ଈଶ୍ୱରଙ୍କ ଅସ୍ତିତ୍ୱ ଏବଂ ମୃତ୍ୟୁ

News Story - Posted on 2017-11-06

ସୂର୍ଯ୍ୟମଣି ମିଶ୍ର

 

 

ଆଜି ସମଗ୍ର ବିଶ୍ୱରେ ଧର୍ମ, ଈଶ୍ୱରଙ୍କ ଅସ୍ତିତ୍ୱ ଓ ତାଙ୍କ ମୃତ୍ୟୁକୁ ନେଇ ପୁଣି ଥରେ ବିତର୍କ ଆରମ୍ଭ ହୋଇଛି। ଦେଶ ଦେଶରେ ପଣ୍ଡିତ, ପୁରୋହିତ, ବାବା-ମାତା, ମୁଲ୍ଲା ଓ ଫାଦର‍୍‌-ପାଷ୍ଟର‍୍ଙ୍କ ଉପସ୍ଥିତି ତ କମ‍୍‌ ନାହିଁ। ତେବେ ଈଶ୍ୱରଙ୍କ ସୃଷ୍ଟି, ସ୍ଥିତି ଏବଂ ବିଲୟକୁ ନେଇ ପ୍ରଶ୍ନବାଚୀ କାହିଁକି? କାହିଁକି ଈଶ୍ୱରଙ୍କ ଆବଶ୍ୟକତା ଏବଂ ତାଙ୍କ ଉପସ୍ଥିତିକୁ ନେଇ ଯୁକ୍ତି ଓ ପ୍ରଚାର?

 

୧୮୬୧ରେ ୟୁରୋପରେ ସାମାନ୍ତବାଦ ଯୁଗର ଅନ୍ତିମ ସମୟ ଆସିଥାଏ। ରୁଷର ଜାର‍୍‌ ଶାସନ କୃଷି ଦାସପ୍ରଥାର ବିଲୋପ ପାଇଁ ଘୋଷଣା କଲେ। ଦୀର୍ଘଦିନ ଧରି କୃଷି ଦାସପ୍ରଥାର ବିରୋଧରେ ରୁଷ ପ୍ରଥମଥର ପାଇଁ କୃଷକଙ୍କୁ ସ୍ୱାଧୀନତା ଦେଲା। ଏହାପରେ କୃଷି ଦାସ ଜଣେ ପରେ ଜଣେ ମୃତ୍ୟୁବରଣ କରିବାକୁ ଲାଗିଲେ। କୃଷକମାନେ ଭୋକରେ ପଡ଼ି ମୃତ୍ୟୁବରଣ କଲେ। ପ୍ରଶ୍ନ ହେଉଛି, କୃଷକଙ୍କୁ କୃଷି ଦାସପ୍ରଥାରୁ ମୁକ୍ତି ମିଳିବା ପରେ ସେମାନେ ନିଜ ଜୀବନକୁ ବଞ୍ଚାଇ ପାରିଲେ ନାହିଁ କାହିଁକି? ଏମାନଙ୍କୁ ତ ସ୍ୱାଧୀନତା ମିଳିଲା, ତେବେ କେଉଁ ଅଭାବ ନେଇ ସେମାନେ ମୃତ୍ୟୁମୁଖରେ ପଡ଼ିଲେ? ଏହି ପ୍ରଶ୍ନର ଉତ୍ତର ଯାହା, ତାହା ହେଲା- ସେମାନଙ୍କୁ ଦାସତ୍ବରୁ ସିନା ସ୍ୱାଧୀନତା ମିଳିଲା; କିନ୍ତୁ ଜୀବନ ନିର୍ବାହର କୌଣସି ସ୍ୱାଧୀନତା ମିଳିଲା ନାହିଁ। ସେମାନଙ୍କୁ ଜମି ଦିଆଗଲା ନାହିଁ। ଜମିର ମାଲିକ ହେବାର ସୁଯୋଗ ଦିଆଗଲା ନାହିଁ। ସଂସାଧନର ଅଭାବରେ ସେମାନେ ଭୋକରେ ପଡ଼ି ଜଣେ ପରେ ଜଣେ ମୃତ୍ୟୁବରଣ କଲେ।

 

ଏହି ସମୟରେ ପୁଞ୍ଜିବାଦର ବିକାଶ ୟୁରୋପରେ ଦେଖାଗଲା। କାରଖାନାରେ ଉତ୍ପାଦନ ଆରମ୍ଭ ହେଲା। ଆରମ୍ଭ ହେଲା ଶିଳ୍ପ ବିପ୍ଳବ। ଆନ୍ତର୍ଜାତୀୟ ବେପାରର ରାସ୍ତା ସଶକ୍ତ ଓ ପ୍ରସାରିତ ହୋଇଚାଲିଲା। ଏହାପରେ ୧୮୭୧-୭୨ରେ ରୁଷ୍ ଲେଖକ ଫିଦୋର‍୍‌ ଦସ୍ତୋଭକ୍ସି ତାଙ୍କ ଉପନ୍ୟାସ ‘ସୈତାନ‍୍‌’ରେ ଲେଖିଲେ- ଈଶ୍ୱରଙ୍କ ମୃତ୍ୟୁ ଘଟିଲା। ଏହାର ଠିକ୍ ଦଶ ବର୍ଷ ପରେ ଜର୍ମାନ ଦାର୍ଶନିକ ଫେଡ୍ରିକ୍ ନିଗସେ ତାଙ୍କ ପୁସ୍ତକ ‘ବିନୋଦୀ ବିଜ୍ଞାନ’ରେ ଉଲ୍ଲେଖ କଲେ ଯେ, ଈଶ୍ୱରଙ୍କ ମୃତ୍ୟୁ ହୋଇଯାଇଛି। ଏହାପରେ ଉତ୍ତର ଆଧୁନିକ ଦର୍ଶନରେ ଈଶ୍ୱରଙ୍କ ମୃତ୍ୟୁ ଅବା ଈଶ୍ୱରଙ୍କ ପୁନର୍ଜନ୍ମ ହୋଇଥିବା ନେଇ ସୂଚନା ମିଳିପାରି ନାହିଁ।

 

ଈଶ୍ୱରଙ୍କ ମୃତ୍ୟୁ ଘୋଷଣା ଏଇଥିପାଇଁ ରୁଷ୍ ଲେଖକ ଓ ଜର୍ମାନ ଦାର୍ଶନିକ ନିଜ ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ ବା ଏଇଥିପାଇଁ ତାଙ୍କୁ ଲେଖିବାକୁ ପଡ଼ିଥିଲା ଯେ, କାହିଁକି ନା ସାମନ୍ତବାଦୀ ଯୁଗରେ ‘ଈଶ୍ୱର’ କୃଷିଦାସଙ୍କୁ ଶୋଷଣ ପାଇଁ ବଡ଼ ଅସ୍ତ୍ର ଥିଲେ। ନିଜର ସମସ୍ତ ଦୁଃଖ, କଷ୍ଟ, ପୀଡ଼ାକୁ ଦୂର କରିବା ପାଇଁ କୃଷି ଦାସଙ୍କ ପାଖରେ ସହାୟକ ଭାବରେ କେବଳ ଈଶ୍ୱରଙ୍କ ନାମ ହିଁ ଥିଲା। ନିଜ ଜୀବନର କଷ୍ଟ ଦୂରୀକରଣ ପାଇଁ ଏବଂ ସୁଖ ପାଇବା ପାଇଁ ଈଶ୍ୱରଙ୍କୁ  ହିଁ ଏହି ଦାସମାନେ କାମନା କରୁଥିଲେ। ଯେତେବେଳେ କୃଷି ଦାସପ୍ରଥାର ବିଲୋପ ହେଲା, ସେତେବେଳେ କୃଷି ଦାସମାନଙ୍କ ପାଇଁ ଈଶ୍ୱରଙ୍କ ଆବଶ୍ୟକତା ପଡ଼ିଲା ନାହିଁ।

 

ଆଜି ଦିନରେ ଈଶ୍ୱରଙ୍କ ନାମ ଓ ଧାମର ଅଧିକାରକୁ ନେଇ ସ୍ଥାନେ ସ୍ଥାନେ ହିଂସା ବା ଅପରାଧୀକ ଘଟଣା ଘଟିଚାଲିଛି। ଈଶ୍ୱରଙ୍କୁ ନେଇ ସାଂପ୍ରଦାୟିକ ଦଙ୍ଗା ଘଟୁଛି। ଈଶ୍ୱରଙ୍କ ବହୁ ନାମକୁ ନେଇ ବଜାର ମଧ୍ୟ ସୃଷ୍ଟି ହୋଇଛି। ଈଶ୍ୱରଙ୍କ ନାମକୁ ନେଇ ଧର୍ମର ବେପାରୀମାନେ ରାଜନୀତି ଏପରିକି କ୍ଷମତାକୁ ନିଜ କବ‍୍‌ଜାରେ ରଖିବାରେ ସମର୍ଥ ହେଉଛନ୍ତି। ଏହି ଈଶ୍ୱରଙ୍କ ନାମରେ ଜାତି, ଧର୍ମ, ଭେଦଭାବ ସୃଷ୍ଟି ହେଉଛି। ଏବେ ବି ଏହି ଈଶ୍ୱରଙ୍କ ନାମରେ ନାରୀ-ପୁରୁଷ ନିର୍ବିଶେଷରେ ଶୋଷଣର କାୟା ବିସ୍ତାରିତ। ତେବେ ଈଶ୍ୱର କେଉଁଠି, ତାଙ୍କ ଠିକଣା ବା ତାଙ୍କ ଉପସ୍ଥିତିର ପ୍ରାମାଣିକତା ନେଇ ଏଯାଏ କାହାରି ପାଖରେ ସଠିକ୍ ଉତ୍ତର ନାହିଁ। ତଥାପି ଆଜି ଦିନରେ ଧରମ-କରମର ବ୍ୟବସାୟ ବେଶ‍୍‌ ବଢ଼ିଚାଲିଛି। ଗୋଟିଏ ଲେଙ୍ଗୁଟି, ଗୋଟିଏ କମଣ୍ଡଳ, କିଛି ଶ୍ଳୋକ, କିଛି ଈଶ୍ୱରଙ୍କ ନାମର ବାକ୍ୟ ଘୋଷି ପାରିଲେ ଏହି ବେପାର କରିବାକୁ ଆଉ କଷ୍ଟ ହୁଏନି। ଭିନ୍ନ ଭିନ୍ନ ଧର୍ମର ପ୍ରଚାରକ ହିଁ ଜଣେ ଜଣେ ଧର୍ମର ବେପାରୀ। ଏମାନଙ୍କର ଈଶ୍ୱରଙ୍କ ନାମରେ ଶୋଷଣ କରିବା ହେଉଛି ମୂଳ ଲକ୍ଷ୍ୟ। ଏବେ ତ କିଛି ବାବା ଜେଲ‍୍‌ରେ। ଆଉ କିଛି ଜେଲ‍୍‌ ଯିବାପାଇଁ ପ୍ରସ୍ତୁତ ହେଉଛନ୍ତି। ଦେଶରେ ଧର୍ମକୁ ନେଇ ଟ୍ରଷ୍ଟ ଗଠନ ହେଉଛି। ଟ୍ରଷ୍ଟଗୁଡ଼ିକ ପରିବାର ଦ୍ୱାରା ପରିଚାଳିତ। ସାଧୁ, ସନ୍ଥ, ସନ୍ନ୍ୟାସୀଙ୍କ ମଧ୍ୟରେ ଆଜି ଦିନରେ ଆଉ ଫରକ୍ ବାରି ହେଉନି। ସାଧୁ, ସନ୍ଥ, ସନ୍ନ୍ୟାସୀ ଭାବେ ଆତ୍ମଘୋଷିତ ବ୍ୟକ୍ତିମାନେ ଏବେ ଶାସନରେ, ରାଜନୀତିରେ ଓ କ୍ଷମତାରେ। କିଛି ସନ୍ନ୍ୟାସୀ ଏବେ ସିଂହାସନରେ ବସିଲେଣି। ଆଉ କିଛି ସନ୍ନ୍ୟାସୀ ମଠ-ମନ୍ଦିର-ଗୀର୍ଜା-ମସ‍୍‌ଜିଦ‍୍‌ ଛାଡ଼ି ରାଜଭବନ ଆଡେ଼ ମୁହାଁଇଲେଣି। ଧରମରେ ବେପାର କ୍ଷତି ନାହିଁ ବୋଲି ତ ଈଶ୍ୱରଙ୍କ ନାମ ନେଇ ଦୋକାନ ଆଗରେ ଲେମ୍ୱୁ ଓ ଲଙ୍କା ଟାଙ୍ଗୁଛନ୍ତି। ବାବା ଦୁଃଖୀ ଆତ୍ମାର ଦୁଃଖ ଦୂର କରିବାର କଥା କହିଥାନ୍ତି। ସ୍ୱପ୍ନ ଦେଖାନ୍ତି, ସ୍ୱପ୍ନ ପୂରଣର ରାସ୍ତା ବତାନ୍ତି। ଭକ୍ତମାନେ ବାବାଙ୍କୁ ଦାନ ଦେଇଥାନ୍ତି। ବାବା ଔଷଧ ବିକନ୍ତି, ବାବାଙ୍କ ପତ୍ରିକା, ପୁସ୍ତକ ଭକ୍ତଙ୍କୁ କିଣିବାକୁ ପଡ଼ିଥାଏ। ଏହାପରେ ଯଦି ଈଶ୍ୱରଙ୍କ କୃପା ଲାଭ ନହୁଏ, ତେବେ ଜାଣ ବେପାରୀ ବାବାଙ୍କ ଦ୍ୱାରା ଈଶ୍ୱର ସାନ୍ନିଧ୍ୟପ୍ରାପ୍ତି ଭକ୍ତଙ୍କ ପାଇଁ ଅସାଧ୍ୟ। ତାଙ୍କ ଭାଗ୍ୟ ଖରାପ। କେଉଁ ବାବା ଯମୁନା କୂଳରେ ଆଶ୍ରମ କରିବା ପାଇଁ ୫ କୋଟି ଜରିମାନା ଦେଲେ ତ ଆଉ କେଉଁବାବାଙ୍କୁ ସରକାର ପଦ୍ମ ପୁରସ୍କାର ଦେବା ପାଇଁ ପ୍ରସ୍ତୁତି ଚଳାଇଲେଣି। ଆଉ କେଉଁ ବାବା ନଦୀ ସଂଯୋଗ ନାଁରେ ତ ଆଉ କେଉଁ ବାବା ଗଙ୍ଗା ସଫେଇ ନାଁରେ ବଜେଟ‍୍‌ ସଫା କରିଚାଲିଛନ୍ତି।

 

ଆହୁରି ଏପରି ବାବା ଅଛନ୍ତି, ଯିଏ ଦିବ୍ୟ ଓ ଭବ୍ୟ ପୁତ୍ର ପାଇବା ପାଇଁ ଔଷଧ ଦିଅନ୍ତି। ବାବା ମଧ୍ୟ ନାବାଳିକା-କିଶୋରୀଙ୍କୁ ବ୍ଲାକ୍ ମେଲ‍୍‌ କରନ୍ତି। ଭାରତ ସମେତ ବିଶ୍ୱର ସବୁ ରାଷ୍ଟ୍ରରେ ପ୍ରାୟ ଈଶ୍ୱରଙ୍କ ବହୁଧା ନାମକୁ ଏପରି ଶୋଷଣ ଚାଲିଛି ଯେ, ୧୮୬୧ରେ ୟୁରୋପରେ ଚାଲିଥିବା ଈଶ୍ୱରଙ୍କୁ ନେି ଶୋଷଣଠାରୁ ବଳିଯାଇଛି। କିନ୍ତୁ କେହି ଈଶ୍ୱରଙ୍କୁ ଦେଖିନାହାନ୍ତି। ଖୋଜୁଛନ୍ତି ପାଉନାହାନ୍ତି। ଈଶ୍ୱରଙ୍କ ନାମର ମହାତ୍ମ୍ୟକୁ ନେଇ ଶାନ୍ତି ପାଉଥିବା ଦାବି କରୁଛନ୍ତି, ଅଥଚ ଅନ୍ୟକୁ ଅଶାନ୍ତି କରୁଛନ୍ତି। ଈଶ୍ୱରଙ୍କ ଅସ୍ତିତ୍ୱକୁ ନେଇ ବାମମାର୍ଗୀ, ପ୍ରଗତିଶୀଳ ତଥା ହେତୁବାଦୀମାନେ ପ୍ରଶ୍ନ ଉଠାଉଥିବା ବେଳେ ଆଧ୍ୟାତ୍ମବାଦୀମାନେ ଈଶ୍ୱରଙ୍କ ଦ୍ୱାରା ହିଁ ତାଙ୍କର, ତାଙ୍କ ଦେଶର ଏବଂ ସମଗ୍ର ଜୀବସତ୍ତାର ସୃଷ୍ଟି ବୋଲି ଦାବି କରନ୍ତି। ଧର୍ମ ବିରୋଧୀଙ୍କ କହିବା କଥା-ଈଶ୍ୱରଙ୍କ ଉପସ୍ଥିତି ଯଦି ଥାଆନ୍ତା, ତେବେ ସେଦିନ ୟୁରୋପରେ କୃଷକମାନେ ଯେଭଳି ସାମନ୍ତବାଦୀ ବ୍ୟବସ୍ଥାରେ ଶୋଷଣର ଶିକାର ହୋଇନଥାନ୍ତେ।

 

ଆଜିଦିନରେ ଯେଉଁମାନେ ଧର୍ମର କଥା କହୁଛନ୍ତି, ଯେଉଁମାନେ ଈଶ୍ୱରଙ୍କ ଭିନ୍ନ ଭିନ୍ନ ନାମକୁ ଜପାମାଳି କରୁଛନ୍ତି, ସେମାନେ ହିଁ ଶୋଷଣର ବିଲୋପ ପାଇଁ ତ୍ୟାଗର ପ୍ରମାଣ ଦେଖାଉଥାନ୍ତେ। ଆଜି ତ ଦେଶ ବିଦେଶରେ ଅନେକ ଭଗବାନଙ୍କ ନାମରେ ଆବିର୍ଭୂତ। ଏହି ଭଗବାନଙ୍କ କ୍ଷମତା ପାଖରେ ସରକାରଙ୍କ କ୍ଷମତା ନଗଣ୍ୟ। ରାଜନୈତିକ ଦଳ ଏହି ଭଗବାନମାନଙ୍କୁ ଭୋଟ ବ୍ୟାଙ୍କ ବୋଲି ଗ୍ରହଣ କରିଥାନ୍ତି। ଏହି ଭଗବାନ ନିଜନିଜର ଭିନ୍ନ ଭିନ୍ନ ନାମ ନେଇ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ଚିକିତ୍ସାଳୟ ଖୋଲନ୍ତି। ସରକାର ଏମାନଙ୍କୁ ଲାଭ କରିବା ପାଇଁ ଖୁଲମ‍୍‌ଖୋଲା ଟିକସ ଛାଡ଼ କରନ୍ତି ଏବଂ ଜମି ମଧ୍ୟ ଦିଅନ୍ତି। ବାବା ବା ଈଶ୍ୱରଙ୍କ ନାମର ଠିକାଦାରମାନେ ଈଶ୍ୱରଙ୍କ ନାମରେ କୋଟିପତି ଓ ଅରବପତି ହେଲେଣି। କିନ୍ତୁ ଦରିଦ୍ର ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି। ଶୋଷଣ ଓ କଷଣରେ କୋଟି କୋଟି ଲୋକ ପ୍ରତିଦିନ ତ୍ରାହି ତ୍ରାହି ଡାକୁଛନ୍ତି। ଏହି ସମୟରେ ଧର୍ମର ବେପାରୀମାନେ ନିଜ ବେପାରକୁ ସୁରକ୍ଷିତ, ପ୍ରସାରିତ ଓ ପ୍ରଚାରିତ କରିବା ପାଇଁ ଦଙ୍ଗାଭଳି ଘଟଣା ଘଟାଇ ମଣିଷ ରକ୍ତରେ ହୋରି ଖେଳୁଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟକୁ ଦେଖି ଶୋଷିତ ମଣିଷଟି ଈଶ୍ୱରଙ୍କ ଅସ୍ତିତ୍ୱ ନେଇ ପ୍ରଶ୍ନ ଉଠାଉଛି। କାରଣ ଈଶ୍ୱରଙ୍କ ସୃଷ୍ଟିରେ ସମସ୍ତେ ସମାନ। ସମସ୍ତେ ଏକା ପାଣି, ପବନରେ ବଞ୍ଚନ୍ତି। ଅଥଚ ଈଶ୍ୱରଙ୍କ ନାମ ନେଇ ଧର୍ମ-ଧର୍ମ ମଧ୍ୟରେ ସାଂପ୍ରଦାୟିକ ବିଦ୍ୱେଷ କାହିଁକି? କାହିଁକି ଈଶ୍ୱରଙ୍କ ନାମରେ ମଣିଷର ହତ୍ୟା? ଈଶ୍ୱର ତ ସର୍ବବ୍ୟାପି ନିରାକାର। ଏହି କଥା ପ୍ରଚାର କରୁଥିବା ଧର୍ମର ବେପାରୀମାନେ ମଣିଷ-ମଣିଷ ମଧ୍ୟରେ ଭେଦଭାବର ପାଚେରି ତିଆରି କରୁଛନ୍ତି କାହିଁକି? କାହିଁକି ଈଶ୍ୱରଙ୍କ ନାମଧାରୀ ବାବା, ମୁଲ୍ଲା, ପାଦ୍ରି ବଳାତ୍କାର ବିଶେଷଜ୍ଞ ହୋଇଯାଉଛନ୍ତି? ଧର୍ମ ଯଦି ଆଧ୍ୟାତ୍ମ, ଶାନ୍ତି-ଜ୍ଞାନ-ବିଜ୍ଞାନର ପ୍ରତୀକ, ଈଶ୍ୱର ଯଦି ସର୍ବଶକ୍ତିମାନ, ଆତ୍ମାରେ ବିରାଜମାନେ, ତେବେ ମଣିଷ-ମଣିଷ ମଧ୍ୟରେ ତାଙ୍କ ନାମ ନେଇ ଭେଦଭାବ ସୃଷ୍ଟି କରୁଥିବା ଲୋକଙ୍କୁ ଦଣ୍ଡ ଦେଉନାହାନ୍ତି କାହିଁକି? ଧର୍ମ ନାମରେ ମାଫିଆଗିରି କରୁଥିବା ଲୋକ ମୁକ୍ତ ଭାବରେ ବଞ୍ଚିଛି କିପରି? ପୁଣିଥରେ ଏବେ ଈଶ୍ୱରଙ୍କ ଅସ୍ତିତ୍ୱ ଓ ତାଙ୍କର ମୃତ୍ୟୁ ତଥା ପୁନର୍ଜନ୍ମକୁ ନେଇ ପ୍ରଶ୍ନ ଉଠିଛି ଏବଂ ଆରମ୍ଭ ହୋଇଛି ବିତର୍କ। କାରଣ ଈଶ୍ୱରଙ୍କ ସୃଷ୍ଟିରେ ସମସ୍ତେ ତ ସମାନରେ ରହିବା କଥା, କାହିଁକ୍ି ସାମାଜିକ, ସାଂସ୍କୃତିକ ଓ ଆର୍ଥିକ କ୍ଷେତ୍ରରେ ବଢ଼ିଚାଲିଛି ଅସମାନତା?

 

ସାମ୍ୱାଦିକ, ଭୁବନେଶ୍ୱର

ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top