ପିଲା ନବୁଝିଲେ ସରକାର ବୁଝନ୍ତୁ

News Story - Posted on 2017-11-03

ଗୋଲକ ବିହାରୀ ନାୟକ

 

ବର୍ତ୍ତମାନ ଆମ ସମାଜରେ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟା ରହିଛି। ବରିଷ୍ଠ ନାଗରିକମାନଙ୍କର ସୁରକ୍ଷା, ଭରଣପୋଷଣ ଏବଂ ଦାୟିତ୍ୱ ଇତ୍ୟାଦିକୁ ନେଇ ଅନେକ କ୍ଷେତ୍ରରେ ନାନା ସମସ୍ୟାମାନ ଦେଖାଯାଉଛି। ଯେଉଁମାନେ ଆଜି ଜୀବନର ଅପରାହ୍ନରେ ପଦାର୍ପଣ କରିଛନ୍ତି, ସେମାନେ ନିଜର ଯୁବାବସ୍ଥାରେ ଅନେକ ଦୁଃଖ, ଯନ୍ତ୍ରଣା ସହ ନିଜର ପରିବାର ତଥା ସ୍ୱଜନମାନଙ୍କୁ ପ୍ରତିଷ୍ଠା କରିବା ଦିଗରେ ତ୍ୟାଗ ସ୍ୱୀକାର କରିଥିଲେ। ସେହିମାନେ ହିଁ ଆଜି ନିଜେ ଗଢିଥିବା ପରିବାର ପାଇଁ ସମସ୍ୟା ହୋଇଯାଇଛନ୍ତି।

 

ଆମ ଦେଶର ଐତିହ୍ୟ, ସଂସ୍କୃତି, ପରମ୍ପରା ଧୀରେ ଧୀରେ ବଦଳି ଯାଉଛି। ଉଦାହରଣ ସ୍ୱରୂପ ଆଗ କାଳରେ ଏକାନ୍ନବର୍ତ୍ତୀ ବା ଯୌଥ ପରିବାର ଗୁଡ଼ିକରେ ବୟସ୍କ ଲୋକମାନଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଉଥିଲା। ଯୌଥ ପରିବାରରେ ବୃଦ୍ଧ, ବୃଦ୍ଧାଙ୍କ ସେବାଯତ୍ନ ସୁରକ୍ଷିତ ଥିଲା। ଯୌଥ ପରିବାର ଯେତେ ହ୍ରାସ ପାଉଛି, ବୃଦ୍ଧ ବୃଦ୍ଧାଙ୍କ ଯତ୍ନ ସେତେ ହ୍ରାସ ପାଉଛି। ଯୌଥ ପରିବାରର ସଦସ୍ୟମାନେ ଗୋଟିଏ ଘରେ ରହୁଥିଲେ, ଗୋଟିଏ ହାଣ୍ଡିରେ ସେମାନଙ୍କର ଚାଉଳ ପଡ଼ୁଥିଲା। ଦେହପା ଖରାପ ହେଲେ କେହି ବ୍ୟସ୍ତ, ବିବ୍ରତ, ନିଃସହାୟ ହୋଇ ପଡ଼ୁନଥିଲେ। ବାର୍ଦ୍ଧକ୍ୟରେ ଉପନୀତ ବ୍ୟକ୍ତିଙ୍କୁ ଯଥେଷ୍ଟ ସେବା, ଯତ୍ନ ନିଆଯାଉଥିଲା। ବୁଢା, ବୁଢୀମାନେ ନିଃସଙ୍ଗ ଆଉ ଏକାକୀ ହେଉନଥିଲେ। ପୁଅ, ବୋହୂ, ପୁତୁରା, ପୁତୁରାବୋହୂ, ନିଜର ସାନଭାଇ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ସର୍ବଦା ପାଖରେ ରହୁଥିଲେ। ସେମାନଙ୍କର ଯତ୍ନ ନେଉଥିଲେ ଏବଂ ସେବା କରୁଥିଲେ। ଠିକ‌୍‍ ସମୟରେ ଔଷଧ ପତ୍ରର ବ୍ୟବସ୍ଥା ଥିଲା। ସବୁବେଳେ ବୋହୂ ହାତ ପରଷା ସେମାନଙ୍କୁ ମିଳୁଥିଲା। ମନ ପସନ୍ଦ ଖାଦ୍ୟ ବରାଦ ଦେଇ ସେମାନେ ତୃପ୍ତ ହେଉଥିଲେ। ପୁଅ ବୋହୂମାନେ ବାପା ମାଆଙ୍କ ସେବା ଯତ୍ନକୁ ମହାପୂଣ୍ୟ ମନେ କରୁଥିଲେ। ନାତି, ନାତୁଣୀମାନେ ବୁଢାବୁଢୀଙ୍କର ପ୍ରିୟ ସାଙ୍ଗସାଥୀ ଥିଲେ। ସକାଳୁ ଉଠିଲା ପରେ ବୋହୂମାନେ ପାଣିଢାଳ, ଦାନ୍ତକାଠି ସଜାଡ଼ି ଗାମୁଛା ହାତକୁ ବଢାଇ ଦେଉଥିଲେ। ଯୌଥ ପରିବାରରେ ବୟୋଜ୍ୟେଷ୍ଠଙ୍କ କଥାକୁ ଗୁରୁତ୍ୱ ଓ ସମ୍ମାନ ଦିଆଯାଉଥିଲା। ଘରର ଛୋଟବଡ଼ ସମସ୍ତ କଥାରେ ସେମାନଙ୍କ ମତାମତକୁ ଗ୍ରହଣ କରାଯାଉଥିଲା। ଘରକୁ କେହି ଆସିଲେ ମୁରବୀଙ୍କୁ ଖୋଜା ପଡୁଥିଲା। ଘରର ବୋହୂମାନେ ଶାଶୁ, ଶ୍ୱଶୂରଙ୍କର ସେବା ସୁଶ୍ରୁଷା କରୁଥିଲେ। ବୟସରେ ବଡ଼ ଲୋକଙ୍କ ଗାଁରେ ମଧ୍ୟ ଆଦର ସମ୍ମାନ ମିଳୁଥିଲା। ଗାଁର ନ୍ୟାୟନିଶାପ, ହାନିଲାଭ, ଭଲମନ୍ଦରେ ସେମାନଙ୍କୁ ଡ଼କରା ଆସୁଥିଲା। ସେମାନେ ଯାହା କହୁଥିଲେ କନି ମାନେ ତାକୁ ବେଦର ଗାର ପରି ମାନୁଥିଲେ। କିନ୍ତୁ ବର୍ତ୍ତମାନ ଏହି ଛବିର ପରିବର୍ତ୍ତନ ଆସିଛି-ଗ୍ରାମରେ ଓ ସହରରେ।

 

ଆଜିକାଲି ସେହି ଯୌଥ ପରିବାର ନାହିଁ। ସେହି ସ୍ନେହ, ଶ୍ରଦ୍ଧା, ସହାନୁଭୂତି ଦେଖିବାକୁ ମିଳୁନାହିଁ। କେଉଁଠି କେମିତି କାଁ ଭାଁ ତିଷ୍ଠି ରହିଛି। ଯୁଗ ଏବଂ ସମାଜ ବଳଦି ଯାଇଛି। ସମସ୍ତେ ସହରାଭିମୁଖୀ ହୋଇଛନ୍ତି। ଆଜିକାଲି ଘର, ପରିବାର କହିଲେ ନିଜ ସ୍ୱାମୀ, ସନ୍ତାନ, ସ୍ୱାୀମୀଙ୍କ ମୋଟା ଦରମା, ଅର୍ଥ ରୋଜଗାର ଇତ୍ୟାଦିକୁ ବୁଝାଉଛି। ପିଲାମାନେ ବଡ଼ ଚାକିରୀ, ମୋଟା ଦରମା ପାଇଲେ ଭୋଗ ବିଳାସରେ ବୁଡ଼ି ରହୁଛନ୍ତି। ନିଜର ସ୍ତ୍ରୀଙ୍କ କଥାରେ ପଡ଼ି ବୁଢାବାପା ମାଆଙ୍କୁ ଅଣଦେଖା କରୁଛନ୍ତି ଏବଂ ପଚାରୁ ନାହାଁନ୍ତି। ସହରରେ ପୁଅବୋହୂ ନିଜର ବାପାମାଆଙ୍କୁ ପାଖରେ ରଖିବାକୁ ଚାହୁଁନାହାଁନ୍ତି ଏବଂ ସେମାନେ ପାଖରେ ରହିଲେ ତାଙ୍କର ବହୁତ ଅସୁବିଧା ହେଉଛି। ଯେଉଁଠି ଦୁଇ ତିନୋଟି ପୁଅ ସେହି କ୍ଷେତ୍ରରେ ବାପା, ମାଆ କାହା ପାଖରେ ରହିବେ ସେ ନେଇ ଟଣାଓଟରା ଚାଲୁଛି। ଗ୍ରାମାଞ୍ଚଳରେ ଘରଦ୍ୱାର, ଜମିବାଡ଼ି ଭାଗ ହେଲା ବେଳେ ବାପା ମାଆ ମଧ୍ୟ ଭାଗ ହେଉଛନ୍ତି।

 

ନିକଟରେ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, ଦେଶରେ ଥିବା ବୃଦ୍ଧ, ବୃଦ୍ଧାମାନଙ୍କର ୭୫ ଭାଗ ନିଜ ପରିବାରର ବୋହୂମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି। ୬୦% ପୁଅ ସେମାନଙ୍କର ବାପାମାଆଙ୍କୁ ପଚାରୁ ନାହାଁନ୍ତି, ନିର୍ଯ୍ୟାତନା ଦେଉଛନ୍ତି। ୨୦% ଉଭୟ ପୁଅ, ବୋହୂଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି। ୫% ଶାରୀରିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ସବୁଠାରୁ ଅସହାୟ ହୋଇଥାନ୍ତି ସ୍ୱାମୀହରା ସ୍ତ୍ରୀ ଏବଂ ସ୍ତ୍ରୀ ହରା ସ୍ୱାମୀମାନେ। ଯେଉଁଠି ଉଭୟ ଅଛନ୍ତି ପୁଅ ଝିଅର ଆବଶ୍ୟକତାକୁ ଦେଖି ଭାଗ ଭାଗ ହୋଇଯାଆନ୍ତି।

 

ବରିଷ୍ଠ ନାଗରିକମାନଙ୍କର କିଛି ଦାୟିତ୍ୱ ରହିଛି। ପ୍ରଥମତଃ ସେମାନେ ଅତୀତକୁ ନେଇ ବଞ୍ଚି ରହିବାକୁ ଚାହାଁନ୍ତି। ଅତୀତ ବିଗତ ଆଉ ଫେରି ଆସିବ ନାହିଁ। ଭବିଷ୍ୟତ ଅନିଶ୍ଚିତ। ତେଣୁ ବର୍ତ୍ତମାନ ସହିତ ନିଜକୁ ଖାପ ଖୁଆଇ ବଞ୍ଚି ରହିବା ଉଚିତ‌୍‍। ସମାଜର ଗଠନମୂଳକ କାର୍ଯ୍ୟରେ ବରିଷ୍ଠ ନାଗରିକମାନଙ୍କର ଭୂମିକା ରହିଛି। ଭୁବନେଶ୍ୱର, କଟକ ପ୍ରଭୃତି ସହରମାନଙ୍କରେ ବହୁ ଶିକ୍ଷିତ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଅବସର ନେବା ପରେ ନିଜ ଘର ମଧ୍ୟରେ ବନ୍ଦୀ ଜୀବନ ଯାପନ କରୁଛନ୍ତି। ବାହ୍ୟ ଜଗତ ସହିତ ସେମାନଙ୍କର ସମ୍ପର୍କ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ସେମାନଙ୍କର ପୁଅ, ଝିଅ କିଏ ଆମେରିକା, ଲଣ୍ଡନ, ସିଙ୍ଗାପୁର ପ୍ରଭୃତି ବିଦେଶରେ ଚାକିରୀ କରିଥାନ୍ତି। ସରକାରୀ କିରୀରେ ଥିବା ସମୟରେ ନିଜର ପଦବୀ କ୍ଷମତା ବଳରେ ସାଧାରଣ ଲୋକଙ୍କ ସହିତ ସମ୍ପର୍କ ରଖନ୍ତି ନାହିଁ। ବୃଦ୍ଧ ଅବସ୍ଥାରେ ନିଜ ଘରେ ବନ୍ଦୀ ଜୀବନ ଯାପନ କରୁଛନ୍ତି। ଅତ୍ୟନ୍ତ ଅସହାୟ ଅବସ୍ଥାରେ ସେମାନେ ଘର ଭିତରେ ପଡ଼ି ରହିଥିବା ଦେଖିବାକୁ ମିଳେ।

 

୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୪ କୋଟି ୨୦ ଲକ୍ଷର ୯.୫ ପ୍ରତିଶତ ଅର୍ଥାତ ଜାତୀୟ ସ୍ତର ଠାରୁ ଅଧିକ। ଗ୍ରାମାଞ୍ଚଳରେ ଶତକଡ଼ା ୮୬.୧୪ ପ୍ରତିଶତ ରହିଥିବା ବେଳେ ସହରରେ ଶତକଡ଼ା ୧୩.୮୬ ପ୍ରତିଶତ ବରିଷ୍ଠ ନାଗରିକ ବସବାସ କରନ୍ତି। ଗ୍ରାମରେ ରହୁଥିବା ବରିଷ୍ଠ ନାଗରିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ। ବାର୍ଦ୍ଧକ୍ୟ ଭତ୍ତା ସରକାରଙ୍କ ତରଫରୁ ଦିଆଯାଉଛି ୩୦୦ ଟଙ୍କାରୁ ୫୦୦ ଟଙ୍କା ମଧ୍ୟରେ। ଯେଉଁ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧବୃଦ୍ଧାମାନେ ପାଉଛନ୍ତି ତାଙ୍କର ଆବଶ୍ୟକତା ତୁଳନାରେ ତାହା ଅତ୍ୟନ୍ତ ନଗଣ୍ୟ। ଏହାକୁ ମଧ୍ୟ ସବୁ ବୃଦ୍ଧବୃଦ୍ଧା ପାଉନାହାଁନ୍ତି।  ୨୦୧୫ ମସିହା ଠାରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ନୂଆ ବିଭାଗ ଖୋଲାଯାଇଛି ରାଜ୍ୟରେ। କେନ୍ଦ୍ର ସରକାର ଅସହାୟ ବୁଢାବୁଢୀଙ୍କ ଆଶ୍ରୟ ନିମନ୍ତେ ଦେଶବ୍ୟାପୀ ଗୋଟିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଜରାଶ୍ରମାନ ସହରାଞ୍ଚଳ, ଗ୍ରାମାଞ୍ଚଳରେ ଖୋଲାଯାଇ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ସେଠାରେ ମାଗଣାରେ ଖାଇବା, ରହିବାର ବ୍ୟବସ୍ଥା କରାଯାଉଛି।

 

୧୯୯୦ ମସିହା ଡ଼ିସେମ୍ୱର ୧୪ ତାରିଖରେ ଜାତିସଂଘ ସାଧାରଣ ଅଧିବେଶନରେ ୧ ଅକ୍ଟୋବରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ରୂପେ ଘୋଷଣା କଲେ। ୧୯୯୧ ମସିହା ଠାରୁ ଏହା ପାଳିତ ହୋଇଆସୁଛି। ବାର୍ଦ୍ଧକ୍ୟ ସମୟରେ ବୃଦ୍ଧ, ବୃଦ୍ଧାଙ୍କୁ ସୁରକ୍ଷା ଦେବା ପାଇଁ ସମ୍ୱିଧାନର ୪୧ ଧାରାରେ ବ୍ୟବସ୍ଥା ଅଛି। ସେମାନଙ୍କୁ ସାମାଜିକ ନିରାପତ୍ତା, ଧାର୍ମିକ ସହାୟତା, ସ୍ୱାସ୍ଥ୍ୟ, ବାସଗୃହ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସାମ୍ୱିଧାନିକ ଦାୟିତ୍ୱ। ବରି  ନାଗରିକମାନଙ୍କୁ ଉତ୍ପୀଡ଼ନରୁ ରକ୍ଷା କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ୧୯୯୯ ଜାନୁୟାରୀରୁ ବରିଷ୍ଠ ନାଗରିକ ପାଇଁ ଏକ ଜାତୀୟ ନୀତି କାର୍ଯ୍ୟକାରୀ କରିବାକୁ ନିଦ୍ଦେର୍ଶନାମା ରହିଛି। ବର୍ତ୍ତମାନ କେନ୍ଦ୍ର ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ କିଛି ସୁବିଧା କରିଛନ୍ତି। ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କର ବର୍ଷକୁ ୩ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର କାଟୁଛନ୍ତି। ଯେଉଁ ବ୍ୟକ୍ତିଙ୍କର ବୟସ ୮୦ ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ରିହାତି ଦିଆଯାଉଛି।

 

ରେଲ‌୍‍ ଯାତ୍ରା କଲେ ବରିଷ୍ଠ ନାଗରିକମାନଙ୍କୁ ମେଲ‌୍‍, ଏକ୍ସପ୍ରେସ‌୍‍ ଟ୍ରେନ‌୍‍ ମାନଙ୍କରେ ୪୦% ରିହାତି ଦିଆଯାଉଛି। ଉଡ଼ାଜାହାଜରେ ଯାତାୟତ ସମୟରେ ୫୦% ରିହାତି ଦେବାକୁ ବର୍ତ୍ତମାନ ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ଆଞ୍ଚଳିକ ଓ ରାଜ୍ୟସ୍ତରରେ ବିଭିନ୍ନ ବରିଷ୍ଠ ନାଗରିକ ସଂଗଠକମାନ ଗଢାଯାଇ ସମାନଙ୍କର ବିଭିନ୍ନ ଦାବୀପୂରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରୁଛନ୍ତି। ସେହି ଦାବୀଗୁଡ଼ିକ ହେଲା-ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ସରକାରୀ ହସ୍ପିଟାଲରେ ମାଗଣାରେ ଚିକିତ୍ସାର ସୁବିଧା ମିଳିବା, ରାଜ୍ୟରେ ଚାଲୁଥିବା ସରକାରୀ ଏବଂ ବେସରକାରୀ ବସ‌୍‍ ମାନଙ୍କରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଉ, ମ୍ୟୁନିସପାଲିଟି କରରୁ ମୁକ୍ତ କରାଯାଉ, ନିରାପତ୍ତା ଏବଂ ସୁରକ୍ଷା ପାଇଁ ପୋଲିସ‌୍‍ ନିକଟରେ ସେମାନଙ୍କ ବିବରଣୀ ରହୁ ଏବଂ ପୋଲିସ‌୍‍ ନିୟମିତ ଭାବେ ସେମାନଙ୍କର ବିବରଣୀ ରଖନ୍ତୁ। ସ୍ୱାସ୍ଥ୍ୟଜନିତ ଜରୁରୀକାଳୀନ ପରିସ୍ଥିତ, ଚୋରି, ଡ଼କାୟତି କ୍ଷେତ୍ରରେ ପୋଲିସ‌୍‍ ଜରୁରୀକାଳୀନ ଭିତ୍ତିରେ ସେମାନଙ୍କୁ ସେବା ଯୋଗାଇ ଦେଉ, ପ୍ରତ୍ୟେକ ବରିଷ୍ଠ ନାଗରିକମାନଙ୍କୁ ସରକାରଙ୍କ ତରଫରୁ ପରିଚୟ ପତ୍ର ପ୍ରଦାନ କରାଯାଉ, ଅସହାୟ ବୃଦ୍ଧ ବୃଦ୍ଧାଙ୍କ ପାଇଁ ପ୍ରତ୍ୟେକ ବ୍ଲକ ଏବଂ ମ୍ୟୁନିସପାଲିଟି ଅଞ୍ଚଳରେ ସରକାରୀ ଏବଂ ବେସରକାରୀ ଏନ‌୍‍.ଜି.ଓ. ସଂସ୍ଥାମାନଙ୍କ ଦ୍ୱାରା ଜରାଶ୍ରମ ପ୍ରତିଷ୍ଠା କରାଯାଇ ସେଠାରେ ମାଗଣାରେ ସେମାନଙ୍କୁ ରଖାଯାଉ।

 

ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ବିହନ ନିଗମ

ଫୋନ‌୍‍-୯୪୩୭୩୧୮୭୩୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top