ସମକାଳ ଚିନ୍ତା

News Story - Posted on 2017-11-03

ବିଧୁ ଭୂଷଣ

 

ଶୂନ୍ୟଶୂନ୍ୟ ମହାଶୂନ୍ୟ,

ଶୂନ୍ୟ ମଧ୍ୟେ ଶ୍ରୀନବୀନ,

ବିକାଶର ପ୍ରଭଞ୍ଜନ,

କାଳ ଭୈରବ ଗର୍ଜନ।

 

ଖାତା ଫିତା ପ୍ରହସନ

ପୃଥିବୀ ବକ୍ଷରୁ ଉଭାନ।

ସମ୍ମୁଖେ ଅଛି ନିର୍ବାଚନ,

ଶିଳାନ୍ୟାସ ଉଦଘାଟନ।

 

ସେତୁ ସଡ଼କ ଭବନ

ସବୁ ନିର୍ମାଣ ଅଧୀନ।

ଧାର୍ଯ୍ୟ କାଳ ସମାପନ,

ବୃଦ୍ଧିପାଏ ଆକଳନ।

 

ଠିକାଦାର ସୁପୋଷଣ

ଯନ୍ତ୍ରୀ ମନ୍ତ୍ରୀ ଏକମନ।

ରାଜକୋଷ ହୁଏ କ୍ଷୀଣ

ନବୀନଙ୍କ ଜୟଗାନ।

 

କର କର ନିରୀକ୍ଷଣ

ସେତୁ ଭବନ ଗଳନ,

ବମିଖାଲ ବରଗଡ଼

ଗୁରୁପ୍ରିୟା ଗଡ ଗଡ।

 

ମୁଖ୍ୟଯନ୍ତ୍ରୀ ଅନୁଧ୍ୟାନ

ନିର୍ଣ୍ଣୟ କରିଣ କାରଣ

ନଥି କଲେ ସମର୍ପଣ

ସିଦ୍ଧାନ୍ତ ଅତି ଗହନ।

 

ମଞ୍ଜୁର ହୋଇନାହିଁ ପ୍ଳାନ

ଚାଲୁଥାଏ ନିରିମାଣ

ସେତୁର କଙ୍କାଳ ଗଢ଼ଣ

ନକରି ପଦ୍ଧତି ପାଳନ।

 

ମାର ମାର ମାର ବୋଲି

ଦାଣ୍ତେ ପଡୁଥିଲା ହୁରି

ଠିକାଦାର ସାନ ଯନ୍ତ୍ରୀ

ପଡିଗଲେ ଛାଗବଳି।

 

ଗୁଣିଆ ପୋଷି ଡାହାଣୀ

ଝାଡିବାକୁ ବସେ,

ଡାହାଣି ତ୍ରିତଳେ ବସି

ମୃଦୁହସ ହସେ।

 

ଇନ୍ଦ୍ରା ବିଜୟାବାସ

କେବଳ କାଗଜ ଚାଷ,

ହିତ ଗ୍ରହୀତା ହତାଶ

ଚେକ ଦାତା କରେ ଗ୍ରାସ।

 

ଶିକ୍ଷା ଶିକ୍ଷକ ହତାଶ

ପାଇ ଅଳ୍ପକେ ସନ୍ତୋଷ।

ସ୍ବାସ୍ଥ୍ୟ ପୋଷଣ ବିକାଶ

ନଗଡା କଟକ କମ୍ପାସ।

 

ପତ୍ରିକା ଆଉଟଲୁକ

ଖୋଜିଲେ ପ୍ରଶାସକଙ୍କୁ,

ଢାଳିଲେ ପ୍ରଶଂସା ମଧୁ

ଅର୍ପିଲେ ପୁଷ୍ପହାରକୁ।

 

ପାଇଲେ ସୁପ୍ରଶାସକ

ଓଡିଶା ବିକାଶ ମୁଖ୍ୟ

ନବୀନ ପଟ୍ଟନାୟକ

ସାକ୍ଷାତ ବିକାଶ ବୃକ୍ଷ।

 

ପଦକ କଲେ ମଣ୍ତନ

ସୁଖ୍ୟାତି କଲେ ଗାୟନ

ଆଉଟଲୁକ ଚୟନ

ସୁପ୍ରଶାସକ ନବୀନ।

 

ଆଗକୁ ଅଛି ନିର୍ବାଚନ

ସତ୍ୟ ବୋଲନ୍ତି ନବୀନ

ପିସି ଠିକଣା କରି ଠାବ

ବୋଲନ୍ତି ନିଶ୍ଚୟ ମାରିବ।

 

ପିସି ଯାଉଛି ଖସି ଖସି

ଆଖି ମାରୁଛି ହସି ହସି

ଶାସନ ତନ୍ତ୍ରେ କରି ବାସ

ଶଂଖ ଆଡରେ ଉପହାସ।

 

ଏପରି ନବୀନ ଶାସନ

ଶୁଣ ହେ ଓଡିଆ ସୁଜନେ

ମୁକ୍ତ କରିବେ ଦୀନ ଜନେ

ଉଣେଇଶ ରଖିଥିବ ଧ୍ୟାନେ।

 

ସରକାର ପରା ଜନତା ଗଢିଲେ,

ସରକାର ଅଟେ ଜନତା ପାଇଁ,

ସରକାର ପରା ଜନତାଙ୍କର

ପାଠ ପଢୁ ଆମେ ପଇସା ଦେଇ।

 

ସମ୍ବିଧାନ ଗଢି ଟେକି ଦେଇଛନ୍ତି,

ପାଞ୍ଚ ବରଷକୁ ଚଳଉଥିବ।

ଦରମା ଭତ୍ତାରେ ତୁମେ ମେନେଜର

ବରଷ ଶେଷରେ ହିସାବ ଦେବ।

 

 

ଯୁଗ ତ ଓଲଟା ହେଲାଣିରେ ଭାଇ,

ଚାକର କହୁଛି ସେ ସାହୁକାର।

ଭାଗଚାଷୀ ପାଇଁ ଆଇନ କରିଛି,

ବନ୍ଧା ପଡିବାକୁ ଶ୍ରୀଜମିଦାର।

 

ଭାଗଚାଷୀ କୁହେ, ଚାଷ ଭଲ ନାହିଁ

ଷଣ୍ଢ ଖାଇଗଲା ସବୁ ଫସଲ।

ହାତ ଟେକିଦିଏ ଭାଗକୁ ମାତର

କହେ ଭାଗଚାଷୀ ଏଟା ଛତର।

 

ନେଲେ ନିଅ ତୁମେ ନହେଲେ ନାହିଁ,

ଦୟା କରୁଅଛି ଘର ଚାକର।

କହି ବୁଲୁଅଛି ଜନତା ବାହାର,

ସରକାର ପରା ଆମ ଦଳର।

 

ଆମ ଦଳ ନେତା ଦେଖୁଥିବେ ମେଣ୍ଢା

ଦଳ ଚରୁଥିବୁ ତୁମବାଡିରେ,

ଆମେସବୁ ଅଟୁ ଦଳୁଆ ଷଣ୍ଢ

ପଘା ଲୋଡ଼ାନାହିଁ ଦଳ ବେକରେ।

 

ପାଞ୍ଚ ବରଷରେ ଆମେ ବୁଲିଯିବୁ

ସାହୁକାରଙ୍କର ଦାଣ୍ତପିଣ୍ଢାକୁ,

ହାତ ମଳି ମଳି ନିଉଛାଣି ହେଉ

ଭାଗ ଦିଅ ଆଉ ପାଞ୍ଚବର୍ଷକୁ।

 

ପାଞ୍ଚ ବରଷରେ ଦୋଳ ପୁନିଅଁକୁ

ହଳିଆ ବଦଳ ଅଛି ନିୟମ,

ଭାଗଚାଷୀ ଭାଗ ହାତେଇବା ପାଇଁ

ଦିଏ ମୁଢ଼ି ମୁଆଁ କରେ ପ୍ରଣାମ।

 

କହିବ ଏଥର ଭଲ ଚାଷହେବ

ମୁଗ କୋଳଥକୁ ମସୁରି ଧାନ,

ଷଣ୍ଢକୁ ଜଗିବି, ପାଣି ମଡ଼ାଇବି,

ଅମଳ ହୋଇବ ଷୋହଳ ପଣ।

 

ଦିନ ବିତିଯାଏ ବରଷ ବରଷ,

ଅମଳ ହିସାବ ଯାହାକୁ ତାହା,

ଗଉଡ଼ ପିଲାଟା ମାଟିଦୁମ ପରେ

ରାଜା ପରି ଛାଡେ ହୁକୁମ ରାହା।

 

କହିବୁଲେ ଦାନ ଦକ୍ଷିଣା ନବ କି?

ଆସ ଆସ ଅଛ ଯେତେ ପରଜା।

ଇନ୍ଦିରା ଆବାସ ଟଙ୍କାରେ ଚାଉଳ

ଉଜଳା ଗିଆସ ବିଧବା ଭତ୍ତା।

 

ଏକ ସିଙ୍ଗେ ମୁହିଁ ମଣିଷ ମାରଇ,

ଦୁଇ ସିଙ୍ଗେ ମୁହିଁ ପର୍ବତ ଟାଳେ।

ପ୍ରଜା ରାଇଜରେ ପରଜା ବିକଳ

ଖଇରାତ ଦୟା ଚାକର ଢାଳେ।

 

ବିଜେପୁରବାସୀ ସୁବଳ ହରାଇ

ପଦୁଅଁ ହାତ ଓ ଶଙ୍ଖକୁ ଚାହିଁ,

ଭାଳୁଛନ୍ତି ଭଲା ଭଲ କେ କରିବ

ହାତକାଟି ଭୋଟ ଦବାକି ନାହିଁ!

 

ସୁଢଳ ଘରଣୀ ହାତ କାଟିଦେଇ

ପଶିଗଲେ ଯାଇଁ ଶଙ୍ଖ ଘରକୁ।

ଶଙ୍ଖ ନବାଜିଲେ ବଳକି ରହିବ

ହେବନାହିଁ ସିଏ କୋଉ କୁଳକୁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top