଙ୍କୁ ବଂଚିତ କରାଯିବା ନିଶ୍ଚୟ ପ୍ରମାଣ କରୁଛି ଯେ ଏନ‌୍‍ଆର‌୍‍ଏଚ‌୍‍ଏମ‌୍‍ ଅନିୟମିତ ବ୍ୟବସ୍ଥା ଭିତରେ ଆୟୁଷ ଡ଼ାକ୍ତର ନିଯୁକ୍ତି କରିଛି। ଯଦି ତଦନ୍ତ ହେବ ବହୁ ତଥ୍ୟ ସାମନାକୁ ଆସିବ ଏବଂ ଆୟୁଷ ଡ଼ାକ୍ତର ନିଯୁ‌୍‍କ୍ତିର ବାସ୍ତବ ଚିତ୍ର ଫୁଟି ଉଙ୍ଖିବ।

 

ଡ଼ାକ୍ତର ନିଯୁକ୍ତି ପୂର୍ବରୁ ହାଉସ ସର୍ଜନ ଟ୍ରେନିଂ ଅନିବାର୍ଯ୍ୟ। କିନ୍ତୁ ଦୁର୍ଭାଗ୍ୟର କଥା ଥିଲା ୨୦୦୮-୨୦୦୯ରେ ଯେଉଁ ନିଯୁକ୍ତି ସରକାର ଦେବାକୁ ସ୍ଥିର କରିଥିଲେ କିଛି ହାଉସ ସର୍ଜନ ଛାତ୍ରଙ୍କୁ ମଧ୍ୟ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏଣୁ ବିଏଏମ‌୍‍ଏସ‌୍‍ ଓ ବିଏଚ‌୍‍ଏମ‌୍‍ଏସ‌୍‍ ଡ଼ିଗ୍ରୀଧାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଯଦି ହାଉସ‌୍‍ ସର୍ଜନ ଛାତ୍ରଙ୍କୁ ଡ଼ାକ୍ତର ଭାବରେ ଟାଣି ଆଣି ଡ଼ାକ୍ତର କରାଇ ଦିଆଗଲା, ଯେଉଁମାନଙ୍କ ପାଇଁ ଡ଼ିଗ୍ରୀଧାରୀଙ୍କ ବୟସ ସୀମା ଚାଲିଗଲା ସେଥିପାଇଁ ଦାୟୀ କିଏ ? ଅତି ସାଂଘାତିକ ତଥ୍ୟ ସହ ଡ଼ାକ୍ତର ଜଣକ ଯୁକ୍ତି ବାଢ଼ିଛନ୍ତି ଯେ ଯଦି ହାଉସ ସର୍ଜନ ଛାତ୍ର ଡାକ୍ତର ହେବେ ତେବେ ୨୦ ବର୍ଷର ଡ଼ିଗ୍ରୀଧାରୀ ଡ଼ାକ୍ତର କାହିଁକି ନିଯୁକ୍ତିରୁ ବଂଚିତ ହେବେ। ସରକାର ସଂପ୍ରତି ଆୟୁଷ ଡ଼ାକ୍ତରଙ୍କ ଦରମା ବଢ଼ାଇବାକୁ ନେଇ ଧର୍ମଘଟ ସମ୍ମୁଖୀନ ହେଲେ ଏବଂ ଫଳ ମଧ୍ୟ ଶୂନ‌। ଏଥିରୁ ପ୍ରମାଣ ମିଳୁଛି ଆୟୁଷ ଡ଼ାକ୍ତର ନିଯୁକ୍ତି ଏବଂ ଆୟୁଷ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା ଭିତରେ ଗୋଟିଏ ତାଳମେଳ ନାହିଁ । ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top