ଏଣିକି ଖେଚୁଡ଼ି ଖାଇବ ବିଶ୍ୱ!

News Story - Posted on 2017-11-04

ବିଶ୍ୱ ଖାଦ୍ୟ ଭାରତ ଉତ୍ସର୍ବରେ ୯୧୮ କିଲୋଗ୍ରାମ ଓଜନର ଖେଚୁଡ଼ି ରାନ୍ଧି ରେକର୍ଡ଼ କରିଛି ଭାରତ । ଏହା ଗିନିଜ ବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନ ପାଇଛି । ଖେଚୁଡ଼ି ହେଉଛି ଭାରତର ଏକ ପାରମ୍ପାରିକ ଖାଦ୍ୟ । ଏହାକୁ ଆଜି ଜାତୀୟ ଖାଦ୍ୟ ଭାବେ ଘୋଷଣା କରିବାର ଶୁଣାଯାଉଥିଲା । କିନ୍ତୁ ସାମାଜିକ ଗଣମାଧ୍ୟମରେ ସମାଲୋଚନାର ସମ୍ମୁଖୀନ ହେବା ପରେ ସରକାର ଏଥିରୁ ଓହରିଯାଇ ଖେଚୁଡ଼ିକୁ ବିଶ୍ୱବାସୀଙ୍କ ଆଗରେ ଉପସ୍ଥାପନ କରି ଏହାର ଲୋକପ୍ରିୟତା ବୃଦ୍ଧି ଦିଗରେ ଉଦ୍ୟମ କରିଛନ୍ତି ।

 

ବିଶ୍ୱ ଖାଦ୍ୟ ଭାରତ ଉତ୍ସବରେ ବିଖ୍ୟାତ ପାଚକ ସଂଜୀବ କାପୁରଙ୍କ ତତ୍ତ୍ୱାବଧାନରେ ରନ୍ଧା ଯାଇଥିଲା ଏହି ଖେଚୁଡ଼ି । ଏଥିପାଇଁ ୧୦୦୦ କିଲୋଗ୍ରାମ ଖାଦ୍ୟ ରନ୍ଧାଯିବା ଭଳି ୧୨୦୦ କିଲୋଗ୍ରାମ ଓଜନର ଏକ ବିଶାଳ କଢ଼େଇ ବ୍ୟବହୃତ ହୋଇଥିଲା । ଯୋଗଗୁରୁ ବାବା ରାମଦେବ ଏହି ଖେଚୁଡ଼ିରେ ତଡ଼କା ଲଗେଇଥିଲେ ଅର୍ଥାତ ସେ ଛୁଙ୍କ ଦେଇଥିଲେ । କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କାଉର ମଧ୍ୟ ଏହି ଖେଚୁଡ଼ି ରୋଷେଇରେ ଅଂଶଗ୍ରହଣ କରିଥିଲେ । ସେ କହିଥିଲେ ଯେ ଏହା ହେଉଛି ଏକ ପୁଷ୍ଟିକର ଖାଦ୍ୟ । ଏଥିରୁ ପ୍ରାୟ ସବୁ ପ୍ରକାର ପୁଷ୍ଟି ମିଳେ । ଏହା ହେଉଛି ଭାରତର ବିବିଧତା ଭିତରେ ଏକତାର ଏକ ପ୍ରତୀକ । ଭାରତର ପ୍ରାୟ ସବୁ ରାଜ୍ୟରେ ଖେଚୁଡ଼ି ରନ୍ଧାଯାଏ ।

 

ବାବା ରାମଦେବ ମଧ୍ୟ କହିଛନ୍ତି ଯେ ଖେଚୁଡ଼ି ହେଉଛି ସ୍ୱାସ୍ଥ୍ୟକର । ଏଥିରେ ସବୁ ପ୍ରକାର ପୁଷ୍ଟି ରହିଛି । ଏହାକୁ ଭାରତର ବ୍ରାଣ୍ଡ ଖାଦ୍ୟ ଭାବେ ପ୍ରଚାରିତ କରାଯିବା ନିଶ୍ଚୟ ଏକ ଭଲ ଉଦ୍ୟମ । ଆଜି ରୋଷେଇ ହୋଇଥିବା ଏହି ଖେଚୁଡ଼ିରେ ଚାଉଳ, ଡାଲି, ବିଭିନ୍ନ ପ୍ରକାର ମଂଜି ଓ ପରିବା ପଡ଼ିଥିଲା । ଏହାର ପ୍ରସ୍ତୁତିରେ ସହାୟତା କରିଥିଲେ ଭାରତବର୍ଷର ବହୁ ବିଶିଷ୍ଟ ପାଚକ । ସେମାନଙ୍କ ମଧ୍ୟରେ ଅଛନ୍ତି ଇମତିଆଜ କ୍ୟୁରେଶୀ, ରଣବୀର ବ୍ରାର, ସୁଧୀର ଶିବାଲ, ରାକେଶ ସେଠୀ, ଅକ୍ଷୟ ନାୟାର ଏବଂ ସତୀଶ ଗୌଡ଼ା । ଆଇଟିସି ହୋଟେଲର ମୁଖ୍ୟ ପାଚକ ଇମତିଆଜ କହିଛନ୍ତି ଯେ ଖେଚୁଡ଼ିକୁ ଭାରତର ବ୍ରାଣ୍ଡ ଖାଦ୍ୟ ଭାବେ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନ କରାଯିବ ଏକ ଭଲ ଉଦ୍ୟମ । ଏବେ ସାରା ବିଶ୍ୱର ବିଖ୍ୟାତ ପାଚକମାନେ ଖେଚୁଡ଼ିକୁ ଏକ ନୂଆ ଖାଦ୍ୟ ଭାବେ ଗ୍ରାହକଙ୍କୁ ବାଢ଼ି ଦେଉଛନ୍ତି ।

 

ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଓ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଂଜନ ଜ୍ୟୋତି, ଡେନମାର୍କର ଖାଦ୍ୟ ମନ୍ତ୍ରୀ ଏସବେନ ଲୁଣ୍ଡେ ଲାର୍ସନ, ଆଇଟିସି ହୋଟେଲ ଶୃଙ୍ଖଳାର ମୁଖ୍ୟ ସଂଜୀବ ପୁରୀ, ଟାଟା କେମିକାଲ୍ସର ମୁଖ୍ୟ ଅପରେଟିଂ ଅଫିସର ରିଚ ଅରୋରା, ଏଲଟି ଫୁଡର ଅଧ୍ୟକ୍ଷ ବିଜୟ ଅରୋରା ଏବଂ ଅକ୍ଷୟ ପାତ୍ର ଫାଉଣ୍ଡେସନର କେତେକ ଅଧିକାରୀ ଯୋଗଦେଇଥିଲେ । ଆଜି ପ୍ରସ୍ତୁତ ହୋଇଥିବା ଖେଚୁଡ଼ିକୁ ଦିଲ୍ଲୀର ପ୍ରାୟ ୬୦ ହଜାର ଗରୀବ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ବଣ୍ଟନ କରାଯାଇଛି । ବିଶ୍ୱ ଖାଦ୍ୟ ଭାରତ ଉତ୍ସବରେ ଓଡ଼ିଶା ସମେତ ଦେଶର ପ୍ରାୟ ୨୦ଟି ରାଜ୍ୟ ଅଂଶ ଗ୍ରହଣ କରି ନିଜନିଜ ଅଂଚଳର ପାରମ୍ପାରିକ ଖାଦ୍ୟ ପରିବେଷଣ କରୁଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top